କଥୟନ୍ତୀ

 

 

 

 

 

 

 

 

 

 

 

କଥୟନ୍ତୀ

ଜ୍ଞାନୀନ୍ଦ୍ର ବର୍ମା

 

 

 

 

 

 

 

 

 

 

 

 

 

ଶ୍ରୀମତୀ ସତ୍ୟଭାମା ଦେବୀଙ୍କ

 

କଥା କହ ମୋର କଥୟନ୍ତୀ ଗୋ,

କଥା କହ, କଥା କହ,

ଅବ୍ୟୟ, ଅକ୍ଷୟ;

କଥା ଚିର ରସମୟ ।

ଅଳଙ୍କାରର ନାଗ-ବନ୍ଧନ ନାଶି

କଥା କହ ରାଶି ରାଶି,

କହ ଦଳିତର କଥା....

ଗାଇ ଦୁରିତର ଜୟ,

ଦୁର୍ଜନେ କରି ଭୟ ।

କଥା କହ ମୋର କଥୟନ୍ତୀ ଆଗୋ,

ସହଜ ସରଳ କଥା,

କହ ମୋତେ ତୋର ମନର ଗହନ ବ୍ୟଥା ।

କହ ବାଙ୍‍ମୟି, ଭାବ-ଉଜ୍ଜ୍ୱଳ କଥା....

ସବୁଜ ଘାସରେ ସାଧବବୋହୂର ସମ,

ରସର ରତ୍ନ ବିଞ୍ଚିଗୋ ଯଥା ତଥା

କଥା ତୋର ଦିଶୁ ସୁନ୍ଦର ମନୋରମ ।

ହେ କଥୟନ୍ତି !

କଥା କହ

ସେହି କଥା,

ଯେଉଁ କଥା ମୋତେ କହିନୁ ତୁ ଜମା ସଖି,

କଥା କହ ସେହି କଥା,

ଯେଉଁ କଥାରେ ତୁ ମାଜି ଘଷି ନାହୁଁ ରଖି ।

ସେହି କଥା କହ,

ସେହି କଥା କଥୟନ୍ତି !

ଯେଉଁ କଥା ତୋତେ କେହି ନାହିଁ ପଚାରନ୍ତି ।

 

ସୂଚୀପତ୍ର

 

୧.

ଶେଷ ମୂର୍ଚ୍ଛନା

୨.

ସୁରଭି ଜ୍ୟୋତ୍ସ୍ନା

୩.

ଶରୀର-ସଙ୍ଗୀତ

୪.

ଜନପଦର ବାର୍ତ୍ତା

୫.

ପୁଷ୍ପ-କୀଟ

୬.

ଯଥାଲାଭ

୭.

ଚିଠି

୮.

ରଜାଲାଖି ପୁଅ

୯.

ନିର୍ଝର

୧୦.

ରସାୟନ

୧୧.

ପରୀ କନ୍ୟାର କାହାଣୀ

୧୨.

ଅଜିଜା

Image

 

 

 

 

 

 

 

 

 

 

 

 

 

କଥୟନ୍ତୀ

 

ମୋ ଗଳ୍ପର କାହାଣୀ

 

ମୋ କ୍ଷୁଦ୍ରଗଳ୍ପର ସଂଖ୍ୟା ଅଧିକ ନୁହେଁ । ସ୍ୱଳ୍ପ । ସେହି ଅତିକ୍ରାନ୍ତ ଯୌବନର କେଉଁ ବିସ୍ମୃତ ପ୍ରାରମ୍ଭ କାଳରେ କବିତା ରଚନାର ଉନ୍ମେଷ ସାଙ୍ଗରେ ଗଳ୍ପ ଲେଖାର ଉପୋଦ୍‍ଘାତ ଘଟିଥିଲା । ପରବର୍ତ୍ତୀ କାଳରେ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ସେହି ଗଳ୍ପଲେଖାର ଉନ୍ମାଦନା ଉପନ୍ୟାସ ରଚନାର ଅଭିନିବେଶଦ୍ଵାରା ଅତିକ୍ରମିତ ହୋଇଯାଇଛି । ନିର୍ଝର ସ୍ରୋତସ୍ୱିନୀରେ ପରିଣତ ହେବା ପରେ ନିର୍ଝରର ଉପଯୋଗିତା ହ୍ରାସ ନ ପାଇଲେ ମଧ୍ୟ ସ୍ରୋତସ୍ୱିନୀର ଉର୍ମିଳ ଆଘାତରୁ ନିର୍ଝରକୁ ସ୍ଵତନ୍ତ୍ର କରି ଲାଳନ କରିବା କଷ୍ଟକର ହୋଇପଡ଼େ । ମୋର କ୍ଷୁଦ୍ରଗଳ୍ପ ସୃଷ୍ଟିର ସ୍ୱଳ୍ପତାରେ ତାହା ହିଁ ପୀଠିକା ବୋଲି ମୁଁ ମନେ କରୁଛି ।

 

ଏହି କ୍ଷୁଦ୍ରଗଳ୍ପଗୁଡ଼ିକରୁ ଅଧିକାଂଶ ସେତେବେଳେ ନବଭାରତ, ଆରତି, ନାୟକ ଓ ପ୍ରଗତି ପ୍ରଭୃତି ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେଥିରୁ ଐକ୍ୟ ଭ୍ରଷ୍ଟ ହୋଇ ରହିଥିବା ତିନୋଟି ଗଳ୍ପ ପରେ ମୌସୁମୀ, କଳନା ଓ କଳିଙ୍ଗର ଶାରଦୀୟ ସଂଖ୍ୟାରେ ପ୍ରକାଶ ପାଇଥିଲା ।...

 

କିଛିକାଳ ତଳେ ମୋର କେତୋଟି କ୍ଷୁଦ୍ରଗଳ୍ପର ସମାହାର ‘ବେପଥୁ’ ନାମ ଧରି ପୁସ୍ତକାକାରରେ ଆତ୍ମପ୍ରକାଶ କରିଥିଲା, ମୁଁ ଏବେ “କଥୟନ୍ତୀ”ର ଶିହରଣରେ ସଂଯୋଜିତ କରି ଦେଇଛି ।

 

ପ୍ରକାଶକ ଫ୍ରେଣ୍ଡସ୍ ପବ୍ଲିଶର୍ସ ମୋର ଅନ୍ୟାନ୍ୟ ପୁସ୍ତକ ଭଳି ଏହି ଗଳ୍ପ ସଂଚୟନକୁ ରୁଚିପୂର୍ଣ୍ଣ ଭାବରେ ପ୍ରକାଶ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଯେଉଁ ରସବିଦଗ୍‍ଧ ପାଠକଗୋଷ୍ଠୀ ମୋର ଲେଖା ପ୍ରତି ଶ୍ରଦ୍ଧାଶୀଳ ରହି ଆସିଛନ୍ତି, ମୁଁ ସେମାନଙ୍କୁ ପ୍ରୀତିସ୍ନିଗ୍‍ଧ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ଞ୍ଜାନୀନ୍ଦ୍ର ବର୍ମା

୨୦ । ୨ । ୧୯୬୬

Image

 

ଶେଷ ମୂର୍ଚ୍ଛନା

 

ଭିନେ ହେଲା ପରେ କୁମୁଦ ଦେଖିଲା, ତା ଭାଗରେ ପଡ଼ିଚି ଜମା ବଖରାଏ ଘର । ଆଗର ଲଙ୍ଘାରେ ସ୍ୱାମୀ ଆସି ତା ପାଇଁ ଖଣ୍ଡେ ରୋଷେଇଘର ତିଆରି କରିଦେଇ ଯାଇଛନ୍ତି । ଗୋଟିଏ ପାଖରେ ଘରର ଚୌହଦି କାନ୍ଥ, ଆଉ ଗୋଟିଏ ପାଖରେ ବାଡ଼ିପଟ ଦୋକଡ଼ିକୁ ଆପଟ କରି ଝୁମୁକି ଝାଟିରେ ମାଟି ନେଶା ହେଇଚି । ଅଗଣା ପାଖକୁ ରୋଷେଇଘରର ଯେଉଁପଟ ରହିଲା ଏବଂ ଆଉ ଯେଉଁ ପଟଟି ରହିଲା କୁମୁଦର ରହିବାଘର ପାଖକୁ, ସେହି ଦୁଇ ପଟରେ ତାହାର ସ୍ଵାମୀ ହାତର କୃତି ଫୁଟିଉଠିଛି । କୋଠ ବାଉଁଶବୁଦାରୁ ତିନି ଚାରି ହାତ ଉଞ୍ଚର ଠେଙ୍ଗଣା କାଟି ଆଣି ସେସବୁ ସେ ନିଜ ହାତରେ ପୋତି ସେଥିରେ କାମଡ଼ା ବାନ୍ଧିଦେଇ ଯାଇଚି । ରହିବା ଘରର ଦ୍ଵାରମୁହଁଆଡ଼କୁ ରୋଷେଇଘରେ ଖଣ୍ଡେ ଦରଜା ଲଗେଇ ଦେଇ ଯାଇଚି । ରୋଷେଇବେଳେ ଚାଳର ମଥାନରୁ ଧୂଆଁ ନିର୍ଗତ ହେବା ଆଗରୁ କାନ୍ଥରେ ପରିଣତ ହୋଇଥିବା ସେଇ ବାଉଁଶ ଠେଙ୍ଗାଣାଗୁଡ଼ିକ ଫାଙ୍କରୁ ଅଶେଷ ଧୂଆଁର ସ୍ରୋତ ବାହାରି ଆସି ଅଗଣାର ବାୟୁମଣ୍ଡଳ ଭିତରେ ଟିକିଏ ଖେଳିବୁଲି କ୍ରମେ ଆକାଶକୁ ଉଠି ବିଲୀନ ହୋଇଯାଏ ।

 

ବା’ ହେଇ ଆସିଲାବେଳେ ଅନ୍ୟାନ୍ୟ ଯୌତୁକ ଜିନିଷ ଭିତରେ କୁମୁଦ ଖଣ୍ଡେ ହରମୋନିୟମ ଆଣିଥିଲା । ତାର ବାକ୍‍ସ ଖଣ୍ଡିକ ଅନେକ ଦିନୁ ଭାଙ୍ଗିଯାଇ କାଠତକ କେଉଁ ଦିନରୁ ଚୁଲିଜାଳର ନିଆଁରେ ମିଶିଯାଇଛି । ଭିନ୍ନେ ହେଲାଦିନୁ ଖୋଲା ହରମୋନିୟମ ଖଣ୍ଡିକ ମାଟିଘରର ଖଟ ତଳେ ପଡ଼ି ରହିଚି । ଧୂଳିପଡ଼ି ରିଡ୍‍ଗୁଡ଼ାକ ତାର ଅସ୍ଵଚ୍ଛ ଆଉ ଅସୁନ୍ଦର ହୋଇଗଲାଣି । ହୁଏ ତ ତଳପଟାରେ ତାର ଉଇ ଲାଗି ଯିବେଣି । କୁମୁଦର ସେଥିପ୍ରତି ଆଉ ଲକ୍ଷ୍ୟ ନାହିଁ । ତାର ସଙ୍ଗୀତମୟ ମନର ଖବର ନେବା ତ ଦୂରର କଥା, ଯେଉଁ ଚମ୍ପାକଢ଼ ପରି ଆଙ୍ଗୁଠିଗୁଡ଼ିକ ଦିନେ ସେଇ ରିଡ଼୍‍ଗୁଡ଼ାକୁ ମନ୍ତ୍ରଚାଳିତ କରି ଅଶେଷ ସ୍ଵର-ଝଙ୍କାର ଛାଣି ନେଉଥିଲା, ତାର ଅବସ୍ଥା ଆଜି ଅତି ଶୋଚନୀୟ ହୋଇଚି । ଆଙ୍ଗୁଠିଗୁଡ଼ିକର ପୂର୍ବର ଉଜ୍ଜ୍ଵଳତା ଲୋପ ପାଇ ରକ୍ତହୀନତାରେ ଶୀର୍ଣ୍ଣ ଶିରାମୟ ପାଲଟିଛି ।

 

ଏଇ ବାଖରାକ ଘରେ କୁମୁଦ ଏକା ନୁହେଁ; ସାଙ୍ଗରେ ତାର ଆଉ ତିନୋଟି ଆତ୍ମା । ଘରର ମଶା, ଓଡ଼ଶ, ମୂଷା ଆଉ ଉଇ ପ୍ରଭୃତିଙ୍କୁ ଧରିଲେ ହୁଏ ତ ଅଶେଷ ଆତ୍ମା ବାହାରିବେ । ମାତ୍ର ତିନୋଟି ମଣିଷର ଆତ୍ମା ଘେନି ସେ ଘରେ ଥାନ୍ତି ତାର ତିନୋଟି ସନ୍ତାନ–ଲତା, ଲଳିତା ଆଉ ପ୍ରଦ୍ୟୁମ୍ନ । ଦୁଇଟି ଝିଅ ଆଉ ଗୋଟିଏ ପୁଅ । ଲତା ବଡ଼, ତାକୁ ପ୍ରାୟ ତେର କି ଚୌଦ । ଲଳିତା ଆଉ ପ୍ରଦ୍ୟୁମ୍ନ ଯଥାକ୍ରମେ ଦଶ ଆଉ ଆଠ ବର୍ଷର । ପ୍ରଦ୍ୟୁମ୍ନ ପଛରେ ବାଳକର ଦେହ ଧରି ଆଉ ଗୋଟିଏ ଶିଶୁଆତ୍ମା ଆସିଥିଲା; କିନ୍ତୁ ଅନେକ ଦିନ ହେଲା ସେ କୁମୁଦକୁ ଜଞ୍ଜାଳମୁକ୍ତ କରି ଚାଲିଯାଇଚି ।

 

ଜୀବିତ ପିଲାଗୁଡ଼ାଙ୍କର ସରୁ ଆଙ୍ଗୁଠିର ଚିହ୍ନ ଅନେକ ସମୟରେ ପଡ଼ୁଥିଲା ସେଇ ଧୂଳିମଳିନ ହାରମୋନିୟମ ଉପରେ । ଜଣେ ବ୍ୟାଲୋ ଚାପି ପବନ ଦେଲେ ଆଉ ଜଣେ ତାର ଭୀରୁ ଛୋଟ ଛୋଟ ଆଙ୍ଗୁଠିରେ ରିଡ଼୍ ମାଡ଼ୁଥିଲା । ଆଉ ଜଣେ ଘରଯାକ ନାଚିଯାଉଥିଲା ତାର ସ୍ଵର ଶୁଣି । କିନ୍ତୁ ଏବେ ତାହା ମଧ୍ୟ ସ୍ଵପ୍ନ । ପିଲାଗୁଡ଼ାଙ୍କର ସେଇ କୋମଳ ଆନନ୍ଦ କୁମୁଦର କଠିନ ଆଘାତରେ ତଣ୍ଟି ଚିପିହେଇ ରହିଚି । ତଥାପି ଲଳିତା ଆଉ ପ୍ରଦ୍ୟୁମ୍ନ ଆଖିରେ ସେଇ ମଳିନ ସ୍ୱରଯନ୍ତ୍ରଟିର ମଧୁର ସ୍ଵପ୍ନ ଅନେକ ସମୟରେ ଭାସି ଭାସିବୁଲେ । ମାତ୍ର କୁମୁଦର ଆଙ୍ଗୁଠି ହାଡ଼ ସେମାନଙ୍କ ପିଠିରେ ପିଠିରେ ଛୁଇଁଯିବାକ୍ଷଣି ସେମାନଙ୍କର ସ୍ଵପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ ।

 

ସବୁଚାହିଁ ସେଇ ସ୍ଵରଯନ୍ତ୍ରଟିକି ଭଲପାଏ ଲତା । ବେଳେବେଳେ ସେ ତାକୁ ଏବେ ପରିଷ୍କାର କରି ରଖିବାର ଚେଷ୍ଟାକରୁଚି । ପୋଛିସାରିବା ପରେ ଲୋଭ ସମ୍ଭାଳି ନ ପାରି ରିଡ଼୍‍ଗୁଡ଼ାକ ଉପରେ କର୍‍ର କରି ଆଙ୍ଗୁଠିର ଟିପଟାକୁ ତାର ଘଷିନିଏ । ମାତ୍ର ଥରେ ହେଲେ ବ୍ୟାଲୋ ଚାପି ଯନ୍ତ୍ରଟିର ସକ୍ରିୟତା ପରୀକ୍ଷା କରିବା ପାଇଁ ମନ ବଳାଇ ପାରେ ନା । ଦିନେ ଲତା ହାରମୋନିୟମ ଝାଡ଼ୁଚି, ବାହାରୁ ଛୁଟିଆସି ଲଳିତା ତା ପାଖରେ ଆଣ୍ଠୁମାଡ଼ି ବସି ଫୁସ୍ ଫୁସ୍ କରି କହିଲା–ବଜା ମ ଥରେ ଦେଈ, ତୁ ମାଷ୍ଟ୍ରାଣୀ ଘରେ କେଡ଼େ ସୁନ୍ଦର ବାଜଉଚୁ...ଆଉ ଏଠି ଥରେ ହେଲେ ବଜଉନୁ ! ବୋଉ ଆମକୁ ମାରୁଚି ବିଲି କଣ ତତେ ମାରିବ !

 

ଏ କଥା ଶୁଣି ଲଳିତାର ମୁହଁକୁ ଅନେଇଲା ଲତା–ତାର ଅର୍ଥ ବୋଉ ମତେ ମାରିବ ନେଇ କାଇଁକି ?

 

ସେମିତି ଥାଇଁ ଲଳିତା ପୂର୍ବପରି ଚପଳତା ସହ କହିଲା ତୁ ପରା ବଡ଼ ପିଲା ହେଲୁଣୁ । ହାଇସ୍କୁଲରେ ନଅ କ୍ଲାସରେ ପଢ଼ୁଚୁ...ତତେ କଣ ଆଉ ବୋଉ ମାରିବ !

 

ଲଳିତାର ଏ କଥାର ଫଳ ବିପରୀତ ହେଲା । ତା ଗାଲରେ ଗୋଟାଏ ଖୁନ୍ଦା ହାଣିଦେଇ ଲତା ତମ ତମ ହେଇ କହିଲା–ଯା, ଭାକ୍ ଏଠୁ । ହାରମାନିଆରେ ତୁ ଆଉ ନାଗିବୁ ତ ବୋଉ ବଦଳି ମୁଁ ଫେର୍ ତତେ ମାରିବି ।

 

ତା ପ୍ରତି ଏପରି ଶାସ୍ତି ବିଧାନର କିଛି କାରଣ ବୁଝି ନ ପାରି ଲଳିତା ମନ ଦୁଃଖରେ ଗର୍ ଗର୍ ହେଇ ସେଠାରୁ ବାହାରି ଚାଲିଗଲା । ଲଳିତା ଚାଲିଯିବା ପରେ ଲତା ଖଟ ଉପରକୁ ଉଠିଯାଇ ଆନମନା ହେଲେ ବସୁ ବସୁ ଖଟର ପରବତିଆରେ ଜଡ଼ଉ ଦର୍ପଣ ଦେହରେ ତାର ଆଖି ପଡ଼ିଗଲା । ସେଥିରେ ଭାସିଉଠିଲା ତାହାର ଅପ୍ରସାଧିତ ନିରାଭରଣ ମୁହଁଟି । ନିଜର ଏଇ ଚେହେରା ପ୍ରତି ନିଜ ଭିତରେ ତାର ଦୟା ଫୁଟିଉଠିଲା । କୋମଳ ମନର ପରଦା ତାର କ୍ରମେ ଶ୍ଳଥ ହୋଇଆସିଲା । ଧୀରେ ଧୀରେ ସେ ମୁହଁ ମାଡ଼ିଦେଲା ତକିଆ ଉପରେ । ନରମ ଗାଲରେ ତେଲ ଚିକଣ ତକିଆର ସ୍ପର୍ଶ...ସମସ୍ତ ପରିବେଶ ଯେପରି କୋମଳତାର ଏକ ଆସ୍ତରଣରେ ପରିଣତ ହୋଇଗଲା । ଖାଇବାବେଳ ସେତେବେଳକୁ ବି ଗଡ଼ିଗଲାଣି । ରବିବାର ବୋଲି ନୁହେଁ । ଚାଉଳ ନ ଥିବା ହେତୁ ସାହିରେ ଯାଇ ଅରୁଆ ଧାନ କୁଟେଇ ଆଣି କୁମୁଦ ଏବେ ରୋଷେଇଶାଳରେ ପଶିଚି । ପରସ୍ଥିତିର ସକଳ ବିଷୟ ଲତାର ମନରେ ଚହଟି ଯାଇ କ୍ରମେ ପ୍ରଭାବ ବିସ୍ତାର କଲା । ମନ ତାର ଆହୁରି ନରମ ହେଇଗଲା । ମନେପଡ଼ିଲା କେବଳ ଲଳିତାର କଥା । ତାକୁ ତୁଷ୍ଟ କରିବାକୁ ସେ ଯେପରି ତା ଆଗରେ ହାରମାନିଆ ବଜେଇ ଏବେ ଗୀତ ଗାଆନ୍ତା ବସି.....

 

ଚୁଲିରେ ଜାଳ ମୋହିଁଦେଇ କୁମୁଦ ସେତେବେଳକୁ ବସି ଭାବୁଚି–ବଡ଼ଲୋକ ଘରକୁ ସେ ଆଇଥିଲା ବୋହୂହେଇ... କୁଆଡ଼େ ଗଲା ସେ ସବୁ ସଂପଦ... ହୁଏ ତ ସେପରି କିଛି ନ ଥିଲା...ବାହାରକୁ ଥିଲା କେବଳ ଆଡ଼ମ୍ବର ସେଥିପାଇଁ ଭିନେହବା ପରେ ପ୍ରକୃତ ଅବସ୍ଥା ପ୍ରକାଶ ପାଇଯାଇଚି ।

 

ଆଗରୁ ଥିଲା କୋଠରେ ରୋଷେଇ...ରହିବା ଲାଗି ମଧ୍ୟ ଘର ଅକୁଳାନ ନ ଥିଲା; କିନ୍ତୁ ପ୍ରକୃତ ଅଂଶ ଅନୁସାରେ ବାଣ୍ଟ ହୋଇଯିବା ପରେ ସେ ସୁବିଧା ସମସ୍ତଙ୍କ ପାଇଁ ଆଉ ଘଟିନି । ସେଥିଯୋଗୁ ଅନ୍ନସଂସ୍ଥାନର ବ୍ୟବସ୍ଥା ମଧ୍ୟ ବଦଳି ଯାଇଚି ।

 

ଏଇସବୁ ଭାବନା ଭିତରେ ପିଲାମାନଙ୍କର ଚିତ୍ର କୁମୁଦର ଆଖିରେ ଜମାଟ ବାନ୍ଧି ବସିରହିଲା । ଏଇ ପିଲାମାନଙ୍କ ପାଇଁ ତାର ଦେହକ ସୁନାଗହଣା କୁଆଡ଼େ ଉଭାନ୍ ହୋଇଯାଇଚି-। ସେଥିଲାଗି ସେ ଆଜି ତାର ସ୍ଵାମୀକୁ ଠେଲିଦେଇଚି ଦୂରକୁ । ତିନିକୋଶ ଦୂରରେ ତାର ସ୍ଵାମୀ ଧନେଶ୍ଵର କେନାଲ ଇଲାକାର ଅଫିସରେ ବହୁ କଷ୍ଟରେ ଖଣ୍ଡେ ଚାକରି ପାଇଥିଲା–ଏବେ ସେଠି ସେ ହେଇଚି ପେଟ୍ରୋଲ୍ । ସେଥିରେ ମଧ୍ୟ ଅବସ୍ଥାର କୌଣସି ବିଶେଷ ପରିବର୍ତ୍ତନ ହେଇନି-। ଏହିପରି ଅବସ୍ଥାଚକ୍ରରେ ପଡ଼ି କୁମୁଦ ନିଜର ସବୁ ସରସତା ହରେଇ ଯେପରି ଅର୍ଦ୍ଧପାଗଳିନୀ ପାଲଟିଛି । ଏଇ ପରିସ୍ଥିତି ଭିତରେ ନିଜର ସଙ୍ଗୀତପ୍ରିୟତା ତ ଅନେକ ଦିନୁ ବିଦାୟ ନେଇଚି, ତା ପରେ ନିଜର ଅତି ପ୍ରିୟ ସେଇ ହାରମୋନିୟମ ଖଣ୍ଡକ ଉପରେ ମନର ସବୁ ବିଦ୍ରୋହ କେନ୍ଦ୍ରୀଭୂତ ହେଇ ପଡ଼ିଚି । ନିରୀହ ସ୍ଵରଯନ୍ତ୍ର ଖଣ୍ଡକ ପ୍ରତି କୁମୁଦର ଦାରୁଣ ଆକ୍ରୋଶ ଦେଖିଲେ ଯେ କେହି ହସିବ । ଦିନେ ଖଟତଳେ ଥିବା ଆଳୁଗୁଡ଼ିକ ଠିକ୍ ସଂଖ୍ୟାରେ ନ ପାଇ ସେ ହାରମୋନିୟମକୁ ଦେଲା ଶାସ୍ତି । ବୋଧହୁଏ ନାରୀ ହାତରେ ଶାସ୍ତି ଯୋଗୁଁ ସ୍ଵରଯନ୍ତ୍ରଟି ବର୍ତ୍ତିଗଲା, ନ ହେଲେ ସେହିଦିନ ହିଁ ତାହା ସ୍ଵର୍ଗାରୋହଣୀ ପଥର ସନ୍ଧାନ ନେଇଥାନ୍ତା । କିନ୍ତୁ ଆଳୁଗୁଡ଼ିକର ଶତ୍ରୁ ମୂଷାମାନଙ୍କୁ କୁମୁଦ ଭଲ କରି ଜାଣେ; ଖଟତଳେ ସେମାନଙ୍କର ପାତାଳୀ ଦୁର୍ଗକୁ ମଧ୍ୟ ସେ ଦେଖିଚି । ମାତ୍ର ସେମାନଙ୍କୁ ଟିକେ ହେଲେ ଶାସ୍ତି ସେ ଦେଇ ପାରିନି ।

 

ଏଥିପାଇଁ ଏସବୁ ଘଟଣାକୁ ଠିକ୍ ଭାବରେ ବିଚାର କଲେ ଜଣାପଡ଼େ, ହୁଏ ତ ଏ ସମସ୍ତ ହିଁ କୁମୁଦର ଦରକାର । ଏଗୁଡ଼ିକ ତାର ଐଶ୍ୱର୍ଯ୍ୟ । ଏଥିରୁ କେଉଁଟିକୁ ସେ ବିଦାୟ ଦେବାକୁ ଚାହେଁନା । ହାରମୋନିୟମ ପଡ଼ିଥାଉ ଅପରିଷ୍କୃତ ହେଇ, ମୂଷାମାଟିରେ କାନ୍ଥ କଡ଼ର ଖଟତଳଯାକ ପୂରି ରଣଭଣ ହେଉଥାଉ, ମୂଷାଙ୍କ ଅତ୍ୟାଚାରରେ ସେ ଅତିଷ୍ଠ ହେଉ, ମାତ୍ର ସେ ସବୁର ପ୍ରତିକାର ଯେପରି କିଛି କରାଯିବ ନାହିଁ ।

 

ଅଳ୍ପ ସମୟ ଭିତରେ ଅରୁଆ ଭାତ ଫୁଟି ଆସିଲା । ଛୋଟ ଗୋଟିଏ ଭୂଜଓଳିଆର ବାସବତୀ ଧାନର ଚାଉଳ । ସେଥିପାଇଁ ରୋଷେଇଶାଳ ଡେଇଁ ବାହାରକୁ ମଧ୍ୟ ତାର ବାସ୍ନା ଭାସି ଚାଲିଗଲା । ଭାତ ଗାଳୁଗାଳୁ କୁମୁଦର ଅନୁଭୂତିରେ ଆଉ ଗୋଟିଏ ମଧୁର ଆସ୍ୱାଦ ଲାଗିଲା । ଯେପରି ତାର ପୁରାତନ ସେଇ ହାରମୋନିୟମରୁ ଗୋଟିଏ ସ୍ଵର ତରଙ୍ଗ ବାହାରି ଭାସିବୁଲିଲା ତାର କାନ ଚାରିପାଖରେ । ନିଜର କାନକୁ ଅବିଶ୍ୱାସ କଲା କୁମୁଦ । କାନ ଉପରେ ଉଲୁରି ପଡ଼ିଥିବା ବାଳଗୁଡ଼ାକୁ ଟେକିଦେବାକୁ ତାର ଇଚ୍ଛାହେଲା । ମାତ୍ର ହାତ ତାର ପେଜ ଗାଳିବାରେ ବ୍ୟସ୍ତ । କିଛି ସମୟପରେ ମନ୍ଦାରେ ହାଣ୍ଡି ରଖିଦେଇ ସେ ଶୁଣିଲା, ହାରମୋନିୟମ ସ୍ଵର ଭାସି ଆସୁଚି ତାରି ଛୋଟ ଘର ବଖରାଟିରୁ । କୋଠରୀଟିର ଦକ୍ଷିଣ ଝରକା ଦୁଇଟି ଆଗରେ ଧ୍ୱସ୍ତ ବଗିଚାର ମୁକ୍ତ ପ୍ରାନ୍ତର । ତା ପରେ ରାଜପଥ । ତା ସେପାଖକୁ ଗ୍ରୀଷ୍ମକାଳର ଛାୟାଶୀତଳ ପ୍ରଶସ୍ତ ଆମ୍ବତୋଟା । ମୁକ୍ତ ପବନ ଖେଳି ଖେଳି ବହି ଆସୁଚି ଦୂରରୁ । ଛୋଟ ରୋଷେଇ ଘରଟିରେ ମଧ୍ୟ ତାର କେତେକ ଭାଗ ଆସି ପହୁଞ୍ଚିଛି । କୁମୁଦର ଶୃଙ୍ଖଳାହୀନ ଚୂର୍ଣ୍ଣ କୁନ୍ତଳଗୁଡ଼ିକ ମଧ୍ୟ ସେଥିରେ ଭୁରୁଭୁରୁ ହେଇ ଉଠୁଚି । ଦିନେ ଏଇ ଅଳକରାଶି ଥିଲା କୁମୁଦର ଶ୍ରେଷ୍ଠ ନୈସର୍ଗିକ ଅଳଙ୍କାର; କିନ୍ତୁ ଆଜି ସେଗୁଡ଼ିକ ଯେପରି କୁମୁଦର ସୌନ୍ଦର୍ଯ୍ୟ ମଧ୍ୟରେ ଜାରଜ ସ୍ଥାନ ଗ୍ରହଣ କରିଚି । ଅଥବା ସେଗୁଡ଼ିକ ଯେମିତି କୌଣସି ନୈରାଜ୍ୟର ଯାଯାବର କିମ୍ବା ଆରବର ଲକ୍ଷ୍ମୀଛଡ଼ା ବେଦୁଇନ୍ । ତା ପ୍ରତି କାହାର ଶ୍ରଦ୍ଧା ନ ଥାଇ ମଧ୍ୟ ସେ ଆଜି ନିଜକୁ ବଞ୍ଚେଇ ରଖି ପାରୁଚି । ପବନରେ ଥରିଥରି ଉଲସି ଉଠି ହୁଏତ ସଙ୍ଗୀତ ଶୁଣୁଚି ସେଇ ଚୂର୍ଣ୍ଣକୁନ୍ତଳଗୁଡ଼ିକ ।

 

ହାରମୋନିୟମରେ ଗୋଟିଏ ଗୀତର ସୁର୍ ତୋଳିଚି, ମାତ୍ର କଣ୍ଠ ଖୋଲିବାକୁ ଲତାର ସାହସ ହେଉନି । ଏହି ସମୟରେ ଲଳିତା ଘର ଭିତରକୁ ପଶିଆସି ହଠାତ୍ ଗାଇ ଉଠିଲା, “ରୁମ ଝୁମ ସନ୍ଧ୍ୟାବେଳେ, ନୀଳଗଗନ ତଳେ ।” ଗୀତ ଶୁଣି କୁମୁଦକୁ ଖୁବ୍ ହସ ଲାଗିଲା । କାରଣ ଲତା ଯାଇ ଅନ୍ତରାରେ, ମାତ୍ର ଲଳିତା ଗାଉଚି ପ୍ରଥମ ଚରଣ । ପରମୁହୂର୍ତ୍ତରେ ମୁହଁକୁ ଖୁବ୍ ଗମ୍ଭୀର କରି କୁମୁଦ ରୋଷେଇଘରୁ ବାହାରି ଆସି ଧମକ ଦେଇ କହିଲା–ପୁଅ କାଇଁ କି ଲୋ ନଳି ?

 

ସବୁ ନୀରବ ହେଇଗଲା କ୍ଷଣକ ଭିତରେ । ଏତିକିବେଳେ ଧଁ ସଁ ହେଇ ଦି ହାତରେ ଦିଟା କଟା ତାଳ ଧରି ପହଞ୍ଚିଲା ପ୍ରଦ୍ୟୁମ୍ନ, ଯେମିତି ପଛରେ ତାର କିଏ ଗୋଡ଼େଇଚି ! ଘର ଭିତର ପଶି ସେ କାହାକୁ ନ ଅନେଇ ଖଟତଳେ ଅଣନିଶ୍ଵାସୀ ହେଇ ଗଳିଗଲା । ସେ ଭାବିଥିଲା, ହାରମାନିଆ ପଛରେ ତାଳ ଦିଟାକୁ ଲୁଚେଇ ଦେଇ ଆସି ଦେଈ ହେରିକାଙ୍କ ସାଙ୍ଗରେ ମିଶିଯିବ । ହାରମୋନିୟମ ବାଜିବା ପ୍ରତି ଆଗରୁ ତାର ଲକ୍ଷ୍ୟ ନ ଥିଲା । ଖଟତଳେ ଈପ୍‍ସିତ ବସ୍ତୁଟିକି ନ ପାଇ ସେ ବିମୂଢ଼ ହେଇ ବାହାରି ଆସୁଚି, ଏତିକିବେଳେ ରାମ ଆସି ହାଜର । ରାମ ଧନେଶ୍ଵରର ବଡ଼ ଭାଇ ହୃଷୀକେଶର ପୁଅ । ପ୍ରଦ୍ୟୁମ୍ନଠାରୁ ପ୍ରାୟ ଦି ବର୍ଷ ବଡ଼ । ସେ ପହଞ୍ଚୁ ପହଞ୍ଚୁ “ମୋ ତାଳ, ମୋ ତାଳ ପଦ ଘିନି ଆଇଚି” କହି ଛଡ଼ା ମଡ଼ା ଆରମ୍ଭ କରିଦେଲା । ବୟସ ଅନୁସାରେ ରାମର ବଳ ବି ପଦ ଅପେକ୍ଷା ଟିକେ ବେଶି । ପଦ ହାତରୁ ଦିଟାଯାକ ତାଳ ଛଡ଼େଇ ନେଇ ରାମ ଆଖି ପିଛୁଳାକେ ଉଭାନ ହୋଇଗଲା । ତତଲା କଡ଼େଇରେ ମାଛ ଛଟଛଟ ହେଲା ପରି ପଦ ତଳେ ପଡ଼ି କଚାଡ଼ି ହେଇ ଚିତ୍କାର କରିବାକୁ ଲାଗିଲା ।

 

କୁମୁଦର ଏସବୁ ଅସହ୍ୟ ହେଲାଣି । ଲତା ଏହା ଭିତରେ ପ୍ରମାଦ ଗଣି ସାରିଚି । ପରିସ୍ଥିତି ଯେ ଏତେ ଚଞ୍ଚଳ ବଦଳି ଯିବ, ସେ ଭାବି ପାରି ନ ଥିଲା । ତୁନି ହୋଇ ହାରମୋନିୟମ୍‍ଟି ଆଣି ଖଟତଳେ ଥୋଇ ଦେବାକୁ ଯାଉଚି, ସେ ଅନୁମାନ କଲା, ବୋଧହୁଏ ତାରି ପିଠିରେ ବୋଉର ଆକ୍ରୋଶ ଯାକ ଠୁଳ ହେଇ ପଡ଼ୁଚି । କିନ୍ତୁ ହଠାତ୍ ତାର ଆଖି ଫେରି ପଡ଼ିବାରୁ ସେ ଦେଖିଲା, ଲଳିତାର ମୁହଁରେ କାଳି ନେଶି ହେଇଯାଉଚି, ପିଠି ତାର ସାରଙ୍ଗୀ ହେଇ ରହିଚି, ଆଲମାରି ସନ୍ଧିରେ ସେ ମିଶି ମିଶି ଯାଉଚି ।

 

ଲତା ଚିତ୍କାର କରି ଉଠିଲା–ବୋଉ !

 

ସେତେବେଳକୁ ପ୍ରଦ୍ୟୁମ୍ନର କାନ୍ଦଣା ବନ୍ଦ ହୋଇ ଯାଇଚି । କୁମୁଦ ହାତରେ ଦିପଟ ଭଙ୍ଗା କାଚ ଝଣ୍‍ ଝଣ୍‍ ହେଇ ତଳେ ଖସିପଡ଼ିଚି ।

 

ଅତୀତର ବିଷୟ ହେଲେ ବି ଆଜି କୁମୁଦର ଖୁବ୍ ଭଲ ଭାବରେ ମନେପଡ଼େ ତାର ପ୍ରଥମ ଯୌବନର କଥା । ଷୋଳବର୍ଷ ପୂରିବାର ମାସକ ପରେ ସେ ବିଭା ହୋଇଥିଲା । ବିବାହର ଦ୍ୱିତୀୟ ବର୍ଷରେ ସେ ହେଲା ଅନ୍ତଃସତ୍ତ୍ୱା । ତୃତୀୟ ବର୍ଷରେ ହେଲା ଜନନୀ ।

 

ବିବାହ ସମ୍ପନ୍ନ ହେଇଥିଲା ବସନ୍ତର ପ୍ରାରମ୍ଭରେ । ମଧୁଶଯ୍ୟା ଅନୁଷ୍ଠିତ ହୋଇଥିଲା ଗୋଟିଏ ପକ୍କା ଦ୍ୱିତଳର ହଲ୍ ଘରେ । ଶୁଷ୍କ ଇଟା କାଠର ଘର ଭିତରେ ପୂରି ଉଠିଥିଲା ସ୍ଵପ୍ନ; ସେହି ସ୍ଵପ୍ନ ଭିତରେ ପୁଣି ଖାଲି ସଙ୍ଗୀତ । ତଥାପି ସ୍ୱାମୀର ଅନୁରୋଧରେ ନିଶୀଥର ନିଃଶବ୍ଦତା ଭଙ୍ଗ କରି କୁମୁଦ ନିଜର କଣ୍ଠରୁ ସଙ୍ଗୀତ ଖୋଲି ଦେଇଥିଲା–ତାର କମନୀୟ କୋମଳ ଆଙ୍ଗୁଠିଗୁଡ଼ିକୁ ହାରମୋନିୟମର ଚିକ୍‍କଣ ରିଡ୍ ଉପରେ ଗଡ଼େଇ ଗଡ଼େଇ । ତାହା ହିଁ କୁମୁଦର ଶେଷ ସଙ୍ଗୀତ ।

 

ତାହାପରେ ଶାପଭ୍ରଷ୍ଟ ପରି ସେହି ପ୍ରଣୟୀ-ମିଥୁନ ଖସିଆସିଲେ ତଳକୁ । ତା ପରେ ବିରାଟ ପରିବାରର ଅଙ୍ଗୀଭୂତ ହେଇ ସେମାନେ ରହିଲେ ତଳଖଞ୍ଜାର ଗୋଟିଏ ଛୋଟ ବଖରାରେ-। ସେଠି ଆଲୋକ ନାହିଁ, ଅନ୍ଧାର ମଧ୍ୟ ନାହିଁ, ସ୍ଵପ୍ନର ଚିତାଭସ୍ମ ଉପରେ ସୃଷ୍ଟି ହୋଇଛି ନିରାଟ ବାସ୍ତବତାର ଏକ ନିର୍ମମ ପରିବେଶ । କୌଣସି ନବଜନ୍ମ ନେବାକୁ ଭ୍ରୂଣର ଗର୍ଭବାସ ଯେପରି-! ଏହାରି ଭିତରେ ସେମାନେ ଚାଲି ଆସିଚନ୍ତି ଅନେକ ବାଟ । ଏହାରି ଭିତରେ ସେମାନଙ୍କ ଆନନ୍ଦର ରୂପ ମଧ୍ୟ ବଦଳି ଯାଇଛି ।

 

ବେଳେ ବେଳେ ଆଜିର ଘୋର ଦୁର୍ଦ୍ଦିନ ଭିତରେ ସେଇ ମଧୁଚନ୍ଦ୍ରିକା ରାତିରେ ଝରିଥିବା ସଙ୍ଗୀତର ଶେଷ ମୂର୍ଚ୍ଛନା କୁମୁଦର ଅନ୍ତଃସ୍ଥଳର କେଉଁ ଅଜାଣିତ ସ୍ଥାନରେ ଗୁମରି ଉଠେ । କୁମୁଦ ଶୀତେଇ ପଡ଼େ । ସିଏ ଦିନେ ଯୁବତୀ ଥିଲା, ଯୌବନ ଥିଲା ତାର ଏଇ ଦେହରେ ? ସତରେ ସେ ଦିନେ ଗୀତ ଗାଉଥିଲା ?

 

ଅସହ୍ୟ ଗରମ ଯୋଗୁ ଚାଳରୁ ଦି’ତିନିଟା ଅସ୍ରପା ଖସି ପଡ଼ନ୍ତି । ନିଜର ଲୁଗା ଝାଡ଼ିଦିଏ କୁମୁଦ ଅସ୍ରପାର ଅତ୍ୟାଚାର ଦୂର କରିବା ପାଇଁ । ...ଛାତିଟା ତାର ପଟା ପଡ଼ି ଯାଇଚି । ବେକ ମୂଳର ଦି ପାଖରେ ଦିଟା ହାଡ଼ ଠିଆହେଇଚି ଉଞ୍ଚ ଉଞ୍ଚ ହେଇ, ପୋଷେ ପୋଷେ–ଚାଉଳ ଧରିବ ସେଥିରେ । ଦେହକୁ ଉଣ୍ଡାଳି ପକେଇ ଚମକି ପଡ଼ିଲା କୁମୁଦ, ବେଶି ହେଲେ ତାକୁ ଅଣତ୍ରିଶ ବର୍ଷ ହବ । ତା ବୟସରେ ଝୁଅ ବା’ ହୋଇ ନ ଥିବେ । କିନ୍ତୁ ସିଏ ବୁଢ଼ୀ ହୋଇ ଗଲାଣି ।

 

ଏହି ସମୟରେ ପୁଅ ପ୍ରଦ୍ୟୁମ୍ନ ନିଦ ଭିତରେ ତା’ ପାଖକୁ ଗଡ଼ି ଆସିଲା । ତାକୁ ଛାତିରେ ଚାପି ଧରିଲା କୁମୁଦ । ଏଇ ତାର ସଙ୍ଗୀତ । ହଁ, ସିଏ ଦିନେ ଗୀତ ଗାଇଥିଲା ସତେ !

Image

 

ସୁରଭି ଜ୍ୟୋତ୍ସ୍ନା

 

“ତୋର୍ କତ୍‍ରିଆ

ମୋର ବନ୍ଧ୍‍ ରିଆ

କେସେ ଗଢ଼ାଲା, କାଳିଆ...

କସେ ଗଢ଼ାଲା”

 

ଗାଇ ଗାଇ ଜୋତ୍ସ୍ନାଭିତରେ ହସିଉଠିଲେ ଦଳେ ଯୁବତୀ । ପୃଥିବୀ ଉପରେ ଜ୍ୟୋତ୍ସ୍ନା ବିଞ୍ଚିଦେଇ ଆସିଛି ଜହ୍ନ, ଆଉ ଘର ଭିତରେ ରହି ହେବନି ଯେମିତି ।

 

ଆଗରେ ଡାକ୍ତରଖାନାର ମ୍ୟାଟର୍ନିଟି ଓ୍ୟାଡ଼୍ ଛାତ ପିଟା ଚାଲିଚି । ଏହି ଜହ୍ନଆଲୁଅ ଭିତରେ ସେଠି ଆଉରି ଆଲୁଅଜଳୁଚି ଚାରିଚାରିଟା ପେଟ୍ରୋମାକ୍‍ସ । ତାହା ଚାହିଁ ଶତଗୁଣ ଆଲୁଅ ଜଳୁଚି ସେଇ ପିଟୁଣୀମାନଙ୍କ ଅନ୍ତରରେ, ସେମାନେ ସମସ୍ତ ପ୍ରାୟ ଯୁବତୀ । କିଛି ସମୟ ଆଗରୁ ସମସ୍ତେ ମଦ ଚଳାଏ ଚଳାଏ ମଧ୍ୟ ପିଇ ଦେଇଛନ୍ତି । ଦି’ଦଳ ହୋଇ ସେମାନେ ଗୀତର ସୁର୍ ଧରିଛନ୍ତି–ଛୋଟ ବରଗଡ଼ ସହରଟିର ବକ୍ଷକୁ ତାହା ବିଦୀର୍ଣ୍ଣ କରୁଚି, ଜ୍ୟୋତ୍ସ୍ନାଚକିତ ଚୈତ୍ର ପବନକୁ କରୁଚି କଲ୍ଲୋଳିତ ।

 

ମଝିରେ ମଝିରେ ସେଠି ପୁରୁଷର ସ୍ଵର ମଧ୍ୟ ଶୁଣାଯାଉଚି । ଗାଇବା ବନ୍ଦ କରି, କୋବା ବାଡ଼ିଆ ଭିତରେ କେତେବେଳେ କେତେବେଳେ ଯୁବତୀମାନେ କଥାବାର୍ତ୍ତାରେ ମନଦେଲେ ସେହି ପୁରୁଷଟିର ଚିତ୍କାର ଶୁଣାଯାଉଚି...

 

“ଗାବେ ଟୋକ୍‍ଲିଏ !”

 

ଭାସି ଉଠେ ପୁଣି ଉଛୁଳା ସଙ୍ଗୀତ । ତାନ ଶେଷକୁ ଅନ୍ୟ ଦଳ କ୍ଲାଇମାକସ ସୃଷ୍ଟି କରି ଲହରା କଣ୍ଠର ପାଟିକରି ଉଠନ୍ତି...ଲେ.ଏ.ଲେ. । ସବୁଠାରୁ ଅଧିକ ଉପଭୋଗ୍ୟ ପଡ଼େ ସେଇଟି ।

 

ନୀତି ଜାଣନ୍ତି ନାହିଁ, ଅନୀତି ଜାଣନ୍ତି ନାହିଁ, ଜାଣନ୍ତି, କେବଳ ତାଡ଼ନା । ଖୁବ୍ କ୍ଷଣସ୍ଥାୟୀ ହେଉ ପଛକେ ଫୁଲ ଗନ୍ଧରେ ଉଲ୍ଲସିତ ଏମାନେ ଉଡ଼ିବୁଲନ୍ତି ପ୍ରଜାପତି ପରି । ଜ୍ୟୋତ୍ସ୍ନା ଭିତରେ ଜ୍ୟୋତ୍ସ୍ନା ବିଞ୍ଚି ଦେଇଚି ପେଟ୍ରୋମାକସ ଆଲୁଅ; ସେଥିରେ ଯୁବତୀଗୁଡ଼ାଙ୍କର ସୁଢ଼ଳ ଝାଳୁଆ ଗାଲ ଚକ୍‍ଚକ୍ ହେଉଚି ।

 

ସେଇ ଜ୍ୟୋତ୍ସ୍ନା ଭିତରେ ପୁଣି ଅଛି ପଇସା; ଦିନସାରା ମଧ୍ୟ କାମ କରିଚନ୍ତି ସେମାନେ ପ୍ରଚଣ୍ଡ ରୌଦ୍ର ଭିତରେ, ଆଉ ସେଇ କ୍ଳାନ୍ତିର କବର ଦେବାପାଇଁ ସେମାନେ ପିଇ ଦେଇଛନ୍ତି କେତେ ଅଞ୍ଜୁଳା ମଦ–ଗାଇ ଉଠୁଚନ୍ତି କଣ୍ଠଭରା ସଙ୍ଗୀତ । ସେ ସଙ୍ଗୀତର ବିଶେଷ କୌଣସି ଅର୍ଥ ନାହିଁ; ତେବେ ରସ ଅଛି, ତାହା କେବଳ ଆଦିରସ; ଆଉ ଅଛି ଆନନ୍ଦର ବିକାଶ । ଉଦ୍ଦେଶ୍ୟ ଥିଲେ, ଅଛି ଆକର୍ଷଣ ।

 

ଗାଇ ଗାଇ ଲୋଟିଯିବେ ସେମାନେ ରାସ୍ତାରେ । ଗୋଟାଏ କିଏ ଆନନ୍ଦରେ ଲୋଟି ପଡ଼ିଚି ଯେ ଏ ପର୍ଯ୍ୟନ୍ତ ଉଠିନି । ରାସ୍ତାରେ ଗଡ଼ିଗଡ଼ି ମଧ୍ୟ ସେ ଗୀତ ଗାଉଚି । ନୀରବ ପଥ ସେମାନେ ଚାଲି ପାରନ୍ତି ନି । ସଭ୍ୟ ମଣିଷକୁ ମଧ୍ୟ ତାଙ୍କର ଖାତିର ନାହିଁ । ହୁଏତ ତମ ପାଇଁ ସେମାନେ ମଧ୍ୟ ଗାଉଚନ୍ତି । ହୁଏତ ତମକୁ ଦେଖି ସେମାନେ ଛନ୍ଦି ଦେବେ କେତେ ପଦ ଗୀତ । ହସରେ ନବଖଣ୍ଡ ହେଇ ଗାଇଉଠିବେ ଦଳେ ଟୋକୀ ହଠାତ୍...

ପଣ୍ଢେଇ ମାଡ଼ିଛେ ବାବୁ

ହାତ୍‍ରେ ଧରିଛେ ବାଡ଼ି...

ତେଣିକି ଅନ୍ୟ ଅର୍ଥ । ଆଗରେ ଲଟିର୍ ତଲେ ଅଛେ ନିକାଞ୍ଚନ ସ୍ଥାନ, ଇତ୍ୟାଦି । ହୁଏତ ଆଉ କେତେ ଜଣ ଯୁବତୀ ତମକୁ ଆଉରି ଇଙ୍ଗିତ କରି ସୃଷ୍ଟି କରିବେ କ୍ଲାଇମାକ୍‍ସ...ଲେ...ଏ ଲେ...

କିନ୍ତୁ ଏ ସବୁ ଏକାନ୍ତରେ, ନିର୍ଜନରେ, ବିବିକ୍ତ-ସଭ୍ୟତା-ଅସ୍ପୃଷ୍ଟ ସ୍ଥାନରେ ପ୍ରଚୁର ଭାବରେ ଗଢ଼ିଉଠେ । କ୍ଲାଇମାକ୍‍ସ ସୃଷ୍ଟି ପରେ ହେଁ-ହେଁ, ହିଁ ହିଁ, ଉଚ୍ଚକିତ, ବିଶୃଙ୍ଖଳ ହସ ଉଚ୍ଛୃଙ୍ଖଳ ହୋଇଉଠେ । ଯେପରି ନୈଷ୍ଠିକ ସନାତନୀ ଆଗରେ ବକ୍ରିଦ୍‍ର କୁର୍ବାନୀ ।

କିଛିକ୍ଷଣ ପରେ ପୁଣି ଉଦବେଳ ହୋଇ ଉଠିଲା ରାସ୍ତାରେ ପଥଚାରିଣୀ ଯୁବତୀମାନଙ୍କର ଗାନ ।

ତୋର କତ୍‍ରିଆ

ମୋର ବନ୍ଧ୍‍ ରିଆ

କେସେ ଗଢ଼ାଲା ।

 

ଏହାର ଅର୍ଥରେ ରହସ୍ୟ ଅଛି । କିନ୍ତୁ ସେମାନେ ଆମ ଭଳି ଇତର ସ୍ପର୍ଶକାତର ନୁହନ୍ତି-। ଯେପରି ନିଜର ଗୋପନ ପ୍ରଣୟକୁ ମଧ୍ୟ ସେମାନେ ପ୍ରକାଶ କରି ପାରୁଛନ୍ତି ବେପରୁଆ ଭାବରେ-

 

ଏହି ପଥଚାରିଣୀ ଦଳ ଭିତରେ ସମସ୍ତେ ନବୀନା ନୁହନ୍ତି । ମାତ୍ର ଜୀବନକୁ ଉପଭୋଗ କରିବାରେ କେହି ନୁହନ୍ତି ଅର୍ବାଚୀନା । ପାଖରେ ସମ୍ବଲପୁରୀ ବସ୍ତ୍ରାଳୟ ଜଣେ ଓଡ଼ିଆ ଅଧ୍ୟବସାୟୀଙ୍କର ବିଭୂତି ପ୍ରକାଶ କରୁଚି । ସେ ପାଖକୁ ମାରୁଆଡ଼ି ପଡ଼ା । ପଡ଼ାର କୋଠାଗୁଡ଼ିକ ଆକାଶକୁ ମୁଣ୍ଡେଇ ଧରିଚି ଯେମିତି । ଯେପରି ଈଶ୍ଵରାନୁଗ୍ରହର ପ୍ରତିଦାନ ଦେଉଚି ସେହି ମହଲଗୁଡ଼ିକ ଆକାଶ ବକ୍ଷରେ ଅର୍ଘ୍ୟରଚନା କରି । ଜ୍ୟୋତ୍ସ୍ନା ପୁଣି ବିଞ୍ଚି ହେଇ ପଡ଼ିଚି ତାହାର ଉପରେ ବେଶି । ତଳର କିଟିକିଟି କଳା ଦେହର ମଣିଷଗୁଡ଼ାଙ୍କ ଉପରେ ଜ୍ୟୋତ୍ସ୍ନା ଲାଗେ, ଅଥଚ ଯେମିତି ଲାଗେ ନା । ସେଥିଯୋଗୁଁ କୃଷ୍ଣକାୟମାନଙ୍କର କୃଷ୍ଣତା ସେହିପରି ଅପରିବର୍ତ୍ତିତ ରହେ–ହୁଏ ତ ସେମାନେ କୃଷ୍ଣତର ହେଇଉଠନ୍ତି ପ୍ରଖର ଜ୍ୟୋତ୍ସ୍ନାଯୋଗୁ । କିନ୍ତୁ ସେମାନଙ୍କର ଚିନ୍ତା ନାହିଁ ସେଥିଲାଗି ।

 

ସେହି ଯୁବତୀମାନଙ୍କ ଆନନ୍ଦରେ ନାହିଁ କୃଷ୍ଣତାର ସ୍ପର୍ଶ । ସେମାନଙ୍କର ଉପଭୋଗ ମଧ୍ୟ ନୁହେଁ କୃଷ୍ଣକାୟ । ସର୍ବଜୀବନର ଅଧୀରତା ଓ ଆନନ୍ଦ ଧରି ସେମାନେ ରଚନା କରି ଦେଇଛନ୍ତି ଉତ୍ସବ । ସେମାନେ ଦିନେ ଗଢ଼ି ଦେଇଥିଲେ ସେହି କାହ୍ନିଆ ମାରୁଆଡ଼ିର କୋଠା, ହୁଏ ତ ସେମାନେ ମଦ ପିଇଥିଲେ ସେଦିନ ଖୁବ୍, କିନ୍ତୁ ତାହା ତାଙ୍କରି ପଇସାର ମଦ । ସେମାନେ ଠକି ନ ଥିଲେ କାହାକୁ, ସେମାନେ ଆଣିଥିଲେ ସେଇ ନାଲି ପାଣି ଚଳାକ ନିଜର ଶ୍ରମ ଦେଇ, ଆଉ ହୁଏ ତ ଅନ୍ୟକୁ ଆନନ୍ଦ ଦେଇ । ଏହି ଆନନ୍ଦ ଦେବା କଥାଟା ଆମ ପାଖରେ ଅପ୍ରିୟ ହୋଇପାରେ, କିନ୍ତୁ ସେମାନଙ୍କ ପାଖରେ ନୁହେଁ । ସଭ୍ୟମଣିଷ ହୁଏ ତ ସେମାନଙ୍କଠାରୁ ଏହି ଆନନ୍ଦକୁ ଫାଇଦା ଉଠେଇବା ଭାବରେ ଗ୍ରହଣ କରେ, କିନ୍ତୁ ସେମାନଙ୍କ ବିଚାର ଭିନ୍ନ ।....ସେମାନେ ହୁଏ ତ ଡାକି ବଜେଇ ବିଚ୍ ରାସ୍ତାରେ ଗୀତ ଗାଇ ଗାଇ କହନ୍ତି, ହେ ସଭ୍ୟମଣିଷ, ତମର ସଭ୍ୟତାଭିମାନକୁ ଚୂରି ଦେବାକୁ ଆମେ ତିଆରି କରିଚୁ ଲୁହାର ଦିହ । ସେହି ଲୁହାର ଦିହରେ ଗଢ଼ି ଦେଇଚୁ ତମର କୋଠା; କିନ୍ତୁ ଆମର କୁଡ଼ିଆ ଖଣ୍ଡକରେ ତ ବାଜେନା ତମର ହାତ ? ସେହି ଲୁହାର ଦିହରେ ଆମର କଳାଘୁମର ଜୁଡ଼ା, ଆଉ ସେଇ ଜୁଡ଼ାରେ ମଲ୍ଲିଫୁଲର ମାଳା । ସେଇ ସରୁ ସରୁ ଫୁଲମାଳରେ ଆମେ ବାନ୍ଧିନେଉ ତମର ସମସ୍ତ ଅଭିମାନ । ସେଥିଯୋଗୁ ଆମ ଭଙ୍ଗା କୁଡ଼ିଆରେ ତମେ ହୁଅ ପୁଣି ଦ୍ଵାରସ୍ଥ ।

 

ହି ହି ହି ହି...

 

ହସିଉଠିଲା ଚନ୍ଦ୍ରା । ଚନ୍ଦ୍ରା ବଢ଼େଇ ଘରର ବୋହୂ । ମାତ୍ର ବୋହୂ କହିଲେ ଚନ୍ଦ୍ରାର ରୂପ ଠିକ୍ ଫୁଟେ ନା । ତମ ଘରର ବୋହୂ ଭଳି ସେ ଲାଜକୁଳି ଲତା ନୁହେଁ । ବୋହୂ ବୋହୂକା ଖେଳ ମଧ୍ୟ ସେମାନେ ଶିଖି ନାହାନ୍ତି । ତମେ ବୋହୂ ଭାବି ତାହାର ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଲାଗିଲେ ସେ ମଧ୍ୟ ଚାହିଁବ ତଦ୍ରୂପ । ହସିଲେ ମଧ୍ୟ ସେ ହସିବ । କଥା କହିଲେ ଉତ୍ତର ଦେବ, ଡାକିଲେ ସେ ତାହାର କାରଣ ପଚାରି କଥାର ଆର୍ଥିକ ଭତ୍ତି ପରୀକ୍ଷା କରିବ । ତମେ ତାକୁ ଠକି ଦେଇ ଚାଲିଯାଇ ପାରିବନି ।

 

ଚନ୍ଦ୍ରା କିନ୍ତୁ ଆହୁରି ଭିନ୍ନ । ଠୋ ଠୋ କଥା, ହସକୁ ମଧ୍ୟ ବ୍ୟଭିଚାରର ଅଙ୍ଗ ବୋଲି ସେ ବିଚାର କରେନା । ହସର ଆବଶ୍ୟକ ହେଲେ ଜଣେ ବିଦେଶୀ ସାଙ୍ଗରେ ମଧ୍ୟ ସେ ହସିବାକୁ କୁଣ୍ଠିତା ହୁଏ ନା ।

 

ଏହା ଭିତରେ ସେହି ଯୁବତୀମାନେ ଦୁଇ ଦଳ ହୋଇ ଡାକ୍ତରଖାନାର ପଶ୍ଚିମପାଖ ରାସ୍ତା ଉପରେ ଆରମ୍ଭ କରିଦେଲେ ଡାଲଖାଇ ନାଚ । ଠିଆପୁଁଚିର ଆଉ ଟିକେ ସରଳ ବିକାଶ ଏମାନଙ୍କର ଡାଲ୍‌ଖାଇ । ତେବେ ପୁଁଚି ଖେଳର ଅଣନିଶ୍ଵାସୀ ଭାବ ଏଥିରେ ନାହିଁ । ବୀଭତ୍ସତା ଅଛି, ତଳେଇ ଦେଖିଲେ କେବଳ ଯୌନ–ଆବେଦନର ଭଙ୍ଗୀ । କିନ୍ତୁ ସେ ବୀଭତ୍ସତା ଆମ ପାଇଁ ସେମାନଙ୍କର ତାହା ଧର୍ମ । ଦଶହରା ପର୍ବରେ ଘରେ ଘରେ ପୁରୁଷଙ୍କ ଆଗରେ ନାଚିବେ ମଧ୍ୟ ସେହିପରି ।

 

ଦଳେ ଆର ଦଳକୁ ଖେଦିନେଉଥିଲେ ନାଚିନାଚିକା; ଆର ଦଳ ପୁଣି ସେହିପରି ଅପର ଦଳକୁ ଖେଦୁଥିଲେ । କିନ୍ତୁ ସେଠି ହଠାତ୍ ନାଇଡ଼ୁ ପହଞ୍ଚି ତାଳଭଙ୍ଗ କଲା । ଫେଁ ଫେଁ ହେଇ ହସି ଉଠିଲା ଚନ୍ଦ୍ରା ।

 

ନାଇଡ଼ୁ ସୁଦୂର ମାଲବାରର ଲୋକ । ଏଠି ଗୋଟିଏ ମଟର କାରଖାନାରେ ମିସ୍ତ୍ରୀକାମ କରେ । ରାସ୍ତା କଡ଼ରେ ସେହି ନୃତ୍ୟସ୍ଥଳିର ଠିକ୍ ସାମନାରେ ତାର ବସାଘର । ଟିକିଏ ଡେରିରେ ସାଧାରଣତଃ ସେ କାରଖାନାରୁ ଫେରେ । ସେ ସେଠାରେ ପହଞ୍ଚି ନୃତ୍ୟକାରିଣୀ ଗୋଟିଏ ଯୁବତୀର ବହୁଟାକୁ ଭିଡ଼ିଧରି ତାକୁ ଟାଣି ଟାଣି ନେଇଗଲେ ତା’ ବସାକୁ ।

 

ହସର ଲହରୀ ଖେଳିଗଲା ଏଥିରେ ଯୁବତୀମାନଙ୍କ ଭିତରେ । ସେଥିରେ ଫୁଲି ଫୁଲି ଉଠିଲା ଯେମିତି ଜ୍ୟୋତ୍ସ୍ନା ।

 

ଉଃ..ଉଃ.. ଛାଡ଼୍ ଛାଡ଼୍ କହୁଥାଏ ଭଦ୍ରା, ସେଇ ଯୁବତୀଟି । କିନ୍ତୁ ନାଇଡ଼ୁର ମୁଷ୍ଟି ଖୁବ ଦୃଢ଼ । ଗୋଟିଏ ହାତରେ ସେ ଦରଜାର ତାଲା ଖୋଲୁଥାଏ, ଆର ହାତରେ ଶକ୍ତକରି ଧରିଥାଏ ଭଦ୍ରାର ବାହୁଟାକୁ ।

 

ଶେଷରେ ଦରଜା ଖୋଲିଲା । ଭଦ୍ରାକୁ ଧରି ଭିତରେ ପଶିଲା ନାଇଡ଼ୁ । କବାଟ ହଳକୁ ଭିତରୁ ଦୁଲ୍ କରି ସେ ବନ୍ଦ କରିଦେଲା । ତାହାପରେ ଆରମ୍ଭ ହେଲା ପୁରୁଷର ଧର୍ମ । ସେଥିରେ ଭାସି ଆସିଲା ଚିତ୍‌କାର । ଭଦ୍ରା ଦେହରେ ମାଡ଼ ବସିବାର ଶବ୍ଦ ମଧ୍ୟ ଭାସି ଆସୁଥାଏ ଜ୍ୟୋତ୍ସ୍ନାଚକିତ ପବନ ଭିତରେ ।

 

ଗୋଟିଏ ବଡ଼ ଖପର ଘର ଦୁଇଟି କ୍ଵାର୍ଟରରେ ପରିଣତ । ଗୋଟିଏ ପାଖରେ ଥାଏ ସେଇ ନାଇଡ଼ୁ; ଆର ପାଖରେ ସୋସାଇଟିବାବୁ ତାଙ୍କ ପରିବାର ଧରି ଥା’ନ୍ତି । ଦୂରର ଲୋକ, ଗଞ୍ଜାମରେ କୋଉଠି ହିଞ୍ଜିଳିକାଟୁରେ ଘର । ସ୍ଥାନୀୟ ସମବାୟ ସୋସାଇଟିର ସେ ଜଣେ ଇନିସ୍‌ପେକ୍ଟର । ନାଁ ରତିକାନ୍ତ ।

 

ରତିକାନ୍ତଙ୍କ ବସାର ଦାଣ୍ଡ ଘରର ଢବା ଉପରେ ଆଶ୍ରୟ ନେଇଥାଏ ପାର । ତାର ସ୍ଵାମୀ ଭଅଁରାକୁ ଧରି ସେଇଠି ରହେ । କିନ୍ତୁ ରୋଷେଇବାସ କରେ ତଳେ–ଢବାକୁ ଉଠିବାର ପାହାଚ ମୂଳରେ ଦୋକଡ଼ିରେ । ଭଁରା ଏହା ଭିତରେ ଘରକୁ ଆସି ପୁଣି କୁଆଡ଼େ ବାହାରକୁ ବୁଲି ଚାଲିଯାଇଚି । ହୁଏ ତ ସାହୁଘରକୁ ଯାଇଚି ସପ୍ତାକର ମଜୁରି ଆଣିବ ବୋଲି । କଲି ଶୁକ୍ରବାରେ ହାଟପାଳି, କଲି ମାଦପିଆର ଧୂମ । ଆଜିଠୁଁ ପଇସା ସଂଗ୍ରହ କରିବା ଦରକାର ।

 

ସେ...ଛୁଁ...

 

ଦିଟା ମୁଗ ଭାଜିଦେଇ ତାକୁ ସଙ୍ଗେ ସଙ୍ଗେ ପର୍ଝି ମସଲା ପାଣି ଦେଲା ପାର । ସେଇ ତାର ତର୍କାରି । ପାରକୁ ସୁବିଧା ହେବ ବୋଲି ଚୁଲି ମୁଣ୍ଡରେ କାଠର ଗୋଟାଏ ବଇଠା ପୋତି ଦେଇଚି ଭଁଅରା । ସେଇ ବଇଠା ଉପରେ କିରାସିନି ଡିବି, ତା ପରେ ଚୁଲିରେ ମଧ୍ୟ ଚୁଲିଏ ଆଲୁଅ; ଉଭୟର ମିଶ୍ରିତ ତେଜ ପାରର ମୁହଁରେ ଛାଟି ହେଇ ଯାଉଚି ହୁତ୍‍ହୁତ୍ ହେଇ । ଆଜି ଭାରି ଗରମ ପଡ଼ିଚି । ଉଇଲ୍ ମିର୍ଚା ଧରି ଆଜି ପଖାଳ କଂସାଏ ସହଜରେ ଖାଇ ହେଇଥାନ୍ତା, ମାତ୍ର ଅଖାଡ଼ୁଆ ଭଁଅରା ଲାଗି ଆଜି ପାରକୁ ଗରମରେ ଧନ୍ଦି ହେଇ ତର୍କାରି ରାନ୍ଧିବାକୁ ପଡ଼ୁଚି ।

 

ସେ ପାଖରୁ ଭଦ୍ରାର ଚିତ୍କାର ଶୁଣି କିର୍‍କିର୍ ହେଇ ହସିଉଠିଲା ପାର । କିନ୍ତୁ ପାର କାନରେ ଭଦ୍ରାର ଏ ଚିତ୍କାର ନୂଆ ନୁହେଁ । ବୟସ ସେପରି ଅଧିକ ନ ହେଲେ ବି ପାରର ମୁଣ୍ଡ ବାଳଯାକ ଧଳା ହେଇଯାଇଚି । ପାନ ନ ଖାଇବାହେତୁ ଦାନ୍ତଗୋଛାକ ମଧ୍ୟ ତାର ବାଳ କେରାକ ଭଳି ଧୋବ ସରସର । ଏହି ଦୁଇ ଶୁଭ୍ରତାର ସହଯୋଗରେ ଅଦ୍ଭୁତ ଦିଶିଲା ପାରର ଛବି–ତା ଉପରେ ରକ୍ତିମ ଆଲୋକର ତେଜ ।

 

ହେଁ କେନ୍ତା ହେଲା... ତୋର କତ୍‍ରିଆ, ମୋର ବନ୍ଧ୍‍ ରିଆ ଲୋ ଭଦ୍ରା... ହି ହି ହି...

 

ଆରପଟେ ମଧ୍ୟ ସେହିପରି ଗୋଟିଏ ଦୋକଡ଼ି, ଖାଲି ତାକୁ ବିଚ୍ଛିନ୍ନ କରିଚି ମଝିରେ ପଟେ କାନ୍ଥ । ମାଟି କାନ୍ଥର ସେ ପାଖରେ ଅତ୍ୟାଚାର, ଏ ପାଖରେ ଉପହାସ । ବିଚାରୀ ଭଦ୍ରା !

 

ତଥାକଥିତ ସ୍ଵାମୀ ପାଇଁ କର୍ତ୍ତବ୍ୟ ତୁଲେଇବାରେ ଭଦ୍ରାର ମଧ୍ୟ ଦୋଷ ଅଛି । ମାତ୍ର ତାର ସ୍ଵାଧୀନ ମନକୁ ତଥାକଥିତ ସଭ୍ୟମଣିଷର ଛାଞ୍ଚରେ ଗଢ଼ିବାକୁ ଏ ଯେଉଁ ପ୍ରଚେଷ୍ଟା, ସେଥିରେ ଭଦ୍ରାର ଦୋଷ ନାହିଁ । ତେଣୁ ଭଦ୍ରାର ଜଗତରେ ଏହି ନାଇଡ଼ୁର କି ବିଚାର ହୁଅନ୍ତା, ତାହା ଖାଲି କଳ୍ପନା କରିବାକୁ ହୁଏ ।

 

ଅନେକ ଦିନୁ ଘରଦ୍ଵାର ଛାଡ଼ିଚି ଭଦ୍ରା । ତା ସାଙ୍ଗରେ ଆଉ ଆଉ ଯୁବତୀଙ୍କ ପରି ସେ ଦିନେ କାନପାରି ଶୁଣିଥିଲା ପଞ୍ଚଶରର ଡାକ । ସେହି ଡାକର ଉତ୍ତର ଧରି ଦେଖାଦେଇଥିଲା ଜଣେ ଯୁବକ । କିନ୍ତୁ ମନର ସରାଗ ନ ମେଣ୍ଟିବାରୁ ତାକୁ ଛାଡ଼ି ଦେଇଚି ଅଧବାଟରେ । ସଭ୍ୟତାର ସଂସ୍ପର୍ଶରେ ଜୀବନ ଗଢ଼ି ହେବାକୁ ଯାଉଚି, ମାତ୍ର ଆଦିମତାର ଅନ୍ଧାର ଘରର ଅନ୍ଧିସନ୍ଧିରେ ଭର୍ତ୍ତି–ସେହି ଘରର ଝିଅ ଭଦ୍ରା । ବାପ କୁଆଡ଼େ ତାର ଗୌନ୍ତିଆ, କୋଉ ଗାଇସିଲେଟ ଗାଁରେ ତାର ଘର-। ବୃନ୍ତହୀନ ଫୁଲ ପରି ଉଡ଼ି ଉଡ଼ି କେତେ ଜାଗାରେ ସେ ଏହା ଆଗରୁ ରହିଲାଣି । ଏବେ ସେ ଏଇ ନାଇଡ଼ୁ ହାତରେ ପଡ଼ିଚି । ଖୁବ ଟାଣୁଆ ମର୍ଦ୍ଦ ନାଇଡ଼ୁ । ହୃଷ୍ଟପୁଷ୍ଟ ।

 

ଶେଷକୁ ପାର କାନ୍ଥ ଉପରକୁ ମୁଁହ ବଢ଼େଇ ଦେଖିଲା ଦୃଶ୍ୟ । ଏଥର ଉପହାସରେ ନୁହେଁ, ରାଗତ ସ୍ଵରରେ କହିଲା...

 

“ହେ ଦାରୀ’ ବାବୁ ନାଇଁ ଶୋଇବା କେ... ଆରେ ହେ ମିସ୍ତ୍ରୀ, ଆରେ କାଁ କର୍‍ଚୁରେ... ତୁଇ ମାଇଜିର କପଡ଼ା କାଁ କରି ଉତାର୍‍ଛୁରେ । ଯେନ୍ତା ମରଦ, ସେନ୍ତା ମାଇ । ଛି... ଛି... ଛି ମରନ୍ ନାଇଁ ହବାକେ । ବାବୁ ଝୁମରାଲେନ... ବାବୁର ମା କାଁ ବୋଲୁଛନ୍ ଶୁନତ...”

 

କ୍ରମେ ନୀରବି ଆସିଲା ଚିତ୍କାରର ସ୍ୱର । କିଛି ସମୟ ପରେ ଭଦ୍ରା ହସିବାର ମଧ୍ୟ ଶୁଣାଗଲା ।

 

ଶେଷକୁ ଏ ପାଖରେ ପାର ମଧ୍ୟ ହସିଉଠିଲା । ହସି ହସି ସେ ରତିକାନ୍ତଙ୍କର ସ୍ତ୍ରୀ ପାଖରେ ପହଞ୍ଚି କହିଲା,

 

“ଦେଖ୍‍ଲ, ବାବୁର ମା, ଦେଖ୍‍ଲ, ଏ ରାଁଡ଼ି ଇହାଦେ ଘୋଡ଼ାର ବାଗି ହସୁଚେ ।”

 

ପୁଅ ଦୁଧଖାଇ କୋଳରେ ଶୋଇପଡ଼ୁ ଥାଏ–ହାତରେ ପଙ୍ଖା ଖଣ୍ଡେ ଧରି ଧୀରେ ପବନ କରୁଥାନ୍ତି ରତିକାନ୍ତଙ୍କର ସ୍ତ୍ରୀ । ପାରକୁ ପାଟି ବନ୍ଦ କରିବାକୁ ଜନନୀ ଇଙ୍ଗିତ କଲେ ।

 

ଭଦ୍ରାର ଗୀତଗାଇ ବୁଲିବା, ନାଚିବା, ଖେଳିବାକୁ ପସନ୍ଦ କରେନା ନାଇଡ଼ୁ । ତାକୁ ଭଦ୍ର, ଭବ୍ୟ କରିବା ପାଇଁ ନାଇଡ଼ୁ ମାଡ଼ ମାରେ । କିନ୍ତୁ ସେ କିପରି ମାଡ଼ ମାରେ, ତାହା କେତେ ଦୂର କାଟେ, ତାହା କେବଳ ଜଣା ନାଇଡ଼ୁ, ଆଉ ଭଦ୍ରାକୁ । ମାତ୍ର ଭଦ୍ରାର ବିକଟ ଚିତ୍କାରରେ ଉତ୍ତର ପାଖର ବୁଧେଇ ମା ଘର, ମଙ୍ଗଳୁ ଧୋବା ଘର, ଆଉ ତା’ ସେ ପାଖକୁ ଥିବା କୁମ୍ଭକର୍ଣ୍ଣ ବଢ଼େଇର ଘର ମଧ୍ୟ କମ୍ପିଉଠେ ।

 

ସେଦିନ ରାତି ଅଧରେ ଶୁଣାଗଲା ଭଦ୍ରାର ଅପ୍ରୀତିକର ରୋଦନ । ସେଥିରେ ରତିକାନ୍ତଙ୍କ ବର୍ଷକର ଛୋଟ ପୁଅ ପକ୍ଷରେ ଆଉ ବିଛଣାରେ ଶୋଇରହିବା ସମ୍ଭବ ହେଲାନି । ନିଦଭାଙ୍ଗି ସେ ଚିର୍‍ଚିରେଇ ଉଠିଲା । କିନ୍ତୁ ଉପାୟ ନାହିଁ । ସେହି ଆଦିମ ଦ୍ରାବିଡ଼ ଆଉ ଭଦ୍ରମନ୍ୟ ଲୋକ ନାଇଡ଼ୁର ମାନସିକ ଶାନ୍ତିକୁ କ୍ରୀଡ଼ନକ କରିବାକୁ ଆଜିର ଜ୍ୟୋତ୍ସ୍ନା ଯେପରି ଦେଖାଦେଇଥିଲା ଆକାଶରେ ପାଗଳ ହେଇ । ରତିକାନ୍ତ ମଧ୍ୟ ଉଠିଲେ । ନିରୁପାୟ ହେଇ ସେ ପୁଅକୁ କାନ୍ଧରେ ପକେଇ ପବନରେ ବୁଲେଇ ବୁଲେଇ ପୁଣି ଶୋଇପକେଇବାକୁ ଚେଷ୍ଟାକଲେ ।

 

ନୀରବି ଯାଇଚି ମାଟର୍ନିଟି ଓ୍ୟାଡ଼ର ଛାତପିଟୁଣୀ ଯୁବତୀମାନଙ୍କର ଗୀତ । ସେମାନେ ଏହା ମଧ୍ୟରେ କାମସାରି ଚାଲିଯାଇଚନ୍ତି ନିଜନିଜର ଘରକୁ । କେବଳ ଗଣ୍ଡା ସାହିରେ ବାଜୁଚି ଉଦଣ୍ଡ ତାଳରେ ଗୋଟାଏ ଢୋଲ–ମଦ ନିଶାରେ ବିଚିତ୍ର ସଙ୍ଗୀତର ଧିଶା ମଧ୍ୟ ତା ସାଙ୍ଗରେ ଶୁଭେ-। ଏଣେ ପାଖ ସଅରାପଡ଼ାରୁ ବଜାରୀ ମଦୁଆମାନଙ୍କର ହଟ୍ଟଗୋଳ ମଧ୍ୟ ଭାସିଆସେ ପବନରେ-। ଦେହବିଳାସର ଉପଯାଚନାରୁ ଯେଉଁମାନେ ବଞ୍ଚିତ ହେଇଚନ୍ତି, ସେମାନେ ଅର୍ଥ ବିନିମୟରେ ତାହା ଆଦାୟ କରିନେବାକୁ ଆସିଚନ୍ତି ସେଠିକି ।

 

ଏତିକିବେଳେ ପାର ପାଟିକରି ଉଠିଲା, “କେନ୍ଆଡ଼େ ଯାଇଥିଲୁ ରେ ରୋଇଖିଆ” ମୁଁ ଇଁ ତୋର୍ ଲାଗି ରାତ୍ ଅଧ ଯାଏ ଚେତ୍‍ବି କି ରେ ଗଜାବଅସିଆ...ଗାଡ଼୍ ସୁଆ... ଆରେ ତୁଇ ମଦ୍ ମୁଦା ପିଇଚୁ କିରେ...”

 

ଚୁପ୍‍କର ନଫର ବାଣ୍ଡି... ମଦ୍ ମୁଇଁ କାଁ କରି ପିଇବି ଲୋ... କାଲି ମୁଇଁ ନାଇଁ ପିଇବି କାଏଁ ?”

 

ତା ପରେ ପିଣ୍ଡା ଉପରୁ ଦଉଡ଼ିଆ ଖଟିଆଟାକୁ ଘଡ଼୍ ଘଡ଼୍ କରି ଟାଣିଆଣି ଦୁଆରେ ପକେଇ ଦେଇ ସେଥିରେ ଗଡ଼ି ପଡ଼ିଲା ଭଁଅରା ।

 

ଗର୍ଜି ଉଠିଲା ପୁଣି ପାର ।

 

“ଗାଡ୍‍ସୁଆ, କାଁ କରି ଶୁଉଚ ରେ.... ଏନ୍‍ସି ଝୁମ୍‍ରା ତତେ ଲାଗ୍‍ସି.... ନାଇଁ ଖାଇବୁ କେଁ ?”

 

ରତିକାନ୍ତଙ୍କର ସ୍ତ୍ରୀ ସେମାନଙ୍କ ଦୌରାତ୍ମ୍ୟ ଆଉ ବରଦାସ୍ତ କରିପାରିଲେ ନି ।

 

“ପାର ତମେ ସଭିଏଁ ଏକା ଡଙ୍ଗାରେ ବସିଲ ? ଛୁଆଟା ଶୋଇନେଇ ପରା ତମେ ଦେଖୁଚ !”

 

ଛୁଆର ନାଁ ଶୁଣି ଭଁଅରା ଖଟିଆ ଉପରେ ଗଡ଼୍‍ଗଡ଼ା ମାରିବା ଛାଡ଼ି ଦେଇ ଉଠି ପଡ଼ିଲା-। ରତିକାନ୍ତଙ୍କର ପୁଅକୁ ସେ ସ୍ନେହ କରେ ଖୁବ୍ । ଶୋଇବାଘର ଆଗର ବାଘମୁହିଁ ପାଖକୁ ଚାଲି ଆସି ଭଁଅରା କହିଲା–

 

“ମାଷ୍ଟର୍, ଆଜ୍ଞା... ‘ବାବୁ ନାଇଁ ଶୋଇବାକୁ ?”

 

ଆହୁରି ବିପଦ । ଆଗର ଜହ୍ନଆଲୁଅର ତେଜରେ ବାରି ହେଇ ପଡ଼ୁଚି ଧୋବ ଫରଫର ମଶାରି, ପବନର ଲହରୀ ପୁଣି ସେଥିରେ । ତାକୁ ଯାଇଁ ଟେକିବାକୁ ବସିଲା ଭଅଁରା । ଡାକ ଛାଡ଼ିଲେ ରତିକାନ୍ତ ।

 

“ଭଅଁରା... ଭଅଁରା...”

 

‘ମୁଇଁ ଶୁଇ ଦେବି ବାବୁକେ...ମୁଇଁ ଇହାଦେ ଫୁଙ୍କି କରି ଶୁଇ ଦେବି !!

 

ଭଅଁରା ଗୁଣୀଗାରିଡ଼ି ଆଉ ଝଡ଼ାଫୁଙ୍କାର ମନ୍ତର ଯନ୍ତର ଜାଣେ ବୋଲି ଖୁବ୍ ଗର୍ବ କରେ ।

 

ଯୋଗକୁ ପାର ଆସି ପହଞ୍ଚିଯାଇଥିଲା ସେଠି । ହଠାତ୍ ଟାଣି ନେଲା ସେ ଭଅଁରାକୁ । ଭଅଁରା କିନ୍ତୁ ନିଜର ଖଟିଆ ପାଖକୁ ଆଉ ଗଲାନି । ପାଗଳ ପରି ଜହ୍ନଆଲୁଅରେ ଅଗଣାଟାଯାକ ଘୂରି ବୁଲିଲା ।

 

ତା’ ଗତିବିଧିରୁ କଣ ଲକ୍ଷ୍ୟ କରି ପାର ଧମକ ଦେଇ କହିଲା,

 

“ଆରେ ଗାଡ୍‍ସୁଆ, ମଦ୍ ତୁଇ ନୁହେ ପିଉ...ତୁଇ ମସଲା ଚିବୁଚେ କାଣ ପେଇଁରେ...ଗାଡ୍‍ସୁଆ, ରୋଇଖିଆ !”

 

ହଠାତ୍ ପାର ପଛରେ ହାତ ମୁଠା ଉଞ୍ଚେଇଲା ଭଅଁରା । କିନ୍ତୁ ତାହା ପାରର ଦିହ ଛୁଇଁଲାନି । ଏମିତି ସେ କରେ । କୋଉଦିନ ପାରକୁ ସେ ମାରିଚି ବୋଲି ଜଣାଯାଇନି ।

 

ଭଅଁରା ପ୍ରକୃତରେ ମଦ ପିଇଥାଏ, କିନ୍ତୁ ଖୁବ୍ କମ୍ । ତାକୁ ମୌନ ରହିବା ଦେଖି ପାରକୁ ବର୍ତ୍ତମାନ ସୁଯୋଗ ମିଳିଗଲା । ତା’ ପାଖକୁ ଲାଗିଯାଇ ସେ କହିଲା,

 

“ଦେ ଗାଡ୍‍ସୁଆ, ଟଙ୍କା ଆଣ୍...କେତେ ଟଙ୍କା ପାଇଚୁରେ ଆଜି ?”

 

“ତୋର ବୁଆର୍ ଟଙ୍କା, ହାରାମଜାଦି ! ନଫରବାଣ୍ଡି, ମତେ ଫିର୍ କହିଲୁ ଗାଡ୍‍ସୁଆ...ମାଆର୍ ଦେଵି ଯେ”......

 

ପୁଣି ଉଠେଇଲା ଭଅଁରା ହାତ । ଫେଁ କରି ହସିଉଠିଲା ପାର, ଧଳା ଧଳା ଦାନ୍ତ ଗୋଛାକରୁ କୃତ୍ରିମ ଜ୍ୟୋତ୍ସ୍ନା ପ୍ରକାଶ କରି । ତା ପରେ ସେ ଭିଡ଼ି ଭିଡ଼ି ଟାଣି ନେଇଗଲା ଭଅଁରାକୁ ଢବା ଘର ଉପରକୁ । ଖିଆପିଆର ନାମଗନ୍ଧ କେହି ଧରିଲେନି । ବୟସ ଖସି ଯାଇଥିଲେ କଣ ହେଲା, ଆଜିର ଜହ୍ନଆଲୁଅ ତାକୁ ମଧ୍ୟ ପାଗଳ କରିଦେଇଚି ।

 

ଢବା ଉପରେ ପହଞ୍ଚି ପାର ଦେଖିଲା, ଗୋଟାଏ ଛୋଟ ବୋତଲରେ ଭଅଁରା ମଦ ମୁନ୍ଦାଏ ଆଣି ରଖି ଦେଇଚି । ସେତକ ଏକା ନିଶ୍ୱାସରେ ସେ ପିଇଦେଲା ।

Image

 

ଶରୀର–ସଙ୍ଗୀତ

 

ଠିକ୍‍ କହିବାକୁ ହେଲେ ବିଲାତିଆଳୁ ଚୋପାର ରଙ୍ଗ ଭଳି ତା’ ବର୍ଣ୍ଣ । ନାଁ ତାର ନୁଖୁରୀ-। ନାଁଟା ତା’ଠି ସାର୍ଥକ ହେଲା ପରି ଲାଗେ । ବାଳଗୁଡ଼ାକ ସବୁଦିନେ ତାର ଫୁରୁଫୁରୁ–ଦିହଟା ଵି ବରାବର ଖସଖସିଆ ଦିଶେ ଆଖିକି । ବୟସ ତା’ର ଵି ସେହିପରି ତା ସାଙ୍ଗରେ ପଟ ପକେଇଚି-। ପନ୍ଦର ନୁହେଁ କି ଷୋଳ ନୁହେଁ । ଏକଦମ୍ ଛବିଶ । ଯଦ୍ୟପି ବୟସ ତାଠେଇଁ ଟିକେ ମାୟା ରଖିଚି, ତେବେ ଯୌବନ ଯେପରି ବୟସକୁ ଗୋଇଠା ମାରି ଠେଲି ଦେଇ ଚାଲିଯିବାକୁ ଉଦ୍ୟତ-। ଜୀବନର କାମଟା ବି ସେମିତି ଖାପଖାଇଚି ତା ସଙ୍ଗରେ । ହାରାହାରି ଦେଖିବାକୁ ଗଲେ ଛନ୍ଦପତନର ଅବସର ମୋଟେ ତାଠେଇଁ ନାହିଁ ।

 

ଭଗୀ ଦାସ ଓ କଳୁ ଦାସ, ନୁଖୁରୀର ଦୁଇ ଭାଇ । ଦୁହେଁ ନୁଖୁରୀ ଠାରୁ ବଡ଼ । କଳୁ ଭଗୀଠାରୁ ବଡ଼ । ଭଗୀ ଅନେକ ସମୟ କଲିକତା ଯାଏ, ରୋଜଗାର କରି । କଳୁ ଗାଁରେ ରହି, ହିଡ଼ମାଟି ହିଡ଼ରେ ନଦି, ନଈକୂଳର ପାଳ ଜମି ଭାଗ ବଖରା କରି ପରିବାର ଦାୟିତ୍ୱକୁ ଠେଲାଠେଲି କରି ଚଳାଏ । ନୁଖୁରୀର ସହଚର୍ଯ୍ୟ କିନ୍ତୁ ସବୁଥିରେ ଥାଏ । ଖରାଦିନେ ଜମି ଚାଷବେଳେ ବିଲକୁ ବିହନ ବୁହେ । ବର୍ଷାଦିନେ ବେଉଷଣ ବେଳେ ବାଟିଆ ଭାଙ୍ଗି ଖେଳୁଆ କରେ-। ବଛା ବେଳେ ବିଲ ବାଛେ । ଶୀତଦିନଠଉଁ ଅଧାଖରାଯାଏ ପାଳରେ ଖଟେ । ଖରା କାକରରେ କ୍ଷେତ ଜଗି ପଡ଼ିଥାଏ ।

 

ନୁଖୁରୀ ରାଣ୍ଡ । ଯୁବା ରାଣ୍ଡ କି ବାଳୁତ ରାଣ୍ଡ କହି ହବନି । ତେବେ ବର୍ତ୍ତମାନ ନିପଟ ରାଣ୍ଡ । ହାତରେ ପଟେ ହେଲେ କାଚ କି ଶଙ୍ଖା କି ଖଡ଼ୁ କିଛି ହେଲେ ନାହିଁ । ଏଇ ବିଧବା-ଜୀବନ ଭିତରେ ସେ ଯେପରି ଆଉ କୌଣସିଥିର ସପନ ଦେଖେ ନା । ଏଇ ଦଶାଟା ତାକୁ ଯେମିତି ଆରେଇ ଯାଇଛି ।

 

ସେଦିନ ସକାଳୁ ନୁଖୁରୀକି କିଏ ଡାକିଲା ସେ ଜାଣିପାରିଲା ନି । ମୁହଁରେ ଚଳାଏ ପାଣି ମାରି ସେ ରାସ୍ତା ରାସ୍ତା ବାହାରି ଗଲା ପାଳକୁ । ମଗୁଶିର ମାସ । ତଣ୍ଡିଫୁଲଗୁଡ଼ା ଆଜିଯାକେ ବି ନଈଧାରଯାକ ହସରେ ଫଟେଇ ଦେଉଚନ୍ତି । ନଈପାଣି ବି ସଫା ହେଇଯାଇଚି । ତଣ୍ଡିଫୁଲର ନୀରବ ହସକୁ ସେ ଯେମିତି ଭାଷା ଦେଇ କିଲ୍ କିଲ୍ ହେଇ ପ୍ରଗଳ୍‍ଭା ବାଳିକାଟି ଭଳି ଦଉଡ଼ି ଚାଲିଯାଉଚି । ଦର୍ପଣ ବାଡ଼ ପରି ପାଣି ଭିତରେ କୂଳର ସବୁ ଫୁଲ, ଫଳ, ଜୀବଜନ୍ତୁଙ୍କ ଛାଇ ଫୁଟିଉଠୁଚି । ନୀଳ ଆକାଶର ଛାଇ ଯେମିତି ପାଣିକି କଳାଘୁମର କରିଦେଇଚି । ସେପାରିର ବରଗଛ ଉପରେ ଦୁଇ ତିନିଟା ବଗ ଉଡ଼ି ଉଡ଼ି ଆସି ବସିଲେ । ଚହଲା ପାଣିରେ ତାଙ୍କର ଧୋବଲା ଛାଇଗୁଡ଼ାକ ଯେପରି ପିଠଉ ଢାଳି ଦେଲା ପରି ଜଣାଯାଉଥାଏ ।

 

ଚାରା କୋବିଗଛ ଉପରେ କାକର ଲାଗି କଢ଼ା ହୋଇଥିବା ଢାଳଠୋଲା, ବାଉଁଶ ଟୋପର ଆଉ ଖପରା ଛେଲୁଆଗୁଡ଼ିକ ଘୋଡ଼ାଇ ଦେଇ କେତେ ପେଣ୍ଡା ଜଡ଼ା ଖରା ପଡ଼ିବା ଆଗରୁ ଫୁଟି ପଡ଼ିବ ବୋଲି ତାକୁ ତୋଳି ଆଣି ନୁଖୁରୀ କିଆରିଯାକ ବୁଲିଲା । ଘାଟଡଙ୍ଗା ସେତେବେଳକୁ ଫିଟିନି । କେବଳ ଖଣ୍ଡେ ଖଣ୍ଡେ ମେଘ ଆକାଶ–ସମୁଦ୍ରରେ ଡଙ୍ଗା ମେଲି ଦେଇଥାନ୍ତି । ନୁଖୁରୀ ଉପରକୁ ଅନେଇଲା–କେଁ କଟର କରି ପଞ୍ଝାଏ ଶୁଆ, ଆଉ କେତେ ପଞ୍ଝା ମାଛରଙ୍କା ଚଢ଼େଇ ଉଡ଼ି ଯାଉଚନ୍ତି । ସରଗଟା ଭାରି ନୀଳ ଦେଖାଯାଉଚି । ଉତ୍ତର ପାଖରେ ଜଟିଆ କୁଦଆଡ଼ୁ ବହଡ଼ିଅ ପାହାଡ଼ଟା ବି ପରିଷ୍କାର ଦେଖାଯାଉଚି । ଦିହରେ ତାର ସକାଳର ଧୂପ ଭଳି ଧଳା ତରଳ କୁହୁଡ଼ି ଠାଏ ଠାଏ ଘେରି ଯାଇଚି । ନୁଖୁରୀର ମନେହେଲା, ଆଜି ତାର ଯେମିତି ଆଖି ଫିଟିଲା ଅଥବା ଆଜି ସବୁ ଯେମିତି ତାକୁ ନୂଆ ଲାଗୁଚି କିମ୍ବା ଚଉଦିଗଯାକ ଯେମିତି ଆଗର ପୁରୁଣା ପୋଷାକଟା ଫୋପାଡ଼ି ଦେଇଛି । ନିଜ ଲୁଗା ଦିହକୁ ଚାହିଁ ଦେଖିଲା, ସେହି ଲୁଗା–ଗୋଟାଏ ମୋଟ ନାଲି ଧଡ଼ି, ଦଶ କି ଏଗାର ନମ୍ବର ସୂତାରେ ବୁଣା ତାରି ମୋଟ ଖଦୀ–ଅନେକ ଦିନୁ ଧୋବାଘରେ ପଡ଼ିନି । –ନକଜଡ଼ା ଦାନ୍ତକାଠି ଖଣ୍ଡେ ଭାଙ୍ଗିଲା, ସଫା ନଈ ଧାରକୁ ଯାଇ ବାଳକେରାକୁ ତାର ଫିଟେଇ ଦେଲା । ନଈପାଣି କାଚପରି ଚକଚକ । ଅନେକ ଦିନ ପରେ ପାଣିରେ ସେ ଥରେ ତାର ଚେହେରାଟାକୁ ଦେଖିନେଲା, କିଛି ବୁଝି ପାରିଲାନି, ଦିହ ମୁଣ୍ଡକୁ ଭଲକରି ତାନେ ଅନେଇ ଗଲା–କିଛି ପାଇଲା ନାହିଁ ।

 

ଡଙ୍ଗା ଆଣ ହୋ ଭାଇ, ଡଙ୍ଗା ଆଣ–

 

ନୁଖୁରୀ ଅନେଇଲା । ସେପାରିରେ ଦି ଚାରି ଜଣ ପଝାରୀ, ପାରିହେବା ପାଇଁ ଡାକ ଛାଡ଼ିଛନ୍ତି । ମିଳେଇ ନେଲା, ଭିତରେ ତାର କେତେଗୁଡ଼ା କିଏ ଯେମିତି ହୁରି ପକାଉଚନ୍ତି–ଡଙ୍ଗା–ଡଙ୍ଗା–। ଭାବିଲା, ଡଙ୍ଗାରେ ସେ କେବଳ ପାରି ହୁଅନ୍ତା ନାହିଁ–ଡଙ୍ଗା ଚଢ଼ି ବୁଲନ୍ତା,–ଏଇ ନଈ କୂଳେ, କୂଳେ ବାଙ୍କେ ବାଙ୍କେ ଦିନ ରାତି ଡଙ୍ଗାଟି ତାର ଭାସୁଥାନ୍ତା ।

 

ନୁଖୁରୀ–ନୁଖୁରୀ– !

 

ମୁହଁ ବୁଲେଇ ନୁଖୁରୀ ଦେଖିଲା ଜଗା । ସାମୁଲ ଘର ଜଗା, କୋଡ଼ି, ଟୋକେଇ ତଳେ ପକେଇ ଦେଇ ଫୁଲ ଭାଙ୍ଗି ତଣ୍ଡି ବଣଟାକୁ ପଦା କରି ପକଉଚି ।

 

ଜଗାକୁ ସେ ଅନେକ ଆଗରୁ ଅନେକ ଥର ଦେଖିଚି ।–ଜଗାର ଘର ବି ଦୂର ଦୂରାନ୍ତରରେ ନୁହେଁ, ତାଙ୍କର ବାରିକି ଲାଗିଛି ସାମୁଲଘର ବାରି । ସାମୁଲଘର ଆମ୍ବଡ଼ାଗଛଟା ଦୋସମାଲିରେ ଅଛି ବୋଲି ନୁଖିୁରୀ ବି କେତେଥର ସେ ଗଛରେ ଦାବୀ ଚଳେଇଚି । ନୁଖୁରୀ ବି କୋଡ଼ିଏ କି ଦି କୋଡ଼ି ଥର ଜଗା ସାଙ୍ଗରେ କଜିଆ କରିଚି ସେଥିପାଇଁ ।

 

କାହିଁକି କେଜାଣି, ନୁଖୁରୀ ଦି ଚାରିଥର ଜଗାକୁ ଅନେଇଲା । କିଛି ବୁଝିପାରିଲା ନାହିଁ । ଲୁଗାଟା ଦିହମୁଣ୍ଡକୁ ଟିକେ ଆଚ୍ଛା କରି ଟାଣିଟୁଣି ଦେଇ ମୁଁହଟାକୁ ପାଣିରେ ପୁଣି ଥରେ ଦେଖିଲା ।

 

ସେପାରିକି ଡଙ୍ଗା ଛାଡ଼ିଲା । ନୁଖୁରୀ ଦେଖିଲା ସମସ୍ତଙ୍କ ସାଥିରେ ଜଗା ବି ସେ ଡଙ୍ଗାରେ ବଇଚି–ଡଙ୍ଗା ସେପାରିକି ଚାଲିଚି । ପାଖରେ ଜମା କରିଥିବା ତଣ୍ଡିଫୁଲଗୁଡ଼ା ଆଉ ଜଗାର ବଡ଼ କଳା ନିଶହଳକ ନୁଖୁରୀ ଆଖିରେ ଅନେକ ବେଳଯାଏ ଲାଖି ରହିଲା ।

 

ଆଉ ଦିନକର କଥା ।

 

ସକାଳୁ ହଠାତ୍ ଛୋଟ ଅସରାଏ ବର୍ଷା ହୋଇଗଲା । ନୁଖୁରୀ ବୁଝିଲା, ସେ ଆଉ କିଛି ନୁହେଁ, ମୋର ବାଳ କେରାକୁ ତିନ୍ତେଇବା ଲାଗି ଏ ଅଦଉତି ।

 

ନୁଖୁରୀ ପାଳକୁ ଆସୁଥିଲା । ବରଷାରେ ତା ଲୁଗା ଆଉ ବାଳଯାକ ଓଦା ହୋଇଯାଇଚି-। ପାଳରେ ପହଞ୍ଚିଲାବେଳକୁ ମେଘ ଛାଡ଼ି ଖରାକଲା । ଜରୋରି କାମତକ ସାରି ନୁଖୁରୀ ପାଳ ମଝିରେ ସେଇ ଛୋଟ ଚାଳିଆ ଖଣ୍ଡିକର ଦୁଆର ପାଖରେ ବସି ଛୋଟ ଜଡ଼ାଗଛ ଉପରକୁ ଲୁଗାଟାକୁ ଖରାମୁହା କରି ଖେଳେଇ ଦେଲା–ବାଳ ଗୋଛାକ ବି ପିଠିଯାକ ବିଂଛୁଡ଼ି ଦେଇ ପିଠିଟାକୁ ଯେମିତି ପାଗେଇ ନେଲା । ଛାତି ଉପରେ ତାର ଆଖି ପଡ଼ିଲା । ଆଖି ଦିଟାକୁ ସେଠୁ ଫେରେଇ ଆଣିବାକୁ ସତେ ଯେମିତି ତାର ସତ ବଳୁନି । ଆଖିରୁ ଦି ଟୋପା ଲୁହ ଝରି ପଡ଼ିଲା । ସକାଳୁ ବରଷାରେ ଦେହଯାକ ଚିନ୍ତିଥିଲେ ସୁଦ୍ଧା ସେଥିରେ ସେ ଯେମିତି ମୋଟେ ତିନ୍ତି ନ ଥିଲା । ଦିହଟା ତାର ଶୀତେଇ ଉଠିଲା, ଏ ଲୁହ ଦି ଟୋପା ତାର ଅତି ଗହୀରକୁ ଯେମିତି ଭେଦିଗଲା । ପାଞ୍ଚ ହାତ ଲମ୍ବର ଗୋଟା ଛାଇ ହଠାତ୍ ଆଗରେ ତାର ପଡ଼ିଲା, ପଛଆଡ଼କୁ ଚାହିଁ ପାରିଲା ନାଇଁ ଲୁଗାତକ ବି ଗୋଟେଇ ପାରିଲା ନାଇଁ–ବାଳଗୁଡ଼ାକ ବି ସେମିତି ମୁକୁଳା ।

 

–ନୁଖୁରୀ ବାଳଗୁଡ଼ାକ ତୋର ଏଡ଼େ କଳା ! ମୁଁ ଭାବିଲି କିଏ ଗୋଟା କାପଡ଼୍ ଛତା ଏଠି ଶୁଖେଇଚି ।

 

ନୁଖୁରୀ ଲାଜରେ ସଢ଼ିଗଲା । କିଛି ନ ବିଚାରି, ସେମିତି ଦରନଙ୍ଗଳା ହୋଇ ପାଖ ଚାଳିଆଟା ଭିତରେ ଭୁଷ୍‍କିନା ପଶିଗଲା ।

 

ବେଶି ଦୂର ନୁହେଁ । ଜଗା ଚାଲିଯାଇ ପଠାଣ ଡିହରେ ଘାସ କାଟିଲା । ତାର ଯେମିତି ଖୁଆ ଦି’ଟା ହୁଗୁଳି ପଡ଼ୁଚି । କୋଡ଼ିଟା ହାତରୁ ସତେ ଖସି ପଡ଼ିବ ! ହଜାର କି ବାରଶ ଥର ସେ ପଛକୁ ଖାଲି ଅନଉଥାଏ–ଅଥଚ ଦେଖୁଥାଏ ପଛରେ ତାର କେହି ନାହିଁ କି କେହି ତାକୁ ଡାକୁ ନି ।

 

ଘଣ୍ଟାକର କାମ ଦି ଘଣ୍ଟାରେ ସାରି ପ୍ରାୟ ଗାଧୁଆ ବେଳକୁ ଶକତ ବୋଝେ ଘାସ ଘେନି ଜଗା ନଈକୂଳକୁ ଧୋଇବା ପାଇଁ ଆଇଲା । ଦେଖିଲା, ଲୁଗାଯାକ ପାଣିରେ ଭସେଇ ଦେଇ ପାଖରେ ଗାଧୋଉଚି ନୁଖୁରୀ । ଦୁଲକିନା ଘାସ ବୋଝଟା ପାଣି ଧାରରେ ଓଜାରି ପକେଇ ଟୋକେଇଟା ଉପରେ ଜଗା ବସିପଡ଼ି ନୁଖୁରୀଆଡ଼କୁ ଏକ ଦୃଷ୍ଟିରେ ଅନେଇଲା । ଭାବିଲା, ନୁଖୁରୀକି ତ ଆଜି ମୁଁ ନୂଆ ଦେଖୁନି, ଦଶ ଏଗାର ବର୍ଷ ହବ ମୁଁ ତ ମାମୁଁ ଘରେ ଆସି ରହିଲିଣି । ସବୁଦିନେ ତ ତାକୁ ଦେଖେ, ସେହି ନୁଖୁରୀ ତ, ଆଜି କାହିଁକି ସେ ମୋତେ ଏମିତି ଦୁଉଚି ! ମତେ ବି ତ ସେ ଏଇ ଦଶ ବର୍ଷ ହେଲା ନିତି ଦେଖୁଚି, କୋଉଦିନ ଏତେ ନାଜ ତ ମୁଁ ତାଠି ଦେଖିନି–

 

ନୁଖୁରୀ ଜଗା ଆସିବାର ଜାଣିପାରି ପାଣି ସରସର ଓଦାଲୁଗାଛାଁ ସେଠୁ ଝଟ ଚାଲିଗଲା-। ଦିହର ଉଚ୍ଚ ଜାଗାମାନଙ୍କରେ ଓଦାଲୁଗାଟା ଠାଏ ଠାଏ ଲାଗି ରହିଥାଏ । ଜଗା ଦେହଟାଯାକ ଯେମିତି ଆଖି ପାଲଟି ଯାଇଚି, ସେ ଖାଲି ସେଇଆଡ଼କୁ ଏକମୁହାଁ ହେଇ ଅନେଇ ରହିଲା ।

 

ସେଦିନ ନୁଖୁରୀ ଜରରେ ଶୋଇଥାଏ । ହଠାତ୍ ପାଖରେ ତାର ଜଗା ଆସି ଡାକିଲା–

 

ନୁଖୁରୀ, ନୁଖୁରୀ–ନୁଖୁରୀ– !

 

ଅନେକବେଳ ପରେ ନୁଖୁରୀ ଆଖି ମେଲି ଦେଖିଲା ପାଖରେ ତାର ଜଗା । ଜରରେ ମଧ୍ୟ ଦିହଟା ତାର ଶିରିଶିରି ହେଇଗଲା । ଆଗେ ପଚାରି ପକେଇଲା–

 

ତୁ କେମିତି ଆଇଲୁ ଜଗା–କେଇ ଜାଣି ନା’ନ୍ତି– ?

 

–ସକାଳୁ ତତେ ବାଉଁଶ ମୂଳେ ଅନେଇ ଠିଆ ହେଇଚି, ମୁହଁ ଟିକେ ତୋର ଚାହିଁବି ବୋଲି । କଳୁଆ ଭାଇ କା ସାଙ୍ଗରେ କଥା ହେଉଥିଲା । ସେଠୁ ଜାଣିଲି ତତେ ଜର ହେଇଚି । ଆସିବି ଆସିବି ବୋଲି ମତେ ବାଟ ଦୁଶିଲା ନାହିଁ । କେହି ନାହାନ୍ତି । କଳୁଆ ଭାଇ ପାଳକୁ ଯାଇଚି, ନୂଆବୋଉ ବି ଘରେ ନାଇ, ନାଳକୁ ଯାଇଚି ଗାଧେଇ ।

 

–ତୁ କଣ ଏଇଖିଣି ଚାଲିଯିବୁ ଜଗା !

 

–ଆଉ କଣ କରିବି ?

 

ନୁଖୁରୀର ଇଚ୍ଛା ହେଉଥାଏ, ଜଗା ଦିନଯାକ ତା ପାଖରେ ରହନ୍ତା କି ।

 

ଜଗା ନୁଖୁରୀର ଦିହମୁଣ୍ଡ ଚାରିଆଡ଼ ଆଉଁସି ଦେଲା । ମନେକଲା, ପଦାରୁ ନୁଖୁରୀର ଦିହ ଯେତେ ଖତରା ଦିଶେ ସତରେ ଦିହ ତାର ସେତେ କିଛି ଖରାପ ନୁହେଁ, ବରଞ୍ଚ ହାତକୁ ଭାରି ମୁଲାମ ଲାଗୁଚି ।

 

ନୁଖୁରୀ ସେତେବେଳକୁ ଶୋଇପଡ଼ିଚି । ଜଗା ନୁଖୁରୀ ମୁହଁକୁ ଅନେଇ କଣ କେତେ ଭାବୁଚି, ତାର ଅଜଣାରେ ତା ମୁହଁଟା କେତେବେଳେ ନୁଖୁରୀ ମୁହଁ ସାଙ୍ଗରେ ଲାଗିଗଲାଣି, ତାର ସାଡ଼କୁ ହୋସ୍ ନାହିଁ । ଚେତି ଦେଖିଲା, ନୁଖୁରୀର ଯେଉଁ ମୁହଁଟା ତାକୁ ନଈ ବାଲି ପରି ଶୁଖିଲା, ଉପାସିଆ ଦିଶେ, ଏ ତ ସେ ମୁହଁ ନୁହେଁ । ଭାରି ଚିକଣ, ଭାରି କଅଁଳ । କିଆଁଳିଆ ଆମ୍ୱପତ୍ର ମେଞ୍ଚାକରେ ମୁହଁଟା ମାଡ଼ିଦେଲେ ଯେମିତି ଭଲଲାଗେ, ସେମିତି କି ତା’ ଚାହିଁ ଭଲ ଲାଗୁଛି । ନୁଖୁରୀର କେତୁଟା ନୁଖୁରା ବାଳ ମୁହଁ ଉପରକୁ ଉଲୁରି ପଡ଼ିଥିଲା, ହାତରେ ଜଗା ତାକୁ ସଜାଡ଼ି ଦେଲା । ନୁଖୁରୀ ମୁହଁଟାରେ ପୁଣି ଥରେ ହାତ ବୁଲେଇ ନେଲା–ଭାରି ଶାଉଁଳିଆ, ଭାରି ନରମ ଗାଲଟି, ତାର ଟିକେ ଯେମିତି ଲୋଭ ଦେଲା । ଜାଣତରେ ଜଗା ପୁଣି ଥରେ ମୁହଁଟିକୁ ନୁଖୁରୀ ଗାଲ ଉପରେ ନଦିଦେଲା । ଚାଲିଯିବାକୁ ମୋଟେ ତାର ଇଚ୍ଛା ହେଉ ନ ଥାଏ ।

 

ସେହି ପାଳ ମଝିରେ ତା’ର ସେହି ଛୋଟ କୁଡ଼ିଆ ଖଣ୍ଡିକ–ନୁଖୁରୀର ଅତି ପ୍ରିୟ ସାନ କୁଡ଼ିଆଟି । ଦିନର ଚବିଶ ଘଣ୍ଟାରୁ ଅଠର ଘଣ୍ଟା ସମୟ ନୁଖୁରୀ ଏଇଠି କଟାଏ । ହୃଦୟର ମାୟାମମତା ସବୁ ଯେମିତି ସେଥିରେ ସେ ଲେପି ପୋଛି ଦେଇଛି । ଜଗା ସେତେବେଳକୁ ଆସି ନୁଖୁରୀକି ଖୋଜି ଫେରି ଯାଇଥାଏ । ନୁଖୁରୀ ଆସି ଦେଖିଲା, ଚାଳ ଦିହରେ ଖୋସା ହେଇଚି ଦି ଚାରି ପେଣ୍ଡା ତଣ୍ଡିଫୁଲ, କୁଡ଼ିଆ ଅଗରେ ପଡ଼ିଚି ଚାରି ଛଟି ପାଦଛାଞ୍ଚ । କାମଦାମ ସାରି ତଣ୍ଡିଫୁଲକୁ ହାତରେ ଧଇଲା, ମନେ କଲା ଜଗା ଆକୁ ଧରିଥିଲା ବୋଲି ସିନା ଏ ଏତେ କଅଁଳ ଲାଗୁଚି ନ ହେଲେ ମୁଁ କଣ ତଣ୍ଡିଫୁଲ ଦେଖିନି ନା ଧରିନି । କେବେ ତ ଏତେ ଭଲ ଲାଗିନି ମୋତେ । ତା ପରେ ସେହି ପାଦ ଛପା । କେଡ଼େ ସୁନ୍ଦର ଦିଶୁଚି ଧୂଳିଗୁଡ଼ାକ ଆଜି । ଏଇ ଧୂଳି, ଏଇ ମାଟି, ସବୁଦିନେ ତ ଏଇଠି ପଡ଼ିଛି । ଏଇ ପାଦଚିହ୍ନ ଗଣ୍ଡାକ ସିନା ଆକୁ ଏତେ ସୁନ୍ଦର କରି ଦେଇଚି । ତା ବାଦେ ମନେପଡ଼ିଲା ତାର ସେଦିନ କଥା । ଜରରେ ହେଁସ ଘୋରେଇ ହେଇ ସେ ପଡ଼ିଥାଏ । ଜଗା ଯାଇ ଦିହମୁଣ୍ଡ ହାତ ବୁଲେଇ ଦେବାରୁ ଜର ତାର କୁଆଡ଼େ ଛାଡ଼ିଗଲା । ସାରା ଦେହକୁ ଖିନଖିନ କରି ଅନେଇଲା । ସତେ ଯେମିତି ଜଗାର ହାତଚିହ୍ନ ସେଥିରେ କେଉଁଠି ଲାଗିରହିଚି । ମନେକଲା, ସେଦିନ ତାର ଗୋଟା ପ୍ରଳୟ ହେଇ ଯାଇଚି । ଆଗର ନୁଖୁରୀ ଆଉ ନାହିଁ । ଜଗାର ହାତ ବାଜି ଏ ଆଉ ଗୋଟା ଦିହ, ଆଉ ଗୋଟା ନୁଆ ନୁଖୁରୀର ଜନ୍ମ ହେଇଚି । ଏ ଦିହ ଜଗାର ।

 

ଜଗା ସେତେବେଳେକୁ ବହୁତ ବାଟ ଯାଇ ନଥାଏ । ନରିଦାସ ଘର କିଆରୀର ସୋରିଷ ଫୁଲଗୁଡ଼ା ତାକୁ ଯେମିତି ଥଟ୍ଟା କଲେ । ନୁଖୁରୀଟା କେତେ କୋତରୀ । ସେଥିରୁ ମେଞ୍ଚା ରାଗରେ ଛିଣ୍ଡେଇ ଆଣି ତାର ପ୍ରତିଶୋଧ ନେବାକୁ ସେ ଛୁଟି ଯାଇଥାଏ । ନୁଖୁରୀ ଆସି ପାଳରେ ପହଞ୍ଚିଲା ପରେ ସେ ସେଠୁ ଫେରୁଚି । ଦଉଡ଼ି ଦଉଡ଼ି ଆସି କୁଡ଼ିଆଟାରେ ବସିପଡ଼ିଲା । ନୁଖୁରୀ, ଦେଖିଲୁ ଲୋକ କେତେକର, କଥା କହିଲା କେତେକର ! ପାଇଲା, କହିବାର ପ୍ରତିଫଳ ପାଇଲା । ତାହାପରେ ନୁଖୁରୀ ଆଗରେ ମୂଳକଥାଟା ଜଗା ଖୋଲି କହିଲା ।

 

ଅଣ୍ଟିରେ ଅଣ୍ଟିଏ ସୋରିଷଫୁଲ ସେ ଆଣିଥାଏ । କୁଡ଼ିଆରେ ଅଣଓସାରିଆ ନଡ଼ିଆ ପତର ଚଟେଇଟାରେ ଚିତ୍‍ ହୋଇ ଶୋଇପଡ଼ି ସବୁ ସୋରିଷଫୁଲଯାକ ଛାତି ଉପରେ ଜମା କରିଦେଲା ।

 

ଛିଃ, ଛିଃ–ଏଇଥିଲାଗି ଏତେ ଗରବ, ନୁଖୁରୀ ଦିହର କୋଉ ଗୁଣକୁ ତୁ ସରି । ସେ ଦିନ ଜର ବେଳେ ବି ତା’ ଦିହଟା ଯେତେ ଭଲ ଲାଗୁଥାଏ, ତାର କଡ଼ାକର ତ ଏଥିରେ ନାଇଁ । ନୁଖୁରୀ ବୁଝିଲା ଯଖମ କୋଉଠି । ଚକୁଳି ବଦଳରେ ଏ ଘସିରେ ଗୁଡ଼ ମଡ଼େଇ ଖାଇବାର ଉପକ୍ରମ ।

 

–ଜଗା, ଜଗା, ଉଠୁମ, କିଏ ଆସିବ କରିବ, ଏ ସକାଳୁଟାରୁ ଏମିତି କାହିଁକି ହଉଚୁ ?

 

ଜଗା ହାତ ଧରି ନୁଖୁରୀ ଉଠେଇ ଦେବାକୁ ଯାଉଚି, ତାକୁ ଜଣାଗଲା, ତା’ ଗୋଡ଼ ତଳୁ ସବୁ ମାଟି ଗୁଡ଼ା ଯେମିତି ଖସି ଯାଉଚି–ଆଉ ଜଗା ହାତରେ ଚୁମ୍ବକ ଭଳି ଗୋଟାଏ କଣ ତାକୁ ଜଗା ଉପରକୁ ଟାଣି ନେଇ ଯାଉଚି । ସବୁ ଜାଣିଶୁଣି ଯେମିତି କିଛି କରିପାରୁନି–ତା’ ହାତଗୋଡ଼ ସତେ ଅଚଳ ହୋଇଆସୁଚି । ଜଗାର ମନେ ହେଲା, ସେ ଯେପରି ସପନ ଦେଖୁଚି ଏ ଯେମିତି ବରକନ୍ୟାଙ୍କର ଫୁଲଶେଯ, ସେ ବର, ଆଉ ନୁଖୁରୀ କନିଆ ।

 

ସେହି ଦିନର ସଞ୍ଜ । ସବୁ ପାଳୁଆମାନେ ଦିନର ପାଇଟି ସାରି ଘରକୁ ଫେରିଲେଣି, ନୁଖୁରୀ ଅସ୍ତ ଆକାଶକୁ ଅନେଇ ବସିଚି । ଆକାଶର କେମିତି ଅନ୍ତ ସେ ଦେଖୁନି, ନିଜ ମନର ଅନ୍ତ ମଧ୍ୟ ପାଉନି । ଖାଲି ଆକାଶ ଦେହର ନାଲି ମେଘ କେତେଖଣ୍ଡ ଭଳି ତା’ ମନରେ କେତୁଟା ରଙ୍ଗିଆ ଚିନ୍ତା ଉବୁଡ଼ୁବୁ ହେଉଚି । ଏତିକିବେଳେ ଦୂରରେ ବଂଶୀ ବାଜିଲା । ନୁଖୁରୀ ଭାବିଲା ସବୁ ଜଗାର କୁହୁକ । ଗଉଡ଼ଘର ସପନା ତ ନିତି ସଞ୍ଜବେଳେ ଗାଈଗୋଠରୁ ବଇଁଶୀ ବଜେଇ ଫେରେ-! ଆଜି ଏତେ ନୂଆ, ଏତେ ମିଠା ଲାଗୁଚି କାହିଁକି !

 

ସେତେବେଳକୁ ଜହ୍ନ ଉଇଁଲାଣି । ତଳ ପାଳର ତାଳବଣଯାକ ଆଲୁଅ ଅନ୍ଧାରରେ ଝଲମଲ ହୋଇଉଠିଚି । ତଣ୍ଡି ବଣଯାକ ବି ଆହୁରି ଧୋବ ଦେଖାଯାଉଚି,–ଜଣାଯାଉଚି, ଯେମିତି ରାଜ୍ୟର ଧୋବାଯାକ ମିଳି ଦୁନିଆର ସବୁ ମହଳ ଲୁଗାଯାକ କାଚି ଧୋବ ଫରଫର କରି ନଈକୂଳ ତମାମ୍ ଶୁଖେଇ ଦେଇଚନ୍ତି । ଜହ୍ନ ଆଲୁଅରେ ନୁଖୁରୀର ମହଳ ଲୁଗାଟା ବି ଟିକେ ସଫା ଦେଖାଯାଉଥାଏ । ତାର ଧାରଣା ହେଲା, ଏହାଠାରୁ ବେଶି କିଛି ସୁନ୍ଦର ଜିନିଷ ପୃଥିବୀରେ ଆଉ ନାହିଁ । –ଜହ୍ନ ଆଲୁଅଯାକ ସେ ଯେପରି ପିଇ ଦିଅନ୍ତା କିମ୍ଵା ଜହ୍ନ ଆଲୁଅରେ ନିଜର ଦେହଟା ମିଶେଇ ଦେଇ ପାରିଲେ ସେ ଯେପରି ବଞ୍ଚନ୍ତା ।

 

ପଛଆଡ଼ୁ ଜଗା ଧଁ–ସଅଁ ହୋଇ ଆସି ପହଞ୍ଚିଲା ।

 

–ନୁଖୁରୀ, ତୁ ଏଇଠି ବଇଚୁ, ଗାଁଟାଯାକ ତତେ ମୁଁ ଖୋଜି ଆଇଲିଣି । ଏ ଜହ୍ନ ଆଲୁଅ ତତେ କଣ ମୋ କଥା ଟିକେ ମନେ ପକେଇ ଦଉନି ?

 

–ହଁ, ମୁଁ ତ ସେଇଆ ବସି ଭାବୁଚି । ଜହ୍ନ ଆଲୁଅ ଦିହରେ ମୁଁ ମିଶିଯାଇ ପାରନ୍ତି କି ଯେଉଠି ଇଚ୍ଛା ସେଠି ଖୋଜିଲେ ତତେ ପାଆନ୍ତି ।

 

–ଖିଆସି ରଖ । ନେ, ନେ–କୁମୁଡ଼ା ହାଟରୁ ତୋ ପେଇଁ ଗୋଟାଏ ଆରିସି ଆଉ ପାନିଆ ଆଣିଚି । ଭାଲୁକୁଣୀ ପରି ବାଳଗୁଡ଼ା ଆଉ ଅଲା ବଲା କରି ବୁଲୁ ନା ।

 

ନୁଖୁରୀ ଗୋଟା ଢୋକ ଗିଳି ନେଲା । ଆରିସି–ପାନିଆଁ ! –ବୋଝ ଉପରେ ନଳିତା ବିଡ଼ା ।

 

–ଜଗା ?

 

–କଣ ?

 

–ତୁ କଣ ପାଗଳ ହେଲୁ ?

 

–କାହିଁକି ?

 

–ତୁ କଣ ଜାଣିନୁ ମୁଁ ରାଣ୍ଡ ?

 

–ତୋର ରକତ, ତୋର ମାଉଁସ କଣ ରାଣ୍ଡ ହୋଇ ଯାଇଚି ? ତୋର ମନ କଣ ଅଳିତା ସୁନ୍ଦର ପୋଛି ପକେଇଛି ? ସମସ୍ତେ ଅନ୍ଧ ବୋଲି କଣ ମୋର ଆଖି ଫୁଟିଯାଇଚି ନୁଖୁରୀ ?

 

–ନା ଜଗା, ସେଇ ଅନ୍ଧଙ୍କ ହାତରେ ଯେ ଆ–

 

ନୁଖୁରୀ ଆହୁରି କଣ କହିବାକୁ ଯାଉଥିଲା, ଏତିକିବେଳେ ଖଣ୍ଡେ ବଡ଼ କଳା ବଉଦ ଜହ୍ନ ଆଗରେ ପହୁଞ୍ଚି ନିମିଷକରେ ଚାରିଆଡ଼ ଅନ୍ଧକାର କରିଦେଲା । ନୁଖୁରୀ ଦେଖିଲା, ଆଗରେ ଜଗା ଛିଡ଼ା ହେଇ ତା ବାଟ ଯେମିତି ଓଗାଳି ରଖିଛି ।

 

ନୁଖୁରୀର ଅନୁରୋଧରେ ଜଗା ତାର ବଡ଼ କଳା ନିଶ ଦିପଟକ କାଟି ପକେଇଚି । ସେଥିରେ ସେ ମନେ କରୁଚି ଯେମିତି ନୁଖୁରୀକି ଆଗ ଅପେକ୍ଷା ସେ ବେଶି ପାଇଚି–ନୁଖୁରୀର ଅନ୍ତର ଜୟ କରି ନେଇଚି, ନୁଖୁରୀ ମନେ କରୁଚି, ଯେପରି ନିଜକୁ ରକ୍ଷା କରିବାର ଗୋଟିଏ ବାଟ ଥିଲା, ତା’ ମୁହଁରେ ସେ ଗୋଟା ପଥର ଥୋଇ ତାକୁ ବନ୍ଦ କରି ଦେଇଚି ।

 

ଖରାବେଳେ । ନୁଖୁରୀ ପାଳରେ ପହଞ୍ଚିଲାବେଳକୁ ଜଗା ଆଗରୁ ଆସି ଚାଳିଆ ଭିତରେ ଲମ୍ବ୍‌ଜାଲ ହେଇ ଶୋଇଚି । ନୁଖୁରୀ ଦେଖିଲା, ନିଶ ଦିଟାକୁ କାଟି ପକେଇ ଜଗା ଯେମିତି ଆହୁରି ସୁନ୍ଦର–ଖୁବ୍ ଭଲ ଦିଶୁଚି । ମୁହଁଟା ତାକୁ ଯେମିତି ଭାରି ମାନୁଚି । ଜଗା ସହିତ ତାହାର ମିଶିବାର ମଝି ହିଡ଼ଟା ଯେମିତି ଘୁଞ୍ଚିଯାଇଚି । କଣ ଭାବିଲା, ଏକମୁହାଁ ହେଇ ନୁଖୁରୀ ସେଠୁ ପଳେଇ ଯାଇ ଗୋସେଇଁ ସାହି ଓସ୍ତଗଛ ମୂଳେ ବସିଲା । ଆଗ ସାହାରା ଗଛ ଉପରେ ଦିଟା ହଳଦିବସନ୍ତ ଗୋଡ଼ା ଗୋଡ଼ି ହେଇ ଆସି ବସିଲେ । ନୁଖୁରୀ ଭାବିଲା, ସବୁ ଯେମିତି ଜଗାର ଫିକର । ଚଢ଼େଇ ଦିଟାକୁ ଚାକର କରି ପଠେଇଛି । ସେ ଆଉ ସଂସାରରେ ତାକୁ ରଖି ଥୋଇ ଦେବନି ।

 

କିଛି ତାକୁ ଭଲ ଲାଗିଲାନି । ଭାବି ଭାବି ପୁଣି ଫେରିଲା ସେଇ ପାଳକୁ ।

 

ବେଳ ବୁଡ଼ିବା ଉପରେ । ଜଗା ଉଠି ଦେଖିଲା ନୁଖୁରୀ ମାଠିଆ ଧରି ଗଛମୂଳେ ପାଣି ଦଉଚି–ତା ବାଳଯାକ ସବୁ ଯେମିତି ପାଣି ସଙ୍ଗେ ସଙ୍ଗେ ତଳେ ଓଜାରି ହେଇ ପଡ଼ୁଚି । ତା’ ଛାତି ଲୁଗାଟା ଯେମିତି ସେ ବାଳ ଗୋଛାକୁ ଅଟକେଇବାକୁ ଯାଇ ଅକତିଆର ହରେଇ ଦେଇଚି ।–ଆଉ ସେହି ପାଣି । ସେ ପାଣି ଗୁଡ଼ା ଯେମିତି ଜଗା ଛାତି ଉପରେ ଝରଝର କରି ବୋହି ପଡ଼ୁଚି । ସେଥିରେ ବଞ୍ଚୁ ନାହିଁ ଗଛ–ବଞ୍ଚୁଛି ଜଗା । ତା ପରେ ପୁଣି ସେ ଡାହାଣିଆ ଖରାଟା । ସେ ଯେମିତି କଞ୍ଚା ଡାହାଣୀ ପରି ନୁଖୁରୀର ସାରା ଦିହଟା ଉପରେ ଲେଭେଇ ପଡ଼ିଚି–ତାର ଯେମିତି ଚେଷ୍ଟା ଜଗାଠଉଁ ତାକୁ ଛଡ଼େଇ ନେବ ।

 

ନୁଖୁରୀ କାମ ସାରି କୁଡ଼ିଆରେ ପହଞ୍ଚି ଦେଖିଲା–ଜଗା ନାହିଁ । ଚଉଦିଗ ତାକୁ ନିଶୂନ ଜଣାଗଲା–ସବୁ ଖାଲି ମାଡ଼ି ମାଡ଼ି ପଡ଼ିଲା, ଏତେ ଦିନର ଏହି ପୁରୁଣା ପଲାଟା ତାକୁ ଯେମିତି ଖାଇ ଗୋଡ଼େଇଲା । ଜଗା, ଜଗା ବୋଲି ବଡ଼ ପାଟିରେ ଦି ଡାକ ଡାକିଲା, ନଈକୂଳରୁ ତାକୁ କିଏ ଇଙ୍ଗିତ କରି ତାରି କଥାକୁ ତା ପାଖକୁ ଫେରେଇ ଦେଲା ।

 

ଜଗାକୁ ନୁଖୁରୀ ଆଉ ପାଉନି । ସେଦିନ ସକାଳୁ ଉଠି ନୁଖୁରୀର ଧାରଣା ହେଲା, ଜଗା ଯେମିତି ତାରି ଭିତରେ ଲୁଚି ରହିଚି । ଜଗାର ଆଉଁଷା, ଜଗାର ହସ ଖେଳ, ଜଗାର ଗେଲ ସବୁ ଯେପରି କୋଟି କୋଟି ରୂପରେ ଭିତରେ ତାର ଫୁଟି ଉଠିଚି–ସେଥିରୁ ସେ ରକ୍ଷାପାଇବା ଯେମିତି ଅସାଧ୍ୟ ।

 

ପାଳକୁ ଆସିବାକୁ ବସିଲା, ଦେଖିଲା, ବାଟ ଯେମିତି ହଜାର ଗୁଣ ବଢ଼ି ଯାଇଚି, ଆଉ ବାଟଯାକ ଖାଲି ପଥର ଢିମା–ଗୋଡ଼ ତାର ଖଣ୍ଡିଆ ହେଇ ଯାଉଚି ତା ଆଘାତରେ ।

 

ବହୁ କଷ୍ଟରେ ସେ ଆସିଲା । ମନେକଲା, ସମସ୍ତେ ଖାଲି ତାରିଆଡ଼କୁ ଅନେଇ ହସୁଛନ୍ତି–ଆକାଶଟାଯାକ ତା ମୁଣ୍ଡ ଉପରେ ସତେ ଅଣେଇ ହେଇ ପଡ଼ୁଚି । ଆଉ ଗଛ ବୃକ୍ଷଗୁଡ଼ା ତାଳି ମାରି ତା ଚାରିପାଖ ଯାକ ନାଚୁଛନ୍ତି–କେହି ନ ଅନଉଥିଲେ ସେମାନେ ଯେମିତି ସମସ୍ତଙ୍କୁ ଠାରି କହି ଦେଉଚନ୍ତି, ହେଇ ନୁଖୁରୀ ଏଇଠି ଲୁଚି ଲୁଚି ଯାଇଚି–ଦେଖ–ଏଇ ସେ ନୁଖୁରୀ ।

 

ଶେଷରେ ସେ ପାଳରେ ପହୁଞ୍ଚିଲା । ସେଇ ମାମୁଲି କାମତକ କରିବାକୁ ତାକୁ ଯେମିତି ଲକ୍ଷେ ଯୁଗ ଭଳି ଲାଗିଲା । କାମ ଛିଣ୍ଡୁ ନଥାଏ କି ବେଳ ସରୁନଥାଏ । ....ପ୍ରାୟ ବେଳ ଦି ପହରରୁ ଗଡ଼ି ଗଲାଣି, ବହୁ କଷ୍ଟରେ କାମତକ ସାରି ନୁଖୁରୀ କୁଡ଼ିଆରେ ଆସି ବସିଲା । ଚାଳର ବରଡ଼ା ଭିତରୁ ଜଗାର ସ୍ମୃତି, ଜଗାର ଉପହାର ସେହି ଆରିସି ପାନିଆ ଯୋଡ଼ାକ ବାହାର କଲା । ଚାରି ପାଞ୍ଚ ମାସ ପରେ ମୁହଁଟାକୁ ଟିକେ ଦେଖିବ ବୋଲି ଆରିସିଟାକୁ ଆଗରେ ଧଇଲା–ଦେଖିଲା, ସେଥିରେ କାହାର ମୁହଁ ଦିଶୁନି । ଖାଲି ଅନ୍ଧାର, କଳା କିଟି କିଟି ଅନ୍ଧାର । ତାହାର କେତେକ ସମୟ ପରେ ଦେଖିଲା ଗୋଟିଏ ଶିଶୁ । ଗୋଟିଏ କଅଁଳା ପିଲା, ଛୋଟ ଛୋଟ ସରୁ ହାତ ଗୋଡ଼ ହଲେଇ, ଜଗାର ଅବିକଳ ଚେହେରା ଧରି ସୁନାବନର ଗୋଟିଏ ଛୋଟ, ସାନ କଅଁଳା ପିଲା ତା ଭିତରେ ଥରୁଚି–ଅବ୍ୟକ୍ତ ସ୍ଵରରେ ଡାକୁଚି ମା–ମା–, ସେଥିରେ ନୁଖୁରୀର ଆନନ୍ଦ ଅପେକ୍ଷା ଦୁଃଖ ବଢ଼ୁଚି ସହସ୍ର ଗୁଣ । ହସ ବଦଳରେ ଭାସୁଚି ଲୁହ,–ତା ପରେ ସେହି ଛୋଟ କାଠ ପାନିଆ ଖଣ୍ଡକ-। ସେ ପାନିଆ ନୁହେଁ, ଦିଶୁଚି ଯେମିତି ଗୋଟାଏ କରତ । କହୁଚି, ରକତ–ରକତ, ମୁଣ୍ଡରେ ଥୋଇ ଦେଇ, ତତେ ଚିରି ତୋ ରକ୍ତ ଯାକ ପିଇବି–

 

ନୁଖୁରୀକି ଚାରିଆଡ଼େ ଅନ୍ଧାର ଦେଖାଗଲା । ତାରି ଭିତରେ ସେ ଆଗରେ ଦେଖିଲା ଗୋଟାଏ ଛୋଟ ଡେଣୁଆ । ଆରିସିଟାକୁ ଡେଣୁଆରେ ଛେଚି ଟିକ୍ ଟିକ୍ କରି ଦେଲା–ପାନିଆଟାର ଦାନ୍ତଗୁଡ଼ାକୁ ବାଡ଼େଇ ତାକୁ ପାକୁଆ, ପଙ୍ଗୁ କରି ଫୋପାଡ଼ି ଦେଲା ।

 

ସବୁଦିନ ପରି ନୁଖୁରୀ ସେଦିନ ଆଉ ପାଳକୁ ଗଲାନି । ସେହି ପାଳକୁ ଯିବା ବାଟରେ, ଗଲା ହରିବୋଲ ବରଗଛ ମୂଳକୁ । ସେଠି ସେଦିନ ପଞ୍ଚାୟତ ବସୁଥାଏ, ନୁଖୁରୀର ପାପଗର୍ଭର ଶାସ୍ତି ବିଧାନ ଲାଗି । ନନ୍ଦବାବୁ, ପଟୁଆରି, ମହନ୍ତ, କାହ୍ନୁ ସାହୁ, ଗୋକଳି ବାବୁ ପ୍ରଭୃତି ମିଶି ପାଞ୍ଚ ଜଣରୁ ଢେର ବେଶି ଲୋକ ସେଠାରେ ରୁଣ୍ଡ ହୋଇଥାନ୍ତି ନୁଖୁରୀର ନିରୀହ ନାରୀଜୀବନର ଶେଷ ଅଭିନୟର ସବାଶେଷ ପର୍ଦ୍ଦାଟି ଉଠେଇ ଦେବା ସକାଶେ ।

 

ନିକଟରେ କଦମ୍ବଗଛ ଦିହରେ ବନ୍ଧା ହେଇ ପଡ଼ିଚି ଜଗା । ଦେହସାରା ତାର ଯେପରି ମନ୍ଦାର ଫୁଲ ଫୁଟି ଉଠିଚି । ଜଣାଯାଉଚି, ନୁଖୁରୀକି ସେ ମାଂସ ଦେଇ ପୂଜିଥିଲା, ଆଜି ସେପରି ରକ୍ତ ଦେଇ ପୂଜୁଚି ।

 

ଦୂରରୁ ଜଗାକୁ ଦେଖି ନୁଖୁରୀର ଦିହଟା ଶୀତେଇ ପଡ଼ିଲା–ମୋରି ପାଇଁ ଜାଗା ସିନା ଏତେ ମାଡ଼ ଖାଇଚି ! ଲୋକଙ୍କର କଣ ଦୟାମାୟା ଟିକେ ହେଲେ ନାହିଁ–ଆମେ ତ ଆଉ କାହାରି କିଛି ହାନି କରିନୁ, ଆମ ଦିହ ଉପରେ କଣ ଆମର କିଛି ଦାବି ନାଇଁ–

 

ଅରଣ୍ୟରୋଦନ ପରି ନୁଖୁରୀର ହୃଦୟଯନ୍ତ୍ର ଭିତରେ ଏଇ କେତୋଟି ସ୍ୱର ଛାଁ ଉଠି ଛାଁ ଛାଁ ମରିଗଲା । ସେ ମାଲୁମ କଲା, ଯେପରି ଦେବତାର ଏହି ପୁଣ୍ୟସ୍ଥଳୀର ଏହି ପବିତ୍ର ବରଗଛମୂଳେ ଯୁଗଯୁଗ ଧରି ଏହି ଅସୁରମାନଙ୍କ ଅସହନୀୟ ଅତ୍ୟାଚାର ଚାଲିଛି । ଅକଳନ୍ତି ସଖମ ଦେହ–ଦାବିର ପୁଞ୍ଜିଭୂତ ରୁଦ୍ଧି ନିଃଶ୍ୱାସରେ ପବନ ବିଷାକ୍ତ ହୋଇ ଯାଇଚି ନିଃଶ୍ୱାସ ତାର ବନ୍ଦ ହୋଇ ଆସୁଚି–

 

ରାତି ଅଧ । ପଟାମୁଣ୍ଡାଇ କେନାଲ ପଶ୍ଚିମରୁ ପୂରୁବକୁ ବହି ଚାଲିଯାଉଚି । ତା’ର ବନ୍ଧ ଉପରେ ପଶ୍ଚିମମୁହାଁ ହେଇ ଆଗରେ ଯାଉଚି କଳୁଆ, ନୁଖୁରୀର ବଡ଼ଭାଇ, ପଛରେ ନୁଖୁରୀ । ଜଣାଯାଉଚି, ଯେପରି ସୃଷ୍ଟି–ଗତିର ବିପରୀତ ଦିଗରେ ସେମାନଙ୍କ ଆଭିଯାନ ।

 

ହଠାତ୍ ନୁଖୁରୀ ହାଲିଆ ହୋଇ ପଚାରିଲା–ଭାଇ, ଆଉ କେତେ ବାଟ– ?

 

–ଚାରିକୋଶ, ଦାରିଆ ପୁର ପଠାଣ ସାହି ଏଠିକି ଆହୁରି ଚାରିକୋଶ ବାଟ ।

 

ନୁଖୁରୀକି ଶୁଭିଲା, କିଏ ଯେମିତି କହୁଚି, ତା’ କାନ ପାଖରେ,–ଏଇଠି, ଅତି ପାଖ–

 

କୁଆଁପାଳ ପୋଲ ଆଗରେ କେନାଲ ଭିତରେ ଗୋଟାଏ ପାଣି ମାପର ଗଜଖୁଣ୍ଟ, ଚାରି କରଯାକ ତାର ଦଳବାନ୍ଧି ରହିଚି । ନୁଖୁରୀ ଅନେଇ ଦେଖିଲା ସତେ ଯେମିତି ଗୋଟାଏ ଡଙ୍ଗା ଉପରେ ବଇଚି ତାର ଜଗା, ପାଖରେ ଗୋଛାଏ ତଣ୍ଡି ଫୁଲ ଜମାକରି । ଆଉ ନୁଖୁରୀକି ହାତଠାରି ଡାକୁଚି ।

 

–ଆ, ଡେରି ହେଇ ଯାଉଚି–ଆ, ବେଗେ ଆ, ଏ ନରକରେ ଆଉ ରହିବାନି–ଆ, ଧାଇଁଆ–

 

ନାଳ ପାଣିଟା ଯେମିତି ଦି’ ଭାଗ ହୋଇଗଲା । କଳୁଆ ପଛକୁ ଅନେଇ ଦେଖିଲା ନୁଖୁରୀ ନାହିଁ ।

 

ଖାଲି ଗୋଟା ପାଣି ହାବୁ । ମାଡ଼ି ମାଡ଼ି ଆସୁଚି ।

Image

 

ଜନପଦର ବାର୍ତ୍ତା

 

ଉଦୁଉଦିଆ ଦିପହର ଖରାରେ ଦଖଣ୍ଡରା’ ଘର ପାଳରୁ ଖାଲି ହାତରେ ଫେରି ଆସିବା ଦିନୁ ମାମଲତ୍‍କାର ବନ୍ଧୁ ମା’ନ୍ତିଙ୍କ ମୁଣ୍ଡରେ ଗୋଟିଏ ବିରାଟ ଇତିବୃତ୍ତର ଅଙ୍କୁରୋଦ୍‍ଗମ ହୋଇଚି-। ଭାବିଭାବି ତାଙ୍କର ପଲକ ପଡ଼ିଲାନି ତିନି ଦିନ । ଶେଷକୁ ଦିନେ ପହଞ୍ଚିଲେ ଗାଁର ଅନ୍ୟତମ ଜମିଦାର ସଦା’ନ୍ଦ ସାହୁଙ୍କ ଘରେ । ସବୁଠାରେ ତାଙ୍କର ସସମ୍ମାନ ଅବାରିତ ପ୍ରବେଶ । କିଛି କୁହା ବୋଲା ନ କରି ଗମ୍ଭୀର ଭାବରେ ଜମିଦାରଙ୍କ ଶିରସ୍ତାରୁ ପୁରୁଣା ଖତିଆନା ଗୋଟା ନେଇ ଖେଳେଇଲେ । ପ୍ରାୟ ଅଧ ଘଣ୍ଟା କି ପଇଁଚାଳିଶ ମିନିଟ୍ ଘଣ୍ଟାଘଣ୍ଟି ପରେ ସେ ଶକୁନି ହୋଇଥିବା ଗୋଟିଏ କୁରୁକ୍ଷେତ୍ରର ଛବି ମାନସ ପଟରେ ତାଙ୍କର ହଠାତ୍ ଖେଳେଇ ହୋଇଗଲା ।

ଗାଁର କେବଳ ଦଖଣ୍ଡରା’ ଘର ଓ ତାଙ୍କ ବଂଶଟିକୁ ଛାଡ଼ି ତାଙ୍କର ଭାୟା ଉଦଣ୍ଡରା’ ସମେତ ପଞ୍ଚୁ ସାହୁ ପକ୍ଷରେ ଯୋଗ ଦେଲେ । ତାହାର ପ୍ରଧାନ କାରଣ, ମାମଲତ୍‍କାର ବନ୍ଧୁ ମା’ନ୍ତିଙ୍କ ଫିକର, ହାତୀଦ୍ୱାରା ହାତୀ ଧରା ହୁଏ । ନ ହେଲେ ପ୍ରତାପୀ ଦଖଣ୍ଡରା’–ଘରକୁ ପାଲରେ ପକାଇବା ତ ମୁସ୍କିଲ୍‍, ପୁଣି ଫୌଜଦାରୀ କରିବ କିଏ ତାଙ୍କ ସାଙ୍ଗରେ । ମାତ୍ର ପାଁଶ’ଟଙ୍କା ବିନିମୟରେ ଦଖଣ୍ଡରା’ଙ୍କର କେତେକ ଭାୟା ଓ ଉଦଣ୍ଡରା’ଙ୍କୁ ମଧ୍ୟ କରଗତ କରିହେଲା । ଦିନେ ଶୁଭ ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହେଲା । ଦଖଣ୍ଡରା’ଙ୍କ ମୂଲିଆ ଓ ଲାଠିଆଳମାନେ ତୋଟାର ତିନିମାଣ ଜମିର ପ୍ରାୟ ଅଧିକାଂଶ ବେଉଷଣ କରି ଫେରିବାବେଳେ, ହେଲା ସଂଘର୍ଷ । ଚତୁର୍ଦ୍ଦିଗ ଲାଠିରେ ଲାଠିମୟ । ସବୁଆଡ଼େ ଲୋକାରଣ୍ୟ, ଭାଇ ଭାଇ ମଧ୍ୟରେ ଏପରି ଜିଙ୍ଘାସା ଦେଖି ସମସ୍ତେ ଭୟରେ ସ୍ତମ୍ଭିତ ହେଲେ । ତୁମୁଳ ସଂଘର୍ଷ ଓ ହଟଗୋଳ ମଧ୍ୟରେ ନିମିଷକର ନୀରବତା ସବୁ ଘଟନାର ତାଲିକା ପ୍ରସ୍ତୁତ କରିଦେଲା,–ସାନ ଦଖଣ୍ଡରାଙ୍କର ହାତ ଭାଙ୍ଗି ଯାଇଚି ଆଉ ତାଙ୍କ କୋଠିଆ ବୋଧିଆ ପାଣ ମୁଣ୍ଡରୁ ରକ୍ତ ପାଣି ସୁଅପରି ଛୁଟୁଛି ।

ଫୌଜଦାରୀ ପରେ ମକଦ୍ଦମା ଦାଏର ହେବାହିଁ, ସ୍ଵାଭାବିକ । ମକଦ୍ଦମା ଦାଏର ହେଲା-। ଦୀର୍ଘ ଚାରିମାସ କାଳ ମକଦ୍ଦମା ଚାଲିଲା । ୨୭ ତାରିଖର ରାୟ ଦେବା କଥା ୩୦ ତାରିଖକୁ ଗଲା । ଗାଁ ସାରା ଉଦ୍‍ବିଗ୍ନ ହୋଇ ମକଦ୍ଦମା ଖବର ଶୁଣିବାକୁ ଅନେଇ ରହିଥାନ୍ତି । ୩୧ ତାରିଖ ଦିନ ସକାଳେ ଗାଁରେ ପ୍ରଥମେ ଆସି ପହଞ୍ଚିଲେ ସାନ ଦଖଣ୍ଡରା । ଭଙ୍ଗା ହାତ ତାଙ୍କର ଭଲ ହୋଇଯାଇଛି । ତାଙ୍କଠାରୁ ମକଦ୍ଦମାରେ ମୁଦଲାମାନେ ସଜା ପାଇଚନ୍ତି ଶୁଣି ପ୍ରିୟାପ୍ରୀତି ଲୋକେ ସହାନୁଭୂତି ଓ ଶୁଭକାମନା ଜଣାଇ ଆସି ରୁଣ୍ଡ ହୋଇଗଲେ । ବିପକ୍ଷ ଲୋକେ ମ୍ରିୟମାଣ ହୋଇପଡ଼ିଲେ । କିନ୍ତୁ ଫଳରେ ଦେଖାଗଲା, ମୁଦାଲାମାନେ ସମସ୍ତେ ସଜା ପାଇଛନ୍ତି ସତ; ଜମି କିନ୍ତୁ ପଞ୍ଚୁଆର ହୋଇଚି ଏବଂ ଅପୀଲ ଦରଖାସ୍ତ ମଞ୍ଜୁର ହୋଇ ସମସ୍ତେ ଜାମିନରେ ଖଲାସ ହୋଇ ଆସିଛନ୍ତି ।

ପୁନର୍ବାର ପରିସ୍ଥିତି ବଦଳିଗଲା । ଲୋକମାନେ ସପକ୍ଷ ଓ ବିପକ୍ଷରେ ନାନାପ୍ରକାର ଜନରବ ରଟନା କଲେ । ଅପୀଲ ବିଚାରରେ ଅନେକ ଦିନ କଟିଗଲା । ଶେଷରେ ପୂର୍ବର ରାୟ କାଏମ ହେଲା । ପଞ୍ଚୁଆ ଜମିର ହକ୍‍ଦାର ହେଲା ଏବଂ ଅଧିକାଂଶ ମୁଦାଲା ଛ’ ମାସ ଓ ତିନିମାସ କରି ପାଇଲେ ସଜା ।

ବନ୍ଧୁ ମାନ୍ତିଙ୍କ ଗୋଡ଼ ଆଉ ତଳେ ନ ପଡ଼େ । ଉଦଣ୍ଡରା’ଙ୍କ ଶୋଚନୀୟ ଅବସ୍ଥାରେ ଶୋଚନା କରିବାର ଅନେକ କାରଣ ଥିଲେ ବି ସମୂହ ଭାବରେ ସେ ଯେ ସମସ୍ତଙ୍କୁ ଜବତ୍ କରି ପାରିଛନ୍ତି, ଏହାହିଁ ତାଙ୍କ ଆନନ୍ଦର ପ୍ରଧାନ କାରଣ ।

 

କ୍ରମେ ଛମାସ ଅତୀତ ହେଲା । ତିନିମାସିଆଠାରୁ ଆରମ୍ଭ କରି ଛ’ମାସିଆ କୟଦୀ ପର୍ଯ୍ୟନ୍ତ ସମସ୍ତ ମୁକୁଳି ଆସିଲେ । ଶତ୍ରୁତା ସମସ୍ତଙ୍କ ମଧ୍ୟରେ ସକ୍ରିୟ ଭାବରେ ଥିଲେ ମଧ୍ୟ ନିଜନିଜକୁ ଥରେଥରେ ନିଜର ଅତୀତ ଓ ବର୍ତ୍ତମାନ ସହିତ ତୁଳନା କରି ନେବାର ଚିନ୍ତା ସମସ୍ତଙ୍କର ଏହା ଭିତରେ ଆସି ଯାଇଚି । ଦଖଣ୍ଡରା’ ମକଦ୍ଦମା ବାବଦ୍ ଖର୍ଚ୍ଚାରେ ଋଣଗ୍ରସ୍ତ । ଉଦଣ୍ଡରା’ ସକଳ ଦିଗରେ ନିମ୍ନଗାମୀ । ଆଉ ପଞ୍ଚୁ ସାହୁ, ତାର ପ୍ରକୃତରେ କଣ ଲାଭ ହୋଇନି ?

 

ପଞ୍ଚୁ ସାହୁ ପ୍ରବଳ ପ୍ରତାପୀ ଦଖଣ୍ଡରା’ଙ୍କୁ ମାଡ଼ମାରି ଜବତ କରିଦେଲା । ପଚିଶ ବର୍ଷର ବେଦଖଲ ସମ୍ପତ୍ତି ପୁନରୁଦ୍ଧାର କରିପାରିଲା । ଏହା କଣ ତା ପକ୍ଷରେ ଯଥେଷ୍ଟ ଲାଭ ନୁହେଁ ? ସେହି ପଚିଶ ବର୍ଷ ତଳର କଥା ତାର ମନେପଡ଼ିଲା । ତାରି ସମ୍ପତ୍ତିର ବେହକ୍ ମାଲିକ ଜମିଦାର ଦଖଣ୍ଡରା’ଙ୍କ କୋଠା ତିଆରି, ଆଉ ତାରି ତଳେ ପଚିଶ ବର୍ଷ ତଳର ପଞ୍ଚୁଆ–ମୁଣ୍ଡରେ ଇଟା ବୋଝ, ଦିହ ହାତରେ ଚୂନ ଆଉ ମାଟି ଦାଗ, ଆଉ ମୁଣ୍ଡରେ ନୁଖୁରା ବେକାଏ ବାଳ, ଅଣ୍ଟାରେ ଖଣ୍ଡେ ଛୋଟ ଚିରା ଖଦୀ । ସମାଳି ପାଇଲା ନାଇଁ, ଭାବର ଉତ୍ତେଜନାରେ ଘରଠାରୁ ପଚାଶ କି ଅଶୀ ହାତ ଦୂର ସେହି ବିସ୍ତୃତ ଚାଷଜମି ଉପରକୁ ପଞ୍ଚୁ ସାହୁ ଝଟ ବାହାରି ପଡ଼ିଲା । ଜମିର ପ୍ରତି କିଆରି ପ୍ରତି ହିଡ଼ରେ ମନ ଇଚ୍ଛା ବୁଲିଲା । ବୁଲୁବୁଲୁ ସେହି ଉତ୍ତର-ପୂର୍ବ ଦିଗକୁ ଥରେ ଆଖି ତାର ଅମାନିଆ ହୋଇ ଚାଲିଗଲା–ଦେଖାଗଲା ଦଖଣ୍ଡରା’ଙ୍କ ମେଘଲଗା କୋଠା । ଗଛ ପତର ଟପି କୋଠା ଆକାଶର କଳାମେଘ ଛୁଉଁଚି । ତିନିପଇସା ମଜୁରିରେ ଖଟିଥିବା ତାରି ତଳ ପଞ୍ଚୁଆ ଓ ଆଜିକାର ପଞ୍ଚୁ ସାହୁ ମଧ୍ୟରେ ଥରେ ଆଖି ଫେରାଇ ନେଲା–ସ୍ଵର୍ଗ, ମର୍ତ୍ତ୍ୟ ପ୍ରଭେଦ । କୋଠାର ଉଚ୍ଚତା ତା ଠଉଁ ଢେର ଛୋଟ । ....କଣ ଭାବିଲା, ହଠାତ୍ ସେଠୁ ଚାଲି ଆସିଲା ଘରକୁ । ଘରେ ପହଞ୍ଚି ଦେଖିଲା ତା ଦୋକାନର ଭାଗଦାର ନରୀପୃଷ୍ଟି ପୂର୍ବ ଓ ଏବର ଜମା ହିସାବ ତିଆରି କରି ମୁଣ୍ଡରେ ହାତ ରଖି ନିସ୍ତେଜ ହୋଇ ବସିଚି ।

 

ଅନେକ ଦିନ ପରେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଞ୍ଚୁସାହୁ ନିଜର ଚିରପରିଚିତ ଗଣ୍ଡିରା ପାଛୁଡ଼ାଟାକୁ ଥରେ ଝାଡ଼ିଝୁଡ଼ି ଦେଲା । ଦୋକାନର ସଉଦା ପାତି ଆଉ ଲୁଗାପଟା ଉପରେ ସଯତ୍ନ ଦୃଷ୍ଟି ବୁଲେଇ କେତେକ ଲୁଗା ବାହାର କରି ଗଣ୍ଡିରା କଲା । ଗଣ୍ଡିରାଟା କାନ୍ଧରେ ପକାଇବାକୁ ଯାଉଚି, ନରୀ ପୃଷ୍ଟି ଡାକିଲା–ପଞ୍ଚୁଆ ଭାଇ, ଆଜି ପରା ଶୁକରବାର ?

 

–ନାଁରେ, ମୁଁ କଣ ହାଟକୁ ବାହାରୁଚି ଥରେ ଗଣ୍ଡିରାଟା ସଜାଡ଼ି ପରଖି ନଉଚି ନା ।

 

...ଆଚ୍ଛା ନରିଆ, ବନ୍ଧୁମା’ନ୍ତି ଆଉ ଉଦଣ୍ଡରା’ ଘରକୁ ଆଉ କେତେଦିନ ଏମିତି ସଉଦା ଦିଆ ହଉଥିବ ?

 

...ସବୁ–ସବୁ ବନ୍ଦ ଆଜିଠଉଁ–ଜାଣିଲୁ– ।

 

ସେଦିନଟି ପଞ୍ଚୁଆ ଆଖିରେ ଜୀବନର ସବୁଚାହିଁ ଗୋଟିଏ ନୂଆ ଦିନଭଳି ଲାଗିଲା । ବନ୍ଧୁ’ମାନ୍ତି ଯେଉଁଦିନ ଆସି ତା ଆଗରେ ଦଖଣ୍ଡରା’ ଘର ସାଙ୍ଗରେ ମକଦ୍ଦମା କରିବା କଥା ପକେଇଥିଲା, ସେଦିନ ଆଉ ଆଜି ଦିଓଟି ଯାକ ଦିନକୁ ମନେମନେ ସେ ଓଜନ କଲା । ଓଜନ କରିବାରେ ସେ ଧୁରନ୍ଧର । ଜୀବନର ଅଧାକରୁ ବେଶି ତାର ଦୋକାନରେ ବସି ଓଜନ କରିବାରେ କଟିଯାଇଥିଲା । କଥାଟା ଥରେ ଓଜନ ନ କରି କ୍ଷଣକର ଭୁଲରେ ସବୁ ଓଲଟପାଲଟ ହୋଇଯାଇଛି ବୋଲି ସେ ମନେକଲା ।...ବଡ଼ ଜୋରରେ ଗୋଟା ଟାଣୁଆ ନିଃଶ୍ୱାସ ମାରି ଉଠି ପଡ଼ିଲା । ଭାବିଲା, ଦିନଟା କେମିତି କଟିଲେ ଗଣ୍ଡିରାଟା ପିଠିରେ ପକେଇ ଥରେ ସେ ତାର ପାପ ନାଶ କରିବ, ଅହି ନରକର ଏ ଯନ୍ତ୍ରଣାରୁ ମୁକ୍ତି ପାଇ ହାଟରେ ଯାଇଁ ତାର ପୂର୍ବର ଚିର ପରିଚିତ ଯାଗାରେ ଦୋକାନଟାକୁ ସଜାଡ଼ି ବିକି ବସିବ ।

 

ତହିଁ ଆରଦିନ ରାତି ନ ପାହୁଣୁ ପୁଣି ଥରେ ବେପାର ଲୁଗାପଟା ସଜାଡ଼ି ବସିଲା । କେତୁଟା ଲୁଗାରେ ରୁଖିଆ ଲାଗିଥିଲା ତାକୁ କାଢ଼ିଦେଲା, ଆଉ କେତୁଟା ଶାଢ଼ିରେ ଧୂଳି ବସି ମୁହଟା ତାର ନିରସା ଦେଖଉଥିଲା, ତାକୁ ସବୁ ଝାଡ଼ି ସଫା ସୁତରା କଲା । ବେଳ ଦୁଇ ତିନି ଘଡ଼ିକି ଗାଧୋଇ ପଡ଼ି ଗଣ୍ଡେ ଖାଇଦେଇ ଗଣ୍ଡିରାଟା କାନ୍ଧରେ ପକେଇ ବାହାରିଲା ନଈ ବନ୍ଧେ ବନ୍ଧେ ହାଟକୁ ।

 

ଘରୁ ନଈବନ୍ଧକୁ ଉଠିଲାବେଳେ ସେହି ଚାଷଜମି ଚକଟା ବାଁ ହାତି ପଡ଼େ । ଥରେ ଦିଥର ଅନେଇଦେଇ ଚାଲିଗଲା ସେଇ ଜମିକି । ପିଠିରେ ଲୁଗା ବୁକୁଚାର ଭାରରେ ସେ ଟିକେ ନଇଁପଡ଼ିଚି କିନ୍ତୁ ସେ ନଇଁବା ଯେପରି ତାର ଅନ୍ତରକୁ କରିଛି ସତେଜ ଆଉ ସଳଖ । ମାତ୍ର ଏହି ତିନିମାଣ ଜମି ! ପଞ୍ଚୁସାହୁ ନିଜକୁ ଟିକେ ସାହସ ବାନ୍ଧି ଠିଆ ହେବା ପାଇଁ ଉରସା ପାଇଲା ନାହିଁ, ଅନ୍ତର ତାର ଯେପରି ଭାଙ୍ଗି ପଡ଼ୁଚି ସେ ଜମିକି ଦେଖି । କିଛିଦୂର ଗଲା ପରେ ଦୂରରେ ନାଳ କୂଳରେ ଦେଖାଗଲା ଠାକୁରାଣୀ ନାରଣଚଣ୍ଡୀଙ୍କ ଆସ୍ଥାନ । ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଜୁହାର ପକାଇ ସେ ବାଟେ ବାଟେ ହାଟକୁ ବାହାରିଗଲା ।

 

ଏମିତି ଅନେକ ଦିନ କଟିଗଲା । ହାଟପାଳି ଛଡ଼ା ନରୀପୃଷ୍ଟି ଓ ପଞ୍ଚୁଆ ଦୁହେଁ ରହି ଦୋକାନରେ ବିକିରିବଟା କରନ୍ତି, ହାଟ ଦିନ ପଞ୍ଚୁଆ ଯାଏ ହାଟକୁ । ସେ ଦିନ ହାଟ ପାଳି । ହାଟକୁ ଉଦଣ୍ଡରା’ ଯାଇଛନ୍ତି ବଳଦ କିଣି । ଦଶଟା ଟଙ୍କା ନିଅଣ୍ଟ ପଡ଼ିବାରୁ ଆସିଲେ ପଞ୍ଚୁଆ ପାଖକୁ । “ଏତେବେଳେ ଯା’ତ ଜମା ବଇନି ହେଇନି ଟଙ୍କା ଆଉ ଆଣିବି କୋଉଠୁ ।” ପଞ୍ଚୁଆ କହିଲା ।

 

ଉଦଣ୍ଡରା’ଙ୍କ ଦମ୍ ରୋକି ହୋଇଗଲା । ପଞ୍ଚୁଆଠଉଁ ଏଡ଼େବଡ଼ ଆଘାତ ପାଇବା ତାଙ୍କର ଏହି ପ୍ରଥମ । ସେ ଭାବି ପାରିଲେ ନାହିଁ, ଏଇ ପଞ୍ଚୁଆ, ତାଙ୍କଠଉଁ ବଳ ପ୍ରତାପୀ ଦଖଣ୍ଡରାଙ୍କ ହାତଭାଙ୍ଗି ପଚିଶ ବର୍ଷର ଅପହୃତ ସମ୍ପତ୍ତି ଉଦ୍ଧାର କରି ସତ୍ତ୍ୱ ସାବ୍ୟସ୍ତ କରିପାରିଛି । ରାଗରେ ଆତ୍ମବିସ୍ମୃତ ହୋଇ ସେ ଜୋରରେ ସେଠୁ ଚାଲିଗଲେ । ଚାଲିର ତୋଡ଼ରେ ଦୋକାନର ଛୋଟ ବରଡ଼ା ଚାଳିଆଟା ଝରଝର ହୋଇ ଥରିଉଠି ପଞ୍ଚୁଆର ଅନ୍ତରକୁ ଯେପରି ପଦାରେ ଖେଳେଇଦେଲା ।

 

ଏ ଘଟଣାର କିଛିଦିନ ପରେ ଅଖି ତୃତୀୟା ପଡ଼ିଲା । ଦୁତୀୟା ଦିନ ଉପରଓଳି ଉଦଣ୍ଡରା’ ଘର ଚାକର ସଉଦାର ଚିଠା ନେଇ ଆସି ପଞ୍ଚୁଆ ଦୋକାନରେ ପହଞ୍ଚିଲା । ଦୋକାନରେ ଥାଏ ନରୀପୁଷ୍ଟି, ଚିଠା ଫେରେଇ ଦବାକୁ କୌଣସି ମତେ ତାର ଆଉ ସାହାସ କୁଳେଇଲା ନାହିଁ । ଆଗର ଚାକରଟା ତାକୁ ଦେଖାଗଲା ଯେପରି ଗୋଟା କପିଳାଶିଆ ଠେଙ୍ଗା । ସଉଦା ନ ଦେଲେ ମୁଣ୍ଡଟାକୁ ତା’ର ସେ ଫଟେଇ ଛତୁ କରିଦେବ । ନରୀପୃଷ୍ଟି ବି ଥରେ ବିବେକକୁ ତାର ପଚାରିଲା, ବିବେକ ଆଖିରେ ତାର ଉଦଣ୍ଡରା’ ଓ ତାଙ୍କ ଅନୁଚର ବୃନ୍ଦଙ୍କ କଏଦୀ ଜୀବନ ଦେଖେଇଦେଲା । ନରୀପୁଷ୍ଟି ମନେ କଲା, ଏ କଣ କମ୍ କଥା, ଉଦଣ୍ଡରା’ଙ୍କ ଭଳି ଲୋକ ଛାର ପଞ୍ଚୁଆଟା ଲାଗି ମିଆଦ ଖଟିଲେ । ପରମୁହୂର୍ତ୍ତରେ ବିବେକ ପୁଣି କଏଦୀମାନଙ୍କର ପଛ ପାଖ ବୁଲେଇ ଦେଲା, ଲେଖା ହେଇଚି ନଗଦ ୫୦୦, ଆଜିଯାଏ ହାତ ଉଧାରି ଆଉ ସଉଦାପାତି ନେବାର ହଜାରକରୁ କମ୍ ହବନି । ମନେ ମନେ କଣ ଭାବି ଯନ୍ତ୍ର ଚାଳିତ ପରି ଚିଠାଖଣ୍ଡିକ ହାତରୁ ଆଣି ନରୀପୁଷ୍ଟି ଚିଠାର ଅଧା ପରିମାଣରେ ସଉଦାତକ ଦେଇଦେଲା ।

 

ପାଳି ପଡ଼ିଲା ଏଥର ବନ୍ଧୁ ମା’ନ୍ତିଙ୍କର । ନାତିର ହେବ କାନଫୋଡ଼ା–ବିଦ୍ୟାରମ୍ଭ । ଅତି ନିକୁଛରେ ଶହେଟା ଟଙ୍କା ନ ହେଲେ ନ ହୁଏ । ସଉଦା ସିନା ଦବ ପଞ୍ଚୁଆ, କିନ୍ତୁ ଟଙ୍କା ଦେଲା ଭଳିଆ ଆଉ ନାଗୁନି ।–‘ଉଦ୍‍ଯୋଗୀନାଂ ପୁରୁଷ ସିଂହ’ ବନ୍ଧୁ ମା’ନ୍ତିଏ ଭାବି ଭାବି ଶୀକାର ଉଦ୍ଦେଶ୍ୟରେ ବହିର୍ଗତ ହେଲେ ।

 

ଚାଳିଟା କିନ୍ତୁ ଯାଇ ବାଜିଲା ଗୋଟା ଅଭାବିତ ସ୍ଥାନରେ । ଏତେ ପାଖରେ ଯେ ଶୀକାରଟା ରହିଚି ଏଇଟା ମା’ନ୍ତିଙ୍କୁ ମୋଟେ ମାଲୁମ ନ ଥିଲା । ମଣିଷ ମନର ସ୍ଵାଧୀନ ଚିନ୍ତା ଓ ଦୁରଦୃଷ୍ଟି ଯୋଗୁଁ ସେଦିନ ନରୀପୃଷ୍ଟିର ହୃଦୟରେ ଉଠିଥାଏ ଝଡ଼ । ପଞ୍ଚୁଆ ଯାଇଛି ଖଡ଼କପୁର ହାଟକୁ । ଖରାବେଳ । ହିସାବ ସୀହାଟା ଖେଳେଇ ନରୀଆ ତାକୁ ନୋଥରା କୋତରା କରି ସାରିଲାଣି, ପହଞ୍ଚିଲେ ଏତିକିବେଳେ ବନ୍ଧୁ । ନାରୀର ମନ ସ୍ୱତଃ ଆଶଙ୍କାରେ ଥରି ଉଠିଲା । ଦୋକାନ ଖଣ୍ଡିକ କଣ ଆଉ ରହିବ ନାହିଁ ? କା’ପେଇଁ ଏତେ ଦିଆ ନିଆ...

 

କିନ୍ତୁ ପୋଖତ ବଇଦ ଆଗରେ ରୋଗ ଲୁଚେଇ ଚଳେ କିଏ । ମନର ଭାବଟା ଧରିନେଲେ ଚଟ୍‍କିନି ବନ୍ଧୁ । କହି ଉଠିଲେ–କି ହିସାବ ଦେଖୁଛକି ସାଉପୁଅ !

 

–ହ, ତିନିମାଣ ଜମି ନୁହେଁ ଯେ ତିନି ମହଣ ସୁନା, ଭାବିବାର ଆଉ କଣ ଅଛି ମା’ଜନେ-। ହଁ, ସେଥିରୁତ ପଞ୍ଚୁଆ ଆଉ ତମକୁ ଭାଗ ଦବନି । –କିଃ, କହୁନା କାହିଁକି ସାଉକାରେ, ହକ କଥାରେ ଠକ ଠକ କାହିଁକି । ...ହଁ, ମୁହଁରେ ନ କହିବ ପେଟରୁତ ଆଉ ଭା’ର କରି ଦବନି-। ତା’ କିନ୍ତୁ ଭଲକଥା ନୁହେଁ ନରୀ, କହିବତ ଆଗରୁ ଗୋଟା କିନରା କରିଦେବି । ମୁଁ କିଛି ପଞ୍ଚୁଆର ନଷ୍ଟ କରିଦବାପାଇଁ କହୁନି । ସେ ଯେମିତି ଦୁନିଆରେ ଚେରମାଡ଼ି ରହିଲା–ତମେ ବି ସେମିତି ରହିବ-। ଯିଏ ଜଣକୁ କୂଳରେ ନଗେଇଲା, ସିଏ ଆଉଜଣକୁ ଯେ ଭସେଇ ଦବ, ୟା ତ କିଛି ସୁନ୍ଦର କଥା ହବନି ସଂସାର ଆଖିରେ । ଆଉ କେତୁଟା ଦିନ ବା ରହିବା, ଏତେ ଛିଦ୍ରମରେ, ଫାଇଦା କଣ ନରି-। କି, ତୁନି ହେଇ ରହିଲ ଯେ । କ–କ–ମୁଁ ତୋ ମନ କଥା ବୁଝୁଚି–

 

ନରୀପୃଷ୍ଟି ଦେଖିଲା ମାହାନ୍ତି କିଛି ଖରାପ କଥା କହୁନା’ନ୍ତି ବରଂ ମୁଁ ଯେଉଁଥିପାଇଁ ଘାଣ୍ଟି ହେଇ ମନେ ମନେ ମରୁଚି ତାରି ଉପାୟଟା କଥାରେ ତାଙ୍କର ଫୁଟି ପଡ଼ୁଚି । କିଛି ସମୟ ବିଚାରି ବସିଲା...ଭାବିଲା ସହଜ କଥା ନୁହେଁ–

 

ଶୀକାରଟା କଣ ଏତେ ସହଜରେ ଆଉ ହାତଛଡ଼ା ହୋଇଯିବ ! ନରୀର ଏ ନୀରବତା ଦେଖି ବନ୍ଧୁ ପୁଣି ଦି କଥା ଖର୍ଚ୍ଚ କରିଦେଲେ ।

 

–ଆଚ୍ଛା ନରୀ ତମର ମକଦ୍ଦମାରେ ସମୁଦାୟ ପରା ଦି’ହଜାର ଟଙ୍କା ଖର୍ଚ୍ଚ ହେଲା ! ଓହୋ, ଦି’ ହଜାର କିଛି କମ୍ କଥା ନୁହେଁ । ଜଣକ ଜମିଲାଗି ଆଉ ଜଣେ ଶୁଖିଲାଟାରେ ପଡ଼ି ବୁଡ଼ି ମରୁଚି–

 

ଦି’ ହଜାର–ନିଅ ଖାତାଟା ଦେଖନି, କହି ନରୀପୁଷ୍ଟି ଖାତାଟା ବଢ଼େଇ ଦେଲା ମାହାନ୍ତିଙ୍କ ହାତକୁ । ମାହାନ୍ତିଏ ମନେ ମନେ ଭାବିଲେ, ଏଇଟା ଖାତା ନୁହେଁ ଲଗାମ୍, ଟିକେ ଜୋର୍ କରି ଧରିବା ଦରକାର ।

 

ଖାତାଟା ଧରି ଓକିଲର ଆଇନ ବହି ଦେଖାଠାରୁ ଯେମିତି ଡବଲ ମୁଣ୍ଡ ଖଟେଇ ତାକୁ ଦେଖିଲେ । ତା’ ପରେ କହିଲେ–

 

ଜାଣିଲୁ ନରୀ, ଚାଣକ୍ୟ ପଣ୍ଡିତ କହିଚନ୍ତି, ଏ କିଛି ନୂଆ କଥା ନୁହେଁ । ଅନ୍ୟ ଲୋକ ତମ ପ୍ରତି ଯେପରି ବ୍ୟବହାର କରିବ, ତମେ ତା’ ପ୍ରତି ଠିକ୍ ସେହିପରି ବ୍ୟବହାର କରିବ । ଶାସ୍ତ୍ର କହିଚି–

 

ଶଠେ ଶାଠ୍ୟଂ ସମାଚରେତ୍ ।

 

–କଣ କରିବି କହିଲ ମଉସା, ପଞ୍ଚୁଆ ଭାଇ ସାଙ୍ଗରେ ତ ମୁଁ ଧପ୍‍ପାବାଜି କରିପାରିବି ନାଇଁ–

 

ଓଲୁ, ଧପ୍‍ପାବାଜି କାହାକୁ କହନ୍ତି, ଉଦଣ୍ଡରା’ ଯେ ଆସି ପଞ୍ଚୁଆ ପାଇଁ ଠେଙ୍ଗା ଧରି ନଢ଼ିଲା, ଏଇଟା କଣ ଦଖଣ୍ଡରା’ ସାଙ୍ଗରେ ତା’ର ହେଲା ଧପ୍‍ପାବାଜି । ଏଇଟା ନୀତି । ଧର୍ମ୍ମ । ସଂସାରରେ ରହିବାକୁ ହେଲେ, ଭୂଇଁରେ ଗୋଡ଼ ନଗେଇ ଚାଲିବାକୁ ହେଲେ, ଛାଡ଼ ସବୁକଥା, ଛୁଆ ପିଲା ଧରି ବଞ୍ଚିବାକୁ ହେଲେ, ୟା’ କରିବାକୁ ହବଇ ହବ । ତୋର ତ ପୁଣି ହକ୍ ହଉଚି । ମୁଣ୍ଡ ଝାଳ ଗୋଡ଼ରେ ମାରି ଖଟି ଖଟି ଦି’ପଇସା ଅର୍ଜନ କରି ରଖିଚ । ତାକୁ ନବାତ ଧପ୍‍ପାବାଜି ହେଲାନି, ନ ନେଲେ ଆଉରି ହବ–ଅନ୍ୟାୟ । ପିଲାଛୁଆଙ୍କ ପ୍ରତି ନିହାତି ଅନ୍ୟାୟ କରିବାକୁ ହବ ତା ହେଲେ-

 

ଆଛା, ତାହେଲେ ମୁଁ କଣ, ଯା’ କିଛି ପାଣ୍ଠିପତର ଅଛି ତାକୁ ସବୁ ନେଇଯିବି କଉଚ ।

 

ଭଲା ଓଲା ଲୋକ ଏକେ, କଣ–ଚୋରି କରି ନବୁ.....ରାମ.....ରାମ–ରାମ । ଆରେ ତା’ ଯା’ ପଞ୍ଚୁଆ ଘରେ ଥୁଆ ହେଇଚି, ତା ଏବେ ତୋ ଘରେ ଥୁଆ ହେଇଥାଉ । ସେ ବା ତତେ ଖରାପ ଭାବିବ କାହିଁକି କହିଲୁ । ତା’ ଘରେ ଅଛି ବୋଲି ତୁ ତାକୁ ଖରାପ ଭାବୁନୁ ତ ଆଉ–

 

ନରୀ ସାମନାରୁ ଖଣ୍ଡେ କଳା ମେଘ ଯେମିତି ଘୁଞ୍ଚିଗଲା । କେତେଦିନ ଏମିତି ଅଣ ହୁସିଆର ହେଇ ସେ ଆଉ ଚାଲିବ, ନାଃ, ଆଉ ପାରିବିନି–ଅନ୍ତର ତା’ର ଦେଲା ଜବାବ ।

 

–କଣ ମନକୁ ଗଲା ? ପଚାରିଲେ ପୁଣି ବନ୍ଧୁ ।

 

–ଅଛା ମଉସା, ପଞ୍ଚୁଆ ଭାଇ ଯଦି ମତେ ଚୋରି ତଳେ ଆଣେ ।

 

ନିହାତି ବୋକା । ଖାତା ତୋ ହାତରେ–ମାଲ ତ ତୋ ହାତରେ । ଚୋରି ତଳେ ଆଣନ୍ତି ଚୋରକୁ । ତୁ କଣ ଚୋର । ଚୋରି ହେଲା ତ ହେଲା । ତୁ ନେଇଚୁ ବୋଲି ସେ ଏବେ ଜାଣିବ କିଆଁ ?

 

ଉଜ୍ଜ୍ୱଳ ଭବିଷ୍ୟତରେ ମୁଗ୍ଧ ହୋଇ ନରୀ କିଛିକ୍ଷଣ ନୀରବରେ ବସି ରହିଲା । ଛାତିଟା ତାର ଧଡ଼୍‍ ଧଡ଼୍ କରି ଉଠ୍ ପଡ଼୍ ହେଲା । ଭାବିଲା, ସେଇଟା ତାର ଦୁର୍ବଳତା ।

 

ଶେଷରେ ବନ୍ଧୁ ମା’ନ୍ତିଙ୍କର ସଉଦାପତ୍ର ଓଜନ ହେଲା; ଅତି ବଳାବଳିରେ ଟଙ୍କା ପଚାଶଟି ବି ହାତ ପଇଠ ହେଲା । ହାତଟା ମା’ନ୍ତିଙ୍କର ଧରି ପକେଇ ନରୀ କହିଲା–ତମରି ଭରସାରେ ମୁଁ ଯା’ କରିବି । ସବୁଥିରେ ମତେ ଖାଲି ସା’ ହୁଅ, ପଇସା ପାଇଁ କିଛି ଭାବନା କରିବନି ମଉସା ।

 

ମାହାନ୍ତି କହିଲେ, ନା ମୋର ବନ୍ଧୁ, ଜାଣିଲୁ, ମୁଁ କାହାରି, ଅନିଷ୍ଟ କରେନାଁ । ଅନ୍ଧାରରେ ଯା’କୁ ଭୁଆଁ ବୁଲଉଥା, ତାକୁ ବାଟ ଦେଖେଇ ଦେଇ ଟିକେ ଖୁସି ହବାଟାଇ ମୋର ଲାଭ । କହିଲୁ ତୋ ଘରକୁ ନ ଆଇଲେ ମୋର କଣ ହାଣ୍ଡି ଅଣେଇ ହେଇ ପଡ଼ୁଚି; ଜାଣିଲୁ, ଦୁନିଆରେ କାହାରି ଲାଗି କାହାରି କିଛି ଅଟକି ରହେନାଁ । .....ଶୁଣୁଚି ପଞ୍ଚୁଆ ତ କୁଆଡ଼େ ମୋର ଏ ନିଆନେଇ କରିବାକୁ ସୁଖ ପାଉନି । ହଉ– ।

 

ହଁ, ସେ ଦୋକାନରୁ ଆଉ ସଉଦାପାତି ଦବାକୁ ମତେ ମନା କରି ଦେଇଚି–ତମେ ଯେମିତି ଆଉ କୋଉଠି ଏ କଥା ନ କୁହ ଏକା ।

 

ବା’ ସଇଲେ ବେଦୀ ମୁହଁ ପୋଡ଼ା କହିବ ନେଇ । ହଉ ଆ’ରେ ନରିଆ । ଏକା ମାଘକେ ଶୀତ ଯାଆନାରେ ନରି, ଯାଆନା ।

 

ମହାନ୍ତିଙ୍କର ଆସିବାବେଳର କଥାବାର୍ତ୍ତା ଯିବାବେଳକୁ ଯେ ଅନେକ ବାଗେଇ ଯାଇଚି, ଏକଥା ବିଚାରିବାକୁ ନରୀପୁଷ୍ଟିର ଜମା ଅବସର ନ ଥିଲା । ମନଟାକୁ ତାର ଦାର୍ଜିଲିଂ ଲାଇନ୍‌ର ଟ୍ରେନ ଭଳି ଦି’ପାଖରୁ ଦି’ଟା ଇଞ୍ଜିନ ଆକ୍ରମଣ କରୁଥାନ୍ତି ସେତେବେଳେ ।

 

ଦୁର୍ଭାଗ୍ୟ ଏପରି ଭାବରେ ଆସେ, ପଞ୍ଚୁ ସାହୁର ମୋଟେ ଧାରଣା ନଥିଲା । ସେ ବର୍ଷ ତାର ଏକାଦଶ ବୃହସ୍ପତି ପଡ଼ିଥିଲା । ରାଜ୍ୟ ଲାଭ ହେଲା ବୋଲି ସମସ୍ତେ କହିଲେ । ରାଜ୍ୟ ନୁହେଁ ତ ଆଉ କଣ । କିନ୍ତୁ ରାଜ୍ୟ ଲାଭ ପରେ ଏ କି ବିପର୍ଯ୍ୟୟ ? ଭାବି ଭାବି ତଣ୍ଟିରୁ ତାର ଛାପ ଶୁଖିଗଲା......ମତେଇ କରି ତାକୁ ମକଦ୍ଦମା କରେଇଲେ । ମକଦ୍ଦମାରେ ସର୍ବସ୍ଵ ନଷ୍ଟ ହେଲା । ଶିକ୍ଷାରେ ପକେଇ ଦୋକାନ ଭଙ୍ଗେଇଲେ–ଯାହା ପାଣ୍ଠିପତ୍ର ଥିଲା ତାକୁ ବି ନଷ୍ଟ କରେଇ ଦେଲେ । ନାରୀ ପୁଷ୍ଟି–ନରୀଆ ପୁଣି ୟା, କରିବ ବୋଲି ସେ ସ୍ୱପ୍ନରେ ଭାବି ନ ଥିଲା । ଫେତଣ୍ଡା ହେଇ ବୁଲୁଥିଲେ । ପାଖରେ ରଖି ତାକୁ କାମନା କରିବାରୁ...ସେ ପୁଣି...। ସବୁ ହେଲା । ସବୁ କଷ୍ଟ ସେ ସହ୍ୟ କରିଥିଲା । ଶେଷରେ ତାର ଭାତହାଣ୍ଡି–ତାର ଧାନବିଲକୁ ପଦା କରିଦେଲେ । ଗୁଣ୍ଠେ ଦିଗୁଣ୍ଠ କି ମାଣେ ଦି’ପା ନୁହେଁ, ତିନି ମାଣ ବିଲ ପଦା କରି ତଳି ଓପାରି ନେଇଗଲେ ! ଆଉ ବି ଯାହା ଗୋଟା ଗୋଟା ଆଖିରେ ପକେଇବାକୁ ଥିଲା, ତାକୁ ଗୋରୁ ପୁରେଇ ଖୋଇଦେଲେ ! ସବୁ ଉଦଣ୍ଡରା’ଙ୍କ କାଣ୍ଡ । ସେ ତାରିପାରେ ସେଇ ବି ପୁଣି ମାରିପାରେ ।....ନାଁ...ନା–ମନ ତାର ଅତି ବିଦ୍ରୋହୀ ହୋଇଉଠିଲା । କେହି ରଖି ପାରେ ନାଁ, କେହି ମାରି ପାରେ ନା । ମୁଁ ନିଜେ ନିଜକୁ ମାରି ଦେଇଛି । ମଣିଷ କେହି ମଣିଷକୁ ରକ୍ଷା କରି ପାରେ ନାଁ–

 

ନୂଆହାଟରୁ ନାଳବନ୍ଧରେ ଫେରୁ ଫେରୁ ମନରେ ତାର ଏମିତି କେତେ ଭାବନା ବୁଦ୍‍ବୁଦ୍ ଭଳି ଉବୁକି ଉଠି ମିଳେଇ ଯାଉଥାଏ । ଶେଷରେ ସେ ଆସି ଠାକୁରାଣୀ ସଳଖ ହେଲାବେଳକୁ ନଜର ପଡ଼ିଲା ତାର ନାରଣ ଚଣ୍ଡୀଙ୍କ ପୀଠ ଉପରେ । ବିଦ୍ରେହୀ ମନ, ବିକ୍ଷୋଭିତ ଦୁର୍ବଳ ହୃଦୟ ତାର ଥରେ ଆପାର୍ଥିବ କରୁଣା ଆଶାରେ ତୃଷିତ ହୋଇଉଠିଲା । ଘରକୁ ନ ଫେରି ଚାଲିଲା ନାରଣ ଚଣ୍ଡୀଙ୍କ ପାଖକୁ । ଗଣ୍ଠିରି ପତ୍ର ତଳେ ଥୋଇ ଲମ୍ବ ହୋଇ ତଳେ ପଡ଼ି ଠାକୁାଣୀଙ୍କର କରୁଣା ଭିକ୍ଷା କଲା । କିଛିକ୍ଷଣ ପରେ ଢୋଲ ଓ ମହୁରୀର କର୍କଶ ଐକ୍ୟତାନରେ ତାର ଧ୍ୟାନ ଭାଙ୍ଗିଗଲା । ସେ ଜଣାଣରୁ ଉଠି ଦେଖିଲା ପାଣମାନେ ନିକଟରେ ଢୋଲ ଆଉ ମହୁରୀ ବଜାଉଛନ୍ତି, ଜ୍ୟୋତିଷ ମଙ୍ଗଳାଷ୍ଟକ ବୋଲୁଚି–ସୁନିଆଁ କରି ଆସିଛନ୍ତି ନିଜେ ଦଖଣ୍ଡରା (ଦକ୍ଷିଣରାୟ) । ଦଖଣ୍ଡରା’ଙ୍କ ଗୋଟା ଅଟ୍ଟହାସରେ ପ୍ରାଣ ତାର ଅତି ସଙ୍କୁଚିତ ହୋଇଗଲା । ଆଖି ଦିଟାକୁ ଥରେ ସେ ଭଲକରି ପୋଛି ସମ୍ମୁଖରେ ପାଷାଣୀ ନାରାୟଣୀ ଚଣ୍ଡୀଙ୍କୁ ବଲବଲ କରି ଅନେଇଲା ।

 

ତାର ଧାରଣା ହେଲା, ଏ ଦେବୀ ନୁହେଁ ଦାନବୀ, ମାନବକୁ ନିତ୍ୟ ନିୟତ ଧର୍ମ ନାମରେ ପାପର ଗୌରବମୟ ଗହ୍ୱରକୁ ଝିଙ୍କି ନେଇ ଯାଉଚି । ଏହି ସିନ୍ଦୁରିତ ମସ୍ତକଗୁଡ଼ିକର ସିନ୍ଦୂର, ସିନ୍ଦୂର ନୁହେଁ–ରକ୍ତ; ନିଃସ୍ଵ, ନିପୀଡ଼ିତ, ନିଃସହାୟ, ଲଞ୍ଛିତର ରକ୍ତ ପଞ୍ଚୁଆର ପ୍ରାଣ, ଓ ମନରେ ପ୍ରବଳ ପରିବର୍ତ୍ତନ ଆସିଲା, ଦେହଟା ତାର ରେଳର ଇଞ୍ଜିନ୍ ଭଳି ଉତ୍ତପ୍ତ ହୋଇ ଉଠିଲା । ଜନ୍ମଗତ ବିଶ୍ୱାସ ବିରୁଦ୍ଧରେ ବିପ୍ଳବ କରି ଅସଂଖ୍ୟ ମାନବର ପୂଜ୍ୟ ଦେବୀ ବିଗ୍ରହକୁ ନିଜର ସମସ୍ତ ଶକ୍ତି ପ୍ରୟୋଗଦ୍ଵାରା ବିପର୍ଯ୍ୟସ୍ତ କରି ସେ ସେଠାରୁ ଅନ୍ତର୍ହିତ ହୋଇଗଲା ।

 

ସମସ୍ତେ ଅବାକ୍ ହୋଇ ଅନେଇ ରହିଲେ, ଭାବିଲେ ପଞ୍ଚୁଆ ପାଗଳ ହୋଇଯାଇଚି ।

 

ମୂର୍ତ୍ତିଟା ଶେଷକୁ ତଳେ ପଡ଼ି ଦିଗଡ଼ ହୋଇ ଭାଙ୍ଗିଗଲା ।

Image

 

ପୁଷ୍ପ-କୀଟ

 

କଢ଼ୀର ବ୍ୟବହାରରେ ବାବନା ସେଦିନ ଭାରି ବେଦନା ଅନୁଭବ କଲା । ଅଣ୍ଟିରେ ଅଣ୍ଟିଏ କଇଁମୁଣ୍ଡା ଘେନି କଢ଼ୀକି କେତେ ଡାକିଲା । ଛୁନୁଛୁନିଆ ଶାଗ ତୋଳୁଥିଲା କଢ଼ୀ, ଦେହର ସାତ ଚିରା କବଟା ଖଣ୍ଡକ ଯେପରି ଘର ଝରକାର ରେଲିଂ–ସୌନ୍ଦର୍ଯ୍ୟତକ ପଦାକୁ ତହିଁରୁ ଫିଟି ଦେଖାଯାଉଥିଲା କଢ଼ୀର । ବାବନାର ଡାକରେ କଢ଼ୀ ଶୁଣିବ କଣ ସେ ନଇଁପଡ଼ିବା ଅବସ୍ଥାରେ ଥିଲା, ଆପଣାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଛୁନୁଛୁନିଆ ବଣ ଭିତରେ ଦେହକୁ ଲୁଚାଇ ଦେଇ ବସିପଡ଼ିଲା । ସରମରେ ସେ ଜଡ଼ି ସଢ଼ି ଯାଇଥିଲା, ସ୍ନେହରେ ପାଟିରୁ କଥା ବାହାରିବା ତ ଦୂରର କଥା, ଏପରି ଅବସ୍ଥାରେ ତାକୁ ଡାକି ଅପମାନ ଦେବା ଛଡ଼ା ଆଉ କିଛି ନ ଭାବି ସେ ବାବନା ଉପରେ ରାଗରେ ପାଚି ଯାଇଥିଲା ଏକାବେଳେକେ ।

 

ବାବନା କିନ୍ତୁ କଢ଼ୀକି ଏଇଠି ବୁଝିଲା ଭୁଲ । ସେ ମନେ କଲା, କଢ଼ୀ ତାକୁ ଅଖାତିର କରି କଥା କହିଲା ନାହିଁ । ଏହି ଭୁଲର ବଶବର୍ତ୍ତୀ ହୋଇ ବାବନା ଯାହା କରିବାକୁ ଭାବିଲା ତା ଆଖିରେ ସେଇଟା ହେଲା ଅତି ଠିକ । ସ୍ଥିର କଲା, କଢ଼ୀକି–ମୁଁ ଭଲପାଏ ବୋଲି ସିନା ସେ କଥା ନ ଶୁଣିବାରୁ ମୋର ଏତେ ଦୁଃଖ । ଭଲ ନ ପାଇଲେ । ହେଇ, ସେଦିନ ସଜନୀ ଫେରେ ଶୁଣିଲା ନେଇଁ–ସେଥିଲାଗି ମୋର କଣ ଭାସିଗଲା !–ରାତିରେ ଭାବିଭାବି କେତେବେଳେ ନିଦ ଲାଗିଯାଇଥିଲା ସେ ଜାଣେ ନା, ବଡ଼ି ସକାଳୁ ଯେମିତି କାଉ କା’ କରିଚି ଅଧୁଆମୁହଁରେ ଚାଳରୁ ଖଣ୍ଡେ କୁଟା ଧରି ବାହାରିଲା କଢ଼ୀ ଘରକୁ । କଢ଼ୀ ସେତେବେଳକୁ ଉଠି ଘାସ ଆଣିବାକୁ ଯିବ ବୋଲି ଦା’ ଖୋଜିବାରେ ବ୍ୟସ୍ତ । ମୁହଁଟା ତାର ଭାରି ଭାରି, ତଥାପି ସେ ଆଗରେ ବାବନାକୁ ଦେଖି ପ୍ରସନ୍ନ ହୋଇଉଠିଲା । ଅଳ୍ପ ଟିକିଏ ହସି ଜିଜ୍ଞାସୁ ଦୃଷ୍ଟିରେ ବାବନାର ମୁହଁରେ କଥା ନାହିଁ, ହାତର କୁଟାଖଣ୍ଡିକ ଖାଲି ବଢ଼ାଇ ଦେଲା କଢ଼ୀଆଡ଼କୁ । କଢ଼ୀ ଭାବିଲା ବାବନାର ଆଜି ଏ କି ଢଙ୍ଗ-। ଚୁପ ହୋଇ ଆଉ ସେ ରହି ପାରିଲା ନାହିଁ । ପଚାରି ପକେଇଲା, କିରେ ତୋର ଆଜି କଣ ହୋଇଚିକି ?

 

–ପଛେ କଥା, ଆଗେ ତୁ ଏଇ କୁଟା ଖଣ୍ଡକ ଛିଣ୍ଡେଇ ଦେଲୁ, ମୁଁ ଯାଏଁ ।...ସଜନୀ ଏବେ ସେଦିନ ମତେ କଥା ନ କହିଲା ଦିହ କଣ ମୋର ଛିଡ଼ିଗଲା– ! ଦେ, ଦେ,–ଆଜି ସବୁ କଥାର ଅଡ଼ୁଆ ଛିଣ୍ଡିଯାଉ । ଦେ, ଛିଣ୍ଡେଇ ଦେଲୁ ଆଗେ ।

 

କଢ଼ୀ ଭାବିଲା ବାବନାର ଏ ଗୋଟା ଲେଖାଁ ବଦ୍‍ଖିଆଲ ବେଳେବେଳେ ବାହାରେ । ଆକୁ ବିଦା ନ କଲେ ଏଇକ୍ଷଣି ରକ୍ଷା ନାହିଁ । ବାବନାର ହାତ ମୁଠାର ଉପରକୁ ବାହାରିଥିବା କୁଟା ଖଣ୍ଡକ ନିଜ ମୁଠାକୁ ନେଇଗଲା, ଫଳରେ କୁଟା ଖଣ୍ଡକ ଦି’ଭାଗ ହୋଇ ଛିଣ୍ଡିଗଲା । ବାବନା ସାଙ୍ଗେ ସାଙ୍ଗେ ସେଠୁ ଚାଲିଗଲା ତା ଘରକୁ ।

 

କଢ଼ୀ ଯୁବତୀ । ଅନେକ ଯାଗାରୁ ଅନେକ ବିବାହ ପ୍ରସ୍ତାବ ଆସିଥିଲେ ବି କଢ଼ୀ ସେ ପର୍ଯ୍ୟନ୍ତ କାହାକୁ କିଛି କହି ନାହିଁ । ତାର ଦାଦୀ ଦଶେଇ ମଳିକ ଅଛି, ‘ସେ ଯା’ କରିବ ସମସ୍ତଙ୍କୁ ଏହି ଗୋଟିଏ ଉତ୍ତର ଦେଇ ବିଦା କରିଦିଏ । ଛ’ମାସ ପରେ ବୁଢ଼ା ଦଶେଇ ମଳିକ ଜର ଭୋଗି ଭୋଗି ମରିଗଲା । ଏଣିକି କଢ଼ୀ ଭାର କଢ଼ୀ ଉପରେ ପଡ଼ିଲା । ଦାଦୀ ନାଁରେ କଥା ଥାପୁଡ଼େଇବା ଆଉ ଚଳିଲା ନାହିଁ । ନିଜେ ବି ବା’ ହବାର ଆବଶ୍ୟକତା ଅନୁଭବ କରି ପାରୁଛି । ଦିନେ ବାବନାକୁ ଭେଟିଲା ନାନପୁର ଗହୀରରେ । ପଚାରିଲା–

 

–ବାବନା, ମୋର ବା’ ଘର ହଉଚି ଏଇ ଫଗୁଣ ମାସରେ ।

ପହିଲୁ ଥର ବାବନା ଟିକେ ମଉନ ହୋଇ ରହିଗଲା । ଆଉ ଥରେ ପଚାରିଲା କଢ଼ୀ‌–ବାବନା କହିଲା–

–କଣ ହେଲା, କେତେ ଲୋକଙ୍କର ହଉଚି, ସେଦିନ ସଜନୀ ବା’ ହୋଇଗଲା । ସେ କଣ ମତେ ପଚାରି କରି ବା’ ହେଲା ? ମୁଁ କଣ କାହାକୁ ବାରବତା ଦେଇଚି । ବାଞ୍ଛା, ଗୋବିନ୍ଦ, ନରିଆ, ପରିଆ କେତେ ଟୋକାତ ଏ ପାଣ ସାହିରେ ଅଛନ୍ତି ତାଙ୍କୁ କଣ ତୁ ପଚାରୁଚୁ !

ବାବନାର ଏ ଠେଙ୍ଗାସିଆ ଜବାବରେ କଢ଼ୀ ଚହଲି ଯିବାର ଝିଅ ନୁହେଁ । ଧରି ପକେଇଲା ଯାଇ ବାବନା ହାତକୁ ।

–ବାବନା, ଏ ଠିଆରିଆ କଥା ତୁ କୋଉଠୁ ଶିଖିଲୁ ଶୁଣେ ? ନରିଆ, ପରିଆ, ଗୋବିନ୍ଦା ଗାତ ନା–ଚୁଲି । ସେ ମୋର କିଏ ?

–ଆଉ ମୁଁ ତୋର କିଏ ! –ଭାରି ଟୋକୀ ତ ତୁ, ପଚାରିଲେ କଥା ପଦେ କହିବୁ ନି ! ଅଣ୍ଟିରେ ଅଣ୍ଟିଏ କଇଁମୁଣ୍ଡା, ସବୁ ଖତ ଖାଇଲା–ଦି’ ଦିନ ଓପାସ ରହିଲି ପଛେ ତାକୁ ଖାଇଲିନି ।

କଢ଼ୀ ହସ ଆଉ ସମ୍ଭାଳି ପାରିଲା ନାହିଁ । ହସି ହସି କହିପକେଇଲା–ଏଥିଲାଗି ଫେରେ କୁଟା ଛିଣ୍ଡଉଥିଲୁ–ନା ?

–ଛାଡ଼, ଛାଡ଼–ମୋ ହାତ ଛାଡ଼, ତୋ ସାଙ୍ଗରେ ମୁଁ କୁଟା ଛିଣ୍ଡେଇଛି । ତୋ ସାଙ୍ଗରେ ମୋର ଆଉ କିଛି କାମ ନାଇଁ, ଛାଡ଼ ମୋ ହାତ ଛାଡ଼–ଭାରି ଟୋକୀ ତ !

–ଭାରି ଭେଣ୍ଡିଆ ତ ! ମୁଁ ତ କୁଟା ଛିଣ୍ଡେଇ ଦେଲି, ତୁ ମୋ ହାତ ଛିଣ୍ଡେଇ ଦେଲୁ–ଦେଖିବା କେମିତିକିଆ ଟୋକା ।

ବାବନା ଚେଷ୍ଟା କରି ଦେଖିଲା କଢ଼ୀର ହାତ ଛିଣ୍ଡେଇବା ଭାରି କଷ୍ଟ, କଢ଼ୀର ଭାରି ଜୋର୍ ।

ଅନେକ ଦିନ ୟା’ ଭିତରେ କଟିଗଲା । କଢ଼ୀ ହାତ–ବାବନା ଛିଣ୍ଡେଇ ପାରିଲା ନାହିଁ । ଶେଷକୁ ରାଜିରୁଜାରେ ଦୁହେଁ ଛଡ଼ା ଛଡ଼ି ହେଲେ । କିନ୍ତୁ ସେହିଦିନଠଉଁ କଢ଼ୀର ଜୋର୍ କଥା ଅନେକ ସମୟରେ ବାବନା ଭାବେ । ସେ ମର୍ଦ୍ଦ ପୁଅ ହୋଇ ଛାର ଟୋକୀଟାର ହାତ ଯା ଛିଣ୍ଡେଇ ପାରିଲା ନାଇଁ–ଏହି ଅବଶୋଷ ତାକୁ କଢ଼ୀ ପାଖରୁ ଦୂରକୁ ନେଇଗଲା । ସେ କଢ଼ୀ ସାଙ୍ଗରେ ବା’ହବାକୁ ସହଜରେ ଆଉ ମଙ୍ଗିଲା ନାହିଁ । ଅବଶେଷରେ କଢ଼ୀ ଜିତିଲା । କେବଳ ତା ହାତରେ କି ଦେହରେ ଜୋର ନ ଥିଲା, ମନରେ ବି ଥିଲା ଖୁବ୍ ବେଶି ଜୋର । ତାକୁ ଛିଣ୍ଡେଇ ଦେବା ବାବନା ପକ୍ଷରେ ଖୁବ୍ ଦୁଃସାଧ୍ୟ ହେଲା ।

ବାବନା କଢ଼ୀକି ବାହା ହେଲା ସତ, କିନ୍ତୁ ସେ ସେହଦିନଠୁ ସବୁ ସମୟରେ କଢ଼ୀର ଗୋଟିଏ ଅବସର ମୁହୂର୍ତ୍ତ ଖୋଜି ବୁଲୁଥାଏ–କେତେବେଳେ ସେ କଢ଼ୀକି ହରେଇ ଦେବାର ଟିକିଏ ହେଲେ ସୁବିଧା କେମିତି ପାଇବ । କଢ଼ୀର କିନ୍ତୁ ସେକଥା ମୋଟେ ମନେ ନାହିଁ–ତା ଯେ ଗୋଟା ମନେ ରହିବା ଭରା ଘଟଣା ମଧ୍ୟରେ ଗଣାଯାଇପାରେ ସେ ବା ତା କଳ୍ପନା କରିବ କାହିଁକି ?

 

ବାହାଘରର ତିନିମାସ ପରେ ସଜନୀ ବାପଘରକୁ ଆସିଲା । ଦିନେ ସଜନୀକି ଏକୁଟିଆ ପାଇ ବାବନା ତାକୁ ଡାକି ନିଜର ହାତଟା ଖୁବ୍ ଜୋରରେ ଅଟକେଇ ରଖିବାକୁ କହିଲା । କଢ଼ୀ ଘରେ ନ’ ଥାଏ । ମଦରଙ୍ଗା କି ଛୁନୁଛୁନିଆ ଶାଗ ତୋଳିବାକୁ କୁଆଡ଼େ ଯାଇଥାଏ । ବାବନାର ଡାକ ଶୁଣି ସଜନୀ ଟିକେ ଥତମତ କଲା । ଶେଷରେ ବାବନାର ବଳାବଳିରେ ହାତକୁ ତାର ଧଇଲା-। ବାବନା କିନ୍ତୁ ଯେତେ ଜୋରରେ ତାକୁ ମୁଠେଇ ରଖିବାକୁ କହିଲା ସେ ଲାଜ ହେତୁରୁ ସେତେ ଜୋର୍‌ରେ ଅଟକେଇ ପାରିଲା ନାହିଁ । ଫଳରେ ବାବନା ହେଲା ଜୟୀ । ବାବାନାର ଧାରଣା ହେଲା ସେ ସମଗ୍ର ନାରୀ ଜାତିକି ଆଜି ଜୟ କରି ପାରିଚି । ଖୁସିରେ ତା’ର ଛାତି କୁଣ୍ଢେମୋଟ ହୋଇଗଲା । ସଜନୀ କିନ୍ତୁ କିଛି ବୁଝି ପାରିଲା ନାହିଁ । ବାବନା ପାଖରୁ ଯେତେ ଚଞ୍ଚଳ ପଳେଇ ଯାଇ ପାରେ ସେ ପଳେଇଗଲା । ଦିନ ରତରତ ବେଳକୁ କଢ଼ୀ ଘରେ ପହଞ୍ଚିଲା-। ଶାଗ ପରିବର୍ତ୍ତରେ ସେ ଆଜି ଆଣିଥିଲା ମାଛ । ଘରେ ପହଞ୍ଚି ବାବନାକୁ ଖୁବ୍ ଆନନ୍ଦ ଥିବାର ଦେଖିଲା, କାରଣ କିନ୍ତୁ କିଛି ବୁଝିପାରିଲା ନାହିଁ । ସବୁ କଥାକୁ ପଛରେ ପକେଇ ଅଧଲଟାକର ତେଲ ଆଣିବା ପାଇଁ ସେ ଦୋକାନକୁ ବାହାରିଗଲା । ସାଙ୍ଗରେ ସାଥୀ ହେଲା ତାର ସଜନୀ-। ଫେରୁ ଫେରୁ ବାଟରେ ସଜନୀ କହିଲା କଢ଼ୀକି,–ବାବନାଟା ଏଡ଼ିକି ଚଗଲା । କଢ଼ୀ, ଆଜି ଖରାବେଳଯାକ ମତେ ଧରି ସେ ଯା’ କରିଚି,–ଦେଖିଲୁ ହାତଟା କେମିତି ରଙ୍ଗା ପଡ଼ିଯାଇଛି ତା ସଙ୍ଗରେ ନାଗି ନାଗି । ଏତେ ବଳ ପୁଣି ତା ଧିଏରେ ।

 

ସଜନୀର କଥା ଶୁଣି କଢ଼ୀର ରୁମମୂଳଗୁଡ଼ା’ ଯେମିତି ଟକମକ ହୋଇ ଫୁଟିଲା । ସାରା ଦେହଟାର ହାଡ଼ଗୁଡ଼ାକ ଯେପରି କିଏ ପିଟି ଟିକ୍‍ଟିକ୍ କରିଦେଲା । ସେ ପଦେ ହେଲେ କଥା ମୁହଁ ଫିଟେଇ କହିପାରିଲା ନାହିଁ । ଦଣ୍ଡକରେ ସେ ସବୁ ବୁଝିପାରିଲା, କାହିଁକି ବାବନା ତା ଆଗରେ ଏତେ ଥର ସଜନୀ କଥା ଉଠଉଥିଲା, ଆଉ ତା ସଙ୍ଗରେ ବା’ ହବାକୁ ବି ଅମଙ୍ଗ ହେଉଥିଲା ସେତେବେଳେ । ତା’ପରେ ଆଜିର ଖୁସି । ବାହାଘର ଦିନ ତ ସେ ଏତେ ଖୁସି ହେବାର ତାକୁ ଦେଖି ନଥିଲା ! ଭାବି ଭାବି ଚଉଦିଗ ତାକୁ ଅନ୍ଧାର ଦେଖାଗଲା । ଘରେ ପହଞ୍ଚି ଅତି କଷ୍ଟରେ ରୋଷେଇ ମୁଠା କଲା, ବାବନାକୁ ଖାଇବାକୁ ଦେଇ ନିଜେ ଉପାସରେ ତୁନିହୋଇ ଶୋଇ ପଡ଼ିଲା-। ବାବନାର ଆଉ କୌଣସି କଥାର ଚିନ୍ତା ନାହିଁ, ସବୁ ଅଭାବ ତାର ଯେପରି ପୂର୍ଣ୍ଣ ହୋଇଯାଇଚି-। ଦୁନିଆକୁ ସେ ଜୟ କରି ପାରିଚି ।

 

ସେଦିନ ରାତି ଅଧକୁ ବାବନା ସପନ ଦେଖିଲା ତାକୁ ଗୋଟା ଟୋକୀ ଥଟା କରୁଚି,–ଆଉ ସେହି ଟୋକୀ ପୁଣି ନିଜର ହାତଟା ଛଡ଼େଇ କହୁଚି, ନେଲୁ ହାତରୁ ମୋର ତୋ ହାତ ଛଡ଼େଇ ନେଲୁ ? ବାବନା ଭଲକରି ଦେଖିଲା ସେ ଟୋକୀ ଆଉ କେହି ନୁହେଁ, ତାରି ଭାରିଯା କଢ଼ୀ । ଭାରି ରାଗହେଲା ତାର । ତାରି ପାଖରେ ଶୋଇ ତାକୁ ଏମିତି ଅପମାନ କରୁଚି ସେ । ନିଦ ତାର ଭାଙ୍ଗିଗଲା । ନିଜର ପୁରୁଷକାର ଉପରେ ସନ୍ଦେହ କରି ଶାୟିତା କଢ଼ୀର ହାତଟାକୁ ଜୋରରେ ଧରି ଝିଙ୍କି ଆଣିଲା । କଢ଼ୀ ମସିଣାରୁ ଉପରକୁ ଉଠି ଆସିଲା ସେ ଝିଙ୍କାରେ । ବିଜୟ ଉଲ୍ଲାସରେ ଖିଲ୍ ଖିଲ୍ ହୋଇ ବାବନା ହସି ଉଠିଲା । କଢ଼ୀର ନିଦ ବି ସେତେବେଳକୁ ଛାଡ଼ିଯାଇ ଥିଲା ସନ୍ଦେହ ତାର ଦିଗୁଣ ହୋଇ ବଢ଼ିଲା । ସେ ମନେକଲା ବାବନା ତାକୁ ଧକା ମାରି ବାହାରି ଚାଲି ଯିବାକୁ କହୁଚି ।

 

ସାମାଜିକ ଶୃଙ୍ଖଳା ହେତୁ ଆତ୍ମହତ୍ୟା କରିବାର ଭୀରୁତା କଢ଼ୀକୁ ସ୍ପର୍ଶ କରି ନ ଥିଲା । ନିଜର ଗୋଡ଼ ଦିଖଣ୍ଡ ଉପରେ ନିର୍ଭର କରି ସେ ବାହାରର ଅନ୍ଧାର ମଧ୍ୟରେ ଆପଣାର ପଥ ପ୍ରସ୍ତୁତ କରିବାକୁ ସେଠାରୁ ବାହାରି ଚାଲିଗଲା । ବାବନାର ସେଆଡ଼କୁ ନଜର ନାହିଁ ।

Image

 

କଥୟନ୍ତୀ

ଯଥା ଲାଭ

 

ମୁଣ୍ଡରେ ମୁଣ୍ଡେ ବୁଦ୍ଧି, ପେଟରେ ପେଟେ ଷଡ଼ଯନ୍ତ୍ର, ମୁଠାରେ ମୁଠା ଶୂନ୍ ପଇସା, ହରି ବଡ଼’ପାଙ୍କ ସମ୍ବଳ ।

 

ପୁରା ନାମ ତାଙ୍କର ହରେକୃଷ୍ଣ ପଟ୍ଟନାୟକ । ଡାକ ନା ହରି ପଟନା’କ । ଆମେ ଡାକୁ ହରି ବଡ଼’ପା ଓରଫ୍ ହରିବଡ଼ବାପା । ତିନିଖଣ୍ଡ ଗାଁରେ ତାଙ୍କର ଖାତିର । ଭୁଲରେ ମଧ୍ୟ ଜଣେ ଜଣେ ତାଙ୍କୁ ଆଗରୁ ଗୋଟା ଲେଖାଁ ଦଣ୍ଡବତ ବାଢ଼ି ଦିଅନ୍ତି । କିନ୍ତୁ ହାରାହାରି ସମସ୍ତଙ୍କଠାରୁ ଗୋଟାଏ ଲମ୍ବା ଦଣ୍ଡବତ ଆଦାୟ କରିବାର କ୍ଷମତା ସେ ପୂରାପୂରି ହାସଲ କରିଚନ୍ତି । ରୂପଟା ତାଙ୍କର ମନ୍ଦ ନୁହେଁ, ଲମ୍ବା ପାଞ୍ଚହାତ ଦେହ, ଛାତି ହାଡ଼ କେତେ ଖଣ୍ଡ ଗଣି ହୋଇଯାଉଚି । କପାଳର ରେଖା କେତୋଟି ଅତି ସ୍ପଷ୍ଟ । ନାକଟା ବି ଧାରୁଆ–ନାକ ତଳେ ଧାରେ ଧଳା ନିଶ । ମୁଣ୍ଡରେ କଳା ଧଳା ମିଶା କାହାଣେ କି ଦି’ କାହାଣ ବାଳ । ଅଣ୍ଟାଠାରୁ ଶ୍ରୋଣିତଟା ଟିକେ ଅସ୍ଵାଭାବିକ ରକମର ବଙ୍କା । ସେହିଟା ଯେପରି ପ୍ରାଚ୍ୟ କଳା ପଦ୍ଧତିରେ ନିୟମ ଭଳି, ଅନ୍ତରଭାବର ବହିଃପ୍ରକାଶ । ପରିଧାନ ପ୍ରାୟ କଳା ଫିତା ଧଡ଼ିଆ ବିଲାତ ଧୋବ ବାସିଲୁଗା–କାନ୍ଧରେ ଖଣ୍ଡେ ପାଚିଲା ଗାମୁଛା, ଲୁଗାର ପିନ୍ଧା କାନିଟା ଅନେକ ସମୟରେ ଦେହଟି ପ୍ରାୟ ଆବୃତ କରିଥାଏ । ଆଉ ହାତରେ କିମ୍ବା ପାଟିରେ ଅଧିକାଂଶ ସମୟରେ ଶୋଭା ପାଉଥାଏ ଖଣ୍ଡେ ଲମ୍ବ ଧୂଆଁପତ୍ର ପିକା । ବେଶି କାମ ସେ କରନ୍ତି କଲମରେ–କିନ୍ତୁ ବାହାରେ ବାହାରିଥିଲା ବେଳେ କାନରେ କିମ୍ବା ହାତରେ କଲମ ସେ ବହନ କରନ୍ତି ନାହିଁ । କେବଳ ଖାଇବି ହାତର ମଝି ଆଙ୍ଗୁଠି ଟିପରେ କେବେ କେବେ କାଳିର ଦାଗ ଟିକେ ଟିକେ ଲାଗି ରହିଥିବାର କ୍ଵଚିତ୍ ଦେଖାଯାଏ ।

 

ଏତେ ଖାତିର ସତ୍ତ୍ୱେ ପରିବାରର ଭରଣପୋଷଣ ବୋଝଟା ସମାଳିବା ପାଇଁ ତାଙ୍କୁ ଅନେକ ଧାଁ ଧପଡ଼ କରିବାକୁ ହୁଏ । କେହି ଅଯାଚିତ ଭାବରେ ଘରକୁ ତାଙ୍କର କିଛି ପଠେଇ ଦେବାର ଦେଖାଯାଏ ନା । ପରିବାର ମଧ୍ୟରେ ତାଙ୍କର ସେପରି କେହି ନାହାନ୍ତି । ବଡ଼ ଓ ଏକମାତ୍ର ପୋଷଣହାରି ପୁଅ ହାଲି ଦି ବର୍ଷତଳେ ମାରିଯାଇଚି–ନିଜେ ମଧ୍ୟ ବିପତ୍ନୀକ । ବାକୀ ତାଙ୍କ ଛଡ଼ା ଆଉ ଦୁଇ ଜଣ–ବିଧବା ବୋହୂ ଓ ଛୋଟ ନାତୁଣୀଟିଏ ।

 

ସେ ଦିନ ହରିତାଳିକା । ସକାଳୁ ହରିବଡ଼ପା ଉଠି ଦେଖନ୍ତି, ପିଲାଗୁଡ଼ା ସବୁ ଫୁଲ ତୋଳିବା ପାଇଁ ଦଉଡ଼ା ଦଉଡ଼ି ହୋଇ ପାଟିଗୋଳ କରୁଚନ୍ତି । ନିଜ ଅଣ୍ଟାର ଖୋସଣୀ ଚାରିପଟେ ହାତଟା କାଇଁକି ବୁଲେଇ ନେଲେ, ଦେଖିଲେ, ଖୋସଣୀଟା ସେନ୍ତରା–ହାତକୁ ଜମା ଲାଗୁନି, ଟଙ୍କା ତ ଦୂରର କଥା, ଗୋଟା ଦୋ ପଇସି ହେଲେ ଅଣ୍ଟାରେ ନାହିଁ ଯେ କେଉଁଠି ପହଞ୍ଚି ଟଙ୍କା ଭଙ୍ଗେଇଲେ ପଇସା ଦେବେ ବୋଲି ପତିଆରା ଜମେଇ ସଉଦା ପତ୍ର କିଛି ଘେନି ଆସିବେ । ଅଳ୍ପ କେତେ ମିନିଟ ଭାବିବା ପରେ ସେ ବି ବାହାରିଲେ ଫୁଲ ତୋଳି, କିନ୍ତୁ ସେ ଫୁଲ ହାତ ଅପେକ୍ଷା ମନକୁ ବେଶି ନରମ ଲାଗେ, ମିଞ୍ଜାଷ ଭାରି ଥଣ୍ଡା ରଖେ । ତା କେବଳ ରୁପା ଆଉ ତମ୍ବାରେ ତିଆରି । କାଗଜରେ ବି ହୁଏ, କିନ୍ତୁ ବଡ଼ପା ଆମର ସେଥିରେ ବେଶି ଆଶା ରଖି ନାହାନ୍ତି ।

 

ସେ ଚାଲ ଚାଲ ହେଇ ଚାଲୁଚନ୍ତି, ଡାହାଣ ହାତର କଚଟିଠାରୁ ଆଙ୍ଗୁଠି ଅଗଯାଏ ସାରା ପାପୁଲି ବା ପଞ୍ଝାଟା ତାଙ୍କର ଯେମିତି କଥା କହି ଉଠୁଥାଏ । ମୁଣ୍ଡ ଭିତରେ ଚିନ୍ତାର ଗତି ସେଥିରେ ସେତେ ଅବିକଳ ଫୁଟି ଉଠିଚି । ଶାମ ଶତପସ୍ତି ଘର ସଳଖରେ ହେଇଛନ୍ତି, କିଏ ଜଣେ ମାଇପି ଲୋକ ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ ଚାଲିଟା ତାଙ୍କର ବନ୍ଦ କରିଦେଲା ।

 

–କିଏ ମା, କିଏ, ଉଠ୍ ଉଠ୍, ମୁଁ ତ ଚିହ୍ନି ପାରୁନାଇଁ–ଉଠ୍ ମା, କଥା କଣ– ?

 

ହରିବଡ଼’ପା ମାଇପିଟିକୁ ତଳୁ ଉଠିଯିବା ଲାଗି ଏଇତକ କଥା କହିଲେ । ସ୍ତ୍ରୀ ଲୋକଟି ଦରଉଠା ହେଇଚି, ବଡ଼’ପା ହଠାତ୍ ଚିହ୍ନି ପକେଇଲେ–କିଏ ଅପନି ! କଣ, କଥା କଣ– ? ବୋଲି କହି ଉଠିଲେ ।

 

–ତମେ ଥାଉ ଥାଉ ମୁଁ କଣ ଭାସି ଯିବି ମଉସା– ?

 

–କଣ, କଥା କଣ ?

 

ସେଇ ଦୁରୁଜା ତ ମତେ ଖଣ୍ଡେ ପିଠି ନୁଚେଇ ପିନ୍ଧିବାକୁ କି ପେଟ ପୁରେଇ ମୁଠା ଖାଇବାକୁ ଦେଲା ନେଇଁ । ପୁଅଟିଏ ତ ମେଣ୍ଢେଇ ଦେଇ ମତେ ସମସ୍ତେ ହରଡ଼ ଘଣାରେ ପକେଇ ମାଇଲେ; ଆଉ, ତମେ ଥାଉଥାଉ ମୁଁ ଏ ରାଜ୍ୟରୁ ଗଲେ କଣ ଭଲ ହେବ ? ମୋର କଣ ନାଇଁ, ସେ ବେହେରା କଣ ନ ରଖି ଯାଇଚି ? –ପାନ ଗୁଆ ତ ଦେଖିବାକୁ ସାତ ସପନ, ମୁଠା ଖାଇବାକୁ କି ଖଣ୍ଡେ ପିନ୍ଧିବାକୁ ପାଇଲି ନେଇଁ, ହଜାରେ ଥାଇ ମୋର କଣ ହବ ? ନିଆଁ ଚୁଲି ଥାଇକରି କେତେ, ନ ଥାଇକରି କେତେ– ?

 

–ଆଛା କଥା, ପିଲାଙ୍କର ଆଜି ହତାଳିକା–ମୁଁ ତ….

 

–ନିଅ ମଉସା, ତମ ପାନଖିଆ ଖରଚ ନିଅ, କିଛି କିନାରା ନ କରିଦେଲେ ହବନି ।

 

ହାତ ପତେଇ ହରିବଡ଼’ପା ଦେଖିଲେ ସୁ’କି କି ଅଧୁଲି ନୁହେଁ, ପୁରା ପୂର୍ଣ୍ଣଚନ୍ଦ୍ର–ଖାଣ୍ଟି ଗୋଟିଏ ଟଙ୍କା ।

 

–ଆଚ୍ଛା, ଚାଲେ ଚାଲ, ଘରକୁ ଚାଲେ–ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଭଲ ନୁହେଁ । କିଏ କୋଉଠି ଆଖି କାନ ମେଲେଇ ସାରିବଣି । ସଦର ବାଟଟା ଉପରେ କଥା ହେବା କଣ–ଚାଲେ ଘରକୁ ଚାଲେ ।

 

ପ୍ରାୟ ଦଶ କଦମ ବାଟ ଘରଠଉଁ ହରିବଡ଼’ପା ବେଶି ବାହାରି ଆସିଥିଲେ, ଯାଉଣୁ ଆସୁଣୁ କୋଡ଼ିଏ କଦମ ଚାଲିଲେ । ଏଇଥି ଭିତରେ ଖୋସଣୀଟା ପୁରା ହୋଇ ଯାଇଚି, ଦୋପଇସି ନୁହେ–ତାର ଚଉଦ ପୁରୁଷ–ସଫଦ ଧଳା ଆଉ ପୁରା ଗୋଲ ।

 

–ଗୋବରା, ଗୋବରା, ଆରେ ଗୋବରା ଅଛୁକିରେ–

 

ଗୋବରା ଓରଫ ଗୋବର୍ଦ୍ଧନ ପଡ଼ୋଶୀ ସଉରି ଦାସଙ୍କ ମଝିଆଁ ପୁଅ । ସମୟ ବଖତରେ ହରିବଡ଼’ପାଙ୍କ ଡାକହାକ ଶୁଣେ–ଲୁଣ, ତେଲ ପନିପରିବା ପଇସା ଦେଲେ ଆଣି ଯୋଗାଇ ଦିଏ । ଡାକ ଶୁଣି ଜଣେ ବର୍ଷିୟସୀ ଅନ୍ତରାଳରୁ ସଶଙ୍କ ତୁଣ୍ଡରେ କହିଲେ–ଗୋବରା ତ ନାଇଁ, ପାହାନ୍ତାରୁ ଫୁଲ ତୋଳିବାକୁ ଯାଇଚି ଯେ ଏତେବେଳେଯା ଆସିନି ?

 

କାମଟା ଅଟକିଲା ନି । ବେବର୍ତ୍ତା ଘର ବିଶି ପୂଜା ସଉଦା ଆଣିବା ପାଇଁ ଦୋକାନକୁ ଯାଉଥିଲା, ସଉଦାର ଚିଠା ଖଣ୍ଡିଏ ଲେଖି ବଡ଼ପା ଟଙ୍କାଟିକୁ ତା ହାତରେ ଧରେଇ ଦେଲେ ।

 

–ହଁ, କଣ ହେଲା ଅପନି– ?

 

ଅପନି କହିବ କହିବ ହଉଚି, ତା ଆଗରୁ ପୁଣି ବଡ଼ପା କହିଲେ–

 

ଆଛା ଅପନି, ଦୁରୁଜାର ତ ସେ ଗୋଟିକ ବୋଲି ପୁଅ; ସେ କେମିତି ତତେ ତାକୁ ଦେଲା ?

 

–ସେଇ କଥା ତ, ପୁରିଆ ମତେ ତ ସେଇ କଥା କହିଲା ।

 

–ଆଛା, ୟାର କଣ କିଛି ଲେଖାପଢ଼ି ହେଇଚି ? ସାକ୍ଷୀ କି ଭଦ୍ରଲୋକ କିଏ ସବୁ ଦସ୍ତଖତ ଦେଇଛନ୍ତି ?

 

–ଲେଖା ପୁଣି ପଢ଼ି, ସବୁ ତ ସେଇ ଚିଲାଆଖିଆ ଈଶରାର ଫନ୍ଦି । କଣ ଦଶ ବାର ଟଙ୍କା ଦୁରୁଜା ତାକୁ ଦେଲା, ସେଇ ତ ସବୁ ଇମିତି କରି ଦେଇଚି ।

 

...ଆଁ, ଈଶରା । ଈଶରାଟା ଦଶ ବାର ଟଙ୍କା ଖାଇଗଲା ।

 

କଥାରେ ଶେଷତକ ଯେପରି ସ୍ଵଗତ ସେହିପରି ଜଣାଗଲା ।

 

–ଆଛା, ଅପନି, ତୁ କାଲି ସକାଳୁ ଆସିବୁ ଯା । ଆଜି ଆସିଲୁ ଭଲ କଲୁ, ମୁଁ ବି କାଲି ରହି ନ ଥାନ୍ତି, କାଲି ଖାସ୍ ତୋ ଲାଗି କମେଇ ହେବି ପଛକେ କଥାଟା ସାରା କରିଦେବି । ଆଜି ଯା ବର୍ଷକର ଦିନୁଟା, ଯାଏଁ, ଟିକେ ଗାଧୁଆପାଧୁଆ କରେ ।

ତହିଁଆରଦିନ ସକାଳେ ଅପନି ଆସି ଠିକ୍ ବେଳେ ପହଞ୍ଚିଲା । ହରି ବଡ଼ପା’ଙ୍କ ହାତକୁ କାଲି ପରି କଣ ବଢ଼େଇ ଦେଲା, ହରି ବଡ଼ପା ହାତକୁ ତା’ ନେଇ ଦେଖିଲେ, ଟଙ୍କା ନୁହେଁ, ଇଏ ବି ଟଙ୍କାର ଚଉଦପୁରୁଷ, ମହାପର୍ସାଦ ।

–ଆଜିଠଉଁ ମୁଁ ତମର ଝୁଅ ହେଲି ମଉସା, ତମେ ମୋ ବାପ ହେଲ–ତମକୁ ନାଗିଲି ।

–ସାରିଦେଲୁ, ସାରିଦେଲୁ ଅପନି, ଏଡ଼େ ବଡ଼ କଥାଟା କହି ପକେଇଲୁ । ହଃ ପ୍ରଭୁଙ୍କର ବରାଦ–

ଅପନି ହରି ବଡ଼ପାଙ୍କ ଫାନ୍ଦରେ ପଡ଼ିଲା । ବଡ଼ପାଙ୍କ ମନୋଭାବ ଯେପରି ଅପନିର କାର୍ଯ୍ୟ ଭିତରେ ମୂର୍ତ୍ତି ପରିଗ୍ରହ କରିନେଲା । ସେହିଦିନଠୁଁ ଅପନି ବଡ଼’ପାଙ୍କ ଘରେ ରହିଲା କହିଲେ ଚଳେ । ସକାଳର ବାସିକାମଠାରୁ ଆରମ୍ଭ କରି ଘରର ଯାବତୀୟ କାମ ଏବଂ ଯାବତୀୟ ଖର୍ଚ୍ଚ ବର୍ତ୍ତମାନ ସେ ଚଳେଇଲା–ଖାଲି ରୋଷେଇଟା ଛଡ଼ା ଆଉ ସବୁଥିରେ ଅପନିର କର୍ମକୁଶଳତା ଫୁଟି ଉଠିଲା ।

ଦୁରୁଜି ବେହେରାର ଦଶମାଣ ଜମି ଯେପରି ବଡ଼’ପାଙ୍କ ଛାତିରେ ଗୋଟା ବଥ ହୋଇଥିଲା । ଖରାଦିନେ ସେ ଯେତେବେଳେ ଜମି ଚଷେ, ବଡ଼ପା ଭାବନ୍ତି ଯେମିତି ତାଙ୍କରି ଛାତି ଉପରେ ଲଙ୍ଗଳ ନୁହାଟା ହାତେ ବହଳର ଗଳି ଯାଉଚି । ଏପରି ହେବାର ବିଶେଷ କାରଣ ବି ଥିଲା-। ବଡ଼ପା ଶୁଣିଚନ୍ତି, କୁଆଡ଼େ ତାଙ୍କ ଅଜା କି ଅଣଅଜା କି ପଣଅଜା କି କଣଅଜା ଅମଳରେ ଦୁରୁଜି ବେହେରାର ଜମିଗୁଡ଼ା ତାଙ୍କରି ହିଁ ଥିଲା । କୌଶଳକ୍ରମେ ଗଉଡ଼ଘର ସେତକ ମାରି ନେଇଛନ୍ତି-। ଯାହାହେଉ, ଧନ ଲାଭ, ତା ଉପରେ ଜମିତକ ଆସିଲେ ତ ଖଣ୍ଡ ଉପରେ ମହୁ ବର୍ଷିଲା ପରି ହେବ । କିଛିଦିନ ପରେ ଯୋଗାଡ଼ଯନ୍ତ୍ର କରି ବଡ଼’ପା ଅପନିକି ଶୁଣେଇଲେ ସେ କଟକ ଯାଇ ଜଣେ ଓକିଲ କି ମୁକ୍ତିଆର ସାଙ୍ଗରେ ପରାମର୍ଶ କରି ନ ଆସିଲେ କଥାଟା କିଛି ପକ୍କା ହେବ ନାହିଁ-। ତାହା ପରେ ତ ସିଧାସଳଖ ଅଦାଲତ, ସେଠି ଆଉ ହରି ପଟ୍ଟନା’କଙ୍କୁ ପାରେ କିଏ !

 

ଖଞ୍ଜରେ ବଡ଼ପା ୟା ଭିତରେ ବୁଝିନେଲେଣି, ଅପନିଠି କିଛି ଉଣା ଟଙ୍କା ନାହିଁ, ନଗଦ ଫାଁ’ଶ । ତା ବାଦେ ହେହର ଠାଏଠାଏ ଜକଜକ ଦିଶେ । ସେତକ ବି ଖାଲି ଚାନ୍ଦି ନୁହେଁ, ତା ଭିତରେ ଜାଗା ଜାଗା ବି ହଳଦିଗଣ୍ଠି ପରି ଚିଜ ଦେଖାଯାଉଚି, ସେ ନିଶ୍ଚେ ଏହି କାମିନୀ ଦିହରେ କାଞ୍ଚନ । ତାହାର କିଛିଦିନ ଉତ୍ତାରେ ବଡ଼ପା କଟକ ଯାଇ ସବୁ ବୁଝା ସମଝା କରି ଫେରିଲେ । ଅପନି ଆଗରେ ଅତି ଗୁପ୍ତରେ ତାଙ୍କ କୋଲପଘର ପିଣ୍ଡା କଣରେ ବସି କେତେ କଣ କଥାବାର୍ତ୍ତା ହେଲେ ଯେ ଅପନି ଯେପରି ହାତ ମୁଠାରେ ସରଗ ଚାନ୍ଦ ପାଇଲା ପରି ଜଣା ଯାଉଥାଏ । ଏହିପରି ବଡ଼ ମଜାରେ ବଡ଼’ପାଙ୍କର ବକୟା ଜୀବନଟା କଟିବା ଆରମ୍ଭ କଲା । ୟା ଭିତରେ ଆଉ କାହାରି କେଶ୍ ବଡ଼ପା ହାତକୁ ନେଉ ନାହାନ୍ତି, କେବଳ ମଝିରେ ସେହି ବଡ଼ଜେନା ସାହିର ସର୍ବେଶ୍ଵର ବାବୁଙ୍କ ବଳାବଳିରେ ତିନିଖଣ୍ଡ ଫମ୍ପା ତମସୁକ ଆଉ ପାଞ୍ଚ କି ଛଟା ତମାଦି ହୋଇ ଯାଉଥିବା ହେଣ୍ଡନୋଟ ପିଠିରେ ଆଠ କି ଦଶଟା ଜାଲ୍ ଦସ୍ତଖତ୍ ପୂରଣ କରିଚନ୍ତି ମାତ୍ର । ସେଥିରୁ କିଛି କମ୍ ମିଳି ନାହିଁ–ତମସୁକ ତିନିଖଣ୍ଡରେ ତିରିଶ ଟଙ୍କା ଆଉ ଜାଲ ଜ୍ଵାଚୋରିରେ ପ୍ରାୟ କୋଡ଼ିଏଟା ଯାଏ ଟଙ୍କା ରଣଝଣ ହୋଇଯାଇଛି ।

 

କଥାଟ ଅଛପା ରହିଲା ନାହିଁ । କାନକୁକାନ ଦଶକାନ ହୋଇ ଗାଁଟାସାରା କ୍ରମେ ପ୍ରଘଟ ହୋଇଗଲା । ଦୁରୁଜି ଜାଣିଲା ହରି ପଟ୍ଟନା’କଠାରୁ ରକ୍ଷା ପାଇବା ସହଜ ନୁହେଁ, ଅସଲ କଥା ରାଣ୍ଡୀଟାକୁ ହାତରେ ନ ରଖିଲେ ନ ହୁଏ ।

 

ବଡ଼ପା ଗୋଇନ୍ଦାଙ୍କ ସର୍ଦ୍ଦାର । କେଇଟା ଲୋକଙ୍କର ନଙ୍ଗ-ପଙ୍ଗ ଦେଖି ତାଙ୍କ ନାଙ୍ଗୁଡ଼ ଆଉ କିଏ ପାଏ ? ଅପନି ବି ସେହି ଦିନଠୁ ପଦାକୁ ଟିକେ ବାହାରିଲା ନାହିଁ । ବଡ଼ପା ଗୋଟା ଚାକରାଣୀ ରଖିଦେଲେ, ଅପନି ଯେମିତି ତାଙ୍କଘରେ ଗୋଟିଏ ନୂଆବୋହୂ ଭଳି ଚଳିଲା । ଗାଧୋଇବାଠାରୁ ବାହାରକୁ ଯିବା ପର୍ଯ୍ୟନ୍ତ ସବୁ ସେହି ବାରିଘର ଭିତରେ ବ୍ୟବସ୍ଥା କରିଦେଲେ ।

 

ଦିନେ ହଠାତ୍ ମହାଜନ ଘର ବରଜମା ଅପନିକି ବାରି କୂଅମୂଳେ ଗାଧୋଉଥିବାର ଦେଖିଲା । ସଞ୍ଜବେଳେ ନଈକୂଳରୁ ଅଣ୍ଟାପାଣି କରି ଫେରିବା ବାଟରେ ବରଜମା ଆଉ ତା ସାଙ୍ଗ ସାଗର ଅପା କଥା ହୋଇ ଫେରୁଥିଲାବେଳେ ଦୁରୁଜା ସବୁ ଶୁଣିଲା–“ଆପନି କଣ ଆଉ ଆଗ ଅପନି ଅଛି ? ନୁଚିଛି ନା ଗୋଡ଼ ଦୋଟି ଦୁଶୁଛି ? ମତେ ଦେଖି ତ ହାତେ ନମ୍ବର ଲୁଗା କାଢ଼ି ଦିହ ମୁଣ୍ଡ ଘୋରେଇ ହୋଇପଡ଼ିଲା । ମୁଁ କହିଲି କ’ ଅପନି; ହାଡ଼ିଆ ଗଉଡ଼ ମାଇପ ଅପନି, ସିଏ ପୁଣି ଗୋଟା ଉଢ଼ଣା ଟାଣୁଛି । କାଲି ସକାଳେ ଆଣ୍ଠୁ ଉପରେ ଲୁଗା ପିନ୍ଧି ଖଣ୍ଡମଣ୍ଡଳ କ୍ଷେପୁଥିଲା, ଆଜି ହେଇଗଲା କଣ ଭୁଆଷୁଣୀ । ଅସଲ କଥା କଣ ଅପା ଜାଣିଚ ନା, ସବାଖାଇ, ପରଘରପଶୀ, ସବୁ ଖାଇସାରିଲାଣି । ଦିହରେ ଦିହେ ଗହଣା, ସୁନାରୁ ରୂପାରୁ ବୋଝେ ହେଇ ନଦି ହେଇଥିଲା, କଣ କିଛି ହେଲେ ଅଛି ? କଣ ନା, ଦୁରୁଜା ବାନ୍ଧି ରଖିବ ବୋଲି ହରି ପଟନା’କ ଘରେ ନୁଚି ବସିଚି । ମାଲୋ, ଯୋଉ ନୂଆଭୂଆ ହୋଇଛି ନା, ଆକୁ ପୁଣି ବାନ୍ଧି ରଖୁଚନ୍ତି । ହୀନକପାଳିଟା ଭାଗ୍ୟରେ ସେଇ ଯୋଗ । ଟଙ୍କା ସାଇଲା, ପଇସା ସାଇଲା, ଦିହମୁଣ୍ଡରୁ ଗହଣାଯାକ ବି ପେଡ଼ି ଖାଇଲା । ନିଜର ପୁତୁରା ତ କଣ ଆଉ କିଏ ହେଇଚି ? ପୁଅ କିଏ ପୁତୁରା କିଏ, ରୁଟି ଜଗେଇକି ସେଇ ଯୋଗ । ମକଦ୍ଦମା କରି ଜମି ଖାଇବ, ଖାଉଥା ଲୋ ମା ।”

 

ଦୁରୁଜାକୁ ଚଉଦିଗ ଅନ୍ଧାର ଦେଖାଗଲା । ଏଇ କେତେଦିନେ ମାଇକିନାଟା ଭିତରେ ଭିତରେ ଏତେ କଥା କରି ବସିଲା–ପଇସାଗୁଡ଼ା ଅକାରଣେ ପରେ ଖୋଇଦେଲା ।

 

ଭାବି ଭାବି ଦୁରୁଜାର ମୁଣ୍ଡଟା ଯେମିତି ଖାଲି ହେଇଗଲା । ମୁଣ୍ଡ ଉପରକୁ ଅନେଇଲା, ଦେଖିଲା, ଗୋଟିଏ ତରା ମୁରୁକିହସା ମାରୁଛି । ଦୁରୁଜା ମନେ କଲା, ସେ ଯେମିତି ତା’ରି ପୁରୁଷତାକୁ ଥଟ୍ଟା କରୁଚି । ଭାବିଲା, ସବୁ କଥା ବେବର୍ତ୍ତାଙ୍କ ଆଗରେ ଜଣେଇଲେ ସେ ଗୋଟା କିଛି ନିଷ୍ପତ୍ତି କରି ଦିଅନ୍ତେ–ଯା ପାଞ୍ଚ ପଚିଶ ନେଲେ ନେବେ ପଛକେ, ହେଲେ ସେ କଣ ତାଙ୍କ ଭାଇର ନ ହେଇ ମୋର ହେବେ ? ଯାଏ ଦେଖେ । ଭାବି ଭାବିକା ଚାଲ ଚାଲ ହେଇ ଦୁରୁଜି ପାଟଯୋଷୀ ଘର ପାଖରେ ପହଞ୍ଚିଛି, ଦେଖିଲା, ଅପନି ଢାଳ ଧରି ରାୟଗୁରୁ ଘର ବାଉଁଶବାରିଆଡ଼କୁ ବାହାରକୁ ଯାଉଚି । ଆଗପଛ କିଛି ନ ବିଚାର ଧଇଲା ଯାଇ ଅପନିକି–ସେ ପାଟିକରି ଆସୁ ଆସୁ ପାଟିରେ ତାର ବିଣ୍ଡାଏ ଲୁଗା ମାଡ଼ି ଦେଇ ମୁହଁଟାକୁ ଯବର କରି ଲୁଗାରେ ଗୁଡ଼େଇ ଦେଲା । ଯୋଗକୁ ବାଟରେ ଘାଟରେ କେହି ନ ଥାନ୍ତି, ଶିବ ସତୀକି କାନ୍ଧରେ ପକେଇଲା ପରି ଅପନିକି କାନ୍ଧରେ ପକେଇ ଦୁରୁଜା ଦି କ୍ଷେପାରେ ଘରେ ପହଞ୍ଚିଲା । ହରି ବଡ଼’ପାଙ୍କ ଘରଠୁ ଦୁରୁଜା ଗଉଡ଼ ଘର ଡାକେ ବାଟ ହୁଏ କି ନ ହୁଏ । ଅପନିକି ଗୋଟା ଘରେ ପୂରେଇ ଦୁରୁଜା ତାଲା ବନ୍ଦ କରିଦେଲା ।

 

ରାତି ଆଠଟାବେଳେ ବଡ଼’ପା ଯେତେବେଳେ ମଠରୁ ଧୂପ ବଢ଼େଇ ଫେରିଲେ, ସବୁକଥା ଶୁଣି ମୁଣ୍ଡରେ ହାତ ଦେଇ ଥକ୍କା ମାରି ବସି ପଡ଼ିଲେ, ଏଡ଼େ ଲମ୍ବ ଚିଲମରେ ଚିଲମେ ଗଞ୍ଜେଇ ନିଶା କ୍ଷଣକେ କୁଆଡ଼େ ଉଦ୍ଭାନ ହୋଇଗଲା । ଆଖି ଆଗରେ ତାଙ୍କର ଖେଳିଗଲା, ଦୁରୁକା ହଳ ଘେନି ଜମି ଉପରକୁ ଯାଉଚି, ଆଉ ସେ ଧନ ଗଣ୍ଠିଆ ପାଞ୍ଚଣଟାରେ ବଳଦକୁ ନ ପିଟି ଯେମିତ ତାଙ୍କ ପିଠିଯାକ ପିଟି ଫଟେଇ ଦଉଚି ।

 

ସେତେବେଳକୁ ବଡ଼’ପାଙ୍କର ଆନନ୍ଦର ଏକମାତ୍ର ଆଶ୍ରୟସ୍ଥଳ ନାତୁଣୀ ରେବ ଆସି ତାଙ୍କ ପିଠିରେ ନାଉ ହୋଇ ସାରିଥିଲା । ହଠାତ୍ କଣ ଗୋଟା ରଗଡ଼ି ହେଇଯିବାରୁ ବଡ଼ପା ହାତରେ ଅଣ୍ଡାଳି ଦେଖିଲେ, ରେବ ବେକରେ ଅପନିର ସେହି ସଇ–ସୁନାର ନିଦା କଣ୍ଠି ମାଳକ ।

Image

 

ଚିଠି

 

ସୁଧା ଓ ସୁଧାଂଶୁ ଦୁହେଁ ପ୍ରିୟା ଓ ପ୍ରିୟ, ସିତାରଟି ଦୁହିଁଙ୍କର ପ୍ରିୟ । ଦୁହେଁ ନବଦମ୍ପତି, ସିତାରଟି ବି ନୂଆ–ସେଇଟି ଆଗରେ ଥୁଆ ହୋଇଛି ।

 

–ସୁଧା !

 

–ଉଁ,

 

–ଗା’ ମ, ଗୋଟିଏ ଗୀତ ଗା’.... !

 

–ଆଗେ ଆଜି ତମେ ଗା’, ମୁଁ ପଛେ–

 

ହଠାତ୍ ଦୂରରୁ କାହାର ପାଦଶବ୍ଦ ଶୁଭିଲା । ସ୍କ୍ରିନଟା ଆଡ଼େଇ ସୁଧାଂଶୁ ଦେଖିଲା ଦୁଷ୍ଟାମି ହସ ହସି ଖଣ୍ଡେ ନାଲି ଲଫାପା ହାତରେ ଆଉଚି ଶକୁନ୍ତଳା ।

 

ଶକୁନ୍ତଳା ସୁଧାଂଶୁ ଚାହିଁବାର ଜାଣିପାରି ନ ଥିଲା । ଝରକାର ରେଲିଂରେ କଅଁଳ ହାତଟି ବଢ଼େଇ ଚିଠିଖଣ୍ଡ ପରିହାସ ସହ ପକେଇ ଦେବାକୁ ଯାଉଚି, ଆଖି ପଡ଼ିଲା ସୁଧାଂଶୁ ଉପରେ । ଆଗ ଜିଭଟା ଅଧେ କାମୁଡ଼ି ପକେଇ ଏକା ଡିଆଁକେ ଯାଇ ତଳେ । ଚିଠି ଖଣ୍ଡିକ ହାତରୁ ତାର ଖସି ପଡ଼ିଲା ।

 

ଚିଠିଟି ତଳୁ ଗୋଟେଇ ନେଲା ସୁଧାଂଶୁ...ଚିଠିର ନାରୀଲିପିଗୁଡ଼ିକ ତାର କୌତୂହଳ ଦୃଷ୍ଟି ଆକର୍ଷଣ କଲା । ଖୋଲିବାକୁ ଯାଇ ଦେଖିଲା, ସେହି ନାରୀଅକ୍ଷରରେ ପଛ ପାଖ ଚିଠିର ଧାରେ ଧାରେ ଲେଖା ହେଇଚି ‘ଆସାମୀ’ ବ୍ୟତୀତ ଅନ୍ୟ ଖୋଲିବା ନିଷେଧ ।’

 

ନିଅ ଆସାମୀ ଖୋଲ । ମୁଁ ପଢ଼ିବାରୁ ବଞ୍ଚିତ ହେବିନି ତ–’

 

ସୁଧା ମୁଁହର ଅବସ୍ଥାକୁ ସେତେବେଳେ ପ୍ରସନ୍ନ ଚେହେରା କହି ହବନି, ତରୁଣ ସ୍ଵାମୀର ଏଭଳି କଥାରେ ଅବଶ୍ୟ ହସିବାର ଅନେକ ଉପାଦ ନ ଥିଲା, କାହିଁକି କେଜାଣି, ମନଟା ତାର ଯେମିତି ବଡ଼ ବିଷଣ୍ଣ, ଚେହେରାଟା ପୁଷୁମାସର କାଉଁଳିଆ ପାଗଭଳି ଦେଖାଯାଉଥାଏ ।

 

–ସୁଧା

 

ସୁଧା ଚମକି ପଡ଼ିଲା । ମନେକଲା, ତାର ଅଭି ଭାଇ କଣ ଏଇ ଚିଠି ସାଙ୍ଗେ ସାଙ୍ଗେ ଆଇଚି ।

 

ସଙ୍ଗୀ ଅରୁଣର ଆହ୍ୱାନ ପାଇଁ ସୁଧାଂଶୁ ସେତେବେଳକୁ ସେଠାରୁ ଚାଲି ଗଲାଣି । ସୁଧା ଅନେଇ ଦେଖିଲା ସେ ଏକାକୀ; ସିତାର ଉପରେ ଥୁଆ ହେଇଚି ନାଲି ଲଫାପା ଖଣ୍ଡକ । କେଉଁ ସୁଦୂରର ଲୋକ ପ୍ରତି ଗୋଟିଏ ତପ୍ତ ଅଭିଶାପ ଯେପରି ସୁଧାର ସମଗ୍ର ନିଃଶ୍ୱାସରେ ମୂର୍ଚ୍ଛିତ ହୋଇ ଉଠିଲା ।

 

ପ୍ରାୟ ଦଶମିନିଟ ପରେ ସୁଧାଂଶୁ ଫେରି ଆସିଲା । ଏପର୍ଯ୍ୟନ୍ତ ସୁଧା ସେହିଠାରେ ଛିଡ଼ା ହୋଇଛି । ସୁଧାଂଶୁର ଇନ୍ଦୁମତୀ ଆଉ ପାରିଜାତ ଫୁଲକଥା ମନେ ପଡ଼ିଲା । ଭାବିଲା, ଇନ୍ଦୁମତୀଙ୍କ ଦେହରେ ପାରିଜାତ ଫୁଲ ବାଜି ତାଙ୍କର ପ୍ରୟାଣ ହୋଇଥିଲା,.....ଏ ନାଲି ଲଫାପାଟି ଆଉ କଣ ଗୋଟିଏ ରୂପକୁ ପାରିଜାତ ! ଦର୍ଶନରେ ଏହାର ଇନ୍ଦୁମତୀ ମୋର ଝାଉଁଳି ପଡ଼ିଛି । ମନରେ ଆଉ କଣ ପାପ ଛୁଇଁଲା ନା କଣ ହଠାତ୍ ସୁଧା ପାଖକୁ ଲାଗି ଯାଇ ‘ସୁଧା–ସୁଧା–’ ଡାକି ଜୋରରେ ଦି ଥର ତାକୁ ହଲେଇ ଦେଲା । ସୁଧା ଅନେଇଥିଲା, ପୁଣି ଥରେ ଭଲ କରି ଅନେଇଲା । ବିଳିବିଳାଇଲା ପରି କହିଲା–

 

–ତାଙ୍କ ସିତାରଟା ତାଙ୍କୁ ଫେରାଇ ଦିଅ, ତାଙ୍କ ଚିଠି ତାଙ୍କୁ ଓ୍ୟାପସ୍ କରିଦିଅ ।

 

କିଛି ସମୟ ପରେ ପୁଣି ସୁଧା ଯେପରି ଆଗରେ କାହାକୁ ଦେଖୁଛି ସେହିପରି ପଚାରିଲା–

 

–ଆଉ କଣ ?

 

କୌଣସି ଉତ୍ତର ନାହିଁ ।

 

–ତମର ରକ୍ତ, ତମ ଆଖିର ପାଣି ? ମୁଁ ତ ତା’ ସବୁ ତମର କିଛି ନେଇନି– ?

 

ଉତ୍ତର ନାହିଁ ।

 

–ହଁ, ମୁଁ ତ କେବଳ ଗାଧେଇଆସେ, ଗାଧେଇ ସାରି ଚାଲିଯାଏ । ତମ ଆଖିରେ ପାଣି ତ ମୁଁ କେବେ ଦେଖିନି–ତମେ ଯେ କେବଳ ମୋରି ପାଇଁ ବଣିଚି ପକାଉଥିଲ ସେଥିପାଇଁ କଣ ମୁଁ ଦାୟୀ– ?

 

ସୁଧାଂଶୁ ଅବାକ୍ ହୋଇ ସୁଧା ମୁଁହକୁ କେବଳ ଅନେଇ ରହିଥାଏ । ଡାଆଣୀ ଲାଗିଲେ ଯେମିତି ଗପନ୍ତି, ସୁଧା ସେଇପରି ଖାଲି ଗପି ଯାଉଥାଏ । ଅଧିକ ବିପଦର ଆଶଙ୍କାରେ ସୁଧାଂଶୁ ପୁଣି ଥରେ ତାକୁ ହଲେଇ ଦେଲା, ସେ ଯେମିତି ପୁଣି ଚେଇଁ ଉଠିଲା, ପୁଣି କହିଲା....

 

–ତମେ ଗା, ମୁଁ ଆଜି ଗାଇ ପାରିବି ନାଇଁ, ଶୋଇବି, ଭାରି ନିଦ ଲାଗୁଛି ।

 

ନୂଆବୋଉ, କଣ ମୋତେ ଦବ କୁହ, ମୁଁ ଆଜି ତମର ଗୋଟା ଭଲ ଜିନିଷ–ଆଣିଚି ? ଶକୁନ୍ତଳାର କଥା ନ ସରୁଣୁ ସୁଧା ଯାଇ ତାକୁ ସଂପୂର୍ଣ୍ଣ ଭାବରେ କୁଣ୍ଢେଇ ପକେଇ, କୁହ କୁହ ବୋଲି ତାକୁ ବ୍ୟସ୍ତ କରି ପକାଇଲା ।

 

ଶକୁନ୍ତଳା ଛାତି ବ୍ଲାଉସ ଭିତରୁ ଖଣ୍ଡେ ନୀଳରଙ୍ଗର ଲଫାପା ବାହାର କରି ଦେଖେଇଲା-। ସୁଧା ହାତକୁ ଦେବା ପୂର୍ବରୁ ସତ୍ୟ କରେଇ ନେଲା ଯେତେବେଳେ ଯାହା ଚାହିବ ତା’ ଆଦାୟ କରିପାରିବ ବୋଲି ।

 

ସୁଧା ଚିଠି ପଢ଼ୁଚି, ଅନ୍ତରାଳରେ ସେଣ୍ଡେଲ୍ ଶବ୍ଦ ଶୁଭିଲା । ଭାଇ ଆସିବା ଜାଣିପାରି ଶକୁନ୍ତଳା ଧୀରେ ଅପସରି ଗଲା । ସୁଧା ସେହି ନୀଳ ଚିଠି ଖଣ୍ଡିକ ଧରି ଛିଡ଼ା ହୋଇ ସେହି ସେଣ୍ଡଲ୍ ଶବ୍ଦଆଡ଼କୁ ଅନାଇଚି ।

 

ଆସାମୀ ବ୍ୟତୀତ ଅନ୍ୟ ପଢ଼ିବା ନିଷେଧ ନାହିଁ ତା ?

 

–ନା, ଚିଠି ଖଣ୍ଡିକ ପ୍ରାୟ ତମରି, ମୋ ନାଁରେ ଆସିଚି ମାତ୍ର ।

 

ସୁଧା କଥାଗୁଡ଼ା’ ଯେପରି ସୁଧାକୁ ଦୋହଲାଇ ଦେଉଥା’ ସେ ଅନୁଭବ କଲା ପୃଥିବୀଟା ପ୍ରକୃତରେ ଘୂରେ ।

 

ଚିଠି ଖଣ୍ଡିକ ଲେଖିଛି ଜଣେ ତରୁଣୀ । ସୁଧାକୁ ସମ୍ବୋଧନ କରି ସେ ଲେଖିଛି–

 

ସୁଧା,

 

ମୋର ସୁଧାଂଶୁକୁ ତ ପାଇଲୁ ।

 

ମୁଁ ମୋର ହତାଶ ହୃଦୟର ଦୀର୍ଘ

 

ଶ୍ୱାସରେ ଗଗନ ପବନ ଆଚ୍ଛାଦିତ

 

କରି ବୁଲୁଚି । ସୁଧାଂଶୁ କେଡ଼େ ନିଷ୍ଠୁର ।

 

ତୋର ଅପରିଚିତା

 

ଚିଠି ପଢ଼ିସାରି ଖଣ୍ଡେ ସିଗାରେଟ ମୁହଁରେ ଦେଇ ପାଖ ଝୁଲଣ ଖଟ ଉପରେ ସୁଧାଂଶୁ ବସି ପଡ଼ିଲା । ତୁଣ୍ଡରେ କଥା କିଛି ପଇଟିଲା ନାହିଁ । କଣ କହି ସେ ସୁଧାକୁ ବିଷୟଟା ମିଥ୍ୟା କିମ୍ବା ଆଉ କଣ ବୋଲି କହିବ କିଛି ଠିକ୍ କରି ପାରିଲା ନାହିଁ । ସୁଧା ମଧ୍ୟ ସେହି ଦିନର ଘଟଣାରୁ ମନେମନେ ମରିଯାଉଚି । ସୁଧାଂଶୁ ଯେ ଏ ବିଷୟରେ ତାକୁ ପଚାରି ନାହିଁ, ତା କେବଳ ସୁଧାଂଶୁର ଉଦାରତା ବୋଲି ସେ ଧରିନେଇଥାଏ ।

 

ଅନେକ ସମୟ ନୀରବରେ କଟିଗଲା । ସୁଧାଂଶୁ ସେତେବେଳକୁ ତିନି ଚାରିଟା ସିଗାରେଟ ପାଉଁଶ କରି ସାରି ଆଉ ଗୋଟା ଲଗାଇବାର ଉପକ୍ରମ କଲାଣି । ସୁଧା ବି ବେଶି ନୁହେଁ ଦଶ ବାରଥର ପାନଛେପ ପକେଇ ପାଖ ଫୁଲଗଛଟାକୁ ଓଲଟ ଗଛରେ ପରିଣତ କରି ତା ମୂଳଯାକ ଫୁଲ ଫୁଟେଇ ସାରିଥାଏ । ସୁଧାଂଶୁ ମନେକଲା ସୁଧା ଅତି ଉଦାର ।

 

ରାତି ଦିଟା କି ଅଢ଼େଇଟା । ସୁଧାଂଶୁ ଓ ସୁଧା ଦୋତାଲାରେ ତାଙ୍କ ଶୋଇବା ଘରେ ଖଟରେ ଶୋଇଛନ୍ତି । ସୁଧା ନିଦରେ ଶୋଇ ପଡ଼ିଛି । ସୁଧାଂଶୁର ସେତେବେଳକୁ ନିଦ ଆସିନି । ମନେମନେ ଆକାଶ ପାତାଳ କେତେ କଣ ଭାବୁଚି । ହଠାତ୍ ତାର ମନେ ପଡ଼ିଲା ସୁଧା କଥା । କେତେ ଦୁର୍ବୋଧ୍ୟ ଏହି ସୁଧା ଚରିତ୍ର । ପାଖାପାଖି ସାରାରାତି ଏକାଠି ଶୋଇ ମଧ୍ୟ ତା ବିଷୟରେ ସେ ନିପଟ ଅଜ୍ଞ । ତକିଆ ତଳୁ ରିଷ୍ଟଓ୍ୟାଚଟା କାଢ଼ି ସମୟ ଦେଖିବ ବୋଲି ତକିଆ ଟେକି ଦେଖିଲା, ସେଦିନର ସେହି ନାଲି ଲଫାପାଟି ସେମିତି ଅଫିଟା ଅବସ୍ଥାରେ ତକିଆତଳେ ଥୁଆ ହୋଇଚି । ରହସ୍ୟ କିଛି ବୁଝି ପାରିଲା ନାଇଁ । ମନରେ କୌତୂହଳ ଜନ୍ମିଲା, ସୁଇଚ୍‍ଟା ଡାଉନ କରି ଚିଠି ଖଣ୍ଡିକ ପଢ଼ିବାକୁ ଯାଉଚି ନଜର ପଡ଼ିଲା ସୁଧା ମୁହଁ ଉପରେ । ଆଲୁଅଯାକ ଯେପରି କେନ୍ଦ୍ରୀଭୂତ ହୋଇ ମୁହଁ ଉପରେ ତାର ଜମା ହୋଇପଡ଼ିଛି; ଚିଠିଆଡ଼କୁ ଅନେଇଲା, ସେହି ନୁଆଣିଆ ନାରୀ ଅକ୍ଷରଗୁଡ଼ିକ ଆଖିରେ ସ୍ପଷ୍ଟହୋଇ ଦେଖାଗଲା–‘ଆସାମୀ ବ୍ୟତୀତ ଅନ୍ୟ ଖୋଲିବା ନିଷେଧ’ । ଭାବିଲା ଜଣେ ସ୍ତ୍ରୀ ଲୋକ ଆଉ ଜଣେ ସ୍ତ୍ରୀ ଲୋକ ପାଖକୁ ସେମିତି ମାରାତ୍ମକ କଥା ବା କଣ ଲେଖିବ ? ବୃଥାରେ ସୁଧାକୁ ସନ୍ଦେହ କରି ସେ ନିଜକୁ ଖରାପ କରିବ କାହିଁକି ? .....ତେବେ ସେ ସେଦିନ ଯେଉଁ କଥା କେତେପଦ ବିଳିବିଳେଇଲା ପରି କହିଲା, ତାହା ତ ଜଣେ ସ୍ତ୍ରୀ ଲୋକ ଉଦ୍ଦେଶ୍ୟରେ ନୁହେଁ ।

 

ସୁଧା–ସୁଧା– !

 

ମନରେ ମେଘୁଆ ଭାବଟା ସଫା କରିଦେବ ଭାବି ସୁଧାଂଶୁ ସୁଧାକୁ ଉଠେଇବାକୁ ବସିଲା । ସୁଧା ସାଙ୍ଗେ ସାଙ୍ଗେ ବିଳିବିଳେଇ ଉଠିଲା–

ମତେ କ୍ଷମାକର ଅଭିଭାଇ, ମତେ କ୍ଷମାକର–ଯଥେଷ୍ଟ ହୋଇଚି–ମତେ କ୍ଷମାକର–

 

ସୁଧାଂଶୁ ଏଥିରେ ବେଶି ଆଶ୍ଚର୍ଯ୍ୟ ନ ହୋଇ ଟିକେ ଧୈର୍ଯ୍ୟ ଧରିଲା । ଭାବିଲା, ସୁଧାର ନିଦ ଭାଙ୍ଗି, ଆଜି କଥାଟାର ସତ୍ୟ ଉଦ୍‍ଘାଟନ କରିବାକୁଇ ହବ ।

 

ସୁଧା ଉଠିଲା, ନିର୍ବିକାର ଭାବରେ କାହାଣୀ ଗପିଲା ପରି ସୁଧାଂଶୁ ଆଗରେ ସବୁ କହିଗଲା ।

 

“ଭାଇ କଲେଜରେ ପଢ଼ୁଥିଲାବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କ ନା ଅଭିମନ୍ୟୁ, ତାଙ୍କ ସାଙ୍ଗରେ ଆମ ଘରକୁ ବୁଲିଆସନ୍ତି । ପ୍ରାୟ ବର୍ଷରେ ଚାରି ପାଞ୍ଚଥରରୁ କମ୍ ଆସନ୍ତି ନାହିଁ । ବଣିଚି ପକେଇବାରେ ତାଙ୍କର ସଖ୍ । “ଆମ ବାଡ଼ି ଗାଡ଼ିଆ ଚାରିପାଖଯାକ ଗୁଆଗଛ । କୂଳରେ ଠାଏ ଠାଏ ଆଠ କି ଦଶଟା ଚମ୍ପାଗଛ । ଗାଡ଼ିଆ କୂଳର ବାଡ଼ିଯାକ ମାଳତୀ ଆଉ ଛୁରିଅନାର ବଣ । ତାଙ୍କ ସାଙ୍ଗ ବୋଲି ଅଭିମନ୍ୟୁ ବାବୁଙ୍କୁ ମୁଁ ଭାଇ ଡାକେ । ପ୍ରାୟ ନିତି, ସେ ଆମ ଘରେ ଥିଲାବେଳେ, ସକାଳ ଆଠାଟା କି ନ’ଟା ଠଉଁ ବାରଟା ଗୋଟାଏ ଯାଏ ପଶ୍ଚିମପାଖ ପଥରଘାଟ ଉପରେ ବସି ବଣିଚି ପକାନ୍ତି । ତାଙ୍କର ସେହି ବଣିଚି ମାଛର ତରକାରୀ ଘରେ ଆମର ସମସ୍ତଙ୍କର ଯେପରି ବଡ଼ ଆଦରର ଜିନିଷ । ଭୋଗ ପରି ସେଥିରୁ ଟିକେ ଟିକେ ଭାଗ ସମସ୍ତେ ନନେଇ ଛାଡ଼ନ୍ତି ନାଇଁ । ଅଭିଭାଇ ଆମ ଘରେ ସଭିଙ୍କର ଭାରି ପ୍ରିୟ ହୋଇ ଉଠିଲେ । ବୋଉ ତାଙ୍କୁ ପୁଅ ପରି ସ୍ନେହ କରେ । ବାପା ଅଭିବାବୁ, ଅଭିବାବୁ ଡାକିଲେ ବି ପୁଅ ଭଳି ଦେଖନ୍ତି । ସମସ୍ତଙ୍କ ଭିତରେ ଅଭି ଭାଇଙ୍କ ସ୍ନେହ ମୁଁ ବେଶି ଦଖଲ କରିଥାଏ । ସେ ବି ମୋର ଅତି ନିଜର ଏହିଭଳି ବ୍ୟବହାର କରନ୍ତି । ପ୍ରତି ଛୁଟିରେ ସେ ନ ଆସିଲେ ମଧ୍ୟ ଭାଇଙ୍କ ହାତରେ ମୋ ପାଇଁ କିଛିକିଛି ଉପହାର ପଠାନ୍ତି । ତାଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବାର ବର୍ଷେ କି ଦେଢ଼ବର୍ଷ ପରେ ଖଣ୍ଡେ ଲଫାପାରେ ଚିଠି ପାଇଲି ।–ଖୋଲି ଦେଖିଲି ତଳେ ଅଭିଭାଇଙ୍କ ନା ସହି ହେଇଚି । ଚିଠିରେ ବେଶି କିଛି ଲେଖା ନ’ ଥାଏ । ମୋରି ଭଲ ବ୍ୟବହାରରେ ସେ ଯେ ଖୁସି ହୋଇଚନ୍ତି କେବଳ ତାହାର ପ୍ରଶଂସାର କେତେଗୁଡ଼ିଏ ଧାଡ଼ି । ମୁଁ ବି ଭାରି ଖୁସି ହେଲି ସେ ଚିଠି ପାଇ । କିନ୍ତୁ ତାର ଉତ୍ତର ଦେବି ଦେବି ବୋଲି ଦେଇ ପାରୁ ନଥାଏ । କଣ ଲେଖିବି ବୋଲି କିଛି ଠିକ୍ କରି ପାରୁ ନଥିଲି । ସେତେବେଳକୁ ମୁଁ ବେଶି ପାଠ ପଢ଼ି ନ ଥାଏ । ଲୋରପ୍ରାଇମେରି ପାଶକରି ଗାଁ ମାଇନର ସ୍କୁଲରେ ପହିଲୁ ହେଇ ନା ଲେଖେଇଥାଏ–ବୟସ ମତେ ବାର କି ତେର । ତାର ଆଉ ମାସେ କି ଦି ମାସରେ ଆଉ ଖଣ୍ଡେ ଚିଠି ତାଙ୍କ ପାଖରୁ ପାଇଲି । ସେଥିରେ ସେ ମୋଠାରୁ କୌଣସି ଉତ୍ତର ପାଇ ନାହାନ୍ତି ବୋଲି ଟିକେ ଅଭିମାନ କରିଥାନ୍ତି । ତା’ ପରେ ପ୍ରାୟ ମାସେ ଦେଢ଼ମାସ ବାଦ ବହୁ କଷ୍ଟରେ ଖଣ୍ଡେ ଚିଠି ଲେଖିଲି । କିନ୍ତୁ ପରେ ବୁଝିଲି ଅଭିଭାଇ ସେତେବେଳକୁ ପରୀକ୍ଷା ଦେଇ କଲେଜ ଛାଡ଼ି ସାରିଲେଣି । ଭାଇ ମଧ୍ୟ ସେଥର ଆମ ଘରକୁ ନ ଆସି ପରୀକ୍ଷା ପରେପରେ ଅଭିଭାଇଙ୍କ ଗାଁକୁ ଯାଇଥାନ୍ତି । ତା’ପରେ ଅଭିଭାଇ ବି ଥରେଥରେ ଆମଘରକୁ ଆସନ୍ତି । ତାଙ୍କୁ ମୁଁ ଡର ଡର ମନେ କରୁଥାଏ । ମତେ ସେତେବେଳେ ପନ୍ଦର ବର୍ଷ । ଏହା ଭିତରେ ତାଙ୍କର ତିନି ଚାରିଖଣ୍ଡ ଚିଠି ପାଇଲି । କିନ୍ତୁ ଯେତେଥର ସେ ଆମ ଘରକୁ ଆସନ୍ତି ଚିଠି ବିଷୟ ଘେନି କିଛି କେବେ କହିନାହାନ୍ତି । ମୋର ସେତେବେଳକୁ ହେତୁ ହେଲାଣି । ମୁଁ ବି ବୁଝୁଥାଏ କଥା କହିବାର ଯନ୍ତ୍ରଟା କାହିଁକି ବିଗିଡ଼େ ଆଉ ଚିଠି ଲେଖିବାର ହାତଟା କେମିତି ଠିକ୍‍ ରୁହେ । ଯା’ ହେଉ, ସେତେବେଳକୁ ମୁଁ ଯେତେଗୁଡ଼ାକ ଚିଠି ତାଙ୍କଠଉଁ ପାଇଥାଏ ସେଥିରେ ବେଶିକିଛି ଲେଖା ନ’ଥାଏ । ତେବେ ବେଳେବେଳେ କଥା ଛଳରେ ମୋର ଦେହ ମୁଣ୍ଡର ଜାଗା ଜାଗାର ପ୍ରଶଂସା । ଆଉ ମାଳତୀ ଓ ଛୁରିଅନା ବଣଭିତରେ ଦୂରରୁ ମୁଁ ଚାଲି ଯିବାର ଦୃଶ୍ୟ ବର୍ଣ୍ଣନା ସେ ଲେଖିଥାନ୍ତି । ମୁଁ ଭାବେ ଏଥିରେ ବା ହାନି କଣ ? ସୁନ୍ଦରକୁ ସୁନ୍ଦର ବୋଲି କହିଲେ, ଭଲ ଜିନିଷକୁ ଶୁଖିଲା କଥାରେ ଭଲ ବୋଲି କହିଲେ ଭଲ ବା ସୁନ୍ଦରତ କିଛି ଘୋରି ହୋଇ ଯିବନି । ବରଞ୍ଚ ମନରେ ଟିକେ ଉତ୍ସାହ ଆସେ, ସୁନ୍ଦରକୁ ଆଦର କରିବାକୁ ସେ ଅଧିକ ଯତ୍ନ କରେ । ତେବେ ଏଇକ୍ଷଣି ମୁଁ କଥାଟାକୁ ଯେତେ ସହଜ ଭାବରେ କହି ଦେଇଚି ସେତେବେଳେ ଅବଶ୍ୟ ଏଡ଼େ ସହଜରେ କହି ପାରନ୍ତି ନାହିଁ, ହେଲେ କଣ ହେଲା, ପ୍ରାୟ ବୁଝିବାରେ ମୋର ବେଶି କିଛି ଅମେଳ ରହୁ ନଥାଏ । ସେ ଯାହା ହେଉ ବାହାଘରର ମାସକ ଆଗରୁ ଚିଠି ଖଣ୍ଡକ ମନରେ ମୋର ଭାରି ଦାଗ ରଖିଦେଲା, ଭାବିଲି ଅଭିଭାଇ ତ ଏଡ଼େ ବେହେଡ଼ାପଣିଆ ଆଗରେ କେବେ ଦେଖାନ୍ତି ନାହିଁ, କି କଥାରେ ତାଙ୍କର ନଥାଏ । ଚିଠିରେ କଣ ଏ ସବୁ ଲେଖିବାକୁ ହାତ ଟିକେ ତାଙ୍କର ଥରେନା । ମୁଁ ତ ଜଣେ ସରଳା ବାଳିକାର ଭାବ ଛଡ଼ା ଅନ୍ୟ କଥା ତାଙ୍କ ଆଗରେ କିଛି ଦେଖାଇ ନାହିଁ, ତେବେ ମୋ ପ୍ରତି ତାଙ୍କର ଆକ୍ରୋଶ ବା ଅଭିଯୋଗ କିଆଁ ? ବାଳିକାର ଯୌବନ ତ ବାଳିକାର ଦେହର ସାମଗ୍ରୀ, ତାକୁ ଘେନି ଅନ୍ୟର ଆଖି ବା ମୁଣ୍ଡ ବଥା ହେଲେ ବାଳିକାର କଣ ଦୋଷ ? ତାହା ପରେ ମନେ ମନେ ନିଜକୁ ସାନ୍ତ୍ୱନା ଦେଲି । ଯା’–ବୟସର ଧର୍ମ, ଦେହର ପ୍ରକୃତି ଆଉ ଆଖିର ଚରିତ୍ର ତାକୁ ଏଡ଼ି ଚଳିବା ବୋଧହୁଏ ମଣିଷର ସାଧ୍ୟ ବାହାରେ । ତାହା ବୋଲି ମଣିଷର ତ ପୁଣି ସଂଯମ କି ଆତ୍ମମର୍ଯ୍ୟାଦା ବୋଲି ଗୋଟାଏ ଜ୍ଞାନ ରହିବା ଦରକାର । ଅଭିଭାଇ ଏତେ ହାଲୁକା କାହିଁକି ।

 

“ସତକଥା, କିନ୍ତୁ ମୁଁ ଥରକ ପାଇଁ ହେଲେ ଅଭିଭାଇଙ୍କ ଉପରେ ହୃଦୟର ସହ ରାଗିପାରୁ ନଥାଏ । ଭାବେ ମୋର ତ ପୁଣି ଅଭିଭାଇଙ୍କୁ ଦେଖି ମନରେ ମଧ୍ୟ ଅନେକ କଥା ଉଠେ-। ତାଙ୍କ ଦେହ ସୌନ୍ଦର୍ଯ୍ୟର ପ୍ରଶଂସା କରିବା ପାଇଁ ଶତମୁଖ ହେବାକୁ ଇଚ୍ଛା ହୁଏ । ସେହି କଥାଟା ଅର୍ଥାତ୍ ମୋର ଅନ୍ତରର ଭାବଟାକୁ, ସେ ଅନ୍ୟ ଭାବଦେଇ ମୋତେ ଉପହାର ଦିଅନ୍ତି, ଏଥିରେ ତାଙ୍କର ଦୋଷ କଣ ? ଯାହା ମୁଁ ନ ପାରେ, ସେ ପାରିଲେ ବୋଲି କଣ ତାଙ୍କର ଦୋଷ ?

 

“ସୀତାର ବଜାଇବାରେ ମୋର ପିଲାଦିନୁ ଭାରି ସଉକ୍ । ବା’ ଘରର ଉପହାର ସ୍ୱରୂପ ସେ ଏଇ ନୂଆ ସୀତାରଟି ଉପହାର ପଠାଇଥିଲେ । କାହିଁକି କେଜାଣି ଭାଇ ଯେତେ ତାଙ୍କୁ ମୋ ବିଭାଘରେ ଯୋଗ ଦେବାକୁ ବଳାବଳି କରି ରଖିଲେ, ସେ ସେଥିରେ ଆଦୌ ମଙ୍ଗିଲେ ନାହିଁ । ଆଉ କେତେକ ଜିନିଷ ସହ ଏହି ସୀତାରଟି କେବଳ ପଠାଇ ଦେଲେ ।”

 

ସୁଧାଂଶୁ ମନ ସେତେବେଳେକୁ ଟିକେ ପାଖଛଡ଼ା ଧରିଲାଣି । ବେଳେବେଳେ କଥା ଶୁଣୁଶୁଣୁ ସେ ଅନ୍ୟମନସ୍କ ହେଲାଭଳି ଜଣା ଯାଉଥାଏ । ସୁଧା ଏହିତକ କଥା ପେଟରୁ ଖଲାସ କଲେ ଯେମିତି ଟିକେ ଉସୁଆସ ହୋଇଯିବ ଭାବି ପୁଣି କହିଲା–

 

“ତେବେ ଅନେକ ଦିନ ପରେ ଏହି ଚିଠି ଖଣ୍ଡିକହିଁ ଏବେ ପାଇଲି । ଭଲପାଇବା ପରିବର୍ତ୍ତେ ଏଥର ଯେମିତି ମୁଁ ତାଙ୍କ ଉପରେ ଖୁବ୍ ବେଶି ରାଗିଚି ।”

 

ସୁଧାଂଶୁ ଅନେକକ୍ଷଣ ଗୁମ ଖାଇଖାଇ ନିଜକୁ ଟିକେ ସମ୍ଭାଳି ନେଇ ପଚାରିଲା, “ଆଛା, ସୁଧା, ଚିଠି ଖଣ୍ଡିକ ତ ଏପର୍ଯ୍ୟନ୍ତ ଖୋଲିନୁ, ଜାଣିଲୁ କେମିତି ସେ ଲେଖିଚନ୍ତି ବୋଲି ?”

 

“ମୁଁ ତାଙ୍କଠୁ ଯେତେ ଚିଠି ପାଏ ସବୁଗୁଡ଼ିକ ଏମିତି ଏଇପରି ଗୋଟିଏ ନାଲି ଲଫାଫା-।”

 

ମନେମନେ ସୁଧାଂଶୁର କେତେ ଭାବନା ଉବୁକି ଉଠି କୌଣସି ମୀମାଂସାରେ ପହଁଞ୍ଚିବା ପୂର୍ବରୁ ସେଦିନର ସେହି ନୀଳ ଚିଠିଟି ଯେପରି ତାହାର ସବୁ ଭାବନାକୁ ରୋଧ କରିଦେଲା ।

 

ତହିଁଆର ଦିନ ସକାଳେ ସୁଧା ଗାଧୋଇ ଆସି ଘରେ ପହଞ୍ଚି ଦେଖିଲା ତାର ଦୁଇବର୍ଷ ବୟସ୍କ ଛୋଟ ଦିଅର ଭାନୁ ସେହି ଚିଠିଖଣ୍ଡକ ଚିରି ଟୁକୁରା ଟୁକୁରା କରି ପକଉଚି । ଚିଠିଟାକୁ ଥରେ ପଢ଼ିବା ଲାଗି ତାର ଭାରି ଲୋଭ ହେଲା । ଛିଣ୍ଡା ଟୁକୁରାତକ ଗୋଟେଇ ଚିଠିଟିର କେତେକ ଅଂଶ ସେ ଅତି କଷ୍ଟରେ ପଢ଼ିଲା–ଚିଠି ଲେଖିଚି ତାର ନୂଆବୋଉ, ଭାଇ ତାର ଦୋପଟି ଚାକିରି ପାଇଚି ।

Image

 

ରଜା ଲାଖି ପୁଅ

 

ଯେଉଁଦିନ ରୂପେଇର ଗେରସ୍ତ ଭିକାରି ଜାଆଁଳା ଦି’ପୁଅଙ୍କର ଜନମ ଖବର ଶୁଣି କଲିକତାରୁ ଆସିଲା, ସେକଥା ସମସ୍ତଙ୍କର ବେଶ୍ ମନେ ଅଛି । ତେଲ ମାଖିଲା ପରି ଦିହଟି ତା’ର ଚିକଣ । କମିଜ ଉପରେ ଖଣ୍ଡେ ହାତକଟି ଫତେଇ, ଆଉ ତା’ଉପରେ ଖଣ୍ଡେ ନାଲି କଲିକତୀ ଗାମୁଛା । ବିଚରା ଭିକାରି ବେଶିଦିନ ପୁଅମାନଙ୍କୁ ଘେନି ସୁଖଭୋଗ କରି ପାରିଲାନି । ଦୁହିଁଙ୍କୁ ଯେତେବେଳେ ପାଞ୍ଚ ବରଷ, ତା’ର ଆର ପାଖର ଡାକ ପହଞ୍ଚିଲା । ରୂପେଇର କାନ୍ଦି କାନ୍ଦି ଦିନ ସରେନାଁ, କଣ କରି, କଣ ଖୋଇ, ପିଲା ଦିହିଁଙ୍କି ତାର ବଞ୍ଚେଇବ ?

 

କିନ୍ତୁ ରାତି ଆଉ ଦିନ ରହେନା ।

 

ଅନଉ, ଅନଉ ଅନେକ ଦିନ କଟିଗଲା । ମଣି, ମାଣିକ ପାରିଲାର ହୋଇଗଲେ । ଗାଁ ରୋଜଗାର ତାଙ୍କୁ କୁଳେଇଲାନି । ଦି’ ଧନୁର୍ଦ୍ଧରଯାକ ବାହାରିଗଲେ କଲିକତା ।

 

ଦିନ ରତରତ ହେଉଚି । ବାଲିଚନ୍ଦ୍ରପୁର ବଜାରରେ ଜଣେ ସୁନ୍ଦର ଭେଣ୍ଡା କଲିକତିଆ, ଆଉ ତା’ ସାଙ୍ଗରେ ଜଣେ ଭାରୁଆ ପହଁଞ୍ଚିଲେ ।

 

–ବସା ମିଳିବ ଭାଇ, ବସା, ଖାଲି ରାତିକ ପାଇଁ ।

 

ପଇତାଟାକୁ ମାଜି ମାଜି, ବେକର ପଡ଼ିଆ ସୁନାର ଗୋପକେରାକୁ ସଜାଡ଼ି ଦେଇ ମାୟାଧର ପରିଡ଼ା ବାହାରି ପଡ଼ିଲେ ।

 

–ରାତିକ ପାଇଁ କାହିଁକି, ରାତି ରାତି ରୁହ, ଢେର୍ ବସା ପଡ଼ିଚି, କିଛି ପରୁଆ ନାହିଁ । ରଖ, ରଖ, ତୁରୁଙ୍ଗ, ବାକ୍‍ସ ସବୁ ରଖ । ଏଇ ଘର, ଆଉରି ବି ଘର ଅଛି, ଏଇଟା ସବୁ ଚାହି ଭଲ–ଫରାକତ୍, ତମରି ଲାଖି । ଦିଅ ରଖିରାଖି ଦିଅ, ଯା, ଯା, ନାଳରେ ଗୋଡ଼ ହାତ ଧୋଇଆସ....

 

ଏତେଗୁଡ଼ା ସହାନୁଭୂତି ପାଇବ ବୋଲି ଯୁବକଟି ମୋଟେ ଆଶା କରି ନଥିଲା । ବସା ମିଳିବ କି ନାହିଁ ଏହି ସନ୍ଦେହରେ ସେ ଉବୁଡ଼ୁବୁ ଖାଉଥିଲା । ଜିନିଷପତ୍ର ରଖିରାଖି ଦେଇ, ଗୋଡ଼ହାତ ଧୋଇବା ପାଇଁ ବସାରେ ଚାବି ଦେଇ ବାହାରି ଗଲା କେନାଲକୁ ।

 

ମାୟାଧର ପରିଡ଼ା ଆଉ ଡାଲି ଚାଉଳ ଦୋକାନୀ ବିଶି ସାହୁଙ୍କର ଏତେବେଳର ଢଙ୍ଗ୍ଢ଼ାଙ୍ଗ୍ ବିଶେଷତଃ ଆଖି ଆଖିର କଥାବାର୍ତ୍ତାଟା ବଡ଼ ଲକ୍ଷଣୀୟ । ଶେଷକୁ କାନ ପାଖରେ କଣ ଦି’କଥା ଫୁସୁର୍ ଫାସର୍ ହେଲେ । ସବାଶେଷକୁ ଖୁବ୍ ସଫା–ପ୍ରକାଶ୍ୟରେ, ଗଳା ଖଙ୍କାରଟାଏ ମାରି ମାୟାଧର କହିଲେ–ବିଶି, ହୁଁ, ତାଙ୍କର ସବୁ ସୁବିଧା କରିଦବୁ । ହୁଁ, ତାକୁ କହି ସେ ଭାରୁଆ ଦି’ଟାକୁ ବିଦା କରିଦେବୁ । କାହିଁକି ମିଛରେ ରାତିଟା ପୋଷି ତ’ ଖର୍ଚ୍ଚ ହେବେ । ଏଠିତ ଢେର୍ ଢ଼େର୍ ଲୋକ ମିଳିବେ । ପରିବାପତ୍ର ଚାଉଳ ଫାଉଳ ସବୁ ଯୋଗେଇ ଦବୁ । ଏଁ ହୁଁ, ମୁଁ ଯାଉଚି ଟିକେ ସାହିଆଡ଼ୁ ଆସେ..., ଏଁ ହେଁ, ଥୁଁ...

 

ଗୋଟା ବଡ଼ ଖଙ୍କାରଟାଏ କାଢ଼ି, ତାଙ୍କ ଜାଣିବାରେ ଖୁବ୍ ଭଲ ଠାଣିରେ ପାହୁଲ ପକାଇ ଚାଲିଗଲେ ।

 

ତହିଁଆର ଦିନ ସକାଳ । ମାୟାଧରଙ୍କ ଭାଇ ସଉରି ପରିଡ଼ା ୟୁନିଅନ୍ ପ୍ରେସିଡ଼େଣ୍ଟ । ଯେତେବେଳେ ସେ ଶୁଣିଲେ, କାଲିର କଲିକତିଆଟା ମରିଯାଇଚି, ଧରାବନ୍ଧା ରୀତିରେ ବାଉରି ମଳିକ ଚଉକିଆକୁ ଡାକି ଥାନାରେ ଖବର ଦେବାକୁ ପଠେଇଦେଲେ । ପୁଲିସ ଆସିଲା । ଲାଶ୍ ମାଇନା ହେଲା । ବିନା ଧୋବାକୁ ଡାକି ଆଉ ଦି’ଟା ଖାସିଙ୍କର ଅନ୍ତ୍ୟେଷ୍ଟିକ୍ରିୟାର ଯୋଗାଡ଼ ହୋଇଗଲା । ଘଣ୍ଟାକ ଭିତରେ ସବୁ ଖତ୍‍ମ । ଗଲାବେଳକୁ ସବ୍ଇନ୍‍ସପେକ୍ଟରଙ୍କ ପକେଟ୍‍ଟା ଟିକେ ଓଜନ ହେଲା ଖାଲି ।

 

ସେ ଆଜିକି ପନ୍ଦର ବର୍ଷ ତଳର କଥା । ମାୟାଧର ପରିଡ଼ା ଅବଧି ଅଛି । ବାଲିଚନ୍ଦ୍ରପୁର ବଜାର ଆଉ ସେ ବସାଘରଗୁଡ଼ାକ ଆହୁରି ଟିକେ ବି ବଢ଼ି ଯାଇଚି । ଏହିପରି କେତେ କଲିକତା ଫେରନ୍ତା । ଏବେ ମଧ୍ୟ ବାଘ ହାବୁଡ଼ରେ ପଡ଼ନ୍ତି ।

 

ରୂପେଇ ବଞ୍ଚିଚି । ସେ ବଞ୍ଚିବା ବଞ୍ଚିବା ପାଇଁ ନୁହେଁ, ଖାଲି ମାଣିକଟିକି ଆଖିରେ ଦେଖିବା ଲାଗି । ଆଖି ତାର ଗୋଟିଏ ଯାଇଚି, ମଣିର ସେହି ମଲା ଖବର ଶୁଣିଲା ଦିନ ମୁଣ୍ଡଟାକୁ ତଳେ ବାଡ଼େଇ ଦେଲାବେଳେ କଣ ଗୋଟା ବାଜିଯାଇ । ଆଉ ଅଛି ଗୋଟିଏ–ତା’ କେବଳ ମାଣିକ ଲାଗି ।

 

ଭାଇ ମଲା ପରେ ମାଣିକ ଥରେ ଆସିଥିଲା । ଗାଁଟା କିନ୍ତୁ ତାକୁ ମୋଟେ ଭଲ ଲାଗିଲାନି । ସମସ୍ତେ ତା’ ଆଡ଼କୁ ଅନେଇ ଥଟ୍ଟା କରୁଚନ୍ତି ବୋଲି ସେ ମନେ କଲା । ସକାଳୁ ଉଠି ରୂପେଇ ଆଉ ସେହି ଦିନଠୁଁ ତାକୁ ଦେଖିନି । କିନ୍ତୁ ସେ କଇମାଟିରେ ଥିଲା । ତା’ପରେ କଲିକତା, ପରେ ଆହୁରି ଅଧିକ ରୋଜଗାର ଆଶାରେ ଶିଲଂ ଚାଲିଯାଇଚି । କୋଉ ସାହାଵ ପାଖରେ ଅଛି । ଏହିସବୁ ଖବର ରୂପେଇ ଲୋକଙ୍କଠାରୁ, ଯେଉଁମାନେ ବିଦେଶ ବିଶେଷତଃ, କଲିକତା, ଚନ୍ଦନ ନଗର, ଚୁଡ଼ୁଚୁଡ଼ାରୁ ଫେରନ୍ତି, ତାଙ୍କଠାରୁ ଶୁଣି ବୁଝି ସେ ହୃଦୟ ଜପାମାଳି କରି ରଖିଚି ।

ଆହୁରି ସେ ଲୋକଙ୍କଠାରୁ ଶୁଣିଚି ମାଣିକ ତାର ଢେର୍ ପଇସା କମଉଚି । ସିଏ ଆସିବ, ଦିନେ ନା ଦିନେ ଆସିବ । ଖାଲି ଆସିବନି, ରାଜା ଗୋଟାକର ସମ୍ପତ୍ତି ଘେନି ଆସିବ ।

ସିଏ ଆସିବ । ଏହି ପଦକ ରୂପେଇ କି ସବୁ ଚାହିଁ ଦିଏ ବେଶି ଜୋର । ଦି’କ୍ଷେପାର ବାଟ କ୍ଷେପାକରେ ଡେଇଁ ପଡ଼ିବାକୁ ସେ ଦି’ଗୁଣ ବଳ ପାଏ ।

“ଏକା ସିଏ କଣ ସତେ ଆସିବ । ଖାନିକୀ ଆଉ ରାଣ୍ଡଙ୍କ ହାବୁଡ଼ରୁ ବର୍ତ୍ତି ସେ କଣ ସତେ ଆଉ ଗାଁ ମାଟି ମାଡ଼ିବ ।” ରୂପେଇର ସମବୟସୀ ପାଟ, ଭୋଳାମା, ଆଉ ମାଳତୀ ହେରିକା ଏହିପରି କେତେ ଅବାନ୍ତର କଥା ବାଢ଼ନ୍ତି । ରୂପେଇର ହୃଦ କାହିଁରେ ହେଲେ ଭୁଲେନା । ମାଣିକ ତା’ର ମାଣିକ, ଖାଣ୍ଟିସଇ, ଅସଲି ମାଣିକ । ଦୁରୁଜା, ଗୋବିନ୍ଦା କିମ୍ବା ଅନନ୍ତ ! ଭଳି ଟିଣା, ପିତଳ ନୁହେଁ ।

ରୂପେଇର ଧାରଣା କଣ ମିଛ ? ସେତ ସେଦିନ ସପନ ଦେଖିଥିଲା । ସେ କଣ ସପନ-! ସଫା ସକାଳଟାରୁ ଆଖି ଆଗରେ ତା’ର ଭାସିଗଲା । ଆଉ କିଛି ନାଁ ନାଇଁ ବୋଲି ରୂପେଇ ସିନା ତାକୁ ସପନ ବୋଲି ମାନି ନେଲା ।

ବଟା ହଳଦି ପରି ତକତକ ଗୋରା, ଭଅଁର ପରି କଳା ଘୁମର କୁଞ୍ଚୁକୁଞ୍ଚିଆ ବାଳ ମୁଣ୍ଡରେ ମୁଣ୍ଡେ ତାରି ମାଣିକ । ତା’ ଆଖି ଆଗରେ ଆସି ଛିଡ଼ା ହୋଇଗଲା । ପଛରେ ତାର ଦି’ ଦି’ଟା ଭାରିଆ । ତୁରୁଙ୍ଗ, ବାକ୍‍ସ, ପେଟେରା, ଛତା, ରାଇଜର ଚିଜ । ସବୁ କଣ ସପନ !

ମାଣିକ ମୋର ଆସିବ । ଦୁଃଖୀ ନୁହେଁ, ରଙ୍କୀ ନୁହେଁ, ତାଲବର ହେଇ ଆସିବ । ଭାଙ୍ଗି ଯାଉ ମୋର ଘର, କାନ୍ଥ ପଡ଼ିଯାଉ, କେତେ ଦଣ୍ଡ ନାଗିବ ମାଣିକକୁ ମୋର ! କାହିଁକି, ଏଇ ଭଙ୍ଗାଘରେ, ମାଣିକ ଆସି ଏଇ ମଝି କୋଠାରେ ବସିଗଲେ ସେଇ କଣ ମୋର ଇନ୍ଦ୍ରଭୁବନ ହବନି-! ଘର ମୋର ଦରକାର ନାଇଁ । ମୋର ଧନ ମୋର ଆଖି ମାଣିକ ମୋର ଫେରିଆସୁ-। ମୁଁ କଣ ତା’ ଅର୍ଜନ ଖାଇବି ବୋଲି ବଞ୍ଚିଛି । ...କେହି ନଥିଲା ବେଳେ ମନେ ମନେ ରୂପେଇ ଏମିତି କେତେ କଥା ବସି ଭାବେ ।

ଉଡ଼ା ଖବର ନୁହେଁ । ଡାକରେ, ଡାକଘରେ ମୋହର ବସି ଚିଠି ଆଇଚି । ମାଣିକର ହାତ ଲେଖା ଚିଠି । ସେ ଆଉଚି । ପନ୍ଦର ବର୍ଷ ପରେ ସେ ଆଉଚି । ବେଶି ନୁହେଁ, ଆଜିର ବାରି ଗୁରୁବାର ଦିନ ସେ ରେଳରୁ ଓହ୍ଲେଇବ ।

ଝରଝର କରି ରୂପେଇ ଆଖିରୁ ଅସ୍ରାଏ ଲୁହ ବର୍ଷିଗଲା । ମୁହଁ, ଛାତି, ପିନ୍ଧିଲା ଲୁଗାକାନିଟା ଯାକ ତିନ୍ତେଇ ଦେଲା । ତା’ କିନ୍ତୁ ଆନନ୍ଦର ଅଶ୍ରୁ ନୁହେଁ, ଦୁଃଖର । ଯେଉ ଦୁଃଖ ଅନୁଭବ ଛଡ଼ା ମୁହଁ ଖୋଲି କହି ହୁଏନା–ସବୁ ଦୁଃଖ ଭିତରୁ ଯେଉଁଟା ବେଶି ଭାରୀ, ସେହି ପୁତ୍ରଶୋକର ଲୁହ । ଏମିତି, ଏଇପରି ଅଧ ଦୁଆରେ ଖରା ପଡ଼ିଥାଏ, ଦି’ଟା ଯାକ ଆଖି ତାର ଭଲ ଥାଏ, ଆଜିକି ପନ୍ଦର ବର୍ଷ ତଳେ, ମଣି ଆସିବ ବୋଲି ମଳିକ ଘର ରତନା ଆସି କହିଗଲା ।

ସେଇ ଛାନିଆ, ମଣିର ବାଟରେ ପଡ଼ି ମରିଯିବାର ସେଇ ଛାନିଆ ରୂପେଇର ଆଜି ଅବଧି ଯାଇନି । ମାଣିକ କଥା ଭାବି ଦିହଟା ତା’ର ଶୀତେଇ ପଡ଼ିଲା । ଚୋର ତସକରଙ୍କ କଥା । ରଜା ଗୋଟାକାର ଧନ ।

 

ରେଳରେ ତା’ର ମଣି, ନାଁ ନାଁ ମାଣିକ ତାର ବଇଚି । ଏଇ, ଏଇ, ମୁହଁ ତାର ଦୁଶିଯାଉଚି । କଳାକାଠ । ଅଖିଆ ଅପିଆ ରେଳରେ ବସି ବସି ଚାନ୍ଦ ମୁହଁଟି ତାର କଳାକାଠ ପଡ଼ି ଯାଇଚି ।

 

ସାତ ଦିନକ ତାକୁ ଯୁଗ ଭଳି ଲାଗୁଥାଏ । ଶହେ କି ଛ’କୋଡ଼ି ଥର ଆଙ୍ଗୁଠି ଯାକ ଗଣି ସାରିଲାଣି । ସବୁ ବାରଯାକ ଗଣି ସାରିଚି । କଟି ବି ଯାଇଚି । ଆଜି, ଆଜି–ଆଜି କଣ ସତେ ବୁଧବାର ? ରାତି ପାହିଲେ ଗୁରୁବାର ହବ ? ନିଦ; ନିଦତ ତା’ର ନଥିଲା, ଏଣିକି ବନ୍ଦ ହେଲା ପଲକ ।

 

ସକାଳ ହେଲାବେଳକୁ ରୂପେଇ ଆସି ଷ୍ଟେସନରେ ପହଁଚିଲା । ସେଇ ନୁ’ଛୁଣା କୁଡ଼ିଆଟାରେ ବସିବାକୁ ତାକୁ ଆଉ ଭଲ ଲାଗିଲାନି । ଏଇଠି, ଏଇ ଷ୍ଟେସନରେ ସେ ପଛେ ଦିନଯାକ ଅନେଇ ବସିବ ସିଏ ଭଲ, ମାଣିକକୁ ଏବେ ଦୂରରେ ଛାଡ଼ି ସେ ଆଉ ରହିପାରିବନି ।

 

ଷ୍ଟେସନକୁ ନୀଳମ୍ବରପୁର ପାଞ୍ଚକୋଶ ବାଟ । ଏଇ ପାଞ୍ଚକୋଶ ବାଟ ସେ କେତେବେଳେ ଚାଲିଆସିଲା ତାକୁ ମୋଟେ ଜଣା ହୋଇନି । ପାଞ୍ଚକୋଶ ଯାକ ଶୁଧୁ ବିଲ । ଶୀତଦିନ । କଟାଧାନର ମୂଳଗୁଡ଼ା ବର୍ଚ୍ଛା ପାଳ ପରି ବାଟଯାକ ମୁଣ୍ଡ ଟେକିଚି । ତାରି ଛାତି ଉପରେ ପଥୁକି ଯେତେ ଯାଆନ୍ତି ତାଙ୍କ ପାଦତଳଯାକ ଖଣ୍ଡିଆ କରି ସେ ଅତ୍ୟାଚାରର ପ୍ରତିଶୋଧ ନିଏ । ହିଡ଼ ବୁଲାଣିରେ ନ ଆସି ରୂପେଇ ଆଇଚି ବିଲେ ବିଲେ । ସେ ମଧ୍ୟ ଗୋଡ଼ର ଠାଏ ଠାଏ ଖଣ୍ଡିଆ କରି ତା’ ଉପରେ ଚାଲିବାର ମା’ଶୁଲ ଦେଇ ଆଇଚି । ପୁଣି ଖାଲି ଆସିନି, ବଡ଼ ପାଚିଆଟାରେ କଣ ସବୁ ଭର୍ତ୍ତି କରି ମୁଣ୍ଡରେ ମୁଣ୍ଡେଇ ଆଇଚି ।

 

ସେତେବେଳେ ଗୋଟା ମାଲଗାଡ଼ି ଲାଗି ଲାଇନ କ୍ଲିଅର ହୋଇଥାଏ । ରୂପେଇ ଭିତରକୁ ପଶିଯାଇ ଲାଇନ୍ ଜଗୁଆଳକୁ ଭେଟିଲା । ରେଳଗାଡ଼ିର ବିପଦ ଆପଦ କଥା ବୁଝେଇ ଲାଇନ ପାଖରୁ ହଟି ଠିଆ ହେବା ଲାଗି ରୂପେଇକି ଜଗୁଆଳ ବଡ଼ ପାଟିରେ ଦି’ କଥା କହିଲା । ରାଗୁ ପଛକେ, ସେ ଆଉ ତା’ର ମାଣିକକୁ କଣ କୋଉଠି ଛାଡ଼ିଯିବ । ଧୀରେ, ଭୟରେ, ଜଗୁଆଳକୁ କଅଁଳ କରି କହିଲା–ଦୂରବାଟରୁ ଆଇଚି ବାପ, ମୁଁ ତମର କିଛି ହାନି କରିବିନି । ମୋ ମାଣିକ, ମୋ ପୁଅକୁ ନେଇ ଯିବାକୁ ଟେସନକୁ ଆଇଚି ବାପ । ଆଁ–କଲିକତା ଗାଡ଼ି କେତେବେଳେ ଆସିବ । ପୁଅ, ଦି’କୋଡ଼ି ବରଷ ତଳେ ଗେରସ୍ତକୁ ହରାଇଲି, ପନ୍ଦର ବରଷ ତଳେ ମଣି ବୋଲି ପୁଅକୁ–ବେଶି ଆଉ କିଛି କହି ପାରିଲା ନାହିଁ । ତଣ୍ଟି ଭିତରଟା କିଏ ଯେମିତି ତାର ଚାପି ଧଇଲା ।

 

ଜଗୁଆଳ କିନ୍ତୁ ତାର ଏତେ କଥାରୁ ପ୍ରାୟ କିଛି ହେଲେ ଶୁଣିନି । ଖାଲି ଆଙ୍ଗୁଠିରେ ଷ୍ଟେସନ ଘରଆଡ଼କୁ ଯିବାକୁ ଠାରି ଦେଇ ଆପଣା କାମରେ ଚାଲିଗଲା । ରୂପେଇ ଷ୍ଟେସନରେ ପହଁଚି ମୁଶାଫିର୍‍ଖାନା, ଅଫିସ ଘର, ପାନବିଡ଼ି ଦୋକାନ ସବୁଆଡ଼େ ଉଁକି ମାରି ଅନ୍ଧିସନ୍ଧି ଦେଖିଲା-। ସନ୍ଧାନ କଲା–ମାଣିକ ତା’ର ଆଇଚି କି ନାଇଁ । ଯା’କୁ ଆଗରେ ଭେଟେ ପଚାରି ବସେ–ଆରେ ବାପ, ଜଣେ ସଫେତ୍ ଗୋରା, ଛଇ ଛାଡ଼ ଭେଣ୍ଡା ପିଲାଟିଏ ଦେଖିଚ । ତା’ ବାଳ ଖୁବ୍ କଳା ଘୁମର, କୁଞ୍ଚୁକୁଞ୍ଚିଆ–ମୁଣ୍ଡରେ ମୁଣ୍ଡେ ବାଳ । ବୁଝିଲ ବାପ, ସେ ମୋରି ମାଣିକ–ମୋର ଏକା ବୋଲି ଆଶରା । ଦେଖିଚ ତାକୁ ବାପ ?

 

କେହି ତା’ କଥାରେ କାନ ଦିଅନ୍ତିନି । କେହିବା ପାଗଳୀଟା ଭାବି ଆଣହେଳା ଦେଖେଇ ହସି ଦିଅନ୍ତି । କିଏ କୁହେ, ବସିଥା ବୁଢ଼ୀ, ଗାଡ଼ି ଅଇଲା ବେଳ ହେଇନି–ଢେର୍ ଡେରି ଅଛି ।

 

ଏତେ ଲୋକଙ୍କ ଭିତରେ ବୁଢ଼ୀର ଦୁଃଖ କିନ୍ତୁ ଜଣଙ୍କ ଦିହକୁ ଲାଗିଲା । ସେ ଜଣେ ଚପରାସି । ରାତି ନ’ଟା ଡାକ ରାତିରେ ସେ ବାଲେଶ୍ଵର ଯିବ । ଅନ୍ୟ ସୁବିଧା ନ ଦେଖି ଷ୍ଟେସନରେ ସେତେବେଳ ଯାକେ ରହିବ ବୋଲି ବସିଥାଏ । ତେଣୁ ସେ ଏଇ ଅଳସ ସମୟତକ ବୁଢ଼ୀ ସହିତ ଗପ କରି କଟେଇ ଦେବା ପାଇଁ ରୂପେଇକି ନିଜ ପାଖରେ ଡାକି ବସାଇଲା । ବୁଢ଼ୀର ଅସ୍ଥିରତା ଦେଖି ସେ ତାକୁ ସାନ୍ତ୍ଵନା ଦେଇ କହିଲା–ଭାବନା କରନା ମାଉସି, ଗାଧୋଇ ପାଧେଇ ଖିଆପିଆ କର, କଲିକତା ଗାଡ଼ି ଆସିବାକୁ ଅନେକ ଡେରି ଅଛି ।

 

–ନା, ନା, ଗାଧୁଆ ପାଧୁଆ କଥା ହବନି । ବାପ, ମାଣିକ ତ ମୋର ମୋରି ପରି ଅଗାଧୁଆ, ଅଖିଆ ବଇଥବ; ମୋ ଜୀବନ କଣ–ତା’ ଚାହିଁ ଏଡ଼େ ସାର ହେଲା । ଏମିତି ବସିଥିବି, ସେ ଆଇଲେ ଯାଇ ସବୁକଥା । ...ରୂପେଇ ଏଇତକ ସଂକ୍ଷେପରେ ଉତ୍ତର ଦେଲା ।

 

ତାହାପରେ ଅନେକ ବେଳ କଟିଗଲା । ଅନେକ କଥା ପରେ ରୂପେଇ ଚପରାସିକି ତାହାର ଜୀବନର ଇତିହାସ ଶୁଣେଇଲା–ସେ ଯେତେବେଳେ ଭସେଇ ଦେଇ ଗଲା, ଛୁଆଙ୍କୁ ମୋର ମୋଟେ ପାଞ୍ଚ ବରଷ । ପେଜ ତୋରାଣି ପେଇ ନଖାଇ ନପିଇ ପୁଅ ଦୁହିଁଙ୍କି ମୋର ମଣିଷ କଲି । କପାଳ ମୋର ଭାରୀ ହୀନ । ଶଙ୍ଖା କାଢ଼ିବାର କୋଡ଼ିଏ ବରଷ ନ ପୁରୁଣୁ, ଅନ୍ଧୁଣୀ ଯମ, କୋଳରୁ ମୋର ଭେଣ୍ଡା ପୁଅ ମଣିକି ଛଡ଼େଇ ନେଲା । ତେମେ ଦେଖିନା ବାପ, ଦେଖିଥିଲେ ଦିହ ଧରି ପାରନ୍ତନି । ମଣି ଆଉ ମାଣିକ ଯୋଉଦିନ କଲିକତା ଗଲେ ବାପ, ଘରଦ୍ୱାର ଖାଲି ଅନ୍ଧାର ଦୁଶିଲା । ନୋକା ମା’ ହେରିକା ଯେତେ ବୁଝେଇଲେ କାହିଁରେ ହେଲେ ମନ ବସିଲାନି । ତା’ପରେ, ତା’ପରେ ଯୋଉଦିନ ପହିଲୁ କରି ପୁଏ ମୋର ଟଙ୍କା ପଠେଇଲେ ବାବୁ, ଏତେ ଆନନ୍ଦ, ଏତେ ସୁଖ ଜୀବନରେ କେବେ ହେଲେ ପାଇନି । ପୋଡ଼ା କପାଳକୁ ସବୁ ମାଟିରେ ମିଶିଗଲା । ତା ବାଦେ ତା’ ବରଷକରେ ନା, ନା, ଛ’ମାସରେ ମାଣିକ ମୋର ବିଦେଶରୁ ଫେରିଲା ନାବନା ହେରିକାଙ୍କ ସାଙ୍ଗରେ । ହେଲେ କଣ ହେଲା ଭାଇକି ନଦେଖି ଘର ତାକୁ ମଶାଣି ପରି ଲାଗିଲା, ବାବୁ, ରାତିରୁ ଉଠି ଯେ ଯାଇଚି ଯେ ଯାଇଚି ଆସି ପନ୍ଦର ବରଷ ହେଲା–ଖାରା ପନ୍ଦର ବରଷ ବାପ, ଖାରା ପନ୍ଦର ବରଷ । ଅନେଇ ଅନେଇ ଆଖି ମୋର ନୋଥରି ଗଲାଣି । ହେଇ, ହେଇ, ତାରି ହାତ ନେଖା, ଛୋଟାଅବଧାନ ପଢ଼ା, ତାହାରି ହରପ ବାପ ତା’ରି ଚିଠି । କଲିକତା ନା, ନା, ଶେଲିଙ୍ଗିରୁ ଦେଇଚି । ପଢ଼ିଲ, ପଢ଼ିଲ ବାପ–ଆଜିନା; ଆଜି ଆଉଚି ବୋଲି ସେ ନେଖିଚିନା ?

 

ରୂପେଇ ଚିଠି ଖଣ୍ଡକ ଅଣ୍ଟାରୁ କାଢ଼ି ଚପରାସିକି ଦେଲା ।

 

ହଁ ହଁ, ପୁନେଇ ଗଲାରେ ଗୁରୁବାର ଦିନ । ହଁ ଆଜି ସେ ଆସିବ ମାଉସି, ଆଜି ଆସିବ-। ନିଶ୍ଚୟ ଆସିବ ମାଉସି, ଦମ୍ଭ ଧର । ...ଚିଠି ପଢ଼ି ଚପରାସିଟି ସାନ୍ତ୍ଵନା ଦେଲା ବୁଢ଼ୀକି-

 

ଦିପହର ବେଳ । ଗୋଟାଏ ବାଜିଗଲାଣି । ଚପରାସିଟି ତା’ ଜଳଖିଆ ପୁଟୁଳା ଫିଟାଇ ଖାଇବାକୁ ବସିଲା । ରୂପେଇ କି ମଧ୍ୟ ଖାଇବାକୁ ଡାକିଲା । କିନ୍ତୁ ରୂପେଇର ସେଇ ଗୋଟାଏ କଥା ମୋର ଧନ, ମୋର ମାଣିକ ନ ଆସିଲେ ମୁଁ କେବେ ହେଲେ ଖାଇବିନି । ଦେଖୁନା ବାପ, ସତେକି ପୁଅକୁ ତା’ର ସେ ଆଗରେ ଦେଖି ପାରୁଚି–କେଡ଼େ ତୋଫା, କେତେ ସଜ ସର ସର ମୁହଁ ଓପାସ ଭୋକରେ କିମିତି କଳାକାଠ ପଡ଼ିଗଲାଣି । ମତେ ଅନେଇଚି ବାପ, ହେଇ, ହେଇ, ମାଣିକ ମୋର ଛଳଛଳ ଆଖିରେ ମା’ ମା’ ବୋଲି ପାଟି କରୁଚି । କୁହନି ବାପ, ଏଥିରେ କଣ ମୋ ପାଟିକି ହାତ ଚଳିବ ଆଗେ । ରୁହ ବାପ, ତମେ ତ ରାତି ନ’ଟାରେ ଯିବ । ମାଣିକ ମୋର ଆସୁ, ଏଇ ପାଚିଆରେ, ଗରିବ ନୋକ ହେଲେ କଣ ହେଲା ବାପ, ଅନେକ ଚିଜ ଆଣିଚି । ଭଲ ଘର, ଭଲ କୂଳର ମଣିଷ ମୁଁ, କିଛି ଅଛୁଆଁ ଜାତି ନୁହେଁ । ସାଙ୍ଗ ହେଇ, ମଣିକ ଆସିଲେ ସାଙ୍ଗ ହେଇ ଖାଇବା ବାପ । ସେ ବି କିଛି ଶୂନେ ଶୂନେ ଆସୁନେଇ ବାବୁ, ହରିଆ, ରଘୁଆ, ଭଗତା ସମତେ କହୁଚନ୍ତି–ରଜା ଗୋଟାକର, ଯଖ ଗୋଟାକର ଧନ ଆଣୁଚି ବାପ ।

 

ରପରାସିଟି ଖାଇସାରି ବୁଢ଼ୀକି ସାଙ୍ଗରେ ଧରି ପ୍ଲାଟଫର୍ମ ଉପରକୁ ବୁଲି ବାହାରିଲା । ସେତେବେଳକୁ ପୁରୀ ଗାଡ଼ି ଆସିବା ବେଳ ହେଇଯାଇଚି । ଷ୍ଟେସନରେ କ୍ରମେ ଭିଡ଼ ହେଇଆସିଲାଣି । କିଏ ସାଙ୍ଗମାନଙ୍କ ସହ ଗପରେ ମାତିଚି । କିଏ ବେଞ୍ଚ ଉପରେ କିଏ ବା ତଳେ ଗାମୁଛା କିମ୍ବା ଲୁଗାପାରି ଗଡ଼ପଡ଼ ହେଉଚି । ଛୋଟପିଲା କେତୋଟି ଦୁରନ୍ତ ହରିଣ ଛୁଆ ଭଳି ଦୌଡ଼ା ଦୌଡ଼ି ହେଇ ଏ ଘରୁ ସେ ଘରକୁ ଛୁଟୁଚନ୍ତି । କିଏ ମାଲ ଓଜନ ଯନ୍ତ୍ର ଉପରେ ଚଢ଼ି ଯାଉଚି-। କିଏ ଫିଲ୍‍ଟରର ମାଠିଆ ତଳୁ ନଡ଼ା ସନ୍ଥାଟା ଓଟାରି ଦେଇ ଚମ୍ପଟ । ହାରାହାରି ସମସ୍ତେ କୌଣସି ନା କୌଣସି ଗୋଟିଏ କାମରେ ବ୍ୟସ୍ତ ରହିଚନ୍ତି ।

 

ଏତିକିବେଳେ କିଟିକିଟି କଳା ଧୂଆଁ ଉଡ଼େଇ ପୁରୀ ଗାଡ଼ି ଆସି ଷ୍ଟେସନରେ ଥକ୍କା ମାରି ଛିଡ଼ା ହେଇଗଲା । ରୂପେଇ ଥୁରୁଥୁରୁ ହେଇ ଗାଡ଼ିର ପହିଲିରୁ ଶେଷ ଡବାଯାଏ ଖୋଜିଗଲା । ସବୁ ଲୋକଙ୍କ ମୁହଁକୁ ନିରୀଖି କରି ଚାହିଁଲା । ତା’ପରେ ଛଳଛଳ ଆଖିରେ ଥକା ମାରି ତଳେ ବସିପଡ଼ିଲା । ଯା’ଲାଗି ସିଏ ଏତେ ବିକଳ, ଯା’ପାଇଁ ତାର ଏତେ ଅନୁସନ୍ଧାନ, ତାରି ପତା ସେ ପାଇଲା ନାହିଁ ।

 

କାହାରି କଥାରେ ରୂପେଇର ପତିଆରା ଆସୁ ନ ଥାଏ । ସମସ୍ତେ ତାକୁ ଯେମିତି ଠକୁଚନ୍ତି । ସାରା ଦୁନିଆ ଯେମିତି ତା’ ହଟ ଦେଖିବାକୁ ଅନେଇ ବସିଚି, ଏମିତି ତାର ମନେ ହେଲା-। ଷ୍ଟେସନମାଷ୍ଟରଙ୍କୁ ସେତେବେଳକୁ ସେ ଚିହ୍ନି ସାରିଚି, ମନେମନେ ଠିକ୍ କଲା ସେହି ଏକା ତାର ମାଣିକ, ତାରି ପୁଅ କଥା ବତେଇ ପାରିବେ । ଏକମୁହାଁ ହେଇ ଦଣ୍ଡକରେ ଯାଇଁ ଷ୍ଟେସନମାଷ୍ଟରଙ୍କ ପାଖରେ ପହଞ୍ଚିଗଲା । ଅତି ନିଉନ ହେଇ ପଚାରିଲା–“ଆଁ–ବାବୁ, ଗୋଟା କଥା ପଚାରୁଚି, ରାଗିବନି ମୋ ଉପରେ, ସେ କେତେବେଳେ ଆସିବ ?

–କିଏ କେତେବେଳେ ଆସିବ ?

 

–ମୋର ମାଣିକ, ଜାଣିଚ’ନ୍ତି ଆପଣ...

 

କଥା ତା’ର ଶେଷ ନ ହେବା ଆଗରୁ ସେ ଚଢ଼ା କଣ୍ଠରେ କହିଲେ–ନା, ମୁଁ ଜାଣିନି । କେଉଠୁ ସେ ଆସିବ ?

 

–ଶେଲିଙ୍ଗିରେ ଥା’, କଲିକତା ଗାଡ଼ିରେ ଆସିବ ।

 

–ଢେର ଡେରି, ଢେର ଡେରି ଅଛି । ରାସ୍ତା ଖରାପ, ଗାଡ଼ି ଠିକ୍‍ବେଳେ ଆସିଲାନି ଆଜି, ସାଢ଼େ ଆଠୁଟାରେ ଲାଗିବ । ଯା, ସାଢ଼େ ଯାଇଁ ବସି ର’ ।

 

–ଆଚ୍ଛା ବାବୁ, ଯଦି ଆଜି ନ ଆସେ, କାଲି କେତେବେଳକୁ ଆସିବ ?

 

–ଆଚ୍ଛା ଅଡ଼ୁଆ କଥା । ଜରୁର୍ ଆସିବ, ନ ଆସି କୁଆଡ଼େ ଯିବ ।

 

–ରାଗିବନି ବାବୁ, ମଫସଲ ଗାଁରୁ ଆଇଚି, ଏ ମାନ ମୁଁ ସବୁ କିଛି ଜାଣିନି । ମୋ ଧନ ଲାଗି ପ୍ରାଣ ବଡ଼ ବିକଳ ହଉଚି ।

 

ରୂପେଇର କଥା ଶେଷ ହେବା ଆଗରୁ ଷ୍ଟେସନମାଷ୍ଟର ଅନ୍ୟ କାମରେ ଚାଲିଗଲେ । କାହାଠାରୁ ଟିକେ ସାହସିଆ କଥା ନ ଶୁଣି ସେ ଯେମିତି ଏକବାର ଭାଙ୍ଗି ପଡ଼ିଲା । ମୁଣ୍ଡଟା ତାର ସତେ ଯେମିତି ତଳେ ଲାଗିଯିବ ।

 

ମାଘମାସ । କାଉଁଳିଆ ପାଗ । ଆକାଶଟା ଯାକ ମେଘ ଆଉ କୁହୁଡ଼ି ବସା ବାନ୍ଧି ରହିଚି-। ଜଣା ଯାଉଚି, ପୃଥିବୀଟା ସତେ ଯେମିତି ଗୋଟା ଧୂଆଁର ଗାରଦ । ତା’ଉପରେ ଠାଏଠାଏ ଧଳା ମେଘ ଖଣ୍ଡେଖଣ୍ଡେ ଗୋଟା ଲେଖାଁ ବଡ଼ ଧଳା ଅଳସୁଆ ଘୋଡ଼ା ଭଳି ଆକାଶ ପିଠିରେ ଚାଲୁଥା-

 

–ଖାଲି ଏଇ ନେଉଆ ଗଣ୍ଡାକ ମାଉସି, ନ ଖାଇଲେ ନ ହୁଏ ।

 

କହି କହି ଚପରାସିଟି ଗଣ୍ଡା କି ଛ’ଟା ନେଉଆ ଧରି ପହଞ୍ଚିଲା । ବୁଢ଼ୀ ଟିକେ ଆଗପଛ ହେଲା, ତା’ ବାଦେ ଟିକେ ହସିଦେଇ ନେଉଆ ଯୋଡ଼ିଏ ନେଲା । ଦୁହେଁ ମିଳି ନେଉଆ ଖାଇଲେ । ଚପରାସିଟି ଖାଉଖାଉ କହିଲା–ଏଇ ପନ୍ଦର ବର୍ଷ ଭିତରେ ପୁଅ ତମର ନିଶ୍ଚେ ଖୁବ୍‍ ବଦଳି ଯାଇଥିବ । କିଛି ଊଣା ! ...ପନ୍ଦର–ବରଷ !

 

ରୂପେଇ ଏ କଥାରେ ଟିକେ ଯେମିତି ଚମକି ପଡ଼ିଲା । ତାର ଧ୍ୟାନ ଧାରଣାରେ ତା’ ମାଣିକ, ତା’ ପାଖରେ ସେଇ ପନ୍ଦର ବର୍ଷ ତଳର ମାଣିକ । ତାର କିଛି ଯେ ବଦଳି ଯିବ ସେ କଥା ସପନରେ ହେଲେ ବି ରୂପେଇର ଦିନେ ମନେ ହୁଏନା । ସେଇ ଡେମ୍ଫାଳିଆ ତକତକ ଗୋରା ଦିହ, ଛଳଛଳ ଭସା ଆଖି । ମୁଣ୍ଡରେ ମୁଣ୍ଡେ କଳା ଘୁମର ବାଳ–ତା’ ପୁଅ–ତା’ରି ମାଣିକ, ସେ ପୁଣି ବଦଳିଯିବ କେମିତି ?

 

କିଛି ସମୟ ନୀରବ ରହି ମନେମନେ ରୂପେଇ କଣ ଭାବିଲା । ତା’ପରେ କେତେ ତା’ରି ଅଙ୍ଗନିଭା କଥା କହି ବସିଲା–ବା’ଘର ହବାର ଦଶ ବରଷ ଯାଏ ପିଲା ଛୁଆ ହେଲେନି । କେତେ ଦିଅଁ ଦେବତା ପୂଜି, କେତେ ଓଷା ବାର କରି କେତେ କଷ୍ଟରେ ପାଇଲି ମୋର ମଣି ଆଉ ମାଣିକକୁ । ରାଣ୍ଡ ଯମ ମୋର ହେଲା ଭଗାରୀ । ହାତରୁ ଖଡ଼ୁ କଢ଼େଇଲା । ଯୋଡ଼ିକ ଆଖିରୁ ଗୋଟିକୁ ମୋର ଫୁଟେଇଲା । ଆସୁ, ଆସୁ, ସେଇ ଗୋଟିକ ମାତ୍ର ଫେରି ଆସୁ । କୋଟି ପରମାଇ ହଉ, ମାଣିକର ମୋର କୋଟି ପରମାଇ ହଉ । ବେଦି ଓପରେ ତା’ ମୁଣ୍ଡରେ ମୁଁ ଦୋଳ ମୋକଟ ଦେଖେ......

 

ବଟୁଆ କାଢ଼ି ଚପରାସିଟି ପାନ ଭାଙ୍ଗିଲା । ଦିଖଣ୍ଡରୁ ଖଣ୍ଡେ ଦେଲା ରୂପେଇକି, ନିଜେ ଖାଇଲା ଖଣ୍ଡେ । ତା’ପରେ ପୁଣି ଗପି ବସିଲା–ହଁ ମାଉସି, ପୁଅ ତୋର ଆଜି ଆଉଚି–ଆଉ ଖୁବ୍ ଧନ ଦରବ ଆଣୁଚି ।

 

–ଯା’ ଆଣୁ ତା’ ମୋର ଢେର୍ । ଯା’ର କିଛି ନାଇଁ, ଅଳପ ହେଲେ ବି ସେ ତା’ ନାଗି ଖୁବ୍ । ପରମିଶର ଯୋଉ ଦିନରାତି କରିଚି ତା’ ଆମକୁ ଢେର୍ । ଦଇବର ଏଇ ଦିନରାତି କିଏ କାଢ଼ି ନେଇ ପାରିବନି ବାପ...ସିଏ ମୋର ଫେରିଆସୁ । ଯମ ଧରମ ସହିଲେ ମାଣିକ ରଜାର ଆଧି ଭୋଗ କରିବ । ମୁଁ ଖାଲି ତାକୁ ଆଖିରେ ଦେଖେ । ମାଣିକ ମୋର ଆସୁ ।

 

ଏତିକିବେଳେ ଷ୍ଟେସନରେ ଗୋଟା ଗାଡ଼ି ଆସିବାର ଘଣ୍ଟା ବାଜିଲା । ରୂପେଇ ଧଡ଼ପଡ଼ ହୋଇ ଉଠିଲା–ଏଇଥର କଲିକତା ଗାଡ଼ି ଆଉଚି ।

 

କଥା ଶୁଣି ପାଖର ପିଲଗୁଡ଼ାକ ହୋ ହୋ ନେଇ ହସି ଉଠିଲେ । ଚପରାସିଟି ବି ହସ ସମାଳି ପାରିଲାନି ।

 

–ନା ମାଉସି, ମୋଟେ ଚାରିଟା ବାଜିଲା, ଏ ଲୋକେଲ ଗାଡ଼ି । ସାଡ଼େ ଆଠୁଟାରେ କଲିକତା ଗାଡ଼ି ଆସିବ–ଆହୁରି ତିନି ଚାରି ଘଣ୍ଟା ।

 

ଅଳସ ଅପରାହ୍ନ ଧୀରେଧୀରେ ପିଠି ଫେରେଇ ଚାଲି ଯାଉଚି । ଗୁରୁବାର ସନ୍ଧ୍ୟା ଯେମିତି ଚପଳ ସାଥୀଟି ଭଳି ତାରି ପିଛା ଧରି ଚାଲିଚି । ଚପରାସିଟି ପଚ୍ କରି ମେଞ୍ଚାଇ ହେଙ୍ଗୁଳ ପରି ନାଲି ପାନ ଛେପ ଦୂରକୁ ପକେଇ ଦେଇ ପାଖ ବେଞ୍ଚ ଉପରେ ଲମ୍ବହେଇ ପଡ଼ିଗଲା । ଦଣ୍ଡକ ପରେ ନାକପୁଡ଼ାରେ ଘୁଙ୍ଗୁଡ଼ି ଆରମ୍ଭ ହୋଇଗଲା । କିନ୍ତୁ ବୁଢ଼ୀ ରୂପେଇ ! ଅଖିଆ ଅଗାଧୁଆ ବେହାଲିଆ ହେଇ ପଲକ ଛାଡ଼ି ଚାହିଁଚି ତାରି ମାଣିକ–ସେହି କଲିକତା ଗାଡ଼ି ଲାଗି ।

 

ଷ୍ଟେସନ ପାଖ ଗଛରେ ପକ୍ଷୀଗୁଡ଼ାକ କିଚିରି ମିଚିରି କରି କାନ ଅତରା ପକେଇଦେଲେ-। ସନ୍ଧ୍ୟା ହେଲା । ସାତେ ସାତ୍ ବତିଖୁଣ୍ଟରେ ଆଲୁଅ ଜଳିଉଠି ତାକୁ ଯେମିତି ଜୋରରେ ସମର୍ଥନ କଲା । ତା’ ପଛେ ପଛେ ସାରା ଷ୍ଟେସନଟା ଚାଉଁକିନା ତାର କଅଁଳ ନିଦଟା ଭାଙ୍ଗି ଦେଇ ବଢ଼େ ଯେମିତି ସେ କଥାକୁ ଅନୁମୋଦନ କରିଦେଲା । ତାହା ପରେ ସେଥିରେ ସମସ୍ତଙ୍କର ସମ୍ମତି ଜଣେଇଦେବା ଲାଗି । ଯେମିତି ଯାତ୍ରୀମାନଙ୍କର କୋଳାହଳ ବ୍ୟସ୍ତ ହେଇପଡ଼ିଲା-। ତା’ ପଛକୁ ଦୂରରୁ ଶୁଭିଲା ବଂଶୀ–ସଭାପତିଙ୍କର ମଞ୍ଚ ଉପରକୁ ବିଜେ ହେବାର ବାର୍ତ୍ତା ଘୋଷଣା କରି-

 

ଧୋବ ସର୍ଚ୍ଚ ଲାଇଟରେ ଚଉଦିଗ ହାଲୋର କରି ଦପ୍‍କିନା ମାଡ୍ରାସ ମେଲ୍‍ଟା ଷ୍ଟେସନରେ ଉଭା ହୋଇପଡ଼ିଲା । ତା’ର ହାଲିଆ ଅବସ୍ଥାଟା ଘୋଡ଼େଇ ପକାଇବା ଲାଗି ଯାତ୍ରୀ ଆଉ କୁଲିମାନେ ଖୁବ୍ ଧାଁ ଧପଡ଼ କଲେ । ତାର ବି ବୋଧହୁଏ ମୂର୍ଚ୍ଛା କଟିଗଲା । ନିମିଷକରେ ପୁଣି ଗର୍ଜିଉଠି ସବୁ ଅପମାନ ପଛରେ ପକେଇ, ଏକା ମୁହାଁ ହୋଇ ସମସ୍ତକୁ ଟପି ପଳେଇଗଲା ।

 

ପଡ଼ି ରହିଲା କେବଳ ରୂପେଇ । ତାର ମାଣିକ ଲାଗି ସିଏ ଯେ ସମସ୍ତଙ୍କ ପଛରେ ତାର ଥାନ ବାଛି ନେଇଚି–ସେଥି ସକାଶେ ତା’ର ଦୁଃଖ ନଥାଏ । ହଠାତ୍ ଗୋଟା କୁଲିକି ଧରି ପକେଇଲା–କଲିକତା ଗାଡ଼ି, କଲିକତା ଗାଡ଼ି–ମୋର ମାଣିକ ?

 

କୁଲିଟା ଖୁବ୍ ରାଗିଯାଇ କହିଲା–ସାଢ଼େ ଆଠଟା, ଆ’ପଛ ଗାଡ଼ି । ହଟିଯା–ହଟିଯା, ଲାଇନରୁ ତଫାତ୍ ହୋଇ ଛିଡ଼ା ହୋ ।

 

ଚପରାସିଟି ତା’ ପାଖରେ ଆସି ପହଞ୍ଚିଲା । ସାହାସ ଆଉ ଆଶା ଦେଇ ଦି’ଚାରିପଦ ତାଜା କଥା କହିଲା । କିନ୍ତୁ ଆଦୌ ସେ ସବୁ ତା କାନକୁ ଗଲାନି । ୟା ପରେ, ଆଉ ଦଣ୍ଡକ ପରେ କଲିକତା ଗାଡ଼ି ଆସିବ । ଗାଡ଼ି ଆସିବା ଦିଗଟା ବୁଝିନେଇ ସେହି ଆଡ଼କୁ ଅନେଇ ରହିଲା ରୂପେଇ । ଆନନ୍ଦରେ ଆଖି ତାର ପାଣିରେ ପୂରିଗଲା । ମାଣିକ ଆସିବ କି ନାଇଁ ଆଶାନିରାଶାର ସନ୍ଦେହ ଦୋଳିରେ ଘଣ୍ଟାର ପେଣ୍ଡୁଲମ୍ ଭଳି ମନ ତାର ଝୁଲୁଥାଏ ।

 

କଲିକତା ଗାଡ଼ିର ହୁଇସିଲ ଶୁଣାଗଲା । ଆଗେ ଅଳପ, ତା’ ପରେ ଆଉ ଟିକେ, ଶେଷରେ ମସ୍ତବଡ଼ ଗୋଟିଏ ଅସୁର ଭଳି ଟ୍ରେନଟା ନଡ଼ିଆ ବଣ ଭିତର ଦେଇ ଷ୍ଟେସନ ଗୋଟାକଯାକ ମାଡ଼ି ବସିଲା । ପୁଣି ଲୋକମାନଙ୍କର ତୁଣ୍ଡଗୋଳ, କୁଲିଗୁଡ଼ାଙ୍କର ଚିତ୍‌କାର–ଗାଡ଼ିର କବାଟ ବନ୍ଦ କରିବାର ଦୁମ୍‍ଦାମ୍‍ ଶବ୍ଦ । ଲୋକମାନଙ୍କର ମାଲ ଘେନି ଧାଁ ଧପଡ଼ । ଫେରିବାଲାଙ୍କର ବିକଟ ଚିତ୍କାର, ସବୁ ମିଶି ଷ୍ଟେସନଟା ଯେମିତି ନରକର ପାଖାପାଖି ହୋଇଗଲା-

 

ରୂପେଇ ତାରି ଭିତରେ ସରଗର ସପନ ଦେଖି ଚାଲିଚି । ଠେଲା ଠେଲି କରି ଏପାଖରୁ ସେ ପାଖ ଯାଏ ସବୁ ଖୋଜିଲା । ଅନେକ ବାଟ ଚାଲି ଚାଲି ତାକୁ ଝୋଲା ମାରି ଯାଉଚି, ଥଣ୍ଡାରେ ଗୋଡ଼ ତା’ର କାଲ ମାରି ଯାଉଚି । ତଥାପି ସେ ଖୋଜୁଚି । ହଉ ଟିକେ କଷ୍ଟ । ପନ୍ଦର ବର୍ଷ ପରେ ମାଣିକ ତାର ଫେରୁଚି । ପୁଅକୁ କାଲି ଗାଁରେ ଦେଖି ଲୋକ ଥାଟପତ୍ର ଭାଙ୍ଗିବେ । ତାରି ପୁଅ–ତାରି ମାଣିକ, ରଜା ଗୋଟାକର ଧନ ଘେନି ଫେରୁଚି ! ଭାବୁ ଭାବୁ ରୂପେଇର ଛାତି କୁଣ୍ଢେମୋଟ ହୋଇଗଲା ।

 

ମୁଣ୍ଡରେ ବେଣ୍ଟି, ଗାଲରେ ଗାଲେ ପାନ, ଅଧା ହାତବାଲା ବୋତାମ ଲଗା ଜାକିଟି ଖଣ୍ଡେ ଦିହରେ, ଖାଇବି ହାତ ବାହାରେ ମାଳେ ଡେଉଁରିଆ ଆଉ କାନ୍ଧରେ ଖଣ୍ଡେ ପୋଇଗୁଳିଆ ନାଲି କଲିକତି ଗାମୁଛା ପକେଇ ଅଧା କି ତିନିପା ବୟସର ଜଣେ ମରଦ ଗାଡ଼ିରୁ ଓହ୍ଲେଇ ଷ୍ଟେସନକୁ ଚଞ୍ଚଳ ଯାଉଁ ଯାଉଁ ହଠାତ୍ ରୂପେଇ ସହିତ ଗୋଟା ଢ଼ୁ ଖାଇଗଲା । ବୁଢ଼ୀ ବିଚାରୀ ପଡ଼ିଯିବା ଉପରେ, ଏତିକିବେଳେ ଲୋକଟି ତାକୁ ଧରି ପକେଇ, ହଠାତ୍ ଆବାକାବା ହୋଇ ଛିଡ଼ା ହେଇଗଲା ।

 

–କିଏ ମଣି ମା’ ? ମଣି ମା’ ?

 

ରୂପେଇ ତାକୁ ବଲବଲ କରି ଅନେଇଲା, ସତେ ଯେମିତି ତାକୁ ଜମା ଚିହ୍ନେନା ।

 

ଚିହ୍ନି ପାରୁନା ମତେ ମଣି ବୋଉ ? ମୁଁ ପରା ପରଭା, ମଝିପଡ଼ା ପରଭା । ମୁଁ ପରା କଲିକତାରୁ ଆଇଲି । ଅନେକ ଦିନ ପରେ ଜନମ ଥାନଟା ଦେଖିଯିବା ନାଗି ମନଟା କଣ ହେଇଗଲା ।

 

ହଠାତ୍ କହିଲା ରୂପେଇ–ଆଉ ମୋ ମାଣିକ ? କୁଆଡ଼େ ଗଲା ସିଏ । ଗାଡ଼ିରେ କଣ ଏତେବେଳେ ଯାଏ ବଇଚି ?

 

ପରଭା ମୁହଁରୁ କଣ ଗୋଟିଏ ଶବ୍ଦ ବାହାରିଲା–ତା’ ଜମା ବାରି ହେଲାନି । ଟିକିଏ ପରେ ପରଭା ପୁଣି କହିଲା–ଆସ, ପାନ ଖାଇବା ଆସ......

 

–ହଁ, ଖାଇବି, ତୁ ଆଗେ ପୁଅକୁ ଘିତି ଆସିବୁ ଯା’ ମୁଁ ଏଇଠି ଠିଆ ହେଇଚି । ମୁଁ ଟେସନକୁ ଆଇଚି ବୋଲି ସେ ଜାଣି ନେଇନା କଣ । ଯା, ଡେରି କରନା ପରଭା......

 

ପରଭା ଟିକେ ଦୋ ଦୋ ପାଞ୍ଚ ହେଲା । ନାଲି ଗାମୁଛା ଖଣ୍ଡକରେ ମୁହଁଟା ଥରେ ପୋଛିନେଇ ଭାବଟା ଲୁଚେଇବାକୁ ଚେଷ୍ଟା କଲା । ରୂପେଇ ଯେତେବେଳେ ତା’ ମୁହଁକୁ ପୁଣି ଅନେଇଲା, ସେତେବେଳେ ପରଭା ଦି’ ହାତରେ ବୁଢ଼ୀକି ଜାକି ଧରି ତା’ର ଉତ୍ସୁକ ମୁହଁକୁ ଅନେଇ ଅନେଇ କହିଲା–ମଣି ବୋଉ, ମଣି ବୋଉ, ଛାତି ମୋର ଫାଟି ଯାଉଚି । ଦିନେ ନା ଦିନେ ହେଲେ ତମେ ଜାଣନ୍ତ । ତମର ରଜାଲାଖି ପୁଅ ମାଣିକ ଆଉ ନାଇଁ । କଲିକତାର ମଶାଣିରେ ତାକୁ ଛାଡ଼ି ଦେଇ ଆଇଲୁ ।

 

ବୁଢ଼ୀ ରୂପେଇର ଆଖି ଖରାଦିନର ନଈବାଲି ପରି ଶୁଖିଲା । କାନ୍ଦର ସ୍ଵରଟିଏ ହେଲେ କଣ୍ଠରୁ ତା’ର ବାହାରିଲା ନାହିଁ । ଦିହର ଲୁଗାଟାକୁ ଭଲକରି ଟିକେ ସଜାଡ଼ି ଦେଲା, ଜଳଖିଆ ପାଚିଆଟାକୁ ହାତରେ ‘ଓହଳେଇ, ମୁହଁକୁ ତଳକୁ ପୋତି ଷ୍ଟେସନରୁ ଡଗଡଗ ହେଇ ବାହାରିଗଲା-। ...ପରଭାର ଇଚ୍ଛା ହେଉଥାଏ ତା’ ପଛରେ ଯାଇଁ ସାଙ୍ଗରେ ଧରି ତାକୁ ଘରକୁ ନେଇ ଯିବାକୁ । କିନ୍ତୁ ତେଣେ ଗାଡ଼ିରେ ତା’ର ଜିନିଷପତ୍ର ଅଛି । ଭାବିଲା, ଜିନିଷ ଓହ୍ଲେଇ, ବାଟରେ ଯାଇଁ ତାକୁ ଭେଟି ହବ ।

 

ରୂପେଇ ଚାଲୁଥାଏ । କେଉଁ ଆଡ଼କୁ ତା’ର ନଜର ନାହିଁ । କାହିଁରେ ତାର ମନ ନାହିଁ । ଯେମିତି ଚାଲିବା ଛଡ଼ା ଆଉ କିଛି କର୍ତ୍ତବ୍ୟ ତା’ ଆଗରେ ନାହିଁ । ସେ ଯେତେ ଯାଉଥାଏ ଷ୍ଟେସନର ଆଲୁଅ, ମଣିଷଙ୍କର ପାଟି ସେତେ ତା’ର ପଛରେ ପଡ଼ୁଥାଏ । କେତେଟା ଶୁଖିଲା ଥୁଣ୍ଟାଗଛ ପାଦକୁ ତାର ଖଣ୍ଡିଆ କରି ଦେଲା, ତେଣିକି ତା’ର ନଜର ନାହିଁ । ସେ ଭାବିଲା ନାଇଁ କୁଆଡ଼େ ସେ ଯାଉଚି......

 

କଲିକତା ଗାଡ଼ି ଷ୍ଟେସନ ଛାଡ଼ି ଆଉ ଗୋଟା ଷ୍ଟେସନଆଡ଼କୁ ବାହାରିଲା । ନଡ଼ିଆ ବଣ ଭିତରେ ପଶି, ଦି’ପାଖରେ ଗଛ ଦୋହଲେଇ, ବିଲ ପଡ଼ିଆ କମ୍ପେଇ ଚାଲିଲା । ତାର ସାମାନାର ସର୍ଚ୍ଚଲାଇଟ୍‍ଟା ସତେ ଯେମିତି ନରକର ଏକଆଖିଆ ପାଗଳା ଅସୁରର ଜଳନ୍ତା ଆଖି । ଯେମିତି ବିଧାତା ପୁରୁଷର ବୋଲରେ ସେ ଏଇ ସଂସାରଟାକୁ ଜାଳିପୋଡ଼ି ଦବାକୁ ଆଇଚି । ରୂପେଇ ଭାବେ ପାଗଳା ଅସୁରର ନିଆଁ ମୁଣ୍ଡା ଭଳି ଆଖିଟା ଚୁମ୍ବକଭଳି ତାକୁ ଯେମିତି ତାରିଆଡ଼କୁ ଟାଣି ନେଇ ଯାଉଚି । ତା’ ମାଣିକ ତା’ ପୁଅକୁ ସେ ଅସୁରଟା ସତେ ଯେମିତି ତାକୁ ଦଉନି–ସେ ଯେମିତି ଅସୁର ସାଙ୍ଗରେ ଲଢ଼େଇ କରି, ତାକୁ ହରେଇ ତା’ ମାଣିକକୁ ତା’ ଠଉଁ ଛଡ଼େଇ ଆଣିବ । ...

 

ତହିଁଆର ଦିନ ସକାଳ । ସମସ୍ତେ ଦେଖିଲେ ରେଳଲାଇନ୍ ଉପରେ ବୁଢ଼ୀ ରୂପେଇର କଟା ଦିହଟା ଦି’ ଖଣ୍ଡ ହେଇ ପଡ଼ି ରହିଚି । ଆଉ ଲାଇନ୍‍ର ଗୋଟିଏ ପାଖରେ ରୂପେଇର ସେଇ ପିଠା ପାଚିଆ । ସେଥିରୁ ଟିକେ ହେଲେ ଜିନିଷ ନଷ୍ଟ ହେଇନି ।

Image

 

ନିର୍ଝର

 

ବହୁତ ପଛକୁ ଅନେଇଲା । ଦେଖିଲା, ନାଇଁକିଛି ନିଶୂନ । ଚାହିଁଲା ପୁଣି ଆଗକୁ, ଫାଙ୍କା-। ଆଖି ପଡ଼ିଲା ପାଦ ମୂଳେ । ମାଟି । ଛିଡ଼ା ହୋଇଚି ମାଟି ଉପରେ । ଆସିଛି ତାରି ଉପରେ-। ଯିବ ପୁଣି ଆଗକୁ ତା’ରି ଉପର ଦେଇ ।

ତେବେ ଏତେ ବାଟ କେମିତି ଆଇଲା ତାହାହିଁ ହେଲା ତାର ଭାବିବାର କଥା ।

ମୋତି ଭାବିଲା ।

ସେତେବେଳକୁ ଆଖିରୁ ତାର ଦିଧାର ଲୁହ ଗଡ଼ି ଛାତିଟା ଯାକ ଓଦା କରି ଦେଲାଣି । ସେ ଭାବୁଚି ।

ନିରପରାଧା ତରୁଣୀ । ବିବାହର ତିନି ବର୍ଷ ପରେ ସ୍ୱାମୀ ତାର ବସନ୍ତରେ ମରିଗଲେ । କୋଳରେ ବର୍ଷକର ପୁଅ–ବନମାଳି, ତାହାପରେ...ଅସତୀର ଅପବାଦ...

ଆଗରେ ଚେମେଇ ପଧାନ, ପଛରେ ମୋତି । ଶେଷରେ ସେ ଏକା । ପାଦ ତଳେ ବଡ଼ଦାଣ୍ଡର ମାଟି । ଚାରିଆଡ଼େ ଅସଂଖ୍ୟ ଲୋକ ।

ଲକ୍ଷେ ଲୋକଙ୍କ ଭିତରେ ସେ ଏକା । ଘରର ଭୁଆସୁଣୀ ହଠାତ୍ ଆଜି ଦାଣ୍ଡରେ ଠିଆ-। ତାକୁ ଆବାକାବା ଲାଗିଲା ଦଣ୍ଡକ ପାଇଁ । ଭବିଷ୍ୟତର ଚିନ୍ତା ସବୁ ଭାବନାର ତଣ୍ଟି ଚିପି କଳାପାହାଡ଼ ପରି ଉଭା ରହିଲା ଏକାକେ ।

 

ବା’ଘରର ସଉଦା ପାତି ସହ ଦୋଳଗୋବିନ୍ଦ ଘରେ ପହଞ୍ଚିଲାବେଳକୁ ରାତି ଦି ଘଡ଼ି । ସଉଦା ଆସିଥିଲା ଅନେକ, କିନ୍ତୁ ସମସ୍ତେ ଦେଖିଲେ ବେଶି ମୋତିକି ।

 

କେତକୀ ପାଖୁଡ଼ା ପରି ଦିହ–

 

ଧିଅରେ ଧିଏ ଗହଣା–

 

ତାଲବର ଘର ବୋହୂ–

 

ହୀନି କପାଳୀ–

 

ତିନି କୂଳରେ ଏ ଜାତି ମାଇପଙ୍କର ବାସ ନାଇଁ ।

 

କେତେ ଲୋକ, କେତେ ମନ୍ତବ୍ୟ କଲେ । ସପକ୍ଷରେ କହିଲେ ଖୁବ୍ କମ୍ ।

 

ବା’ଘର ଗୋଳଘୁଙ୍ଗୁଳରେ ମୋତିର ସାତ ଆଠଦିନ କଟିଗଲା । ସେ କଣ ଥିଲା, କଣ ହେଲା, କିଛି ଠିକ୍ କରି ପାରୁ ନାହିଁ କହିଲେ ବେଠିକ ହେବ, ମୋଟେ ଭାବି ପାରୁ ନାହିଁ । ବନମାଳି କଥା କିନ୍ତୁ ଭୁଲିନି । ସବୁ ନଉ–କିନ୍ତୁ ତା’ ବନମାଳିକି କିଏ ଦଉ ।

 

କିଏ ଦବ ? ସମାଜ ତାଠାରୁ ସବୁ ଯେମିତି ଛଡ଼େଇ ନେବାକୁ ଦୃଢ଼ପ୍ରତିଜ୍ଞ । ଆଉ ମୋତି । ସେ ଯେପରି ଗୋଟିଏ ନିରୀହ କୁରଙ୍ଗୀ । ଲକ୍ଷ୍ୟ ଭେଦ ଶିଖିବାକୁ ହେବ, ବାଣୁଆର ତା’ଠାରେ । ଭୀରୁ ଚାହାଣୀ ଦେଖି ମୁଗ୍‍ଧ ହେବ ଜନତା, ତା’ରି । ତାରି ଶିଶୁକୁ ହରଣ କରି ଲୋକ ହେବ ଉଚ୍ଚ ଆଦର୍ଶର ପରିଚାୟକ । ସେତିକି ନୁହେଁ, ମାଂସକୁ ତାର ଟିକିକିଟି କରି ବାଣ୍ଟି ଖାଇଲେ, ସମାଜ ଯେପରି ସେଥିରେ ପୁଷ୍ଟ ହେବ ।

 

ମୋତି ପାନ ଭାଙ୍ଗୁଥିଲା, ଦୋଳଗୋବିନ୍ଦଙ୍କ ଶୋଇଲା ଘରେ । ଖଟ ଉପରେ ଗଡ଼ପଡ଼ ହୋଇ, ଦୋଳଗୋବିନ୍ଦଙ୍କ ସ୍ତ୍ରୀ କଣ ପଚାରୁଥିଲେ–ମୋତିକି । ହଠାତ୍ ରାଧାଗୋବିନ୍ଦ ଝଟୀକା ପରି ସେ ଘରକୁ ଛୁଟିଯାଇ, ମୋତିର ଗୋଟା ହାତଧରି ଝିଙ୍କି ଆଣି, ମଝି ଦୁଆରେ ଛିଡ଼ା କରି ଦେଇ–ଅଭି ନିକଲ–ବୋଲି କହି, ଗୋଟା ଠେଙ୍ଗା ଆଣିବାକୁ ଦଉଡ଼ିଗଲେ, ବାରି ଦୁଆର ନଙ୍ଘାକୁ ।

 

ମୋତି ଦୁଆରେ ଛିଡ଼ା ହୋଇ ପାରିନି । ଏ ଆକସ୍ମିକ ଅତ୍ୟାଚାରରେ ଏପରି ଭୀତ ହୋଇଥିଲା ସେ ନିଜକୁ ସମ୍ଭାଳି ପାରିବାର ଭରଷା ତା ଭିତରେ ତ ନଥିଲା, ତାପରେ ରାଧାଗୋବିନ୍ଦ ତାକୁ ଏଡ଼େ ଜୋରରେ ଛିଞ୍ଚାଡ଼ି ଦେଲା ପରି ଠିଆ କରିଦେଲେ ଯେ ମୁଣ୍ଡଟା ତାର ଯେମିତି ଘୂରିଗଲା–ମୁହଁମାଡ଼ି ହୋଇ ସେ ତଳେ ଦୁଲକିନା କଚାଡ଼ି ହୋଇ ପଡ଼ିଲା ।

 

ଶୁଖିଲା ମାଟି ଦୁଆର । ହଠାତ୍ ପଡ଼ିଯିବାଦ୍ୱାରା ମୁଣ୍ଡଟା ତଳେ ବାଡ଼େଇ ହୋଇ ଛେଚି ହେଇଗଲା । ଦୋଳଗୋବିନ୍ଦଙ୍କ ସ୍ତ୍ରୀ ଆସି ଦେଖିଲାବେଳକୁ ମୋତି ବେହୋସ୍–କପାଳରୁ ଗାଲଯାଏ ରକ୍ତରେ ନାଲ ।

 

ରାଧାଗୋବିନ୍ଦ ଠେଙ୍ଗା ଘେନି ଫେରିବାବେଳକୁ ମୋତି ମୁମୂର୍ଷ ଭଳି ପଡ଼ିଛି । ପାଖରେ ଭାଇବୋହୂ ବସି ତା’ ମୁହଁରେ ପାଣି ଛାଟୁଚନ୍ତି ।

 

ଅନେକ ଲୋକ ଜମା ହୋଇ ପଡ଼ିଲେ । ଏଇ କେତେ ଦିନରେ ମାଇପେଯାକ ଯେମିତି ମୋତିର ମା ପାଲଟି ଯାଇଚନ୍ତି । ଦୁଃଖରେ ସମବେଦନା ସୂଚକ କେବେ କରୁଣ ଶବ୍ଦ ଉଚ୍ଚାରଣ କରି, କିଏ କନା ପୋଡ଼ି, ମୁଣ୍ଡର ଫାଟିଯାଇଥିବା ଯାଗାରେ ଦେବା, କିଏ ମୋତିର ଦିହ ମୁଣ୍ଡରେ ଲୁଗା ସଜାଡ଼ି ଦେବା କିଏ ବିଞ୍ଚଣା ଧରି ଟିକେ ବିଞ୍ଚିପକାଇବାରେ ଲାଗିଗଲେ ।

 

ରାଧାଗୋବିନ୍ଦ ସେତେବେଳକୁ ଠେଙ୍ଗା ହାତରେ ଅବାକ୍ ହୋଇ ଛିଡ଼ା ହେଇଚନ୍ତି । ଠେଙ୍ଗାଟା କିଛି ସମୟ ପରେ ଛାଁ ହାତରୁ ଖସି ପଡ଼ିଲା । ସେ ଯେମିତି ଆଉ ଅଳ୍ପ ସମୟରେ ପଡ଼ିଯିବେ । ପଛରୁ ତାଙ୍କର ସ୍ତ୍ରୀ ଆସି ତାଙ୍କୁ ଧରିନେଇ ଘରେ ଖଟ ଉପରେ ଶୁଆଇ ଦେଲେ ।

 

ମୋତି ଜାଣିଲା ଅକାଳ ବଜ୍ର ତାର ଚିର ସହଚର । ଜୀବନ ତାର ଅତି ବୈଚିତ୍ର୍ୟମୟ । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ସେଥିରେ ।

 

କଥାଟା କ୍ରମେ ସମସ୍ତେ ବୁଝି ପାରିଲେ । ମାସକ ତଳେ କଲିକତାର ଜଣେ ଅଶୀ ବର୍ଷର ବୁଢ଼ା ଜଜ୍ ବା’ ହେବା ପାଇଁ ପାଗଳ ହେବା କଥା ଖବର କାଗଜରେ ବାହାରି ଥାଏ’, ଆଉ ଏ ଷାଠିଏ ବର୍ଷର ରାଧାଗୋବିନ୍ଦଙ୍କ କଥା ସ୍ଵାଭାବିକ ଭାବି ଅନେକ କେତେକାଂଶରେ ଅଶ୍ଵସ୍ତ ହେଲେ ।

 

ଦୋଳଗୋବିନ୍ଦ କାର୍ଯ୍ୟୋପଲକ୍ଷରେ ଅନ୍ୟତ୍ର ଯାଇଥାନ୍ତି । ସେଠାରୁ ଫେରି ବଡ଼ଭାଇଙ୍କର ସମସ୍ତ କୀର୍ତ୍ତିକଳାପ ଶୁଣି ଭିତର ପିଣ୍ଡାରେ ଥକା ମାରି ଠିଆ ହୋଇଗଲେ । ସହସା ଉହାଡ଼ରୁ ନବାଗତ ପୁତ୍ରବଧୂର ନୂପୁର ଧ୍ଵନି ଶୁଣାଗଲା । ପଥ ପରିଷ୍କାର କରି ସେ ଗଳାଖଙ୍କାର କାଢ଼ିବାର ଶବ୍ଦକଲେ ।

ମୋତି ଆଉ ଏ ଘରେ ନାହିଁ । ଦୋଳଗୋବିନ୍ଦଙ୍କ ପୁତ୍ରବଧୁ ଜ୍ୟେଷ୍ଠ ମାସରେ ବାପଘରକୁ ଯିବାବେଳେ, ସଙ୍ଗରେ ଜଣେ ଦାସୀ ଯିବାର ଆବଶ୍ୟକ ହେଲା । ମୋତି ତାଙ୍କ ସଙ୍ଗରେ ମୁକୁନ୍ଦପୁର ଚାଲି ଯାଇଛି ।

ବୋହୂକୁ ଆଣିବାର ପୁଅର ଇଚ୍ଛା ଯେତେ ନ ଥିଲା ତା ଚାହିଁ ବେଶି ଥିଲା ଦୋଳଗୋବିନ୍ଦଙ୍କର । ପାଞ୍ଚ ଛ ମାସ ପରେ ବୋହୂ ଯେତେବେଳେ ଭାର ଘେନି ଫେରିଲା, ଦୋଳଗୋବିନ୍ଦ ଦେଖିଲେ, ବୋହୂ ଏକା ।

ଦିପରହ ବେଳ । ପୁତ୍ର ହୃଷିକେଶ ଖଟର ଗୋଟିଏ କୋଣରେ ନିବିଷ୍ଟ ହୋଇ ବହି ପଢ଼ୁଛି । ଅନ୍ୟପାଖରେ ବୋହୂ ଗହଣା ବାକ୍‌ସ ସଜାଡ଼ିବାରେ ତତ୍ପର । ଅଧୈର୍ଯ୍ୟହୋଇ ଦ୍ଵାରବନ୍ଧ ନିକଟରେ ଦୋଳଗୋବିନ୍ଦ ପୁତ୍ରବଧୂ ଉଦ୍ଦେଶ୍ୟରେ ମୋତିକଥା ପଚାରିଲେ । ଘରେ ହୃଷୀକେଶ ଥିବାର ପଦାକୁ ଜଣା ଯାଉନାହିଁ । କଥାଟା ଶୁଣି ହୃଷିକେଶର ଭ୍ରୂ ଦୁଇଟି କୁଞ୍ଚିତ ହୋଇଗଲା । ଡାହାଣ ହାତର କାଣି ଆଙ୍ଗୁଠିଟା, ଦାନ୍ତରେ ଚାପି ଧରି ପଢ଼ୁଥିବା ବହି ଉପରୁ କ୍ଷଣକ ପାଇଁ ଆଖି ଫେରେଇ ନେଇ କଣ ଭାବିଲା । ପାଖରେ ଛୋଟ ନଣନ୍ଦ ସୁଷମା ଶୋଇଥିଲା । ବୋହୂ ତାକୁ ଉଠାଇ ଖବର ଦେଲେ,

ବାପାଙ୍କୁ କୁହ ମୋତିକି ଜର, ସେ–ଆମ ଘରେ ଅଛି ।

ହୃଷିକେଶଙ୍କ ଶଶୁର ଦି ଭାଇ । ଦୋଳଗୋବିନ୍ଦଙ୍କ ପରିବାର ପରି ସେଠିକା ପରିବାର । ଦୁଇ ଭାଇଙ୍କର ଗୋଟିଏ ପୁଅ । ପୁଅ ଅବିବାହିତ । ଝୁଅ ତିନୋଟିରୁ ଗୋଟିଏ ଏଠି ବିଭା ହେଇଚି-। ଘରେ ଅଛନ୍ତି ଦୋ’ଟି ।

ମୋତି ମୁକୁନ୍ଦପୁରରେ ରହିବାର ଚାରି ପାଞ୍ଚବର୍ଷ ହେଲାଣି । ତାର ସେ ରୂପ, ସେ ଯୌବନ ନାହିଁ । କାଙ୍ଗାଳ ସମାଜର ଦାଉ ଏଡ଼ି ଚଳିବା ତା’ପକ୍ଷରେ ଆଉ ସହଜସାଧ୍ୟ ହେଲାନି । ରୂପରୁ କିମ୍ବା କଥାରୁ ନୁହେ, ଆଖିରୁ ତାର ମୋତି ଝଡ଼ି, ଏବେ ନାଁ’ଟିକୁ ତାର ସାର୍ଥକ କରିଛି ।

ସେଦିନ ଗାଁଟା ସାରା ହୁରି ହେଇଗଲା–ବଡ଼ ବାବୁଙ୍କ ଭାରିଯା କନିଅର ମଞ୍ଜି ଖାଉଚି । ବୁଝୁ ବୁଝୁ କଥାଟା ନିରାଟ ସତ । ‘କାରଣ’ କିନ୍ତୁ ବୁଝଗଲା ନାହିଁ, । ବଡ଼ଲୋକଙ୍କର ବଡ଼ କଥା ଭାବି କିଏ ହସିଲେ, କିଏ ବା ନିଜକୁ ସେ ସବୁରେ ନ ପୂରାଇ ଅଲଗା ରହିଲେ । ନିଆଁ ନ ଥିଲେ ଧୂଆଁ ବହାରେନା ନୀତିର ଅନୁସରଣ କରି, କେତେକ ମଧ୍ୟ କଥାଟାର କାରଣ କଣ ଜାଣିବା ପାଇଁ ଅନାଇ ରହିଲେ ।

ଆଶଙ୍କାକୁ ରୂପ ଦେଇ ସାନବାବୁଙ୍କ ସାଙ୍ଗରେ ମୋତି ଯେତେବେଳେ କଟକରେ ଯାଇ ରହିଲା, ଅନେକ ଲୋକ ଅନେକ କଥା ଅନୁମାନ କରି ବସିଲେ । ସ୍ତ୍ରୀ ମହଲରେ କଥାଟାର ସତ୍ୟତା ପ୍ରଥମେହିଁ ଫୁଟି ଉଠିଲା । ତା’ପରେ ମୋତି ପ୍ରତି ବଡ଼ ସାନ୍ତାଣୀଙ୍କ ପରବର୍ତ୍ତୀ ବ୍ୟବହାରହିଁ ଲୋକମାନଙ୍କୁ ବେଶି ନିଃସନ୍ଦେହ କରି ଦେଲା ।

ଦିନେ ଖରାବେଳେ ମୋତି କଟକ ବସାର ଦାଣ୍ଡଘରେ ଗୋଡ଼ ଲମ୍ବେଇ ବସି ଅତୀତ କଥା ଭାବୁଛି–ହଠାତ୍ ରାସ୍ତା ଉପରେ ଗୋଟାଏ ଗୋଳମାଳ ହେଲା ।

 

ଚମ୍ପାଫୁଲ ପରି ରଙ୍ଗ, ଚଉଦ କି ପନ୍ଦର ବର୍ଷର ପିଲାଟିଏ । ସାଇକଲ ଚଢ଼ି ରସ୍ତାଉପରେ ଚାଲି ଯାଉଥିଲାବେଳେ ପାଖରେ ଖେଳୁଥିବା ପାଞ୍ଚ ଛ ବର୍ଷର ପିଲା ଉପରେ ଗାଡ଼ିଟା ଟିକେ ନାଗିଛି କି ନାହିଁ; ଛୁଆଟି ଭୟରେ କାନ୍ଦି ପକାଇଲା । ପଡ଼ାର ଲୋକ ପିଲାଟିଠଉଁ ସାଇକଲ ଛଡ଼େଇ ତାକୁ ଘେରି ଗଲେ । ଜଣେ ଠୋ କରି ଚାପୁଡ଼ା ଚଢ଼େଇ ଦେଲା ପିଲାଟି ଗାଲରେ । ସେ କାନ୍ଦି କାନ୍ଦି ଆସିଲାବେଳକୁ ମୋତି ତାକୁ କୋଳରେ ପୂରେଇ ବସାକୁ ତାଙ୍କର ଘେନି ଆଇଲା ।

 

ପିଲାଟି ଚାଲିଗଲା ପରେ ମୋତିର ଆଉ କୌଣସି କାମରେ ମନ ଲାଗିଲା ନାହିଁ । ବହୁ କଷ୍ଟରେ ହଜିବା ଜିନିଷ ପାଇ ତାକୁ ପୁଣି ହରେଇଲେ, ମନ ଯେମିତି କଷ୍ଟ ହୁଏ; ମୋତି ସେହିପରି ଅନୁଭବ କଲା । ସେହିଦିନଠୁ ପ୍ରତିଦିନ ଖରାବେଳଟାଯାକ ସେଇଠି ଚାହିଁରହେ ସତେ ଯେପରି ସେ ନିତି ସେ ବାଟେ ଯାଏ ।

 

ଆଉ ଦିନେ ପିଲାଟି ସେହିବାଟେ ଚାଲି ଚାଲି ଯାଉଚି । ମୋତି ଗୁଡ଼ିଆ ଦୋକାନରୁ ବାବୁଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇଥିଲା । କୋଟିନିଧି ପାଇଲା ପରି ସବୁ ଛାଡ଼ିଦେଇ ପିଲାଟିକି ଯାଇଁ ଝଟ୍ ଧରି ପକାଇଲା ।

 

ନିଜର ପରିଚୟ ନ ଦେଇଥିଲେ ମଧ୍ୟ ପିଲାଟିର ପରିଚୟ ମୋତି ଆ’ ଭିତରେ ନେଇ ସାରିଚି । ସେ ନିଶ୍ଚୟ କରି ଜାଣିଚି, ସେଇ ତାର ବନମାଳି । ତା ଠଉଁ ବୁଝି, ରଖିଛି, ସେ କଚିରି ପାଖ ହାଇସ୍କୁଲରେ ପଢ଼େ । ତାର ବାପ ନାହିଁ, ମା ନାହିଁ । ଆଉ ସମସ୍ତେ ଅଛନ୍ତି–ତା ନାଁ ବନମାଳି-

 

ଦିନର କାମଗୁଡ଼ା ମୋତି ଏଣିକି ଖୁବ୍ ଶୀଘ୍ର ସାରି ଦେଉଚି । ଦଶଗୁଣ ବଳ ଯେମିତି ତା ବାହା ଭିତରେ ବଢ଼ି ଯାଇଛି । କାମ ସାରି ପଚାଶ କି ଷାଠିଏ ଥର ଆସି ଦାଣ୍ଡ ଦୁଆର ମୁହଁରେ ଠିଆ ହୋଇ ବାଟଘାଟକୁ ଅନାଏଁ–ସେ କାଳେ ଆଉଥିବ । କିନ୍ତୁ ସେ ଭଲ କରି ତା’ଠାରୁ ଜାଣିଚି, କେବଳ ଚାରିଟାବେଳେ ସେ ବୁଲି ବାହାରେ । ଆଶା ବୈତରଣୀ, କାଳେ ଭୋଦୟା ସେ ଏ ବାଟେ ଚାଲିଆସିବ । କେତେ ଇସ୍କୁଲ ପିଲା ତ ଏ ବାଟେ ଯାଆନ୍ତି ।

 

ସତକୁସତ ଆଉ ଦିନେ ମୋତି ପୁଣି ସେ ପିଲାକୁ ପାଇଲା । ଏତେ ଅଭିଯୋଗ ମୋତେ ତା ବିରୁଦ୍ଧରେ କଲା ଯେ ଉତ୍ତର ଦେବାକୁ ସେ କୌଣସି ଭାଷା ପାଇଲା ନାହିଁ । ଅଭିଯୋଗର କେନ୍ଦ୍ର ହେଲା–ସେ କାହିଁକି ଟିକେ ନ ଆସେ । କିନ୍ତୁ ବହୁତ ଦିନର ଓରମାନ ମୋତି ସେଦିନ ମେଣ୍ଟାଇ ନେଲା । ବନମାଳିଠୁ ପ୍ରତିଶ୍ରୁତି କରାଇ ନେଲା ଯେ ଆଜିଠଉଁ ସେ ତାର ‘ମା’ । “ମୋତେ ତୁ ବୋଉ ବୋଲି ଡାକିବୁ ।”

 

ବନମାଳି ମାନିଲା,

 

ଡାକିଲା–‘ବୋଉ ।”

 

ରାତି ହେଲେ ଦିନର ଆଲୁଅ ଯେପରି ତାର ସମସ୍ତ ସତ୍ତା ହରାଏ, ଯେତେ ଆଲୁଅ ଜଳିଲେ ବି ଅନ୍ଧାର ଦୂର କରିବା ଖୁବ୍ କଷ୍ଟକର ହୁଏ, ମୋତିର ହେଲା ଠିକ୍‍ ସେହିପରି । ସାନ ସାନ୍ତାଣିଙ୍କ ଅତ୍ୟାଚାର ବି ତା ଉପରେ କ୍ରମେ ଆରମ୍ଭ ହେଲା ।–ମୂଳ କାରଣ, ବାବୁ କଟକରେ ଏ ଥରକ ଅଧିକ ଦିନ ରହିଗଲେ–ଆଉ ରହିବା ଭିତରେ ସ୍ତ୍ରୀଙ୍କୁ ଆଣିବାକୁ ମନ ନ କଲେ କାହିଁକି ।

 

ରାତିରେ ଜୁଳୁଜୁଳିଆ ପୋକ ଭଳି ମୋତି ପକ୍ଷରେ ବନମାଳିର ସ୍ମୃତି ହେଲା ଏ ଅନ୍ଧାରରେ ଆଲୁଅ; ସ୍ରୋତ ମୁହଁରେ ଖାଲି ଡଙ୍ଗାଟାକୁ ଛାଡ଼ି ଦେଲେ ଦଶା ତାର ଯା’ ହୁଏ ମୋତିର ହେଲା ଠିକ୍ ସେଇଆ । ପର୍ଶୁରାମଙ୍କ ସ୍ଵର୍ଗପଥ ରାମଚନ୍ଦ୍ର ରୋଧ କଲା ପରି, ମୋତିର କଟକ ପଥ ସାନସାନ୍ତାଣୀଙ୍କଦ୍ଵାରା ରୁଦ୍ଧ ହେଲା । ଦଶହରାକୁ ବାବୁଙ୍କ ସାଙ୍ଗରେ ଘରକୁ ଫେରି, କଟକ ଆସିବା ତା ପକ୍ଷରେ ଆଉ ସମ୍ଭବ ହେଲାନି ।

 

ପାଁ, ସାତ ବର୍ଷ କଟିଗଲା । ସେ ବର୍ଷ ଖରାଛୁଟିରେ ସାନବାବୁଙ୍କ ପୁଅ ମୁରାରି ପରିବର୍ତ୍ତନ ପାଇଁ ପୁରୀରେ ଯାଇ ରହିଲେ । ସାଙ୍ଗରେ ଥାନ୍ତି ଆଉ ଦି’ଜଣ ବନ୍ଧୁ ।

 

ଘରଟି ଦୋମହଲା । ତଳେ ଥାଏ ଜଗୁଆଳି ବୁଢ଼ୀ, ଆଉ ଜଣେ ଅନାଥା । ଆଉ ବୁଢ଼ୀର ଚିହ୍ନା ପରିଚିତ ମଫସଲର ଲୋକ ବେଳେ ବେଳେ ଆସି ସେଠି ରହନ୍ତି । ଉପରେ ରହନ୍ତି ମୁରାରି ପ୍ରଭୃତି ।

 

ସକାଳୁ ବୁଢ଼ୀ ଭଜନ ଗାଇଲା,

ପ୍ରଭୁଙ୍କୁ ଭେଟିଲେ ଥରେ

ଆଉ ତ ନ ଛାଡ଼ିବିରେ–

କହିବି ଦୟା ସାଗର

ଦୀନେ ହୀନେ କ୍ଷମାକର–

ରଖ ରଖ ବୋଲି ତାଙ୍କ ପାଦତଳେ ଲୋଟିବିରେ ।

 

ମୁରରିର ମନ ଓଦା ହୋଇଗଲା ଟିକେ–ଏ ଗୀତରେ । ଭାବିଲା, ଗୀତର ରଚକ ଜଣେ ଦରଦୀ, ଅନ୍ତରର ସତ୍ୟ ଏଥିରେ ପୂର୍ଣ୍ଣ ଭାବରେ ପ୍ରକଟିତ ହୋଇଛି ।

 

–ଗୁଡ଼ାଖୁ ଟିକେ ଅନୁଗ୍ରହ ହବ–ବାବୁ !

 

ଭୟ ମିଶ୍ରିତ ଭାବରେ ତଳର ଜଣେ ଲୋକ ପାହାଚ ଉପରକୁ ଆସି ମାଗିଲା ।

 

ତା’ ପରେ ପ୍ରତିଦିନ ବାବୁମାନଙ୍କଠାରୁ ଗୁଡ଼ାଖୁ ନେଇ ଘଷିବା ଲୋକଟିର ପେଶା ହେଲା କହିଲେ ଅତ୍ୟୁକ୍ତି ହେବନି । ମାତ୍ର ମାଗିବା ଭିତରେ ଦିନେ ହେଲେ ଅଭଦ୍ରତା ସେ ଦେଖେଇନି । ବେଳେବେଳେ ସାହସ ବାନ୍ଧି ମୁରାରିଠାରୁ ଗୋଟା ଦିଟା ପଇସା ବି ଧାର ମାଗିନେଲା । କିଛିଦିନ ପରେ ମୁରାରି ଦିନେ ଜାଣି ପାରିଲା ଲୋକଟିର ଘର ପଳାଶପୁର । ମନରେ ଭାରି କୌତୂହଳ ହେଲା, କାଳେ କୌଣସି ସମ୍ବାଦ ୟା’ଠାରୁ ମିଳିପାରେ ।

 

ଦିନେ ଡାକି ପଚାରିଲା–

 

ଆଚ୍ଛା ପଧାନେ, ବନମାଳି ବୋଲି, ତମ ଗାଁରେ କିଏ ଅଛି ? ହଁ ତମ ଘର ପଳାଶପୁର ନାଁ ?

 

ପଧାନ ଭାବିଲା, ଯଥା କୁଳେ ଜନ୍ମ ତଥା ଗରିଷ୍ଠ । ବାବୁ ତ ଆଉ, ବନା କେଉଟ କି ବନିଆ କଣ୍ଡରା କଥା ପଚାରୁ ନା’ନ୍ତି । ତାଙ୍କରି ଲାଖି ଲୋକଙ୍କ କଥା ନିଶ୍ଚେ–ଝଟ୍ ଉତ୍ତର ଦେଲା ।

 

ଆଜ୍ଞା, କଣ ନା’ ବ ବାବୁଙ୍କ କଥା ପଚରା ଯାଉଛି ?

 

ନାଏବ କିଏ ? ବନମାଳି ମା’ ନ୍ତି ବୋଲି କେହି ତମ ଗାଁରେ ନାହିଁ ?

 

ସେଇତ ନା’ ବ ବାବୁ, ଆଜ୍ଞା ।

 

ବୟସ କେତେ ହବ ତାର କହିଲ ?

 

ବାଇଶି କି ତେଇଶି ଭିତରେ ।

 

ସେ କଣ ପଢ଼ିଛି ?

 

କଲେଜରେ ତ ପଢ଼ୁଥିଲେ–ଦାଦୀ ମରିଗଲାରୁ ପଢ଼ା ଛାଡ଼ି ଅଇଛାତ–

 

ସେ କଣ ଭାରି ପଇସାବାଲା–

 

ସେ କଥା କହୁଛନ୍ତି କିଆଁ ।

 

ଗରଭିଣୀ ଗାଈ ବାଟ ଛାଡ଼ୁଛି । କହିଲେ ହାତରେ ମୁଣ୍ଡ କାଟିବେ ।

 

ଆଖି ଦିଟା ପଧାନର ଯେପରି ତାଳୁରେ ଖୋସି ହୋଇଗଲା ।

 

ମୁରାରି ଭାବିଲା, କଥାଟା ନିଶ୍ଚେ ସତ । ମୋତି କଥା ଶୁଣି ଗାଁରେ ସମସ୍ତେ ହସିଲେ ସିନା–ପୁଅ ଏକା ତାର ଅଛି, ସେ ଶିକ୍ଷିତ ପୁଣି ବଡ଼ଲୋକ ।

 

କଥା ହଉଁ ହଉଁ ସବୁ ବାହାରିଲା । ଶେଷରେ ପଧାନ ଆଉ ସମ୍ଭାଳି ପାରିଲାନି–

 

ଏହି ଚେମେଇ ପଧାନ ବାବୁ, ଗାଣ୍ଡିରେ କନା, ପେଟରେ ଦାନା ନାହିଁ । ନିରୀହ ପ୍ରାଣୀଟାକୁ ରାତାରାତି ଘିନି ଆସି ଧରମ ଧରମ ଦାଣ୍ଡ–ଏଇ ବଡ଼ ଦାଣ୍ଡରେ ଠିଆ କରିଦେଲି ବାବୁ......ସେ ଆପଣଙ୍କ ଘରେ ଅଛି ? ଆଜି ଯା’ ସେ ବଞ୍ଚିଛି–

 

ପଧାନେ ତମେ ପାପ କରିଚ ଢେର । କିଛି ପୁଣ୍ୟ କରି ପାରିବ । ମୋତିକି ଦାସୀ ଜନ୍ମରୁ ଉଦ୍ଧାର କରି ପାରିବ ?

 

ମୁରାରିର ପ୍ରଶ୍ନ ଶୁଣି ହାତେ ଲମ୍ବର ଗୋଟା ଜିଭ କାଢ଼ି ଗୋଟା ଓସାରିଆ ଓଳିକି ପକେଇ ପଧାନ କହିଲା–ଆ–ଲୋ ବୋପା !! ସେ କଥା କହିବ କି–ଏ ?–ଏ ବେକ ରହିବ– !! ମୁରାରି ବୁଝିଲା ପାପୀ କେଭେ ପୁଣ୍ୟ କରି ପାରେ ନା । ପାତ୍ର ତାର ଦୋସରା । ...ତେବେ–

 

ଆଖି ଆଗରେ କର୍ତ୍ତବ୍ୟର ଉଜ୍ଜ୍ୱଳ ପଥ ଭାସି ଉଠିଲା । ମୁରାରି ଦେଖିଲା, ମୋତିର ଦୁଃଖ ରଜନୀ ପାହି ଯାଉଛି । ସେ ନିଜେ, ମୋତି ଆଉ ବନମାଳିକି ଗୋଟାଏ କଳା ପର୍ଦ୍ଦା ଗୋଡ଼ରେ ଦଳି ଦଳି ଆଗକୁ ଚାଲିଛନ୍ତି ।

 

ମୋତି ଦୁଆର ଖରକୁ ଥିଲା, ତାକୁ ଶୁଭିଲା ‘ବୋଉ’ । ପଛକୁ ଫେରି ଅନେଇଲା କେହି ନାହିଁ । ତଥାପି ସେ ପହଁରାଟା ହାତରୁ ପକେଇଦେଇ ଚାରିଆଡ଼କୁ ଭଲକରି ଚାହିଁଲା–ପୁଅ କଣ ଆଉ ତାର ଆଇଲାକି ! ବନମାଳି ତାର ଖୁବ୍ ବଡ଼ଲୋକ ବୋଲି ମୁରାରୀଠୁ ସେ ଶୁଣିଛି । ସେ ବଡ଼ଲୋକ ହୋଇ ଦୁନିଆରେ ରହୁ । ଏ କଳଙ୍କିନୀକୁ ତାର ବୋଉ ବୋଲି ନ ଜାଣୁ, ଏହାହିଁ ତାର ଇଚ୍ଛା, କିନ୍ତୁ କେଜାଣି କାହିଁକି ତାକୁ ଥରେ ପାଖରେ ପାଆନ୍ତା, ଦୁଃଖ କଷଣ ସବୁ ମନ ଖୋଲି କୁହନ୍ତା– । ସେ କଣ ଆଉ ତାର ନିଜର ମାକୁ ଘୃଣା କରନ୍ତା ? କେଉଁ ମୁହଁରେ ସେ ଏତକ କରିବ ଭାବି ବସିଲେ ତାକୁ ସବୁ ଅନ୍ଧାର ଦିଶେ, ନୀରବରେ ଆଖିରୁ ଲୁହ ଢଳିବା ଖାଲି ସାର ହୁଏ ।

 

ଦୂରରେ ମୁରାରି ପାଇଖାନାରୁ ଫେରୁଥିଲା, ମୋତିକି ଦେଖି ଟିକେ ଅନ୍ୟମନସ୍କ ହୋଇ କଣ ଭବିଲା–ହଠାତ୍ ମୋତି ପାଖରେ ଆସି ପହଞ୍ଚି ନିକଟରେ ତାର ପଳାଶପୁର ଯିବା କଥା ଜଣାଇ ଝଟ ସେଠୁ ଚାଲିଗଲେ ।

 

ମୋତି ଲୁହ ଛଳଛଳ ଆଖିରେ ମୁରାରିଆଡ଼କୁ ଅନେଇ ଭାବିଲା–କୋଟିକରେ ଗୋଟିଏ ପିଲା, ମୋ ଦୁଃଖକୁ ଯେମିତି ନିଜର ବୋଲି ମଣିଛନ୍ତି–

 

ସ୍ଵସ୍ତି ପରିବର୍ତ୍ତେ ଅସ୍ଵସ୍ତିର ଗୀତିଏ ଦୀର୍ଘ ନିଶ୍ଵାସ ମୋତି ହୃଦୟରୁ ବାହାରି, ଅନନ୍ତ ପବନ ତରଙ୍ଗରେ ମିଶିଗଲା ।

 

ବିଶେଷତଃ ବୁଢ଼ୀ ଚାକରାଣୀ ପଞ୍ଚେଇ ମାରିବାଦିନୁ ସାରା ପରିବାରଟାର ସମସ୍ତ ପଇତି ମୋତି ଉପରେ ପଡ଼ିଲା । ଏବେ ଦିନକୁଦିନ ସେ ଭାଙ୍ଗିପଡ଼ୁଛି । ଯୌବନ ଅନେକ ଦିନୁ ମୋତି ପାଖରେ ଇସ୍ତଫା ଦେଇ ଯାଇଥିଲେ, ବାକୀ ଥିଲା ସ୍ଵାସ୍ଥ୍ୟ, ସେ ବିଦାୟ ନେବା ପୂର୍ବରୁ ଆଉ କେତେଜଣଙ୍କୁ ତା ସ୍ଥାନରେ ମୁକରିର କରି ଦେଇଗଲା–ଶ୍ଵାସ କାଶ, ପେଟମରା, ଅଜୀର୍ଣ୍ଣ ଇତ୍ୟାଦି-। ମୋତି ମଧ୍ୟ ବଡ଼ଲୋକ ମା ଓ ଚକରାଣୀ ବୋଲି ଦୁଃସ୍ଥ ରୋଗଗୁଡ଼ିକୁ ନିରାଶ୍ରୟ କରିବାକୁ ଠିକ୍‍ ମନେ କଲା ନାହିଁ । ସେମାନଙ୍କ ଭରଣ ପୋଷଣ ପାଇଁ ନିଜର ରକ୍ତ ବିନିମୟ କରିବାକୁ ତିଳେ ପାଶ୍ଚାତ୍‌ପଦ ହେଲେ ନାହିଁ । ଗାଧୋଇଲା ତ ଖାଇଲା ନାହିଁ, ଖାଇଲା ତ ଶୋଇଲା ନାହିଁ–କାମ କରୁଛି ତ ବିଶ୍ରାମ ନାହିଁ ।

 

କାର୍ଯ୍ୟଗତିରେ ମୁରାରି ଆଉ ପଳାଶପୁର ଯାଇ ପାରିନାହିଁ । ହଠାତ୍ ବାପା ଅସୁସ୍ଥ ଥିବାର ଖବର ପାଇ କଟକ ଚାଲିଗଲା । ପରେ କଲେଜ ଖୋଲିବାରୁ ପାଟନା ଚାଲିଯାଇଛି । ଅବସର ମୋଟେ ପାଇଲା ନାହିଁ, ଆଉ କୌଣସି କଥା କରିବା ପାଇଁ । ଦଶହରାକୁ ମଧ୍ୟ ସେ ଘରକୁ ଆସିଲା ନାହିଁ । ସାଙ୍ଗମାନଙ୍କ ସହ କଲିକତା ବୁଲି ବାହାରିଲା । ଆସିଲା ଯାଇଁ ବଡ଼ଦିନ ଛୁଟିରେ ।

 

ପତ୍ନୀ ବିୟୋଗ ବିଧୂର ଗ୍ରାମର ଭୂବନାନନ୍ଦ ବାବୁ ମଧ୍ୟବିତ ଧରଣର ଲୋକ । ମୁଠା ଖାଇପିଇ ଦୁଖେ ସୁଖେ ଦିନ କଟେଇ ଦିଅନ୍ତି । ନିକଟରେ ପତ୍ନୀଙ୍କ ଅକାଳ ବିୟୋଗରେ ହୃଦୟ ଭାଙ୍ଗିପଡ଼ିଲା । ସ୍ଥିର କଲେ ଗ୍ରାମରେ ଗୀତିଏ ଅନାଥାଶ୍ରମ ପ୍ରତିଷ୍ଠା କରି, ନିଜର ଅବଶିଷ୍ଟ ଜୀବନ ତହିଁରେ ନିୟୋଗ କରି ପତ୍ନୀବିୟୋଗ ଭୁଲିଯିବେ । ମନ ଥିଲେ ଉପାୟ ଆପେ ଆପେ ଆସିପାରେ, କିନ୍ତୁ ଭୁବନାନନ୍ଦଙ୍କ ପାଇଁ ତାହା ଘଟିଲା ନାହିଁ । ବହୁତ କଷ୍ଟରେ ତାହା ସାଧ୍ୟ କରିବାକୁ ପଡ଼ିଲା । ଯତ୍ରେକୁତ୍ରେ ଆଶ୍ରମଟି ପ୍ରତିଷ୍ଠିତ ହେଲା ।

 

ସେତେବେଳେ ମୋତି ସମାଜର ବାହାରେ । ଏବେ ସମାଜ ଆଉ ତା ପାଇଁ କଙ୍ଗାଳ ନୁହେଁ । ପରିବାର ତାଠାରୁ ଅଧିକ କିଛି ଆଶା କରିପାରେନା । ତାହାରି ଗହଣାଗାଣ୍ଠିତକ ତା’ଠାରୁ ସମାଜ ହାତକୁ ଯାଇଛି । ବାବୁଘରୁ ବାହାରି ଯିବାର ବର୍ଷେ କାଳ ସେ ତାରି ଉପରେ ନିର୍ଭର କରି ଚାଳିଲା । ବର୍ତ୍ତମାନ ସେ ରୁଗ୍‌ଣା–ଅକର୍ମଣ୍ୟା । ତାହାରି କୌଣସି ଦାୟିତ୍ଵ ଗ୍ରହଣ କରିବା ପାଇଁ ବର୍ତ୍ତମାନ କେହି ପ୍ରସ୍ତୁତ ନୁହନ୍ତି । ମାତ୍ର ଅନାଥାଶ୍ରମଟିକୁ ସାର୍ଥକ କଲା ପହିଲୁ ମୋତି । ତା’ର ସମସ୍ତ ଭାର ବହନ କରିବ ବୋଲି ଆଶ୍ରମଟି ମଧ୍ୟ ଆଗେ ନିଜର ଅସ୍ତିତ୍ଵ ଘୋଷଣା କରିଦେଲା ସର୍ବ ସମକ୍ଷରେ ।

 

କିନ୍ତୁ ଜଗତରେ କାହାରିଠାରେ ଋଣୀ ହେବାପାଇଁ ମୋତି ଆସି ନଥିଲା । ଅନାଥାଶ୍ରମରେ ରହିବାର ତେର ଦିନ ପରେ ସେ ପୃଥିବୀରୁ ନେଲା ବିଦାୟ ।

 

ଶବଟା ଦାହ କରିବାକୁ ଅନେକ ଅମତ ହେଲେ ମଧ୍ୟ ଭୂବନାନନ୍ଦଙ୍କ ଯୋଗୁ ତାହା କରାଯିବାର ସ୍ଥିରୀକୃତ ହେଲା ।

 

ମାତ୍ର କଥା ହେଲା ଶବଦାହ ହେବ କିପରି । ସେଥିପାଇଁ ଭୂବନାନନ୍ଦ ଯେତେବେଳେ ମୋତିର ଭୂତପୂର୍ବ ମୁନିବଙ୍କର ଦ୍ଵାରସ୍ଥ ହେଲେ, ସେ ସମାଜର ଆଉ ଗୋଟିଏ ରୂପର ପରିଚୟ ପାଇ, ନିଜର ଅଭିଜ୍ଞତା ପ୍ରତି ଯଥେଷ୍ଟ ଅବମାନନା ପୋଷଣ କରି ନୀରବ ରହିଲେ । ସହକର୍ମୀ ପୁରନ୍ଦର ପାଇଁ ସତ୍କାର କାର୍ଯ୍ୟ କିନ୍ତୁ ବାକୀ ରହିଲା ନାହିଁ । ଅନାବାଦୀର ଜନ୍ଦାଖାଇ ଗଛଟାକୁ କାଟି ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କରିବାରେ ସେ ଯତ୍ନବାନ୍ ହେଲେ ।

 

ବୈସୁଲତାନି ନିଲାମରେ ସେତେବେଳକୁ ମୁକୁନ୍ଦପୁର ମୌଜା–କୃଷ୍ଣପୁରର ନାଏବ, ପଳାଶପୁର ବନମାଳି ମହାନ୍ତିଙ୍କର ହସ୍ତଗତ ହୋଇଥାଏ । ମୋତି ମୃତ୍ୟୁର ପନ୍ଦର ଦିନ ମଧ୍ୟରେ ଅନାଥାଶ୍ରମର ପ୍ରତିଷ୍ଠାତା ଭୁବନାନନ୍ଦ ବାବୁ ଗଛ କାଟି ମକଦ୍ଦମାରେ ଚାଲାଣ ହୋଇ କଟକ ଗଲେ-। ସହକର୍ମୀ ପୁରନ୍ଦର ଅତି ନିର୍ଦ୍ଧନ । ଅନ୍ୟ କେହି ମଧ୍ୟ ଭୁବନାନନ୍ଦଙ୍କୁ ଜାମିନରେ ଆଣିବାକୁ ଚେଷ୍ଟା କଲେ ନାହିଁ । ବରଞ୍ଚ, କେହି କେହି ତୀବ୍ର ନିନ୍ଦା ଓ ଉପହାସ କରିବାରେ ସହସ୍ରମୁଖ ହୋଇଉଠିଲେ-। କେତେକ ମଧ୍ୟ ବିପକ୍ଷରେ ଷଡ଼ଯନ୍ତ୍ର କରିବାଟା କର୍ତ୍ତବ୍ୟ ବୋଲି କରିନେଲେ । ଶେଷରେ ଏହି ଅମାର୍ଜ୍ଜନୀୟ ଅପରାଧର ଦଣ୍ଡ ସ୍ୱରୂପ ଭୁବନାନନ୍ଦଙ୍କୁ ତିନିମାସ କଠୋର କାରାଦଣ୍ଡ ଭୋଗିବାକୁ ହେଲା ।

 

ତିନିମାସ ପରେ ।

 

ଜେଲରୁ ମୁକୁଳି ଭୁବନାନନ୍ଦ ଗ୍ରାମରେ ପହଞ୍ଚିଲାବେଳକୁ ସନ୍ଧ୍ୟା ଗଡ଼ି ଯାଇଛି ।

 

ସେହି ଶିମୁଳୀ କାଠର ଘଞ୍ଚ ଧୂଆଁ ଶୀତଦିନର କୁହୁଡ଼ି ଭଳି ଏବେ ମଧ୍ୟ ଚୌଦିଗ ଆଚ୍ଛାଦନ କରି ରହିଲା ପରି ଭୁବନାନନ୍ଦଙ୍କୁ ଜଣାଗଲା । ସେ ଅନାଥାଶ୍ରମର ବାଟ ପାଇଲେ ନାହିଁ ।

 

ଉଦ୍‍ବେଗରେ ଡାକିଲେ, ପୁରନ୍ଦର ? ଦୂରରେ ବିଜୁଳି ମାରିଲା । ନିମିଷକର ସେହି କ୍ଷୀଣ ଆଲୁଅରେ ଭୁବନାନନ୍ଦ ଦେଖିଲେ ସେ ଠିକ୍ ଆସିଚନ୍ତି । ଅନାଥାଶ୍ରମ ନୁହେଁ, ପାଖରେ ଅନାଥାଶ୍ରମର ଉଞ୍ଚ ମୂଳଦୁଆ, ତାର ସ୍ମୃତି–ସ୍ତୁପ ।

Image

 

କଥୟନ୍ତୀ

ପରୀ କନ୍ୟାର କାହାଣୀ

 

ଏକ ଗାଆଁରେ ଥିଲା ଗୋଟିଏ ଲୋକ । ଭାରି ଗରିବ । ନାଁ ତାର ଭୋଳା । ମା ନାଁ ତାର ପାଟ । ତାର ବାପ ନାଁ କେହି ଜାଣନ୍ତିନି ତେଣୁ ସମସ୍ତେ ତାକୁ ପାଟ ପୁଅ ଭୋଳା ବୋଲି କୁହନ୍ତି । ମା ଏବେ ତାର ନାହିଁ । ଯେଉଁଠି ସିଏ ମରି ପୋଡ଼ା ହୋଇଥିଲା ସେଠି ଏବେ ଆଣ୍ଠିଏ ଉଞ୍ଚର ଘାସ । ସେ ଜାଗାଟା ସାଇପଡ଼ିଶା ମାଟି ସାଙ୍ଗରେ ବିଲକୁଲ୍ ସମାନ ହୋଇ ଯାଇଚି । ଖାଲି ଭୋଳାର ନାଁ ସାଙ୍ଗରେ ତା ନାଁ ଟା ଯୋଡ଼ି ହୋଇଥିବାରୁ ତାହା ସମସ୍ତଙ୍କ ତୁଣ୍ଡରେ ଫୁଟୁଚି, ଆଉ କାନରେ ଟିକେ ପଡ଼ୁଚି । ନହେଲେ ପାଟ ନାଁରେ ଆଉ କିଛି ନାହିଁ । ‘ପାଟପୁଅ ଭୋଳା’, ଏତିକି ।

 

ଭୋଳାକୁ ଯେତେବେଳେ ପନ୍ଦର ବରଷ, ସେତେବେଳେ ତା ମା’ ପାଟ ବେମାରରେ ପଡ଼ି ମରିଗଲା । ଭୋଳାକୁ ଏବେ କୋଡ଼ିଏ ବର୍ଷ ହେଲାଣି । ଏହି ପାଞ୍ଚବର୍ଷ ଭିତରେ ଭୋଳା ଦିନେ ହେଲେ ମା’କୁ ଭୁଲି ପାରିନି । ଭାରି ଦୁଃଖ କଷ୍ଟ ସହି ପାଟ ଭୋଳାକୁ ବଡ଼ ପିଲାଟିଏ କରିଥିଲା । ଭୋଳାର ସେ କଥାସବୁ ମନେ ଅଛି । ଦିନଯାକ ଖଟଣିରୁ ଫେରି କୁଡ଼ିଆ ଭିତରେ ରାତିରେ ଶୋଇ ଶୋଇ ଭୋଳା ଅନେକ ବେଳଯାଏ ମା କଥା ଭାବେ । ଭାବି ଭାବି ପୁଣି ପଦାକୁ ଉଠିଆସେ, ସେତେବେଳେ କଳା ଘୁମର ଆକାଶରେ ତରାସବୁ ହୀରାଖଣ୍ଡ ଭଳି ଜଳଜଳ ହଉଥାନ୍ତି-। ଭୋଳା ସେଇ ଆକାଶକୁ ଅନେଇ ତରାଗୁଡ଼ାକୁ ନିଘା କରି ଅନାଏ । ସମସ୍ତେ କୁହନ୍ତି ତରା ସବୁ ମଲା ମଣିଷଙ୍କ ଆଖି । ତେଣୁ ସେ ତାରାଗୁଡ଼ାଙ୍କୁ ନିରିଖି କରି ଦେଖେ, କୋଉ ତରା ତା ମାର ଆଖିର ତିଆରି ?

 

ଦିନେ ନୁହେଁ, ଦି’ଦିନ ନୁହେଁ, ମାସେ ନୁହେଁ କି ପକ୍ଷେ ନୁହେଁ । ମାସ ମାସ ବର୍ଷ ବର୍ଷ ଧରି ମାର ଆଖି ଖୋଜି ଖୋଜି ସେଇ ତରାଗୁଡ଼ାକୁ ଭୋଳା କେତେ ଅନେଇଚି ! ହେଲେ କିଛି ଠିକଣା କରି ପାରେନା । ଦିନେ ଦିନେ ଶେଷକୁ ତାର ମନେ ହୁଏ ମୁଁ ଯଦି ମା ଆଖିକି ଦେଖି ବାଛି ନ ପାରୁଚି, ମା’ ତ ମତେ ଦେଖୁଥିବ ! ସେତ ସବୁଙ୍କ ଉପରେ ସରଗପୁରେ ଅଛି । ସେଇଠୁ ପାଟି କରି ଡାକ ଛାଡ଼େ, ‘ମା‚ ମୁଁ କେତେ ଦୁଃଖ ପାଉଚି ତୁ କଣ ଦେଖୁନୁ ? ସକାଳୁ ଖରା ଦେଖି ଯାଉଚି ଯେ ସଞ୍ଜକୁ ତରା ଦେଖି ଫେରୁଚି । ଖଟି ଖଟି ଯୋଉ ଦି’ ପଇସା ଆଣୁଚି ସେଥିରେ ମୁଠାଏ ଫୁଟେଇ କେହି ମୋ ଆଗରେ ଥୋଇବାକୁ ନାଇଁ ।’ ଏମିତି କେତେ କଣ କହିଯାଏ, ବେଳେବେଳେ ଭୋ ଭୋ ହୋଇ କାନ୍ଦି ପକାଏ । କିନ୍ତୁ କିଛି ହୁଏନା । ତାରାଗୁଡ଼ାକ ସେମିତି ଜଳଜଳ କରି ଅନେଇ ରହନ୍ତି । ଭୋଳା ତା ମା ପାଟର ଆଖି ଯୋଡ଼ାକୁ ଆଉ ଖୋଜି ଖୋଜି ପାଏନା । କଳା ଘୁମର ଆକାଶ ତଳେ ନିଶା ଗରଜି ଗରଜି ମରେ ।

 

ଏମିତି ଅନେକ ଦିନ ବିତିଗଲା । ଦିନେ କାମରୁ ଫେରୁ ଫେରୁ ଭୋଳାର ଭାରି ଡେରି ହେଇଗଲା । ଭେକରେ ପେଟ ଆଉଟୁ ପାଉଟୁ ହେଇଗଲାଣି । କୁଡ଼ିଆ ଭିତରେ ଭାତ ହାଣ୍ଡିରେ ଆଉ କିଛି ନ ଥିଲେ ବି ମୁନ୍ଦାଏ ତୋରଣି ଥିବ । ଘରେ ପହଞ୍ଚି ସେତେକ ସେ ଆଗ ପିଇ ଦବ ବୋଲି ବାଟଯାକ ପାଞ୍ଚି ପାଞ୍ଚି ଆସୁଥାଏ । ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଅଛି ସେ ଦେଖିଲା ତା କୁଡ଼ିଆ ଭିତରେ ଆଲୁଅ ଜଳୁଚି । ତା ଘରେ ଆଗରୁ କେବେହେଲେ ଏମିତି ତୋରା ଆଲୁଅ ଜଳିବା ସେ ଦେଖି ନଥିଲା । ଭାବିଲା, ତା ଘରେ ଗୋଟା ଡିବିରି ଅଛି ସତ, ଏକା ଡିବିରି ଆଲୁଅ ତ ଏ ନୁହେଁ ।

 

ତାର କେତେବେଳେ ମନେ ପଡ଼ିଲା, ‘ଓ ହଁ, ତାର ମାମୁଁ ପୁଅ ଭାଇ ରତନା କଲିକତିଆ, କିଏ କଉଥିଲା ସିଏ ତାକୁ ଦେଖିବାକୁ ଏଠିକି ଆସିବେ ବୋଲି । ସାଙ୍ଗରେ ତାକୁ କଲିକତା ବି ନେଇ ଯିବ । ଆରେ ସେଇ ଆଇଚି ତ, କଲିକତାରୁ ବତୀ ଆଲୁଅ ଆଣିଚି ଯେ ସେଇ ଜଳୁଚି ।’

 

ଟିକକ ପରେ ମନ ତାର ହଠାତ୍ ଫିକା ପଡ଼ିଗଲା । ହାଣ୍ଡିରେ ମୁନ୍ଦାଏ ତୋରାଣି ଥେଲା-। ରତନା କଣ ଆଉ ତାକୁ ରଖିଥିବ । ସେବି ଚାଲି ଚାଲି ହାଲିଆ ହୋଇ ଆସି ତାକୁ ପିଇ ଦେଇଥିବ । ଏ କଥା ମନ ତାର ବିଲକୁଲ ବିରସ ହୋଇଗଲା । ତା ସାଙ୍ଗକୁ ପେଟର ଭୋକ ଦିଗୁଣହେଇ ବଢ଼ିଗଲା । ତେବେ ରତନା ସାଙ୍ଗରେ ଦେଖାହବ, ଏକ ଭରସାରେ ସେ ଘରଯାକେ ଆଗେଇ ଆସିବାକୁ ଲାଗିଲା ।

 

ଘରେ ପହଞ୍ଚି ଭୋଳା ତାଟକାରେ କାଠ ପାଲଟିଗଲା । ଲୋକ ବାକ ତ ଦୂରର କଥା, କାଉ କୋଇଲିର ଶବ୍ଦ ନାହିଁ । ଖାଲି ମଝିରେ ଆଲୁଅଟା ଯାହା ଜଳୁଚି । ସୁନ୍ଦର ଆଲୁଅ । ଚାରିଆଡ଼େ ଉଜ୍ଜ୍ଵଳ ହେଇଯାଇଚି । ସୁନ୍ଦର ଗୋଟିଏ ବାଇଠା ଉପରେ ଏଡ଼େ ସୁନ୍ଦର ଦୀପ ଜଳିବା ମଧ୍ୟ ସେ କୋଉଠି ଦେଖି ନଥିଲା । ଚାରିଆଡ଼କୁ ଅନେଇ ଖାଲି ଅବକବା ହୋଇଗଲା ପଦାକୁ ଦୋଉଡ଼ି ଯାଇ ଦୂର ଆକାଶକୁ ସବୁଦିନ ପରି ତାନେ ଅନେଇଲା । କୋଉଠି ଅଛି ମାର ଆଖି, ଏ ଆଲୁଅ ସେଇ କଣ ଆସି ଜାଳିଦେଇ ଯାଇଚି । ତେବେ ମା, ତୁ ଭାତ ମୁଠା ବାଢ଼ି ଦେଇ ଯାଉନୁ ଆସି । ଭାତ ମୁଠା ପାଇଲେ ମୁଁ ଏ ନଈ କୂଳେ ବସି ଗୀତ ଗାଆନ୍ତି, କେତେ ଗୀତ ଗାଆନ୍ତି–ବସି ବସି ଖାଲି ବଂଶୀ ବଜାନ୍ତି । ତୁ ସରଗରେ ଥାଇ ତରା ଆଖି ମିଟିମିଟି କରି ଶୁଣନ୍ତୁ ମା !

 

ସେ ଆଉ ଅଧିକ କଥା ଭାବି ପାରିଲାନି । ମୁହଁରେ ଭାତ କଥା କହିବା ସଙ୍ଗେ ସଙ୍ଗେ ପେଟର ଭୋକ ତେଣେ ବଢ଼ିଯିବାକୁ ଲାଗିଲା । ଧାଇଁଗଲା ସେ ଘର ଭିତରକୁ ହାଣ୍ଡିରୁ ଆଣି ତୋରାଣି ମୁନ୍ଦାକ ପିଇବାକୁ; କିନ୍ତୁ ହାଣ୍ଡିଶାଳକୁ ଯାଇ ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । ହାଣ୍ଡିରୁ ତୋରାଣି କୁଆଡ଼େ ଉଦ୍ଭାନ ହେଇ ଯାଇଚି । ହାଣ୍ଡିରେ ହାଣ୍ଡିଏ ମଲ୍ଲିଫୁଲିଆ ଗରମ ଭାତ । ସେଥିରୁ ଡହ ଡହ ବାମ୍ଫ ବାହାରୁଚି । ଭାତହାଣ୍ଡି ପାଖକୁ ଆଉ ଆଉ ଥାନରେ ଡାଲି ତରକାରୀ, ଭଜା, ଆମ୍ବିଳ ଥୁଆହେଇଚି । ଭୋଳା ପୁଣି ତାନେ ଆବାକାବା ହୋଇଗଲା । ଖାଇବା ଜିନିଷକୁ ଚାହିଁ ଚାହିଁ ସେ ଭାବିଲା, କିଏ ତା ଘରେ କୁହୁକ କାଠି ବୁଲେଇ ଦେଇ ଯାଇଚି ନା କଣ । ପୁଣି ପଦାକୁ ବାହାରି ଯାଇ ଆକାଶକୁ ତାନେ ଅନେଇଲା । ସେଇ କଳାଘୁମର ଆକାଶ ଦିହରେ ତରାଗୁଡ଼ାକ ସେମିତି ଜଳୁଚନ୍ତି । ପୁଣି ଘର ଭିତରକୁ ଫେରିଆସିଲା । ଭୋକରେ ପେଟ ଜଳ ଯାଉଚି । ଥାଳିରେ ଭାତ ବାଢ଼ି ସେ ହାଉଁ ହାଉଁ କରି ଖାଇଯିବାକୁ ଲାଗିଲା । ଖାଇ ସାରି ନୋଟାକୁ ଟେକି ଢକଢକ କରି ମନଇଚ୍ଛା ପାଣି ପିଇଲା । କିନ୍ତୁ ଏ କି ପାଣି ! ପଇଡ଼ ପାଣି ପରି ସୁଆଦ ପୁଣି ସେଥିରୁ ବାସନା ଉଠୁଚି । ଭୋଳା ମନ ସନ୍ତୋଷ କରି ଆହୁରି ପାଣି ପିଇଲା । ପିଇ ସାରି ବାସନ ଗୋଟେଇ ପଦାକୁ ହାତ ଧୋଇବାକୁ ଆସିଲା । ହାତ ଧୋଇ ସାରି ଘରକୁ ଫେରିଗଲାବେଳକୁ ପୁଣି ଅଭୁତ କଥା । ଘର ଭିତରେ ଗୋଟିଏ ପଟକୁ ଧୋବ ଫରଫର ବିଛଣା ପରା ଯାଇଚି ! ଭୋଳା ଭାବିଲା ଏ ବିଛଣାରେ କଣ ସେ ଶୋଇବ ! ତା ଛିଣ୍ଡା ମସିଣା ଖଣ୍ଡକ କୁଆଡ଼େ ଗଲା ?

 

ସେତେବେଳକୁ ଭୋଳକୁ ବଡ଼ ଆସକତ ଲାଗିଲାଣି । ଆଉ କିଛି ନ ଭାବି ସେ ବିଛଣାରେ ଯାଇ ଗଡ଼ି ପଡ଼ିଲା । କିନ୍ତୁ ସେ ବେଶୀ ସମୟ ବିଛଣାରେ ଗଡ଼ି ପାରିଲାନି । ହଠାତ୍ ଉଠି ବସିଲା । ତାର ଯେମିତି ମନେହେଲା ସେ ଭୁଲରେ ଆଉ କେଉଁଠି ଆସି ପହଞ୍ଚିଛି । ଏ ତା ଘର ନୁହେଁ । ବଡ଼ଲୋକ, ବାବୁଭୟାଙ୍କ ଘର । ରୁଖା ଉପରୁ ସେ ଦୀପଟାକୁ ଉଠେଇ ପଦାକୁ ଯାଇ ଆଲୁଅରେ ଘର ହାତକୁ ଭଲକରି ଅନେଇ ଦେଖିଗଲା । ନା, ଏତ ତା କୁଡ଼ିଆ ଘର ନୁହେଁ । ଗୋଟିଏ ସୁନ୍ଦର କୋଠା ଘରେ ସେ ଆସି ପହଞ୍ଚିଛି । ତା ପରେ ଘରକୁ ଛାଡ଼ି ତା ଚାରିପଟର ପାଖ ଆଖ ଜାଗାକୁ ଯାଇ ଦେଖିଲା । ହେଇ ସେଠି ଝରଣା ବୋହିଯାଉଚି, ସେ ପାଖରେ ସେଇ ପଥର ମୁଣ୍ଡିଆ । ଆଉରି ଟିକେ ଦୂରକୁ ବଡ଼ ନଈ । ହଁ, ଜାଗାତ ଠିକ ଅଛି । ତେବେ ତା ଘର ଗଲା କୁଆଡ଼େ । କିଏ ଏ ସବୁ ବଦଳେଇ ଦେଲା ? ଭୋଳା ଆଉ କିଛି ଭାବି ପାରିଲା ନାହିଁ । ନିଦରେ ଘାରିହୋଇ ବିଛଣାରେ ଚୂପ କରି ଯାଇ ଶୋଇପଡ଼ିଲା ।

 

ସକାଳେ ଯେତେବେଳେ ଭୋଳାର ନିଦ ଭାଙ୍ଗିଗଲା ସେ ଦେଖିଲା ସବୁ ବଦଳି ଯାଇଚି-। ରାତିର ସେ କୋଠାଘର ନାଇଁ, ସେ ଧୋବା ଫରଫର ବିଛଣା ନାଇଁ । ନିତିଦିନିଆ ସେଇ ଛିଣ୍ଡା ମସିଣା ଖଣ୍ଡକ ପଡ଼ିଚି, ଆଉ ସେ ଶୋଇଚି ତାରି ଉପରେ । ଭାରି ଆଶ୍ଚର୍ଯ୍ୟ ଲାଗିଲା ତାକୁ-। କିନ୍ତୁ ଶେଷରେ ଖୁସି ଲାଗିଲା ଯେ ତାର ସେଇ ପୁରୁଣା ଘର ଖଣ୍ଡକ ସେ ଫେରି ପାଇଛି-। ଏଇ ଘରେ ତା’ର ମା ଥିଲା, ତାକୁ ସେ ଏଇଘରେ ଏଡ଼େବଡ଼ କରିଥିଲା, ଏଇ ଘର ଭାରି ଭଲ-। ଆଉ କିଛି ଭାବିବାକୁ ଫୁରୁସତ ନାଇଁ । ବେଳ ହେଇ ଯାଇଚି, କାମକୁ ଯିବାକୁ ସେ ଝଟ ବାହାରିଗଲା । ପାଖରେ ସାହିପଡ଼ିଶାଙ୍କ ଘର । ସେ ଦେଖିଲା ସମସ୍ତଙ୍କ ଦ୍ଵାରଦ୍ଵାର ସେମିତି ଅଛି । ତେବେ ସେ ସପନ ଦେଖିଥିଲା ରାତିରେ । ତା ଆଉ କିଛି ନୁହେଁ ଭାବି ଭାବି ଭୋଳା କାମକୁ ବାହାରିଗଲା-

 

ସେଦିନ ତରା ଉଇଁଲାବେଳକୁ ଭୋଳା ଘରକୁ ଫେରିଲା । ରାତିରେ ରୋଷେଇ କରି ଖାଇବ ବୋଲି ସେ ଡାଲି ଚାଉଳ ତେଲ ଲୁଣ ବାଟରୁ କିଣି ଆଣିଥିଲା । ଆସୁ ଆସୁ ବାଟରେ ତାର ରାତିର କଥା ମନେ ପଡ଼ିଲା । ଟିକକ ପରେ ଘର ପାଖରେ ଆସି ପହଞ୍ଚିଲା । ଦୂରରୁ ଦେଖିଲା ଆଜିବି ତା ଘରେ ଆଲୁଅ ଜଳୁଚି । କାଲି ଭଳି ସେମିତି ତୋରା ଆଲୁଅ । ମନେକଲା, ଯାଇ ସାଇପଡ଼ିଶାଙ୍କୁ ଡାକିଆଣି ସବୁ କହି ଦେଖେଇବ । କିଏ ଏସବୁ କରୁଚି ସେମାନେ ହୁଏତ ଧରି ଦେବେ । ପୁଣି କଣ ଭାବି ସେକଥା ମନରୁ କାଟିଦେଲା, ଏଥିରେ ତାର ତ ଆଉକିଛି ହାନି ହଉନି । ଆଉରି ଲାଭ । କେତେ ଭଲ ଭଲ ଜିନିଷ ଖାଇବାକୁ ମିଳୁଚି । ଏ କଥା ଭାବି ଭାବି ସେ ଘରେ ଆସି ପହଞ୍ଚିଗଲା । ଦେଖିଲା କାଲି ରାତିପରି ସବୁ ରହିଚି । ଖାଇପିଇ ଦେଇ ଭାବିଲା, ଆଜି ଆଉ ସେ ଶୋଇବନି । ତରା ଦିହରୁ ତାର ମା ନିଶ୍ଚେ ଓହ୍ଲାଇ ଆସି ଏସବୁ କରି ଦେଉଚି । ରାତି ପାହିଲାବେଳକୁ ତରା ନିଭି ଯାଉଚନ୍ତି । ଆଉ ସେ ମଧ୍ୟ ଏଠୁ ସବୁ ପୋଛି ପାଛି ଦେଇ ଚାଲିଯାଉଚି-। ଏ କଥା ଭାବି ଭାବିକା ସେ ପଦାକୁ ଆସି ଆକାଶକୁ ଅନେଇଲା । ତରାଗୁଡ଼ିକ ଚାହିଁ ଚାହିଁ ମାପ୍ରତି ତା ମନରେ କୃତାଜ୍ଞତା ଭରିଗଲା । ଆକାଶରେ ସେତେବେଳକୁ ସରୁ ଜହ୍ନ ଉଠି ବୁଡ଼ିବାକୁ ବସିଥାଏ । ଆକାଶଟା ସୁନ୍ଦର ଦିଶୁଥାଏ । ଆକାଶରୁ ଆଖି ଫେରେଇ ସେ ଘର ଭିତରକୁ ଆସି ଧୋବ ଫରଫର ବିଛଣାରେ ବସି ରହିଲା । ସେ ଆଜି ଚେଇଁବ ।

 

ଦିନଯାକର ଖଟଣି ପରେ ଭୋଳା କିନ୍ତୁ ବେଶି ବେଳଯାଏ ଚେଇଁ ପାରିଲାନି । ପାହାନ୍ତା ପହରକୁ ନିଘୋଡ଼ ନିଦରେ ଶୋଇ ପଡ଼ିଲା । ନିଦ ଭାଙ୍ଗିଲାବେଳକୁ ଦିନ ଦି’ଘଡ଼ି । ଦେଖିଲା ଆଜି ଆଉ କାମକୁ ଯାଇ ହବନି । ଏକଥା ସାଙ୍ଗେସାଙ୍ଗେ ରାତିକଥା ତାର ମନେ ପଡ଼ିଲା । ଶୋଇପଡ଼ି ସେ ଖୁବ୍ ଭୁଲ କରିଚି । ତେବେ ରାତିର ସେଇ ଘରଦ୍ଵାର ଅଛି ତ ? ଚାରିଆଡ଼କୁ ଅନେଇଲା । କୋଠାଘର ନାଇଁ । ହୁଏତ କୋଠାଘର ଏଠି କେବେହେଲେ ନ ଥିଲା । ତାରି ଚାଳଘର ଅଛି । ହେଲେ ସେ ଆଉ ଆଗର ଚାଳଘର ନୁହେଁ । ଚାରିଆଡ଼ ସୁନ୍ଦର ହୋଇଯାଇଚି । କେଉଁଠି ଭଙ୍ଗା ତୁଟା କିଛି ନାଇଁ । ସେଇ ଶେଯ ବିଛଣା ବି ରହିଚି । ଘରେ ପୁଣି ଖାଇବା ଜିନିଷ ଭରା । ଭୋଳାର ମନ ଆନନ୍ଦରେ ଭରପୂର ହେଇଗଲା । ନିଶ୍ଚେ ଏ ତାର ମା’ର କାମ । ସରଗରୁ ଦେବତାଙ୍କୁ କହି ସବୁ ବଦଳେଇ ଦେଇଚି ।

 

ଦିନ ଗଲା ରାତି ହେଲା । ରାତି ପରେ ପୁଣି ଦିନ ହେଲା । ତା ପରେ କେତେ ରାତି କେତେ ଦିନ ବିତିଗଲା । ଘରେ ଖାଇବା ପିଇବାର ଭରା । ଭୋଳା ଆଉ କାମକୁ ଗଲାନି । ସବୁବେଳେ ଗୀତ ଗାଇ ଖୁସିରେ ଏଣେ ତେଣେ ବୁଲିଲା । ଦିନେ ଘର ଭିତରେ ବୁଲୁବୁଲୁ ଚାଳ ଦିହରେ ଆଖି ପଡ଼ିଲା । ଦେଖିଲା ଖଣ୍ଡେ ବଂଶୀ ଖୋସା ହେଇଚି । ବଂଶୀ ଖଣ୍ଡକୁ ଧରି ସେ ଆନନ୍ଦରେ ଅଧୀର ହୋଇ ନଈ କୂଳକୁ ଧାଇଁଯାଇ ଗୋଟିଏ ଶାଗୁଆ ବୁଦାମୂଳେ ବସିପଡ଼ି ବଜେଇବାକୁ ଲାଗିଲା । ବଂଶୀର ମଧୁର ସ୍ଵରରେ ବନଭୂଇଁ, ବିଲ, ପାହାଡ଼, ଚାରିଆଡ଼େ ଆନନ୍ଦର ଲହରୀ ଯେମିତି ଉଛୁଳି ପଡ଼ିଲା । ଅନଉ ଅନଉ ନଈ ପାଣିରେ ଗୋଟିଏ ପଦ୍ମଫୁଲ ଭୋଳା କେବେ ଦେଖି ନ ଥିଲା । ଫୁଲଟିକୁ ଆଣିବା ପାଇଁ ଭୋଳା ପାଣିକି ଦି ଭାଗ କରି ନଈ ଭିତରକୁ ଡେଇଁ ପଡ଼ିଲା । ପହଁରି ପହଁରି ସେ ଫୁଲ ପାଖରେ ପହଞ୍ଚିଲା । ଫୁଲର ବାସନାରେ ଚାରିଆଡ଼େ ମହକି ଯାଉଥାଏ ।

 

ଆନନ୍ଦରେ ବିଭୋର ହେଇ ଭୋଳା ଫୁଲଟିକୁ ଧରି ପକେଇବା କ୍ଷଣି ଫୁଲଟି ଚଟକରି ତା ହାତରୁ ଖସିଗଲା । ଅନଉ ଅନଉ ଆଖି ପିଛୁଳାକେ ସେ ଫୁଲଟି ଗୋଟିଏ ପରୀ କନ୍ୟା ପାଲଟିଗଲା । ଫୁଲ ତଳେ ଭାସୁଥିବା ପଦ୍ମପତର ହେଇଗଲା ଗୋଟିଏ ଡଙ୍ଗା । ଭୋଳା ଏ କାଣ୍ଡ ଦେଖି ଅବାକ୍ । କିନ୍ତୁ ପାଣିରେ ପହଁରି ପହଁରି ସେ ବେଦମ ହେଇ ଯାଇଥିଲା । ଆଉ କିଛି ନ ଭାବି ସେ ଝଟ ଯାଇ ଡଙ୍ଗା ଉପରେ ବସିପଡ଼ିଲା । ପରୀକନ୍ୟାଟି ତା ହାତକୁ ଧରି ଡଙ୍ଗା ଉପରକୁ ଉଠେଇନେଲା । ଭୋଳା ଦେଖିଲା, ଦିବ୍ୟସୁନ୍ଦର ପରୀ କନ୍ୟାଟିଏ । ତା ଦେହଯାକ ସେଇ ପଦ୍ମଫୁଲର ବାସନା । ଲାଲ ଟକଟକ ଓଠ । ସେ ଓଠରେ ପୁଣି ହସ ସବୁବେଳେ ଲାଗି ରହିଚି । ଦିହ ହାତ ଯେମିତି କଞ୍ଚା ସୁନା ପରି ହଳଦି ଗରଗର । ଝିଅଟି ଦିହରେ ଲାଲ ରଙ୍ଗର ସରୁ ଲୁଗା ପବନରେ ଉଡ଼ି ଫରଫର ହେଉଚି । ମୁଣ୍ଡରେ କଳା ମୁଚୁମୁଚୁ କୁଞ୍ଚିକୁଞ୍ଚିଆ ବାଳ । ସେଥିରୁ ଗୋଟିଏ ବେଣୀ ଓହଳି ଯାଇଚି ତାଳଯାଏ । ବେଣୀ ଅଗରେ ପେନ୍ଥାଏ ଅପରାଜିତା ଫୁଲ । ଦିହରେ ମଣି ମାଣିକର ଗହଣା ।

 

ଭୋଳା ଗୋଟିଏ ଆଖିରେ ଅନେଇ ରହିଲା ଝିଅଟିକି । ଏପରି ସୁନ୍ଦରୀ ଝିଅ ସେ କେବେ କେଉଁଠି ଦେଖି ନ ଥିଲା । ଏହି ସମୟରେ ଝିଅଟି ପାଣିରୁ ଆଉ ଗୋଟିଏ ପଦ୍ମପତ୍ର ତୋଳି ଆଣିଲା । ସେ ପତ୍ର ଓ ତାର ନାଡ଼କୁ ଆହୁଲା କରି ପରୀକନ୍ୟାଟି ପାଣିରେ ଡଙ୍ଗା ବାହି ବାହି ଚାଲିଲା । ଅନେକ ଦୂରକୁ ଭାସିଗଲା । ଭୋଳାକୁ ଏସବୁ ଭାରି ସୁଖ ଲାଗୁଥାଏ । ତାର ଆଉ କିଛି କଥା ମନେ ପଡ଼ୁ ନ ଥାଏ । କେତେବେଳକେ ଅଣ୍ଟାରୁ ବଂଶୀ ଖଣ୍ଡକ କାଢ଼ି ସେ ବଜେଇବାକୁ ଲାଗିଲା ।

 

ସେତେବେଳକୁ ସୂର୍ଯ୍ୟ ଅସ୍ତହେବା ଉପରେ । ଟିକକ ପରେ ସୂର୍ଯ୍ୟ ପୁରାପୁରି ବୁଡ଼ିଗଲା-। ଚାରିଆଡ଼େ ସନ୍ଧ୍ୟାର ଅନ୍ଧାର ଘୋଟି ଆସିଲା । ଭୋଳା ବଂଶୀ ବଜେଇବା ବନ୍ଦ କରି କହିଲା, ଆମେ ଆଉ କେତେ ବାଟ ଯିବା ?

 

ଏତେବେଳଯାଏ ଭୋଳା ଆଉ ପରୀ କନ୍ୟା କେହି କାହାକୁ କିଛିହେଲେ କହି ନ ଥିଲେ-। ଭୋଳାର କଥା ଶୁଣି ପରୀ କନ୍ୟାଟି ହସି ହସି କହିଲା, ମୁଁ ତମ ଉପରେ ଭାରି ଖୁସି । ତମେ ଯେଉଁଠିକି କହିବ ସେଇଠିକି ଯିବା ।

 

ଭୋଳା ପଚାରିଲା, ତମେ ମୋ ଉପରେ ଖୁସି ହେଇଚ କାହିଁକି ?

 

ପରୀ କନ୍ୟା କହିଲା, ତମେ ଭାରି ପରିଶ୍ରମୀ । ଜୀବନରେ ଖୁବ କଷ୍ଟ କରିଚ । ସେଥିଲାଗି ତମ ଉପରେ ମୁଁ ଭାରି ଖୁସି । ଯେଉଁଦିନ ତମେ ଆକାଶ ତରାକୁ ଅନେଇ ଦୁଃଖରେ ତମର ମା’କୁ ଡାକୁଥିଲ ସେଇଦିନଠଉଁ ମୁଁ ତମ ଦୁଃଖ ଦୂର କରିଦେବାକୁ ତମ ପାଖକୁ ଚାଲି ଆସିଚି-

ମା କଥା ପଡ଼ିବାରୁ ଭୋଳା ଆଉ ସବୁ କଥା ଭୁଲି ଆକାଶ ଉପରେ ଆଖି ପକେଇଲା । ସେତେବେଳକୁ ଆକାଶରେ ତରାସବୁ ବିଞ୍ଚି ହେଇ ସାରିଲେଣି । ଗୋଟିଏ ତରାକୁ ଭୋଳା ନିରିଖି କରି ଅନେଇ ରହିଲା । ରାତିରେ ସେ ଅନେକ ସମୟରେ ସେଇ ଗୋଟିଏ ତରାକୁ ଅନେକ ଥର ଅନାଏ । ଆଜିବି ସେମିତି ଚାହିଁଲା । କିଛି ସମୟ ପରେ ଆକାଶଟା ହାଲୋର ହୋଇ ଉଠିଲା । ଭୋଳା ଯେଉଁ ତରାଟିକୁ ଅନେଇ ରହିଥିଲା ସେଇଟି ଖସି ପଡ଼ିଲା ତଳକୁ । ନଈ ପାଣିରେ ତାର ଛାଇ ପଡ଼ିଲା । ଭୋଳାକୁ ଜଣାଗଲା, ଆକାଶର ସେଇ ତରା ନଈ ଭିତରେ ଖସି ପଡ଼ିଲା । ସେ ‘ମା, ମା’ କହି ପାଣିକି ଡେଇଁ ପଡ଼ିଲା । ପରୀ କନ୍ୟାଟି ଛାନିଆ ହେଇ ଅନେଇ ରହିଲା ପାଣିକି ।

କିଛିକ୍ଷଣ ପରେ ପାଣି ଭିତରୁ ଉଠି ଆସିଲା ସ୍ତ୍ରୀଟିଏ । କୋଳରେ ତାର ଭୋଳା । ସେ ଭୋଳାର ମା । କିନ୍ତୁ ଭୋଳା ମରିଯାଇଚି । ଭୋଳାର ମଲା ଦିହକୁ ଧରି ସେ ପରୀ କନ୍ୟାକୁ କହିଲା, ମୁଁ ଆକାଶରେ ଥାଇ ଆକୁ ବଞ୍ଚେଇ ଥିଲି । କିନ୍ତୁ ତଳକୁ ଆସିବା କ୍ଷଣି ଏ ମରିଗଲା । ଏ ମୋର ଅତି ଆଦରର ଧନ । ତୁ ଆକୁ ବଞ୍ଚେଇ ଦେଇ ପାରିବୁ ମା ?

ପରୀ କନ୍ୟାକୁ ସବୁକଥା ଜଣା । ହେଲେ ଭୋଳାର ଏ ଅବସ୍ଥା ଦେଖି ସେ ଖୁବ୍‍ କାନ୍ଦିଲା । କାନ୍ଦି କାନ୍ଦି ସେ କହିଲା, ତମେ ଯଦି ଆକାଶରୁ ମାସକରେ ଗୋଟିଏ ରାତି ସବୁ ତରାଙ୍କୁ ଲୁଚେଇ ଦେବ, ତେବେ ମୁଁ ଆଙ୍କୁ ବଞ୍ଚେଇ ଦେବି ।

 

ସେହି କଥା ହେଲା । ସେହିଦିନଠଉଁ ପୁନେଇ ଦିନ ରାତିରେ ଭୋଳାର ମା ସବୁ ତରାଙ୍କୁ ଜହ୍ନ ଆଲୁଅରେ ଝାପ୍‍ସା କରି ଲୁଚେଇ ଦେବାକୁ ଲାଗିଲା । ଏଣେ ପରୀ କନ୍ୟା ସୁନା କାଠି ଛୁଇଁ ଭୋଳାକୁ ବଞ୍ଚେଇ ଦେଲା । ତାପରେ ଏମିତି ଗୋଟିଏ ଫୁଲ ଆଣି ଶୁଙ୍ଘେଇ ଦେଲା ଯେ କେବଳ ପୁନେଇ ଦିନ ଛଡ଼ା ଅନ୍ୟ କେଉଁ ଦିନ ରାତିରେ ଆକାଶକୁ ଅନେଇବାକୁ ଭୋଳାର ଆଉ ମନ ହେଲାନି । ଆକାଶକୁ ଅନେଇଲେ ବି ଆଉ ସେ ବଡ଼ ତରାଟିକୁ ଦେଖିବାକୁ ପାଇଲାନି । କ୍ରମେ ମା କଥା ଭୁଲିଯାଇ ପରୀ କନ୍ୟା ସାଥିରେ ଭୋଳା ସୁଖରେ ଘରଦ୍ୱାର କରି କାଳ କଟିଲା ।

Image

 

ରସାୟନ

 

ଦୁଇଜଣ ଭଦ୍ରଲୋକଙ୍କ ହାତରେ ଗୋଟିଏ ଗୋଟିଏ ସିଗାରେଟ୍ । ଅଧମିନିଟ୍ ହେବ ସେମାନେ ଚା’ ଖାଇବା ଶେଷ କରିଛନ୍ତି । ଅନ୍ତରରେ ସେମାନଙ୍କର ପ୍ରଭାତ ସୂର୍ଯ୍ୟର ଅର୍ଚ୍ଚନା, ଦେହର କେତେକାଂଶରେ ସୂର୍ଯ୍ୟର ଅନୁକଂପା । ଶୀତଦିନର ସକାଳ । ପୌଷ ମାସ ! ଦେବଗଡ଼ ଗେଷ୍ଟହାଉସର ପୂର୍ବମୁଖ ବରଣ୍ଡାରେ ଏବଂ ପ୍ରକାଶ୍ୟ ରାଜପଥରେ ପ୍ରଭାତ ସୂର୍ଯ୍ୟ ହତ୍ୟା କରିବାକୁ ଚେଷ୍ଟା କରୁଛି ଜରତା ଶୀତକୁ । ଏହି ହତ୍ୟାକାଣ୍ଡ ପ୍ରତି ସବୁ ଜୀବର ସମର୍ଥନ ଦେଖାଦେଇଛି । ତଥାପି ସେଇ ଶୀତବୁଢ଼ୀ ମରି ମଧ୍ୟ ମରି ପାରୁ ନାହିଁ ।

 

ଏହି ଦୁଇ ବ୍ୟକ୍ତିଙ୍କ ଛଡ଼ା ସେଠି ଅନ୍ୟ ଏକ ଭଦ୍ରଲୋକଙ୍କର ଆଗମ ହେଲା । ବୟସ ତାଙ୍କର ପ୍ରୌଢ଼ତ୍ଵକୁ ପଦାଘାତ କରି ଆଗକୁ ପଦ ବଢ଼େଇଚି । ରୂପରେ ଛନ୍ଦପତନର ଧ୍ୱଜା । ପରିଧେୟ ଏବଂ ବେଶ ବିନ୍ୟାସରେ ଆଧୁନିକତାର ଅକ୍ଷମ ଅନୁକୃତି । ତାହାଙ୍କ ଯୁକ୍ତିରେ ପ୍ରେତପୁରୀର ଭାଷା । ଯେପରି ସେ ଅନୁକଂପାହୀନ ହୋଇ ଆଧୁନିକତା ବିରୁଦ୍ଧରେ ଖଡ଼୍‌ଗ ଉତ୍ତୋଳନ କରିଛନ୍ତି । ଅତୀତର ଜଣେ ଚିନ୍ତାଶୀଳ ଲେଖକ ସେ ।

 

ପ୍ରଥମୋକ୍ତ ଦୁଇବ୍ୟକ୍ତିଙ୍କ ପରିଚୟ ଏକ ପର୍ଯ୍ୟାୟଭୁକ୍ତ । ସେମାନଙ୍କ ଭିତରୁ ସମ୍ଭ୍ରାନ୍ତ ସ୍ଥୂଳକାୟ ବ୍ୟକ୍ତିଟି ଏକ ସତ୍ତାହୀନ ରାଜ୍ୟର ଉତ୍ତରାଧିକରୀ ଏବଂ ଏକ ସାହିତ୍ୟ-ସଂସ୍ଥାର କର୍ଣ୍ଣଧାର-। ଉଦ୍ଦେଶ୍ୟ ସିଦ୍ଧି ଉଦ୍ଦେଶ୍ୟରେ ସ୍ଥାନୀୟ ବୃତ୍ତୀଶ୍ୱରଙ୍କ ଭିକ୍ଷାପ୍ରାର୍ଥୀ ହୋଇ ସେ ଏଠାରେ ଆଗନ୍ତୁକ-। ଅପର ବ୍ୟକ୍ତିଟି ସାହିତ୍ୟ-ସଂସ୍ଥାର କର୍ଣ୍ଣ-ଧାର ନୁହଁନ୍ତି, କର୍ମୀ । ଏହିଠାରେ ତାଙ୍କର ଡେରା-। ଦୁହିଁଙ୍କର ନାମ କଚ ଓ ନଚଦେବ ବୋଲି ଧରିନିଆଯାଉ । କଚଦେବ ପ୍ରୌଢ଼ତ୍ୱର ଏବଂ ନଚଦେବ ଯୌବନର କେନ୍ଦ୍ରବର୍ତ୍ତୀ । ବୟସ୍କ ଅଥବା ବୃଦ୍ଧ ବ୍ୟକ୍ତିଙ୍କ ନାମ ରଖାଯାଉ ଶିରଧ୍ୱଜ । ଶିରରେ ଶିଖା ମଧ୍ୟ ତାହାଙ୍କର ଅଛି ।

 

କିଛିଦିନ ହେବ ଏହି ପୁଷମାସର ଖରା ସକାଳର ଆଳାପକୁ ଘନୀଭୂତ କରି ଦେଇଛି । ଆଗେ କେବଳ ଆଳାପ ଚାଲୁଥିଲା ନଚଦେବ ଓ ଶିରଧ୍ୱଜଙ୍କ ମଧ୍ୟରେ । ଏବେ ଦୁଇଦିନ ହେଲା କଚଦେବଙ୍କ ଆବିର୍ଭାବ ଯୋଗୁ ଆଜିର ଆଲୋଚନା ତ୍ରିପଦୀ ଏବଂ ତ୍ରୀପଟା ତାଳରେ ସମୃଦ୍ଧ ।

 

ଶିରଧ୍ଵଜଙ୍କ ଭିତରେ କୁରୁବଂଶର ଶେଷ ରାଜା ଧୃତରାଷ୍ଟ୍ରଙ୍କ ଅନ୍ଧତା । ଦେବଗଡ଼ର ଅନୁବାଦ ମାଟିରେ ବିଦେଶୀ ଏମୋନିଆ ଯେ କୁହୁକ ସ୍ପର୍ଶ ଦେଇ ପାରେ ଏହାର ସତ୍ୟ ଦର୍ଶନ ତାଙ୍କ ପାଖରେ ନିରର୍ଥକ । ପ୍ରଧାନ ପାଟ ପ୍ରପାତର ଉଦ୍ଧତ ଜଳସ୍ରୋତ କହାଯୋଗେ ଆଜି ରାସ୍ତାକଡ଼ର ସ୍ନାନାଗାରରେ ଆଦିବାସୀ ଯୁବତୀର ଚରଣକିଙ୍କର ହୋଇ ପଡ଼ିରହିଛି ସେ କଥା ସେ କେବେ ପ୍ରତ୍ୟକ୍ଷ ଜ୍ଞାନ ଦେଇ ଭାବନ୍ତି ନାହିଁ । ମାତ୍ର ସେ ଜ୍ଞାନୀ । ହୁଏ ତ ଅପଜ୍ଞାନୀ ହୋଇ ପାରନ୍ତି-। କାରଣ, ଆର୍ଯ୍ୟ ଯାଯାବରର ସ୍ଵଧର୍ମବାଦ ତାଙ୍କର ଚରମ ଆଦର୍ଶ । ଯେଉଁ ସ୍ଵଧର୍ମବାଦ ଶ୍ରୀକୃଷ୍ଣଙ୍କୁ ରକ୍ଷା କରି ପାରିଲା ନାହିଁ, ଯୁଦ୍ଧର ଜୟ ପରେ ମଧ୍ୟ ଅର୍ଜୁନଙ୍କୁ ପୃଥିବୀ ଭୋଗ କରିବାର ସୁଯୋଗ ଦେଇ ପାରିଲା ନାହିଁ, ସେହି ସ୍ଵଧର୍ମବାଦ ପୁଣି ରକ୍ଷା କରିବ ଭାରତର କୋଟି କୋଟି ଲୋକଙ୍କୁ-। ଏହା ତାଙ୍କର ବିଶ୍ୱାସ । ...ଠାକୁର ଘରର ଭୋଗ ବନ୍ଦ କରି ଗୋଟାଏ ବୁଭୁକ୍ଷୁ ମଣିଷର ଜୀବନ ରକ୍ଷା କରିବାକୁ ସେ ଧର୍ମ ବୋଲି କହି ପାରନ୍ତି ନାହିଁ । ପୁଣି ସମୟେ ସମୟେ ଧର୍ମର ମୌଳିକ ତତ୍ତ୍ଵକୁ ପୋଷକତା କରି ମଧ୍ୟ ସେ ଆଲୋଚନାର ସଂଳାପ ପ୍ରସ୍ତୁତ କରିଥାନ୍ତି ।

 

ସେତେବେଳକୁ କଚ ଓ ନଚଦେବଙ୍କ ଭିତରେ କୌଣସି ଆଳାପ ଭ୍ରୂଣାୟମାନ ମଧ୍ୟ ହୋଇନାହିଁ । ଚା’ ପାନ ପରେ ସିଗାରେଟ ଧୂଆଁର ଗତି ସେମାନେ ହୁଏତ ନିରୀକ୍ଷଣ କରୁଥିଲେ, ଏହିପରି ସମୟରେ ପହଞ୍ଚିଲେ ଆସି ଶିରଧ୍ଵଜ । ତାଙ୍କ ଆଗମନର ହେତୁ ଥିଲା ଆଜି ସ୍ଵାର୍ଥମୂଳକ । ସେ ସ୍ଵାର୍ଥ ହୁଏତ ମହତ । କଚଦେବ ତାଙ୍କୁ ଗୋଟାଏ ଲେଖା ପାଇଁ ଆଜି ଆଗାମୀ ଦେବାର କଥା-

 

“ହୁଁ...... ଖବର କଣ !”

 

ଅନୁନାସିକ ସ୍ଵରରେ ଶିରଧ୍ଵଜଙ୍କ ଆଳପର ଉପୋଦ୍‍ଘାତ ହୋଇଥାଏ । ଆଜି ମଧ୍ୟ ତାହାର କୌଣସି ବ୍ୟତିକ୍ରମ ଘଟିଲା ନାହିଁ । ଆଳାପ ଆଲୋଚନା ଆରମ୍ଭ ହୋଇ ତାହାର ଶାଖାପ୍ରଶାଖାଗୁଡ଼ିକ କ୍ରମେ ହୋଇ ଉଠିଲା ମୂଲ୍ୟବାନ ।

 

ପ୍ରଥମେ ରାଜନୀତି ଭିତରକୁ ଆଲୋଚନା କିଛି ଦୂର ଗତି କଲା । କଚଦେବ ଖଦଡ଼ଧାରୀ, ତାହାଙ୍କ କହିବା ଅନୁସାରେ ୧୯୩୬ ମସିହାରୁ ସେ ଖଦଡ଼ ପିନ୍ଧୁଛନ୍ତି । ଏବେ ସେ କଂଗ୍ରେସ ଅଧିକୃତ କୌଣସି ପୌରସଂସ୍ଥାକୁ ପ୍ରତିନିଧି ନିର୍ବାଚିତ ହୋଇ ପାରିଛନ୍ତି ଏବଂ ପ୍ରାଦେଶିକ ଆସେମ୍ବ୍ଳିକୁ ନିଜ ପଦରେଣୁରେ ପବିତ୍ର କରିବା ପାଇଁ ତାଙ୍କର ଆକାଙ୍‌କ୍ଷା ମଧ୍ୟ ଅସମ୍ବୃତ ।

 

ଏଥିରେ ଶ୍ରୋତା ଦୁଇଜଣ ସହାନୁଭୂତି ଜଣାଇଲେ । ତାହାପରେ କଥାର ଗତିଟା ଅପ୍ରତ୍ୟାଶିତ ଭାବରେ ପହଞ୍ଚିଗଲା ଗୋଟା ମୋଡ଼ ଉପରେ । ସେ ମୋଡ଼ ଉପରେ ପ୍ରକାଣ୍ଡ ଗୋଟିଏ ପୁରାତନ କୋଠା–ଗୋଟିଏ ଅଚଳାୟତନା ଘରର ବାତାୟନ ଭେଦି ଏବେ ବି ବୀଣାର ଝଙ୍କାର ଭାସି ଆସେ । କାଳେ କେଉଁ କାଳରେ ସେ ଘରେ ରହିଥିଲେ ଜଣେ ଅପୋଗ ସ୍ଥାନ ଅର୍ଥାତ୍ ଆଫଗାନିସ୍ଥାନ ବାସିନୀ କାବୁଲ ମହିଳା । ତାଙ୍କର ହାତରେ ଥିଲା ବୀଣା, କଣ୍ଠରେ ଥିଲା ବିଦ୍ୟା । ଦେଖିବାକୁ ଥିଲେ ଖୁବ୍ ସୁନ୍ଦରୀ । ଦିହଟା ପାଉଡ଼ର ଥୋପା ଭଳି ଧୋବ ଫରଫର । କଥିତ ଅଛି, ଏହି ପରମା ସୁନ୍ଦରୀ ବିଦୂଷୀ କିଶୋରୀଙ୍କର ପିତା ଥିଲେ ରୁଷ ଦେଶର ସୁରଜ୍ୟେଷ୍ଠ ବ୍ରହ୍ମା । ହୁଏତ ଆଜି ରୁଷୀୟ ଭାଷାରେ ତାଙ୍କ ନାଁ ସୁଜୋଷ୍କୋଭ୍ସ୍କି ହେବ । ଏହି ସୁଜୋଷ୍କୋଭ୍ସ୍କି ଉତ୍କଳୀୟ କବି ରାଧାନାଥଙ୍କର ପାର୍ବତୀ କାବ୍ୟର ନାୟକ । କିନ୍ତୁ କାବ୍ୟକୁ ବିୟୋଗାନ୍ତ ନ କରି କନ୍ୟା ପିତ୍ରାଳୟ ତ୍ୟାଗ କରି ଆସି ଅପୋଗ–ସ୍ଥାନରେ ରହିଲେ ।

 

ସେ ଯାହାହେଉ, ସେହି ଶୁକ୍ଳା ସୁନ୍ଦରୀ ଏବଂ ବିଦୂଷୀ ବୀଣା ପୁସ୍ତକ ରଞ୍ଜିତ ହସ୍ତା ଯୁବତୀକୁ ହିନ୍ଦୁମାନେ ସରସ୍ୱତୀ ଆଖ୍ୟା ଦେଲେ । ଏହି ସରସ୍ଵତୀଙ୍କର ଗୋଟିଏ ହଂସ ଥିଲା, ସେହି ହଂସରେ ଚଢ଼ି ସେ ତ୍ରିଭୁବନ ବୁଲନ୍ତି ବୋଲି ହିନ୍ଦୁମାନେ କହନ୍ତି । ମାତ୍ର ଏ ପର୍ଯ୍ୟନ୍ତ ଏ ବିଷୟ ଗବେଷକମାନଙ୍କର ସମ୍ମତି ପାଇ ନାହିଁ ଏବଂ ସେ ଚିରଜୀବନୀ କି ନା, ତାହା ମଧ୍ୟ ସମର୍ଥିତ ହୋଇନି । “ବେଦମାତା ସରସ୍ଵତୀ” ବୋଲି ଯେଉଁ କିମ୍ବଦନ୍ତୀ ହିନ୍ଦୁମାନଙ୍କ ଭିତରେ ପ୍ରଚଳିତ ଅଛି, ତାହାର ସତ୍ୟତା ଏତିକି ମିଳେ ଯେ, ପିତୃ-ନିର୍ଯାତିତା ଏହି ସୁନ୍ଦରୀ ଯୁବତୀ ପିତ୍ରାଳୟରେ ହିଁ ବିଦୂଷୀ ହୋଇଥିଲେ । କିଶୋରୀର ପିତ୍ରାଳୟ ତ୍ୟାଗହିଁ ବେଦର ମର୍ତ୍ତ୍ୟାଗମନ । କିନ୍ତୁ ଉତ୍କଳ ପ୍ରାନ୍ତର ଏହି ମୋଡ଼ ଉପର କୋଠାରେ ଯେ ସେହି କାବୁଲବାସିନୀ ସରସ୍ଵତୀଙ୍କର ବୀଣା କିପରି ଅନୁଝଙ୍କୃତ ହେଲା ତାହାହିଁ ଆଶ୍ଚର୍ଯ୍ୟର କଥା । ପୁଣି ତାହା ଆଜି ଯାଏ ଯେ ଅନୁରଣିତ, ତାହା ଆହୁରି ବିସ୍ମୟର ବିଷୟ । କେହି କେହି କହନ୍ତି, ମଧ୍ୟ ଯୁଗର ଭାରତୀୟ ସରସ୍ଵତୀ ‘ବିକଟ ନିତମ୍ବା’ ଏଠାକୁ ଆସିଥିଲେ; ଏବଂ ତାଙ୍କର ବୀଣା ହଜି ଯାଇଥିଲା ଏଇଠି ଏବଂ ସେ ଏଠାରେ କିଛିକାଳ ବସନ୍ତ ବିହାର କରି ‘ବୁଧ ହଂସ କେଳିସର’ ପ୍ରତିଷ୍ଠା କରିଥିଲେ । ଏହାହିଁ ବୋଧହୁଏ ଠିକ୍ କାରଣ । ଏହି ମୋଡ଼ ଉପରେ ପହଞ୍ଚୁ ପହଞ୍ଚୁ ଶିରଧ୍ୱଜ ଗାଇ ଉଠିଲେ...

 

ନିତମ୍ବ ନିଗମ ସ୍ଥାନ

ପାଶ ପାତିଛି ମଦନ

ଅକ୍ଷୀ ପକ୍ଷୀ ଧରିବାରେ କରି ମମତା...

 

ତାହାପରେ ହଠାତ୍ ଉତ୍ତେଜିତ ହୋଇ ସେ କହିଲେ । “କାହିଁରେ ପୂତା, ଏମିତି ଧାଡ଼ିଟାଏ କୋଉଠି ଲେଖିଛ ତମେ କହିଲୁ ?”

 

ଏ ପ୍ରଶ୍ନଟା କେବଳ ନଚଦେବଙ୍କ ଉଦ୍ଦେଶ୍ୟରେ । ସେହି ଏଠି କନୀୟାନ ଏବଂ ଶିରଧ୍ୱଜଙ୍କ କଥାବାର୍ତ୍ତାରେ ଅନେକ ସମୟରେ ତୁକାର ସମ୍ବୋଧନ ଶୁଣିଥାନ୍ତି । ନଚଦେବ କିଛି କହିବାକୁ ଯିବା ପୂର୍ବରୁ କହି ଉଠିଲେ କଚଦେବ...

 

“ମୁଁ ଆଜ୍ଞା ଆପଣଙ୍କ ସାଙ୍ଗରେ । ପ୍ରାଚୀନ ପ୍ରତି ମୋର ଘୋର ମମତା, ସେମାନେ ଗଲାଦିନୁ ଆମର ସାହିତ୍ୟ ଯାଇଛି ।”

 

“ଭଲ କଥା, ସେମାନଙ୍କର ପୂର୍ବବର୍ତ୍ତୀମାନେ ଗଲାଦିନୁ ସ୍ୱାଧୀନତା ଯାଇଛି, ଆଉ ସେମାନେ ଗଲାଦିନୁ ଆମର ସାହିତ୍ୟ ଯାଇଛି । ଆଉ ଯୁକ୍ତି କାହିଁକି...ଆପଣ ସେମାନଙ୍କୁ କବରରୁ ଉଠେଇ ଆଣିଲେ ତ ତାହା ଫେରି ଆସନ୍ତା...ଆଣୁ ନାହାନ୍ତି କାହିଁକି ?”

 

କଚଦେବ ପ୍ରତିବାଦର ଭାଷାରେ କହିଲେ...

 

“କିନ୍ତୁ ସେମାନଙ୍କୁ କବର ଦେବାତ ଉଚିତ ନୁହେଁ !”

 

“ତା ହେଲେ ପୁଣି ପ୍ରାଚୀନକୁ ଫେରେଇବ କିଏ, ଆପଣ ସେମାନଙ୍କୁ ଉଠେଇବେ ନି, ପୁଣି ଯେମିତି ଜଣାଯାଉଚି ଆପଣ କବର ନ ଦେବାର ଚେଷ୍ଟାବି କରିବେନି...ଆଉ ଆପଣଙ୍କର ମମତାର ମୂଲ୍ୟ କଣ ?”

 

“ଇଏତ ଆଉ ଜଣକର କାମ ନୁହେଁ ?”

 

“ତା ହେଲେ... କିଏ ସେ ବହୁ... ?”

 

ଶିଖାଟାକୁ ସାଉଁଳି ନେଇ କହିଲେ ଶିରଧ୍ୱଜ...

 

“ଯୁଗ...ତମ ଭଳିଆ ବ୍ୟଭିଚାରୀ ଟୋକାଙ୍କର ଯୁଗ !!”

 

ଏହି ସମୟରେ ସେହି ପ୍ରାସାଦ ଭିତରୁ ସ୍ୱୟଂକ୍ରୀୟ ବୀଣାର ଝଙ୍କାର ଓ ତତ୍‍ସହ ସଙ୍ଗୀତର ଲହର ଭାସି ଆସିଲା ।

 

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଗୋଟା ଅଶ୍ଳୀଳ ସଙ୍ଗୀତ । ନଚଦେବ ପାଟି କରି କହିଲେ ।

 

“ସଦାଚାରୀ ମହାଶୟ, ଟିକେ ଆଗକୁ ଚାଲିବା ହେଉନ୍ତୁ । ଜାଗାଟା ବଡ଼ ଅସ୍ୱାସ୍ଥ୍ୟକର ମନେ ହେଉଚି ।”

 

ଶିରଧ୍ୱଜ ପୁଣି ଥରେ ଏଇଠି କହିଲେ...

 

“କାହିଁରେ ପୁତା... ?”

 

ଆଗରେ ରାସ୍ତା କଡ଼ରେ ସାଧାରଣ ସ୍ନାନାଗାର । ପ୍ରଧାନ ପାଟର ଗୋଟିଏ ପ୍ରପାତକୁ ଅଶେଷରେ ପରିଣତ କରିଛି ଦେବୀଗଡ଼ର ଏହି ସବୁ ସ୍ନାନାଗାର । ଦିବାରାତି ସେଇ ନିର୍ଝରଗୁଡ଼ିକ ମୁଖରା, ପାଣିର ପ୍ରାଚୁର୍ଯ୍ୟ ହେତୁ ତାହାର ବ୍ୟୟ ମଧ୍ୟ ପ୍ରଚୁର । ଚାବିହୀନ, ମୁକ୍ତମୁଖ ସେହି ପାଇପଗୁଡ଼ିକ । ଦୁଇ ତିନୋଟି ଆଦିବାସୀ ଯୁବତୀ ରାସ୍ତାରେ ଅସମ୍ବୃତ ପରିଧେୟରେ ଦୌଡ଼ି ଦୌଡ଼ି ଯାଇ ସେହି ସ୍ନାନାଗାରରେ ପଶି ଯାଇ ହାସ୍ୟରୋଳରେ ଫାଟି ପଡ଼ିଲେ । ଏହି ସକାଳର ଖରା ପରି ସେମାନେ ସତେଜ । ଦୁଇଟି ସଙ୍ଗୀ ଯୁବକ ସ୍ନାନାଗାର ମୁକ୍ତ ଦ୍ଵାର ଦେଶରେ ଠିଆହୋଇ ସେମାନଙ୍କ ସ୍ନାନ ଲୀଳାକୁ ଅନେଇ ଅନେଇଁ ଉପଭୋଗ କଲେ । ଆଉ କେତୋଟି ବାଳିକା ଓ ଯୁବତୀ ମୁଣ୍ଡରେ ଗୋଛା ଗୋଛା ଫୁଲ ଖୋସି ଦକ୍ଷିଣରୁ ଆସି ଉତ୍ତରକୁ ଚାଲିଗଲେ । ଆଗରେ ଜଙ୍ଗଲ ସାହେବର କ୍ୱାଟର ତିଆରି ହେଉଚି–ସେମାନେ ତାହାରି ନିର୍ମାଣର ସେନା । କଣ୍ଠରେ ଆନନ୍ଦର ଗୀତ । ସେ ଆଡ଼କୁ ଇଚ୍ଛା କରି ଚାହିଁ ରହିଲେ ନଚଦେବ । ଚେୟାରଟାକୁ ବୁଲେଇ ନେଇ ମଧ୍ୟ ସେ ଦୃଷ୍ଟି ପରିବର୍ତ୍ତନ କରିବାକୁ ଲାଗିଲେ ।

 

ହଠାତ୍ ଏତିକିବେଳେ ଶିରଧ୍ୱଜ ସ୍ତ୍ରୀ–ସ୍ଵାଧୀନତାର କଥା ଉତ୍‍ଥାପନ କରି କହିଲେ...“ଏଇ ଟୋକାକୁ ଜବତ କରିବା ପାଇଁ ସମୂଳେ ସ୍ତ୍ରୀ ଶିକ୍ଷା ବନ୍ଦ ହେବା ଦରକାର ।”

 

“ନିଶ୍ଚୟ, ନିଶ୍ଚୟ, ଝିଏ ଫେରେ ସ୍କୁଲ କଲେଜରେ, ପୁଣି ଟୋକାଙ୍କ ସାଙ୍ଗରେ ସାଙ୍ଗ ହେଇ ପଢ଼ିବେ । ମୁଁ ଏ–ଏ କଥାକୁ ଜମା ପସନ୍ଦ କରେନା । କଣ କରିବେ ସେମାନେ ?”

 

ଏ ମନ୍ତବ୍ୟ ପ୍ରକାଶ କରି ନଚଦେବ ଚେୟାରଟାକୁ ପୁଣି ବୁଲେଇ ଆଣିଲେ । ତା ପରେ ଟିକେ ହସି ଦେଇ କହିଲେ...

 

“ଆପଣମାନଙ୍କ ପରି ପ୍ରେତପୁରୀର ଆଳାପ ସେମାନେ କରିବେନି । ସୁସ୍ଥ ସୁନ୍ଦର ଜୀବନ ସେମାନେ ନ ପାଇଲେ ମଧ୍ୟ ତାହାକୁ ଚିହ୍ନି ନେବେ ନିଶ୍ଚୟ । ଆପଣମାନଙ୍କ ପରି ବାୟସ ସେମାନଙ୍କ ଉପରେ ଦୃଷ୍ଟି ନ ଦେଲେ ରକ୍ଷା । ...ଆଚ୍ଛା ଶିରଧ୍ୱଜ ମହାଶୟ, ଆଜିର ଏଇ ବାଥରୁମ୍ ଦୃଶ୍ୟ ଦେଖିଥିଲେ କଣ ଗାଇଥାନ୍ତେ କବି ସୂର୍ଯ୍ୟ ? ...ଭଞ୍ଜେ ବି ?”

 

ମୁହଁଟାକୁ ତିର୍ଯ୍ୟକ କରି ଓହଳେଇ ପକେଇ କହିଲେ ଶିରଧ୍ୱଜ ।

 

“କଣ ଆଉ ଗାଇଥାନ୍ତେ ! ମୋଟେ ଗାଇ ନ ଥାନ୍ତେ । ଏମାନଙ୍କୁ ନେଇ କବିତା ଲେଖାଯାଏ ?”

 

କଚଦେବ ମଧ୍ୟ ତାହାଙ୍କୁ ସମର୍ଥନ କଲେ ।

 

“ବାସ୍ତବିକ ମୋର ଭୁଲ ହେଇଚି । ଏମାନେ ଆର୍ଯ୍ୟମାନଙ୍କୁ କୁ କଥା କହିଲେ ଏମାନଙ୍କ ମୁଖ ଗହ୍ଵରରେ ଦଶନ ଆଙ୍ଗୁଳ ତପ୍ତ ଲୌହ ଶଳାକା ବିଦ୍ଧ କରିଦେବାକୁ ହେବ । ଉଚ୍ଚବର୍ଣ୍ଣର ନାମ ଉଚ୍ଚାରଣ କଲେ ଜିହ୍ୱାଚ୍ଛେଦନ କରିଦେବାକୁ ପଡ଼ିବ । ସେମାନଙ୍କୁ ନେଇ ପୁଣି କବିତା... ଛିଃ । ...ହଁ ସ୍ଵରାଜ ଶବ୍ଦର ଅର୍ଥ କଣ ମନୁ କହିଚନ୍ତି ଶିରଧ୍ୱଜ ମହାଶୟ ?

 

ସଂସ୍କୃତର ଗୋଟିଏ ଶ୍ଳୋକର କେତେକ ଅଂଶ ଆବୃତି କଲେ ଶିରଧ୍ୱଜ । ଯାହାର ଅର୍ଥ ଯେଉଁ ରାଜ୍ୟରେ ସବୁ ଶ୍ରେଣୀର ପ୍ରଜାଙ୍କର ସମାନ ଅଧିକାର ରହେ ।

 

“ଏହା କିପରି ହେଲା ?”

 

ମୁହଁରେ ଯଥାସାଧ୍ୟ ଗାମ୍ଭୀର୍ଯ୍ୟ ଫୁଟେଇ ଶିରଧ୍ଵଜ କହିଲେ...

 

“ଅବିଜ୍ଞେୟାତ୍ ।”

 

ଏ କଥାରେ ନଚଦେବଙ୍କର ଖୁବ୍‍ ହସିବାକୁ ଇଚ୍ଛା ହେଲା । ମାତ୍ର ତାହା ସେ ନ କରି କଚଦେବଙ୍କଠାରୁ ଗୋଟାଏ ସିଗାରେଟ୍ ନେଇ ଖୁବ୍ ଜୋରରେ ଟାଣିଲେ ।

 

ରାସ୍ତାର ଆର ପଟରେ, ସ୍ନାନାଗାରକୁ କିଛିବାଟ ଛାଡ଼ି ଗୋଟିଏ ଶିବ ମନ୍ଦିର । ସେହି ମନ୍ଦିର ଉପରେ ପ୍ରତିହତ ହେଲା ନଚଦେବଙ୍କ ଦୃଷ୍ଟି । ତାହା ପରେ ସେ ଯେପରି ଏକ ମୀମାଂସାରେ ପହଞ୍ଚିଲେ । ବାମା ଓ ବାମଦେବ, ଧର୍ମ ଓ ଆଦିରସ । ଏହାହିଁ ଏ ଜାତିର ରସଚକ୍ର । ଏହାକୁ ବିରୋଧ କରିବ ଯିଏ ସେ ହେବ ଅନାଦୃତ । ଅପ୍ରିୟ ଏବଂ ଭର୍ତ୍ସିତ ।

 

ଏହାପରେ କଚଦେବ ଘର ଭିତରକୁ ଉଠିଯାଇ ବାକ୍‍ସ ଫିଟେଇ ଖଣ୍ଡେ ଦୁଇ ଅଙ୍କିଆ ନୋଟ୍ ଆଣି ଦେଲେ ଶିରଧ୍ଵଜଙ୍କ ହାତରେ,

 

“ଯେମିତି ସାତ ଦିନ ଭିତରେ ମୁଁ ଲେଖାଟି ପାଏ !

 

ସେତେବେଳକୁ ଡାକ ଆସିବାର ସମୟ ହୋଇ ଯାଇଥିଲା । ନରଦେବଙ୍କର ଅଫିସ ଡାକ ଦେବା ଆଗରୁ ପୋଷ୍ଟମ୍ୟାନ ଶିରଧ୍ଵଜଙ୍କ ହାତକୁ ବଢ଼େଇ ଦେଲା ଖଣ୍ଡେ ଲମ୍ବା ପୁଲିନ୍ଦା । ଆଜି ତାଙ୍କର କଚେ ବାର । ସେ ପୁଲିନ୍ଦା ଖୋଲି ଦେଖିଲେ ‘ଅଲ ଇଣ୍ଡିଆ ରେଡ଼ିଓ’ ପଠେଇଚି ତାଙ୍କର ଲେଖା “ଭଞ୍ଜ-ପ୍ରତିଭା” ଲାଗି ପଚିଶ ଟଙ୍କାର ଖଣ୍ଡିଏ ଚେକ । ନିଜେ ଆନନ୍ଦିତ ହୋଇ ତା ପରେ ଶିରଧ୍ଵଜ ବିଷୟଟି ଅନ୍ୟମାନଙ୍କୁ ଜଣେଇ ଦେଲେ ।

 

ନିଜ କୋଠରିକି ଫେରି ଆସି ଅଫିସର ଡାକ ଭିତରୁ ଖଣ୍ଡେ ବ୍ୟକ୍ତିଗତ ଚିଠି ପାଇଲେ ନଚଦେବ । ଲେଖିଛି ଜଣେ ପୁସ୍ତକ ପ୍ରକାଶକ, ତାଙ୍କର ‘ତୁରଙ୍ଗମ’ ବହିଟି ସେ ଛାପି ପାରିବ ନାହିଁ । ବଡ଼ ରୁଚି କଟୁ, ତିର୍ଯକ, ବଡ଼ ଅପ୍ରିୟ । ପାଣ୍ଡୁଲିପିଟି ମଧ୍ୟ ଭିନ୍ନ ଏକ ପ୍ୟାକେଟରେ ଫେରି ଆସିଛି ।

 

ବହୁ ଦିନ ତଳର ଲେଖା । ଅନ୍ୟ କାମ ବନ୍ଦ କରି ନଚଦେବ ପ୍ୟାକେଟ ଫିଟେଇ ପାଣ୍ଡୁ ଲିପିର କେତୋଟି ଧାଡ଼ି ପଢ଼ି ବସିଲେ ।

 

ଏହି ସମୟରେ ‘ସଜନୀ’ ଗୀତ ଗାଇ ରାସ୍ତାରେ ଚାଲିଗଲେ ଦଳେ ଯୁବତୀ । ପାଣ୍ଡୁଲିପିକୁ ଟେବୁଲ ଉପରେ ଥୋଇ ଦେଇ ଯାଇ ନଚଦେବ ବାରଣ୍ଡାରେ ଠିଆ ହେଲେ ।

 

ସେତେବେଳକୁ ଯୁବତୀ ଦଳଟି ଚାଲିଗଲେଣି ଆଗକୁ । ନଚଦେବଙ୍କ ଆଖିରେ ପଡ଼ିଲା ସେମାନଙ୍କ ପଶ୍ଚାତ୍‌ଭାଗର ଶୋଭା । ପଛପଟର ଉନ୍ନତ ମାଂସଳ ସ୍ଥାନ ଉପରେ ସକାଳର ସୂର୍ଯ୍ୟାଲୋକ ଯେମିତି ଲୋଭେଇ ପଡ଼ି ନେଶି ହେଇ ଯାଇଚି ।

 

ଯୁବତୀଦଳ ଚାଲିଯିବା ପରେ ବାରଣ୍ଡାରୁ ନଚଦେବ ପୁଣି ଘର ଭିତରକୁ ଫେରି ଆସି ପାଣ୍ଡୁଲିପି ଓଲଟେଇଲେ । ‘କୁରଙ୍ଗମ ଛୁଟି ଚାଲିଛି ପ୍ରଗତିର ପ୍ରତୀକତା ଧରି ଆଗକୁ, ତା’ ଉପରେ ସଓ୍ୟାର୍ ହୋଇଛି ଗୋଟିଏ ଯୁବତୀ; ଶେଷରେ ବିଦ୍ରୋହୀ ଓ ବିପ୍ଳବୀମାନଙ୍କ ସହ ଯୁବତୀର ଲାଗିଛି ସଂଘର୍ଷ । ପରିଣାମରେ ମରି ଯାଇଛି ତୁରଙ୍ଗମ ଏବଂ ଯୁବତୀ ହୋଇଛି ବିଦ୍ରୋହୀମାନଙ୍କଦ୍ଵାରା ବନ୍ଦିନୀ । ପରେ ତାହାକୁ ଉଦ୍ଧାର କରିଛନ୍ତି ବିପ୍ଳବୀମାନେ । ମାତ୍ର ବିଦ୍ରୋହ ଦମନ ପରେ ଦେଖାଗଲା, ସେହି ଯୁବତୀ ହୋଇଛି ଅନ୍ତଃସତ୍ତ୍ଵା ।

 

କାହାର ସନ୍ତାନ ରହିଛି ଏହି ଯୁବତୀର ଗର୍ଭରେ ?

 

ହତ୍ୟା, ହତ୍ୟା ।

 

ହତ୍ୟାକର ସେହି ଯୁବତୀକି ।

 

ଯୁବତୀଙ୍କୁ ଆକ୍ରମଣ କରିବା ପାଇଁ ଧାଇଁ ଆସିଲେ ବିପ୍ଳବୀର ଦଳ । କିନ୍ତୁ ଯୁବତୀକୁ ସେମାନେ ପାଇ ପାରିଲେନି । ଅନେକ ଅନୁସନ୍ଧାନ ପରେ ସେମାନେ ନିକଟବର୍ତ୍ତୀ ପାହାଡ଼ର ଗୋଟିଏ ଗୁହା ଭିତରେ ପାଇଲେ ଗୋଟିଏ ନବଜାତ ଶିଶୁକୁ । ଶିଶୁଟି ଗୋଟିଏ ପୁତ୍ର ସନ୍ତାନ ।

 

କାହାର ଏହି ସନ୍ତାନ ?

 

ବିଦ୍ରୋହ ନା ବିପ୍ଳବର ?

 

ସମସ୍ତଙ୍କ ମୁହଁରେ ଫୁଟି ଉଠିଲା ଏକ ବିରାଟ ପ୍ରଶ୍ନବାଚକ । ପରସ୍ପର ଚାହିଁଲେ ପରସ୍ପରର ମୁହଁକୁ । ସମସ୍ତଙ୍କ ହାତରୁ ଖସି ପଡ଼ିଲା ଅସ୍ତ୍ର । ସେହି ଅସ୍ତ୍ର ବିଦ୍ରୋହ ଓ ବିପ୍ଳବ ଉଭୟର ସାଧନ । ତେବେ, ଉଭୟ ପନ୍ଥାର ସାଧନ ଶେଷ ହେବା ପରେ କି ପରିସ୍ଥିତିର ଅଭ୍ୟୁଦୟ ଘଟେ ?

 

ଅକସ୍ମାତ୍ ବିପ୍ଳବୀଦଳର ନେତା ଏକ ଅଗ୍ନି ସ୍ଫୁଲିଙ୍ଗର ଝଲକ ଅନୁଭବ କଲେ ତାଙ୍କର ଦୃଷ୍ଟିରେ । ତାଙ୍କର ଚିନ୍ତାରେ ମଧ୍ୟ ବିରାଟ ପରିବର୍ତ୍ତନର ସୂତ୍ରପାତ ହେଲା । ସେ ମନେ କଲେ, ହୁଏତ ସମସ୍ତଙ୍କର ଅଜ୍ଞାତରେ ବିଦ୍ରୋହ ଓ ବିପ୍ଳବର ଅଭିଯାନ ଶେଷ ହୋଇଯାଇଛି । ଉଭୟର ସୀମାତିକ୍ରମଣ ପରେ ଉଭୟର କାର୍ଯ୍ୟ ବହନ କରି ଆସିଛି ଶାନ୍ତି । ପ୍ରଗତି ସାଧିତ ହୁଏ କେବଳ ଶାନ୍ତିରେ, ବିଦ୍ରୋହ କିମ୍ବା ବିପ୍ଳବରେ ନୁହେଁ ।

 

ମନର ଚିନ୍ତା ଭିତରେ ଆତ୍ମସମ୍ବୃତ ହୋଇ ଶିଶୁଟିକୁ ତଳୁ ଉଠେଇ ନେଲେ ବିପ୍ଳବୀଦଳର ନେତା । ସମସ୍ତେ ବିସ୍ମିତ ହୋଇ ଚାହିଁ ରହିଲେ ତାଙ୍କ ମୁହଁକୁ ।

 

ତୁରଙ୍ଗମ !

 

ପାଣ୍ଡୁଲିପିର ଆହୁରି କେତେ ପୃଷ୍ଠା ଖେଳେଇ ଗଲେ ନଚଦେବ । ଅନେକ ଦିନ ତଳେ ଲେଖିଥିଲେ, ତଥାପି ଖୁବ୍ ଭଲ ଲେଖିଥିଲେ ବୋଲି ତାଙ୍କର ଧାରଣା ହେଲା ।

Image

 

ଅଜିଜା

 

ମୁଁ ଯେଉଁ ଘର ଖଣ୍ଡିକରେ ରହୁଥିଲି, ତାହା ମୋ କଳ୍ପନାର ସ୍ଵର୍ଗପୁର ନ ଥିଲା । କାଏରୋରେ ଏକ ସ୍ୱଳ୍ପପ୍ରଖ୍ୟାତ ଅଞ୍ଚଳର ଗୋଟିଏ ଗଳିର ଶେଷ ମୁଣ୍ଡରେ ଏହି ଘରଟି ଅବସ୍ଥିତ । ଯେଉଁ ଇସ୍କୁଲରେ ମୁଁ ଶିକ୍ଷକର କାର୍ଯ୍ୟ କରେ, ଘରଟି ତାହାର ଅଳ୍ପ ଦୂରବର୍ତ୍ତୀ ହୋଇଥିବାରୁ ଘରପ୍ରତି ମୋର ଆକର୍ଷଣ ରହିଥିଲେ ମଧ୍ୟ ଦିନର ଜଞ୍ଜାଳମୟ ସମୟର ଅର୍ଦ୍ଧେକ ସୁଦ୍ଧା ମୁଁ ସେଠି କଟେଇ ପାରେନା । ଘରଟି ଏକ ଦୋମହଲା କୋଠା ।

 

ତଳମହଲାର ଅପରିଛାନିଆ କେତୋଟି ଛୋଟଛୋଟ ଦୋକାନ । ସେଥିରୁ ଗୋଟିଏ ତେଜରାତି, ଗୋଟିଏ ଦୋକ୍‌ତା ଓ ଧୂଆଁପତ୍ର ଇତ୍ୟାଦି । ଗୋଟିଏ ଲୁଗାପଟା ଏବଂ ଗୋଟିଏ ଭଡ଼ାଦିଆ ସାଇକେଲ ଦୋକାନ । ଲୁଗାପଟା ଦୋକାନରେ ଶସ୍ତା କପଡ଼ା ଓ ଜାମାପଟା ସାଙ୍ଗରେ ମାଇପିଙ୍କ ପ୍ରସାଧାନ ସାମଗ୍ରୀ ମଧ୍ୟ ବିକ୍ରି ହୁଏ । ସକାଳବେଳା ଗଳି ଓ ପାଖ ଆଖର ମାଇପିମାନେ ଶସ୍ତା ସ୍ନୋ ପାଉଡ଼ର ଇତ୍ୟାଦି କିଣନ୍ତି । କିନ୍ତୁ ସନ୍ଧ୍ୟାବେଳକୁ ଦୋକାନର ବ୍ୟବସାୟ ବିଲକୁଲ ବଦଳିଯାଏ । ସନ୍ଧ୍ୟା ହେଲାକ୍ଷଣି ପିଲାଟିଏ ଗୋଟିଏ ପାତ୍ରରେ ‘ହାରିସା’ ଧରି ଛିଡ଼ା ହେଇପଡ଼େ ଏବଂ ଥାଳିଧାରରେ ହାତର ଛୁରିଖଣ୍ଡକୁ ପିଟି ଏକ ବିକଟ ଶବ୍ଦର ତରଙ୍ଗ ସୃଷ୍ଟି କରି ଗରାଖମାନଙ୍କୁ ଆକୃଷ୍ଟ କରିବାର ଚେଷ୍ଟା କରେ । ମୋ ପ୍ରତି ସେ ଶବ୍ଦ ଅତି ଶ୍ରୁତିକଟୁ ହୁଏ । ଗୋଟିଏ ଲୁଗା ଓ ପ୍ରସାଧାନ ଦ୍ରବ୍ୟ ଦୋକାନୀର ଖାଦ୍ୟଦ୍ରବ୍ୟ ‘ହାରିସା’ ବିକିବାରେ କି ସମ୍ପର୍କ ରହିଛି, ତାହାର ସତ୍ୟ ଆବିଷ୍କାର ନ କରିବା ପର୍ଯ୍ୟନ୍ତ ମୁଁ ଭାରି ବିସ୍ମିତ ହୋଇ ରହିଥିଲି । ଭଡ଼ା ଦିଆ ସାଇକେଲ ଦୋକାନୀ ମଧ୍ୟ ମୁଣ୍ଡଫିତା, କପଡ଼ା ଲତା ବିକ୍ରି କରେ । ଆଉ ଗଞ୍ଜେଇ ଅଫିମ ବିକିଲା ପିଲାଗୁଡ଼ାକ ପାଟି ମିଠା କରିବା ପାଇଁ ଅନେକ ସମୟରେ ପାଟି ଲାଳ ଗଡ଼ାନ୍ତି । ସେଥିପାଇଁ ‘ହାରିସା’ର ବିକ୍ରି । ପ୍ରତି ରାତିରେ ପ୍ରାୟ ଛ’ଟି ଥାଳି ହାରିସା ବିକ୍ରି ହୋଇଯାଏ’ ।

 

ଏକମହଲା ଉପରକୁ ଦୋମହଲାର ଘର । ଅସମାନ ଭାବରେ ଦୁଇଟି ଫ୍ଲାଟ । ସେଥିରୁ ସବୁ ଚାହିଁ ଛୋଟଟି ହେଲା ମୋରି ରହିବା ଘର । ଆଲୁଅ ପବନର ଗତାଗତ ନିରୁଦ୍ଧ କହିଲେ ଚଳେ । ସବୁଠାରୁ ଭଲ ଆଉ ପ୍ରଶସ୍ତ ଫ୍ଲାଟରେ ରହେ ଖଲିଫା ଆବାସ । କଂସେଇ କାମ କରେ । ସାରା ସଂସାରରେ ସେ କେବଳ ‘ଖଲିଫା’ ନାମରେ ପରିଚିତ । ବାଇବେଲ ବର୍ଣ୍ଣିତ ସାମସନର ସେ ଏକ ସଂଶୋଧିତ ସଂସ୍କରଣ । ପେଶୀବହୁଳ ପ୍ରକାଣ୍ଡ ବପୁ । ଷଣ୍ଢର ବେକ ଭଳି ତାର ଗଳା, ଆଉ ଫାପୁଲା ଫାପୁଲା ଗାଲ । ଛାତି ଆଉ କାନ୍ଧରେ ଚର୍ବିର ଜମାଟ ବାନ୍ଧିଯାଇଚି । ପେଶୀଗୁଡ଼ାକର ଚାରିପାଖରେ ମଧ୍ୟ ଚର୍ବିର ଆସ୍ତରଣ । ଚାଲିଲାବେଳେ ସିଂହର ଗର୍ଜନ ଭଳି ହାକୁଡ଼ି ମାରି ମାରି ସେ ଚାଲେ । ଲାଲ ଲାଲ ଆଖି କରି ରକ୍ତଛିଟା ପଡ଼ିଥିବା ଲୁଗାରେ ତାକୁ ଯେତେବେଳେ ମୁଁ ପାହାଚରେ ଚଢ଼ି ଆସିବାର ଦେଖେ, ମା’ଠାରୁ ଶୁଣିଥିବା ବପ୍ରକ୍ରିଡ଼ା ପ୍ରମତ୍ତ ଷେଣ୍ଢର କଥା ମନେ ପଡ଼ିଯାଏ । ଖଲିଫାର କ୍ରୋଧକୁ ସମସ୍ତେ ଭୟଭୀତ ହୋଇ ରହିଥାନ୍ତି । ଭୟର ପ୍ରଧାନ କାରଣ ହେଉଛି ଲୋକଟା ଯେତେବେଳେ ରାଗିଯାଏ, ନିଜର ଦୋକାନରେ ଥିବା ଛୁରିଗୁଡ଼ାକରୁ ଗୋଟାଏ ଟାଣି ଆଣି ଅତି ଅନାୟାସରେ ତାର ପ୍ରତିପକ୍ଷର ପେଟଟାକୁ ଦିଭାଗ କରି ଚିରିଦିଏ । ଏଭଳି କାଣ୍ଡ ସେ ବରାବର କରିବସେ । ବିଚିତ୍ର କଥା ଯେ ଖଲିଫାର କ୍ରୋଧ ମୁହଁରେ ପଡ଼ି ଯେଉଁ ଦୁର୍ଭାଗାଟି ଜୀବନଵଳି ଦେଇଥାଏ, ତାହାର ପରିବାର ଲୋକମାନେ ସେହି ଶୋକାବହ ଘଟଣାକୁ ବିସ୍ମୃତି ଗର୍ଭକୁ ଠେଲି ଦେବା ଦ୍ଵାରା ନିଜର ଜୀବନ ରକ୍ଷାକରିବାକୁ ସମର୍ଥ ହୁଅନ୍ତି । ଯଦି ସେମାନେ ଘଟଣା ସମ୍ପର୍କରେ ପୋଲିସରେ ଫେରାଦ ହୁଅନ୍ତି ତାହେଲେ ଖଲିଫା ପାଖରେ ଥିବା ତାର ଦଶଟି ଚେଲା ଭିତରୁ ଗୋଟିଏ ବାହାରି ନିଜ ଉପରକୁ ଅଭିଯୋଗର ବୋଝ ଉଠେଇନିଏ । ଏହିଭଳି ଆଠଟି ଚେଲା ଖଲିଫାର କୃତକର୍ମକୁ ନିଜର ଅପରାଧ ବୋଲି ସ୍ଵୀକାର କରି ଶାସନଦଣ୍ଡର ଆତିଥ୍ୟ ବରଣ କରିଛନ୍ତି । ଚେଲାମାନେ ବନ୍ଦୀଶାଳରେ ରହିବାବେଳେ ଖଲିଫା ସେମାନଙ୍କ ପରିବାରର ଭରଣପୋଷଣ ଦାୟିତ୍ୱ ବହନ କରେ । ଏପରି ବ୍ୟବସ୍ଥା ଫଳରେ ଖଲିଫା ଆହୁରି ନିଷ୍ଠୁର ଏବଂ ଅପକର୍ମ ପାଇଁ ଆହୁରି ଉତ୍‍ଫୁଲିତ ହୁଏ ।

 

ଖଲିଫାର ବିଜୟ ମୁକୁଟର ଅନ୍ୟ ଏକ ଭୂଷଣ ହେଉଛି, ବହୁ ସଂଖ୍ୟକ ସୁନ୍ଦରୀ ନାରୀମାନଙ୍କ ସହ ଏକାନ୍ତ ଘନିଷ୍ଠତା । ଖଲିଫାର ନିଷ୍ଠୁର ଅପକର୍ମ ଯୋଗୁଁ ସେମାନେ ଯେ ଖଲିଫା ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ସମସ୍ତ କାହାଣୀ ଯେମିତି ଖଲିଫାକୁ ପୁରାଣ ବର୍ଣ୍ଣିତ ବୀର ପୁରୁଷର ଗୌରବ ପ୍ରଦାନ କରିଛି । ଲୋକମାନଙ୍କଠାରୁ ଏବେ ଶୁଣାଯାଏ ଯେ, ବିବାହ ହେଲା ପରଠାରୁ ଖଲିଫା ସେହିସବୁ ନାରୀମାନଙ୍କ ସମ୍ପର୍କ ତ୍ୟାଗ କରିଛି । ଖଲିଫାର ବିବାହିତ ସ୍ତ୍ରୀ ଖଣ୍ଡମଣ୍ଡଳରେ ଏକ ପରମାସୁନ୍ଦରୀ ନାରୀ । ଖଲିଫା ତାକୁ ଅତି ପ୍ରବଳ ଭାବରେ ଭଲପାଏ ଏବଂ ସ୍ତ୍ରୀ ପ୍ରତି ତାହାର ଆକର୍ଷଣ ଏପରି ପ୍ରତିହିଂସାମୂଳକ ଯେ ତାହା ସମସ୍ତ ବିଶ୍ୱାସଯୋଗ୍ୟ ଘଟଣାର ସୀମା ଅତିକ୍ରମ କରିଛି । ସ୍ତ୍ରୀକୁ ସେ ବରାବର ଗୃହର ପରିସୀମା ଭିତରେ ଆବଦ୍ଧ ହୋଇ ରହିବାର ବ୍ୟବସ୍ଥା କରିଛି; ଏପରିକି ଝରକା କିମ୍ଵା ଦରଜାର ତ୍ରିସୀମା ମାଡ଼ିବାକୁ ସେ ନିଷେଧ ଆଦେଶ ଜାରିକରି ଦେଇଛି । କୌଣସି ବିଶେଷ ଘଟଣା ଛଡ଼ା ସ୍ତ୍ରୀ ତାର କେବେହେଲେ ସେହି ଗଳି ରାସ୍ତାର ମୁହଁ ଦେଖିନି । ଯଦି କେବେ ସେ କୌଣସି ବିଶେଷ କାର୍ଯ୍ୟର ଉପଲକ୍ଷରେ ରାସ୍ତାକୁ ବାହାରେ, ତାହେଲେ ପଥଚାରୀ ଲୋକମାନଙ୍କୁ ଅନ୍ତତଃ ପାଞ୍ଚ ମିନିଟ୍ ପାଇଁ ନାରୀଟି ସେମାନଙ୍କୁ ଅତିକ୍ରମ କରିଯିବା ପର୍ଯ୍ୟନ୍ତ ଆଖି ବନ୍ଦକରି ଦେବାକୁ ପଡ଼େ । ନ ହେଲେ ସେ ନାରୀଟି ପଛରେ ଦେହରକ୍ଷୀ ରୂପେ ଯାଉଥିବା ଛୋଟ ବାଳକଟିର ତଥ୍ୟ ପ୍ରକାଶ ଉପରେ ନିଜ ଜୀବନର ଭବିଷ୍ୟତ ପାଇଁ ନିର୍ଭର କରିବାକୁ ପଡ଼ିବ । ବାଳକଟି ଯଦି ଖଲିଫାକୁ ଜଣାଇଦେବ ଯେ ଅମୁକ ଲୋକ ତମ ସ୍ତ୍ରୀକୁ ଅନାଉଥିଲା ବୋଲି, ତାହେଲେ ସେହିଦିନ ନ ହେଲେ ବି ତହିଁ ପରଦିନ ଖଲିଫା ସଂପୃକ୍ତ ଲୋକଙ୍କୁ ନିଶ୍ଚିତ ଭାବରେ ହତ୍ୟା କରିବ ।

 

ଏହାହିଁ ମୋର ଗଳି, ମୋର ଆବାସସ୍ଥଳ ଏବଂ ମୋ ପ୍ରତିବେଶୀର ଇତିହାସ । ମାତ୍ର ଦୁଇ ଗଜ ଦୂରରେ ଥିବା ଗୋଟିଏ ଆଗ୍ନେୟଗିରି ପାଖରେ ବାସକରି ରହିବା ଏକ ଆତଙ୍କପ୍ରଦ ସମସ୍ୟା । ତାହା ଉପରେ ମୁଁ ରୋଗିଣା ଆଉ ଦୁର୍ବଳିଆ ଲୋକ, କୌଣସି ପ୍ରକାର ସଂଗ୍ରାମର ସମ୍ମୁଖତା ଲାଗି ହୃଦୟରେ ମଧ୍ୟ ଜୋର ନାହିଁ । ଖଲିଫାର ଘର ଆଡ଼ିକି ମୋର ଦରଜାର ମୁଁହ । ତାରି ଘର ଆଗରେ ସିଡ଼ିରେ ଆରୋହଣ, ଅବରୋହଣ ମୋ ପକ୍ଷରେ ଅତ୍ୟନ୍ତ କଷ୍ଟସାଧ୍ୟ ଏକ ଅଭିଯାନ । ଯେତେବେଳେ ମୋତେ ଘରକୁ ଫେରିବାକୁ ପଡ଼େ, ସେତେବେଳେ ଖୁବ୍ ଜୋରରେ କାଶି ଗଳଖଙ୍କାର ମାରିବାକୁ ହୁଏ, ନଚେତ୍ ପାହାଚରେ ଚଢ଼ିଲାବେଳେ ଖଲିଫାର ଘର ଦରଜା ଯଦି ମୁକୁଳା ଥାଏ, ଆଉ, ତାହାର ସ୍ତ୍ରୀ ଯଦି କୌଣସି ନିକଟବର୍ତ୍ତୀ ସ୍ଥାନରେ ଠିଆ ହୋଇଥାଏ, ତାହେଲେ ସର୍ବନାଶ । ସେହିଭଳି, ଯେତେବେଳେ ମୋତେ ବାହାରକୁ ଯିବାକୁ ହୁଏ, ସେଥିଲାଗି ଚାବି ନେନ୍ଥାଟାକୁ ଧରି କିମ୍ବା କବାଟର କଡ଼ା ହଲେଇ ମୁଁ ଜୋରରେ ଶବ୍ଦ କରେ । ତାହାପରେ ଯାଇ ଦୁଃସାହସର ସହିତ ମୁଁ ଦରଜା ଖୋଲେ । ତାହା ସତ୍ତ୍ୱେ, ଦୈବାତ୍ ଯଦି ଆଖପାଖ ଘରର କବାଟ ଖୋଲାଥାଏ, ତାହାହେଲେ ଆଖି ବୁଜି ଏକ ନିଶ୍ଵାସରେ ପାହାଚରେ ଖସି ମୋତେ ପଳେଇ ଯିବାକୁ ପଡ଼େ । ତାହାପରେ ଗଳି ରାସ୍ତାରେ ପହଞ୍ଚି ଆଖିଖୋଲି ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼େ । ପ୍ରତିଦିନ ସ୍କୁଲର କାମ ଶେଷ କରିବା ପରେ ଫେରି ଆସି ଘରେ ପଶି ଯିବାରେ ମୁଁ ଆନନ୍ଦ ପାଏ । ଆଉ ଘର ଭିତରେ ଥରେ ପଶିଗଲେ ତହିଁ ଆରଦିନ ସକାଳ ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ କେବେହେଲେ ଚେଷ୍ଟା କରେ ନା ।

 

ଘରେ ରହିଥିଲା ସମୟ ଭିତରେ ନାନା ଅଜବ ଘଟଣା ଦେଖିବା ଓ ଶୁଣିବାକୁ ପଡ଼ିଥାଏ-। ଖଲିଫାର ଚେଲାମାନଙ୍କ ଭିତରୁ ପ୍ରତ୍ୟେକେ କାନ୍ଧରେ ଗୋଟା ଗୋଟା ବଡ଼ ପୁଟୁଳା ବୋହିକରି ଆଣି ପହଞ୍ଚନ୍ତି । ସେମାନଙ୍କ ଅଣ୍ଟାରେ ଗୋଟାଲେଖାଁ ଲୁହା ଜଞ୍ଜିର, ସେଥିରେ ଝୁଲୁଥାଏ କେତେଟା ଛୁରା, ଆଉ କେତେଟା ରଫା । ତାହାରି ଶବ୍ଦରୁ ମୁଁ ସେମାନଙ୍କ ଆଗମନର ସମ୍ବାଦ ଜାଣିପାରେ-। ଦରଜା ଖୋଲିଲା ପରେ ଶୁଣାଯାଏ, “ଖଲିଫା କହିଛନ୍ତି କଲିଜା ଆଉ ଗୁର୍‌ଦାରେ ଗ୍ରିଲ୍ ତିଆରି କରିବ, ଆଉ ଥୋଡ଼ା ମିଠା ଭାଜିଦେବ ।” ଏହି ଶେଷ କଥାଟାରେ ମତେ ଭାରି ଆଶ୍ଚର୍ଯ୍ୟ ଲାଗେ, ମିଠା ପୁଣି ଭଜା ହୋଇପାରେ । ପରେ ଆବିଷ୍କାର କଲି ଯେ ମିଠା ନୁହେଁ, ତାହା ମିଠାଦିଆ ପାଉଁରୁଟି । କେତେବେଳେ କେତେବେଳେ ସେହି ସ୍ତ୍ରୀ ମଧ୍ୟ କେତେକ କଥା ପଚାରେ; ଖଲିଫା ସମ୍ବନ୍ଧରେ ପ୍ରଶ୍ନ ପଚାରିଲେ ଉତ୍ତର ମିଳେ, “ସେ ପୋଲିସ ଥାନାରେ ଅଛନ୍ତି ।” କାରଣ ଜିଜ୍ଞସା କଲେ ଅତି ସହଜ ସରଳ ଭାଷାରେ ଚେଲାଟି ଉତ୍ତର ଦିଏ, “ସିଏ କିଛି ନୁହେଁ ଗୋଟା ଗରାଖ ଆସି ଦୋକାନରେ ହେଙ୍କ୍ଡ଼ାନ୍ତି ଦେଖାଇଲା, ତାକୁ ଠିକଣା ଶିକ୍ଷାଦେଇ ଖଲିଫା ତା ପେଟକୁ ଦି’ଫାଳ କରି ଚିରିଦେଲେ ।”

 

“ତା ପରେ କଣ ହେଲା ?”

 

“ଆଉ କିଛି ଘଟିନି । ତା’ପରେ ସେହି ଲୋକର କୁଟୁମ୍ବମାନେ ଆସି ଖଲିଫାଙ୍କ ହାତ ଧରି ନେହୁରା ହେଲେ ମାଫ୍ ଦେବା ପାଇଁ ।”

 

“ତାହେଲେ ସେ ମାଫ୍ ଦେଲେ ?”

 

“ନା, କ୍ଷମା ସେ ଦେଇପାରିବେନି ।”

 

ସଂଧ୍ୟା ପରେ ଖଲିଫା ନିଜେ ଆସି ଘରେ ପହଞ୍ଚିଯାଏ, ତାର ବଡ଼ ବଡ଼ ପାହୁଲ ଦିଟାରେ କମ୍ପିଉଠେ ପାହାଚ, ଯେମିତି ସବୁ ଭାଙ୍ଗି ରୁଜି ପଡ଼ୁଛି । ତା ସଙ୍ଗେ ସଙ୍ଗେ ତା ଗଳାରୁ ଉଠୁଥାଏ ସିଂହର ଗର୍ଜନ ପରି ହାକୁଡ଼ି । ଖଲିଫା ଘରେ ପହଞ୍ଚିଲାକ୍ଷଣି ପାଖ ଚା ଦୋକାନୀ ଫାଦାଲି ଆସି ହାଜର ହୋଇଯାଏ, ସେ ହାତରେ ଧରି ଆସିଥାଏ ଗୋଟାଏ ବଡ଼ ଟିଣ ଭର୍ତ୍ତି ଗୁଟିଆ ଆଉ ଜଙ୍ଗଲି ଧୂଆଁପତ୍ରରେ ତିଆରି ଗୁଡ଼ାଖୁ । ତା ପରେ ଆସି ପହଞ୍ଚେ ଭଡ଼ାଦିଆ ସାଇକେଲ୍ ଦୋକାନୀ । ତା ସାଙ୍ଗରେ କଥା ହଉ ହଉ ଖଲିଫା ରାଗରେ ପାଟିକରି ଉଠେ ।

 

“ମୁଁ ତତେ କହିଛି ଯେ ମୋର ଚର୍ଚ୍ଚିଲ୍ ଦରକାର ।”

 

“କିନ୍ତୁ ମୋର କଥା ମାନି ଏଇ ହିଟଲର୍‌ଟା ପରୀକ୍ଷା କରି ଦେଖ ।”

 

“ଚୁପ୍‍କର ସୁଅର କା ବଚ୍ଚା । ମୁଁ କଣ ଚାହେଁ ସେ’କଥା ମୁଁ ଜାଣେ । ତୁ ମତେ ବୁଦ୍ଧି ଶିଖେଇବାକୁ ବସିଛୁ ?”

 

“ହେଲା ଏବେ ସେଇୟା ହେଲା, ମୁଁ ଚର୍ଚ୍ଚିଲ ଆଉ ହିଟଲର ଦିହିଁଙ୍କୁ ଧରି ଆସିବି । ଆଉ କୋଉଟା ଭଲ ସେ କଥା ଦେଖି ଠିକ୍ କରିବ ।”

 

ହୁଏତ କୌଣସି ବସ୍ତୁର ଏପରି ନାମକରଣ କରି ସଂଳାପରେ ତାହାର ଉଲ୍ଲେଖ କରାଯାଉଛି । କାରଣ, ମୁଁ ଭଲକରି ଜାଣେ ଯେ ଚର୍ଚ୍ଚିଲ ଆଉ ହିଟଲର୍‍ କିଏ ତାହା ଫାଦାଲି ଜ୍ଞାନର ଅଗମ୍ୟ । ହେଲେ, ଏଇ ଦୁଇଟି ନାଁ କୋଉ ବସ୍ତୁର ଲାଗି କୁହାଯାଉଛି, ତହିଁ ଆରଦିନ ସକାଳ ପର୍ଯ୍ୟନ୍ତ ମୁଁ ତାହା ସ୍ଥିରକରି ପାରିଲିନି । ଆରଦିନ ସକାଳେ ଇସ୍କୁଲରେ ମୋର କେତେଜଣ ସହକର୍ମୀ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଲି ଯେ ଚର୍ଚ୍ଚିଲ ଓ ହିଟଲର୍ ନାମରେ ଦୁଇ ପ୍ରକାର ଗଞ୍ଜେଇ ବଜାରରେ ବିକ୍ରି ହୁଏ । ଯାହା ହେଉ, ମୋ ପକ୍ଷରେ ସେ ବାସଗୃହଟା ବଡ଼ ଅସହ୍ୟ ହୋଇପଡ଼ିଲା । ନୂଆ ଘର ଖୋଜିବା ପାଇଁ ମୁଁ ଲାଗିପଡ଼ିଲି ।

 

ଜଣେ ସାଧାରଣ ରୋଜଗାରୀ ଲୋକ ପକ୍ଷରେ ନୂଆଘର ଖଣ୍ଡେ ଯୋଗାଡ଼ କରିବା ଅତି କଷ୍ଟକର । ଖୋଜି ଖୋଜି କୋଉଠି ହେଲେ ଗୋଟିଏ ମନମୁତାବକ ଘର ପାଇଲିନି । ଦିନେ ଆଲ୍‍-ରୋଡ଼ା ଅଞ୍ଚଳରେ ଘର ଖୋଜି ଖୋଜି ଶେଷରେ ମୁଁ ବସା ଘରକୁ ଫେରୁଥାଏ । ଖୁବ୍ ଭାରାକ୍ରାନ୍ତ ମନରେ ଆସି ବସ୍ ଧରିଲି । ହଠାତ୍ ଭିତରେ ଗୋଟିଏ ସୁନ୍ଦରୀ ଓ ସୁଶ୍ରୀ ମହିଳାର ଆବିର୍ଭାବ ହେତୁ ଯାତ୍ରୀମାନଙ୍କ ଭିତରେ ଚାଞ୍ଚଲ୍ୟ ଦେଖାଦେଲା । ନାରୀଟିର ଦେହର ଗଠନ ବାସ୍ତବିକ ଅତି ଚମତ୍କାର ‘ମିଲାୟା-ଲାଫ’ ଚଦର ଖଣ୍ଡକ ଘୋଡ଼େଇ ପଡ଼ିଥିବାରୁ କଟିଠାରୁ ବକ୍ଷାଂଶର ଗଠନ ଅବଶ୍ୟ ଢାଙ୍କି ହୋଇ ପଡ଼ିଥାଏ । କିନ୍ତୁ ମୁଁ ଭଲ ଭାବରେ ଅନୁମାନ କରିପାରିଲି-। ନାରୀର ଦେହ ଗଠନ ଅତି ସୁନ୍ଦର, ଡେଙ୍ଗା ଆଉ ତନୁପାତଳୀ, ସେଥିରେ ସ୍ତନଦିଟା କାହାରିକି ଭ୍ରୂକ୍ଷେପ ନ କରି ବିଦ୍ରୋହୀଭଳି ଠିଆ ହେଇଛି । କଟିଟା ମଧ୍ୟ ସରୁ, ନରମ ମାଂସର ନିଟୋଳ ଗଠନରେ ଫୁଲି ଉଠିଛି ନିତମ୍ବ । ମଧ୍ୟରାତ୍ରିର ଆକାଶରେ ଚନ୍ଦ୍ର ପରିଭ୍ରମଣ କଲାପରି ସେହି ସୁନ୍ଦରୀ ମହିଳା ବସ୍ ଭିତରେ ଗତି ପ୍ରସାରକରି ଚାଲିଲା । ଜାଗା ଖୋଜି ଖୋଜି ଶେଷକୁ ସେ ମୋର ପାଖରେ ଖାଲି ପଡ଼ିଥିବା ସ୍ଥାନଟିରେ ଆସି ବସି ପଡ଼ିଲା । ମନେହେଲା ଦିନଯାକର ଶ୍ରାନ୍ତି ଓ ଅବସାଦର ବର୍ତ୍ତମାନ କ୍ଷତିପୂରଣ ମିଳିଲା ଯେମିତି । ପାଖରେ ଦେଖିଲି, ନାରୀର ନଗ୍ନ ବାହୁଦିଟା ଭାରି ଲୋଭନୀୟ । ମିଲାୟା-ଲାଫ୍ ତଳୁ ମଧ୍ୟ ତାହା ଫୁଟି ଦିଶୁଛି । ବସ୍ କଣ୍ଡକଟରକୁ ପଇସା ଦେବାପାଇଁ ସେ ବାହୁ ଦୁଇଟିକୁ ଚଦରର ଘୋଡ଼ଣି ତଳୁ ମୁକ୍ତ କଲା । ମୁଁ ଯେ ତାର ସୌନ୍ଦର୍ଯ୍ୟରେ ପ୍ରଲୋଭିତ ହୋଇପଡ଼ିଛି, ସେ କଥା ସେ ହୁଏତ ଲକ୍ଷ୍ୟ କରିସାରିଛି । ସେଥିପାଇଁ ମୁଣ୍ଡର କେଶଗୁଚ୍ଛକୁ ସଜାଡ଼ିବା ବାହାନାରେ ସେ ମିଲାୟା-ଲାଫଟାକୁ ଦେହରୁ ପୁରାପୁରି ଖସାଇ ଦେଲା-। ମୋ ଆଖି ଆଗରେ ଖୋଲି ଦେଲା ତାର ଲୋଭନୀୟ ସ୍କନ୍ଧଦେଶ, ଆଉ ଉନ୍ନତ ସ୍ତନ ଦୁଇଟିର ପରିପୂର୍ଣ୍ଣ ଗୌରବ । ଅଳ୍ପ ସମୟର ବ୍ୟବଧାନ ଭିତରେ ଘଟିଗଲା ଏହି ଦୃଶ୍ୟର ପ୍ରକାଶ । ତାପରେ ସେ ଲୋଭନୀୟ ଦେହାଂଶକୁ ଢାଙ୍କିନେଲା ପୁଣି ମିଲାୟା-ଲଫର୍ ଆବରଣ ତଳେ । ସୁଯୋଗ ହାସଲର ଜଣେ ଦକ୍ଷ ଲୋକର କାଇଦା ଧରି ସେଇ ରମଣୀ ହାତରୁ ଖସି ପଡ଼ିଥିବା ଗୋଟିଏ ଅଣି ଗୋଟେଇ ନେଇ ତ ହାତକୁ ବଢ଼େଇ ଦେଲା । ମତେ ଧନ୍ୟବାଦ୍ ଜଣାଇ କିଛି ସମୟ ପରେ ସେହି ମହିଳାଟି ବିସ୍ମୟକର ଘନିଷ୍ଠତାର ସ୍ୱରରେ ମୋତେ ପ୍ରଶ୍ନ କଲା ।

 

“ତମେ କୋଉଠିକି ଯାଉଛ ?”

 

“ଯେତେଦୂର ବିଶ୍ୱାସ ଘରକୁ ଫେରୁଛି ।”

 

“ଅଲ୍-ରୋଡ଼ାରେ ଗୋଟିଏ ଘର ଖୋଜିବାକୁ ଯାଇଥିଲି ।”

 

ମହିଳାଟିର ଅନୁସନ୍ଧିତ୍ସା ଆହୁରି ବୃଦ୍ଧି ପାଇଲା ।

 

“ବର୍ତ୍ତମାନ ଯୋଉଠି ଅଛ, ସେଠି କିଛି ଅସୁବିଧା ଘଟିଛି ତା’ ହେଲେ । କଣ ସତ ?”

 

“ସେଇଟା ସତ । ପଡ଼ୋଶୀ ଲୋକଗୁଡ଼ାକ ଭାରି ଖରାପ, ପୁଣି, ସେମାନଙ୍କ ଭିତରେ ଗୋଟାଏ କଂସେଇ ଅଛି, ଯିଏ ଅନାୟାସରେ ଜଣେ ଲୋକଙ୍କର ବେକ କାଟି ଦିଖଣ୍ଡ କରିଦେଇପାରେ, ତମେ ମଟର ଛୁଇଁର ଚୋପା ଛଡ଼େଇଲା ପରି; ଆଉ ପ୍ରତିଦିନ ରାତିରେ ଚର୍ଚ୍ଚିଲ ଆଉ ହିଟଲର୍ ଦେଇ ସେ ଭୟାନକ ଭାବରେ ଧୂଆଁ ଖାଏ...”

 

ମହିଳାଟି ହସରେ ଭାଙ୍ଗି ପଡ଼ିଲା । କିନ୍ତୁ ସିଏ ଆଉ କିଛି ମନ୍ତବ୍ୟ କରିବା ଆଗରୁ ବସ୍ ଆସି ଆମ ରାସ୍ତାର ଛକ ପାଖରେ ପହଞ୍ଚିଗଲା । ମୁଁ ଠିଆ ହେଇପଡ଼ିଲି ଓହ୍ଲେଇ ଯିବାକୁ । ମହିଳାଟି ଦେହରେ ‘ମିଲାୟା–ଲାଫ୍’ ଭଲ କରି ସଜାଡ଼ି ହୋଇ କହିଉଠିଲା, “ରୁହ, ମୁ ବି ତମ ସାଙ୍ଗରେ ଓହ୍ଲେଇବି ।” ବସ୍‌ରୁ ଉଭୟେ ଓହ୍ଲେଇଲା ବେଳେ ସ୍ପର୍ଶର ଲୋଭ ସମ୍ବରଣ କରି ନପାରି ମହିଳାଟିର ବାହୁଟାକୁ ଟିକେ ଛୁଇଁ ଦେଲି । ଯେମିତି ତାକୁ ଏତେ ଚଞ୍ଚଳ ବିଦାୟ ଦେବାକୁ ମୋର ଇଚ୍ଛା ହେଉ ନଥାଏ । ରାସ୍ତାରେ ଚାଲୁ ଚାଲୁ ମୋଆଡ଼କୁ ଅନେଇ ଓଠରେ ଗୋଟାଏ ସ୍ମିତରେଖା ଟାଣି ଦେଇ ଆଖି ଦି’ଟାକୁ ଉପରକୁ ଖୋସି ଦେଇ ସେ କହି ଉଠିଲା–

 

“ତମେ କାହିଁକି ପଡ଼ା ପଡ଼ୋଶୀଙ୍କ କଥା ମନକୁ ନଉଚ ଶୁଣେ ? ତମେ ଯଦି କାହାର କ୍ଷତି ନ କରିବା ତ, ତମର କେହି ହେଲେ କିଛି କ୍ଷତି କରିବେନି ।”

 

“ତା’ ଅବଶ୍ୟ ସତ ।” ମୁଁ ଉତ୍ତର ଦେଲି । “ହେଲେ, ମୁଁ କୌଣସି ବିପଦ ଘଟିବାର ସୁବିଧା ଦେବାକୁ ଚାହେଁନା ।”

 

“ବିପଦ କ’ଣ ?”

 

“ସେଠି ଭାଙ୍ଗ ଗଞ୍ଜେଇର ଆଡ଼ା; କଂସେଇର ଛୁରି, ଆଉରି ଅଛି ଅଜିଜା...”

 

‘ସିଏ ପୁଣି କିଏ ?” ସ୍ତ୍ରୀ ଲୋକଟି ପ୍ରଶ୍ନ କଲା ।

 

“ସିଏ ସେଇ କଂସେଇର ସ୍ତ୍ରୀ । ଲୋକ କହନ୍ତି ସିଏ କୁଆଡ଼େ ଭାରି ସୁନ୍ଦରୀ । ଯିଏ ସେଇ ସୁନ୍ଦରୀ ସ୍ତ୍ରୀ ଆଡ଼କୁ ଥରେ ଅନେଇ ଦେଲା ତ, ତା’ର ଜୀବନ-ଦୀପ ଆର ଦିନକୁ ଜାଳିବା ପାଇଁ ଆଉ ବାକି ରୁହେନା । ଗଣ୍ଡି ମୁଣ୍ଡ ଦିଗଡ଼ ହୋଇ ଛିଣ୍ଡି ପଡ଼େ ।”

 

“ଆରେ, ତମେ ତ ଆଉ ସେମିତିକା କାମ କରିବନି, କ’ଣ କହୁଚ ?”

 

“ପଡ଼ିଶା ହେଇ ରହି ସେପରି କାମ କରିବା ତ ସୁନ୍ଦର ନୁହଁ । ଅନ୍ତତଃ ସାମାନ୍ୟ ଶିଷ୍ଟାଚାର ମାନି ଚଳିବାକୁ ପଡ଼ିବ ।”

 

ସ୍ତ୍ରୀ ଲୋକଟି ମୋ ସମ୍ପର୍କରେ କିଛି ଚିନ୍ତା କରିବା ପରି ଜଣାପଡ଼ିଲା । ତା’ପରେ ସେ କହିଲା ।

 

“ହୁଏତ ତମ ପକ୍ଷରେ ସେଠୁ ବୁଲିଯିବା ଭଲ ହବ । ତମେ ଯୁବକ ଲୋକ ।”

 

ଏହି ସମୟ ଭିତରେ ଘରର ଖୁବ୍‍ ନିକଟରେ ପହଞ୍ଚିଗଲୁ । ମୁଁ ପ୍ରଶ୍ନ କଲି ।

 

“ତୁମେ କଣ ଏଇ ପାଖ ଆଖରେ କେଉଁଠି ରୁହ ?

 

“ନିଶ୍ଚୟ ।” ମହିଳାଟି ପୁଣି କହିଲା, “ମୁଁ ସେଇ ଖଲିପାର ସ୍ତ୍ରୀ ।”

 

“ତମେ !” ମୁଁ ବୋକା ପାଲଟିଗଲି । ଆଖି ଦିଟା ମୋର ଜଳକା ମାରିଗଲା । ଭିତରେ ଛାତିର ସ୍ପନ୍ଦନ ବନ୍ଦ ହୋଇଗଲା ଯେମିତି ...

 

କିଛି ସମୟ ପରେ ଦେଖିଲି, ମୁଁ ଏକାକୀ ରାସ୍ତା ଉପରେ ଠିଆ ହୋଇ ରହିଛି । ଭୟରେ ହାତଗୋଡ଼ ଲାଠି ମାରିଯାଇଚି, ଆଉ ସାରା ଦେହଟା ବୁଡ଼ିଯାଇଛି ଝାଳରେ । ଘରଆଡ଼କୁ ଆଉ ପାହୁଲେ ହେଲେ ଚାଲିବାକୁ ସାହସ କୁଳେଇଲାନି । ସେଇଠୁ ଫେରିପଡ଼ି ମୁଁ ଗୋଟିଏ ଛୋଟ କାଫେରେ ଯାଇ ପହଞ୍ଚିଲି । ସେହିଭଳି କାଫେରେ ଜମାଦାର ଆଉ ଟାକ୍‍ସି ଡ୍ରାଇଭର ସବୁ ଖିଆପିଆ କରନ୍ତି । ସେଇ କାଫେରେ ବସିପଡ଼ି ଲୋକମାନଙ୍କର ନାନା ପାଟିତୁଣ୍ଡ ଭିତରେ କିଭଳି ଭୀଷଣ ଅବସ୍ଥାରେ ଆସି ପଡ଼ିଯାଇଛି ସେଇ ଚିନ୍ତାରେ ବୁଡ଼ିଗଲି । ...ମୁଁ ଯାହାସବୁ କହିଲି ସେ କଣ ଖଲିଫାକୁ କହିଦବ ? ଏପରି ନିଷ୍ଠୁର ହବ ସିଏ ? ମୋ ଭଳି ଗୋଟିଏ ନିର୍ମାଖୀ ଲୋକକୁ ହତ୍ୟା କରାଇଲେ ତାର ନିଜର କଣ ଲାଭ ହବ ? ପେଟଟା ମୋର ଦିଫାଳ କରି ଚିରି ଦବ, ମୁଣ୍ଡଟା ଦିଖଣ୍ଡ କରି କାଟିଦବ...ଏହିପରି ମର୍ଯ୍ୟାଦାହୀନ ଘୃଣ୍ୟ ଅବସ୍ଥାରେ ମୋର ମୃତ୍ୟୁ ହେବ ଶେଷକୁ ? ପୁଣି ଝାପ୍‍ସା ଆଶାର ସୂଚନା ପ୍ରକାଶ ପାଇଲା, ସେହି ସ୍ତ୍ରୀ ଲୋକଟି ମତେ ଯୁବକ ବୋଲି କହିଛି, ସତେ କହିନାହିଁ ସେ ଏ କଥା ? କହିଛି, ତାହେଲେ, ମୋ ପ୍ରତି ଟିକେ ସହାନୁଭୂତି ରହିଛି ତା’ ଅନ୍ତରରେ । କିନ୍ତୁ ତା ମଧ୍ୟ ଶୁଭଙ୍କର ନୁହେଁ । ଆମେ ସେଠି କଥା ହେଉଥିଲୁ, ହୁଏତ କେହି ଜଣେ ଦେଖିଥିବ, ଆଉ ଖଲିଫାକୁ ଜଣେଇ ଦବ ସେଇକଥା । ନା, ଏଭଳି ବିପଦ ଭିତରେ ମୁଁ ବର୍ତ୍ତମାନ ସେଠିକି ଫେରିଯିବାର ନିର୍ବୋଧତା କରିବିନି । ତାପରେ ସେଇ ଅପର୍ଛନିଆ କାଫେରେ ରହିବାକୁ ସ୍ଥିର କରି ରାତିକ ପାଇଁ ପାଞ୍ଚ ଶିଲିଂ ଭଡ଼ା ଦେଇ ଖଣ୍ଡେ ଖଟିଆ ଅକ୍ତିଆର କଲି । ଖଟିଆର ତେଲଚିକିଟା ମଇଳା ବିଛଣାରେ ପଡ଼ିପଡ଼ି ମୋର ଲୁଗା ଓ ଜାମାପଟା ମଇଳା ଆଉ ତେଲଚିକିଟା ଧରିବା ପର୍ଯ୍ୟନ୍ତ ସେଇ କାଫେରେ ମୁଁ କଟେଇ ଦେଲି କେତୋଟି ଅହୋରାତ୍ର ।

 

ଶେଷରେ ନିଜ ଜୀବନ ରକ୍ଷାର ଭାର ଭଗବାନଙ୍କ ଉପରେ ଛାଡ଼ି ଦେଇ ଦିନେ ଖଲିଫା ଘରେ ନଥିବା ବେଳେ ମୁଁ ପୂର୍ବର ବାସସ୍ଥଳୀକି ଫେରିଲି । କିନ୍ତୁ ଗଳି ମୁଣ୍ଡରେ ଆସି ପହଞ୍ଚିଛି କି ନାହିଁ, ଦେଖିବାକୁ ପାଇଲି ଯେ ଦଶଜଣ କଂସେଇ ଓ ଆଉ କେତେକ ଚେଲା କଂସେଇଙ୍କ ସାଙ୍ଗରେ କେତେ ପଡ଼ିଶାଲୋକ ଆମ ଘର ଆଗରେ ଜମା ହେଇ ରାଗରେ ତମ ତମ ହେଉଛନ୍ତି । ଜଣେ ଲୋକକୁ ପାଖରେ ପାଇ ଘଟଣା ପଚାରିଲାରୁ ସେ ଉତ୍ତର ଦେଲା,

 

“ଖଲିଫାଙ୍କୁ ପୁଲିସ ଧରୁ ନେଇଯାଇଛି ।”

 

“ଓ...ଏ କଥା ? ମୁଁ ଭାବିଲି, ସେ ହୁଏତ ଆଉ ଜଣେ ଲୋକକୁ ଆଜି ମାରିଦେଲା ।”

 

“ତା ହେଇଥିଲେ ଘଟଣାଟା ଖୁବ୍‍ ସହଜ ହେଇଥାନ୍ତା ।”

 

“କଣ ଘଟିଛି ତା ହେଲେ ?”

 

“କଂସେଇଖାନା ବାହାରେ ଦିଟା ବାଛୁରି ଆଉ ଗୋଟାଏ ମଇଁଷି ହଣା ହେଇଛି ବୋଲି ପୁଲିସ ଧରି ପାରିଛି ।”

“ଓ !”

 

“ସେଥିପାଇଁ ଖଲିଫାକୁ ଛ’ମାସ ଜେଲ ହେଇଛି । ଆଜି ମକଦ୍ଦମାର ରାୟ ବାହାରିଲା-।”

 

“ଏତେ ଚଞ୍ଚଳ ?”

 

“ହବନି, ସାମରିକ ଆଇନ ଅନୁସାରେ ବିଚାର ହେଲା ଯେ ।”

 

“ବଡ଼ ଦୟାର କଥା, ନୁହେଁ ? “ଏତକ କହି ମୁଁ ପୁଣି ରୁଣ୍ଡ ହେଇଥିବା ଲୋକଙ୍କଆଡ଼କୁ ଦୃଷ୍ଟି ଦେଲି ।

 

“ତା ହେଲେ ଲୋକମାନେ ସେଠି କଣ କରୁଛନ୍ତି ?” ମୁଁ ପୁଣି ପ୍ରଶ୍ନ କଲି ।

 

ସେମାନେ ଏଇକ୍ଷଣି ଖଲିଫା ପାଖରୁ ଜେଲଖାନରୁ ଆସିଲେ । ଖଲିଫାର ଲୁଗାପଟା ଫେରେଇ ଆଣିଛନ୍ତି ।

 

ତା’ପରେ ମୁଁ ଭିତରକୁ ଚାଲିଚାଲି ଭଡ଼ାଦିଆ ସାଇକେଲ ଦୋକାନୀ ଓ ଗଞ୍ଜେଇ ଅଫିମ ବିକିଲା ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲି । କିନ୍ତୁ ସେମାନେ କେହି ମୋ କଥାରେ କର୍ଣ୍ଣପାତ କଲେନି । ସମସ୍ତେ ରାଗରେ ପଞ୍ଚମ । କିଏ ଏହି କଥା ପୁଲିସକୁ ଜଣେଇଲା, ସେଇ ଲୋକକୁ କେମିତି ଠିକଣା ବେଳ ଦେଖି ଦିଗଡ଼ କରିବେ ସେମାନଙ୍କ ଭିତରେ ଚାଲିଥାଏ ସେଇ କଥାର ଆଲୋଚନା । ଆଜି ଭିତରେ ସେ ଲୋକକୁ ମାରିଦିଆଯିବା ଦରକାର–ତାହେଲେ ଖଲିଫା ଜେଲରେ ଖୁବ୍‍ ମନଶାନ୍ତିରେ ଦିନ କଟେଇବ । କେହି କେହି କହିଲେ, ଖଲିଫା ଜେଲରୁ ଖଲାସ ହେଲାଦିନ ଲୋକଟାକୁ ମାରି ଦେଲେ ଆନନ୍ଦ ଦିଗୁଣ ବଢ଼ିଯିବ । ନୀରବରେ ମୁଁ ଚାଲିଗଲି ମୋ ଘରର ପାହାଚଆଡ଼କୁ । ମୁହଁରେ ଫୁଟି ଉଠୁଥିବା ସ୍ମିତରେଖାକୁ ଗୋପନ ରଖିବାକୁ ଚେଷ୍ଟାକଲି । ନିଜ ଘରର ଦରଜା ପାଖରେ ଖଲିଫାର ସ୍ତ୍ରୀ ଛିଡ଼ା ହୋଇ ଗୋଟିଏ ଟୋକା କଂସେଇଠାରୁ ସ୍ଵାମୀର ଲୁଗାପଟା ଗୋଟି ଗୋଟି କରି ହିସାବ କରି ନେଉଥାଏ । ମୁହଁଟା ତା’ର ବିଷଣ୍ଣ । ଦିପଦ ସାନ୍ତ୍ୱନାର କଥା ତାକୁ କହିବାକୁ ମୁଁ ଉଚିତ ମନେକରି ତଳର ଚାଟାଣ ଉପରେ ଦୃଷ୍ଟି ନିବଦ୍ଧ କରି କହିଲି,

 

“କଥାଟା ଶୁଣି ମୋର ଭାରି ଦୁଃଖ ହୋଇଛି ।

 

“ଠିକ୍‍ ଅଛି ।” ସେ ଉତ୍ତର କଲା, “ଅନଉ ଅନଉ କାଲି ସକାଳେ ଛ’ ମାସ ଚାଲିଯିବ ।”

 

“ଛ’ ମାସ କିଛି କମ କଥା ନୁହେଁ ।” ମୁଁ ପୁଣି କହି ଉଠିଲି ।

 

ଏତିକିବେଳେ ଟୋକା କଂସେଇଟା ପାଟିକରି କହିବସିଲା, “ଛ’ବର୍ଷ ହେଲେ ବି ପରବାୟ ନାହିଁ । ଖଲିଫା ଖଲାସ ହେଲା ଦିନ ତମେ ଦେଖିବ କ’ଣ ହେବ ।”

 

ନିଜର ସେହି ଘରେ ମୁଁ ପୁଣି ଚଳାଚଳ ହେଲି । ମୋ ପକ୍ଷରେ ଆଗଠାରୁ ସମୟଟା ଅନୁକୂଳ ମନେହେଲା । ଅନ୍ତତଃ ଛ’ମାସ ସମୟ ବର୍ତ୍ତମାନ ଶାନ୍ତିରେ ଚାଳିଯିବି । ତା’ପରେ ଭବିଷ୍ୟତ ଘରର ବରାଦ କରିବାକୁ ମୁଁ ସ୍କୁଲର ପିଅନକୁ ଅନୁରୋଧ କରିଛି । ଭଲ ଘର ଖଣ୍ଡେ ବୁଝିଦେଲେ ତାକୁ ବକ୍‌ସିସ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ସମୟେ ସମୟେ ପାହାଚରେ ଯାଉଁ ଯାଉଁ ଟୋକା କଂସେଇଟା ସାଙ୍ଗରେ ଭେଟ ହେଇଯାଏ । ତାର ଚାହାଣୀରୁ ମୋ ପ୍ରତି କିଛି ଖରାପ ଭାବ ଥିବାର ଲକ୍ଷ୍ୟ କରି ନ ପାରି ପରିସ୍ଥିତି ଭଲ ଅଛି ବୋଲି ହୃଦ୍‌ବୋଧ ହୁଏ । ଦିନେ ପାହାଚ ଉପରେ ଖଲିଫାର ସ୍ତ୍ରୀକି ଦେଖିଲି । ଟୋକା କଂସେଇକି ଡାକି ସେ କଣସବୁ ତାକୁ କିଣିଆଣି ଦେବାପାଇଁ କହୁଥାଏ । ମତେ ଦେଖି ଖଲିଫାର ସ୍ତ୍ରୀ ଟିକେ ହସିଦେଇ ମୁଁ କାହିଁକି ଜେଲକୁ ଯାଇ ଥରେ ତାର ସ୍ଵାମୀକୁ ଦେଖି ଆସୁନାହିଁ ବୋଲି ପ୍ରଶ୍ନ କଲା । କାମରେ ଭାରି ବ୍ୟସ୍ତ ରହିଛି ବୋଲି ମୁଁ ଉତ୍ତର ଦେଲି ।

 

ଦିନେ ମୋର ଦରଜାରେ ମୃଦୁ ଆଘାତରେ ଶବ୍ଦ ଶୁଣାଗଲା । କବାଟ ଖୋଲି ଦେଖିଲି, ପ୍ରତୀକ୍ଷାମାଣା ଅବସ୍ଥାରେ ଠିଆ ହୋଇଛି ସେହି ସୁନ୍ଦରୀ ମହିଳା, ଖଲିଫାର ସ୍ତ୍ରୀ ।

 

“ଆରେ, ତମେ,” କୌଣସି ବିସ୍ମୟର ଭାବ ପ୍ରକାଶ ନ କରି ସହଜ ଭାବରେ ମୁଁ ସ୍ଵାଗତ ସମ୍ଭାଷଣ ଜଣାଇଲି ।

 

“ଦୟାକରି ଖଲିଫାଙ୍କ ପାଖକୁ ମୋ ପାଇଁ ଖଣ୍ଡେ ଚିଠି ଲେଖିଦେବ ?” କହିଲା ମହିଳା-

 

ମୁଁ ଉତ୍ତର ଦେଇ କହିଲି, “ନିଶ୍ଚୟ, ତୁମେ ଭିତରକୁ ଆସ ?”

 

ଗୋଟିଏ ବଖରାର ଅତି ସାଧାସିଧା ଘର, କୌଣସି ଆଡ଼ମ୍ବର କି ସାଜସଜ୍ଜା ନାହିଁ । ହଲ ଘରକୁ ଲାଗି ଛୋଟ ଖଣ୍ଡେ ରୋଷେଇ ଘର । ଲେଖାପଢ଼ିର ସରଞ୍ଜାମ ଥିବା ଜାଗାକୁ ମହିଳାଟିକୁ ମୁଁ ଆଗେଇ ନେଲି ଏବଂ ବସିବାପାଇଁ ସବୁଠାରୁ ଭଲ ଚୌକି ଖଣ୍ଡକ ଦେଲି । ପ୍ରକୃତରେ ମୋଟେ ଖଣ୍ଡେ ବୋଲି ଚୌକି ଥାଏ । ଚାରଟି ଯାକ ଗୋଡ଼ ତାର ସେ ପର୍ଯ୍ୟନ୍ତ ଭଲ ଅବସ୍ଥାରେ ଥାଏ । ଅସ୍ୱାଭାବିକ ମୁହୂର୍ତ୍ତର ଆବେଷ୍ଟନୀ ଭିତରେ ପଡ଼ି ଛାତିର ସ୍ପନ୍ଦନ ମୋର ଖୁବ୍ ବଢ଼ିଗଲା । ଯେ କୌଣସି ମୁହୂର୍ତ୍ତରେ କିଏ ଆସି ପହଞ୍ଚିଯାଇପାରେ ଏହି ଆଶଙ୍କାରେ ମୁଁ ଖାଲି ଶିହରୀ ଉଠୁଥାଏ । ସେହି ଅବସ୍ଥା ଭିତରେ ଦୁଆତ ଆଉ କାଗଜ ଖୋଜିବାରେ ଲାଗିପଡ଼ିଲି ।

 

“ତମର ଏଠି ଚା’ ମିଳିପାରିବ ?” ମହିଳାଟି ପ୍ରଶ୍ନ କଲା ।”

 

“ଗୋଟାଏ ହେଲେ କପ୍ ମିଳିପାରିବ ନି ?” ଏହା ତାର ଦ୍ଵିତୀୟ ପ୍ରଶ୍ନ ।

 

“ନିଶ୍ଚୟ ।” ମୁଁ ଉତ୍ତର ଦେଲି । “ତା ହେଲେ ତମର ଗୋଟାଏ କପ୍ ହେଲେ ଚଳିବ ।”

 

ଏହାପରେ ମହିଳାଟି ଘରସାରା କୌତୁକୋଜ୍ଜ୍ୱଳ ଦୃଷ୍ଟି ବୁଲେଇବାରେ ଲାଗିଲା । “ଆରେ, ଭଲ ବେଟେରୀ ରେଡ଼ିଓଟିଏତ ତମର ଅଛି ।” ସେ ପୁଣି କହିଲା, “ଟିକେ ସଙ୍ଗୀତ ଶୁଣିବା ବର୍ତ୍ତମାନ ।”

 

ଗୋଟିଏ ରେଡ଼ିଓ ଥିଲା ସତ, କିନ୍ତୁ ତାହା ବିଶେଷ ସୁନ୍ଦର ନୁହେଁ । ମାଛି ବସି ବସି ରେଡ଼ିଓଟାରେ କେତେକ ଦାଗ ସୃଷ୍ଟି ହୋଇଛି । ବୁଝି ପାରିଲି, ଭଦ୍ରତା ଖାତିରରେ ମହିଳାଟି ମୋ ରେଡ଼ିଓର ତାରିଫ କଲା । ରେଡ଼ିଓ ଖୋଲି ମହିଳାଟି ପାଇଁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବାର ବ୍ୟବସ୍ଥା କରିଦେଲି ।

 

“ଏବେ ତମେ ଯାଇ ମୋ ପାଇଁ ଚା’ ତିଆରି କରିପାର ।” ତା ପରେ ସେ ପୁଣି କହିଲା, “ଭାରି ବଢ଼ିଆ ଚା’ କରିବ, ନୁହେଁ ? ଭଲକରି ଟିକେ ଚିନି ଦବ ।”

 

“ସେଥିରେ ଆଉ ସନ୍ଦେହ ଅଛି ?” ଏତକ କହି ମୁଁ ବୋକାଙ୍କ ଭଳି ହସି ଉଠିଲି ।

 

ମୁଁ ଚା’ କରି ଫେରି ଆସିଲା ପର୍ଯ୍ୟନ୍ତ ସେ ସଙ୍ଗୀତ ଶୁଣିବାରେ ଲାଗିଥାଏ । ଉଭୟେ ଚା’ ପିଇ ପିଇ ଖଲିଫା ସମ୍ପର୍କରେ କଥାଭାଷା ହେଲୁ । ଘରୁ କୁଆଡ଼େ ଗୋଡ଼ କାଢ଼ିବାକୁ ନିଷେଧ ଆଦେଶ ଜାରି ଥିବାରୁ ସ୍ୱାମୀକି ଦେଖିବାକୁ ସେ ଏପର୍ଯ୍ୟନ୍ତ ଯାଇ ପାରିନି । ଚା, ଅଧା ହୋଇଗଲାବେଳକୁ ସେ କହି ଉଠିଲା, “ଆଜି ଭାରି ଗରମ ପଡ଼ିଚି, ନୁହେଁ !”

 

ମହିଳାଟିର କପାଳରେ ବିନ୍ଦୁ ବିନ୍ଦୁ ଝାଳ ଜମିଥିବାର ମୁଁ ଦେଖି ପାରିଲି । ଗ୍ରୀଷ୍ମଋତୁର ମଝାମଝି ସମୟ । ମୁଁ ଲକ୍ଷ୍ୟ କଲି ଦେହର ପୋଷାକ ଉପରେ ମହିଳାଟି ଗୋଟାଏ ପୁରୁଣା ଜାକେଟ ପିନ୍ଧିଛି । ଆଉ ଜାକେଟର ହାତ ଦି’ଟା ଲମ୍ବି ଆସିଛି ଅନେକ ଦୂର ଯାଏ ।

 

“ଓ, ଏ ଜାକେଟଟା ଖୋଲି ନ ଦେଲେ ଆଉ ସମ୍ଭାଳି ହବନି ।” ମହିଳାର କଣ୍ଠସ୍ଵର । “ଚିଠି ଖଣ୍ଡେ ଲେଖିବାକୁ ତମକୁ କେତେ ସମୟ ଲାଗୁଚି ମ ?”

 

ଦେହରୁ ସେ ଜାକେଟ ଖଣ୍ଡକ ଖୋଲି ପକେଇ ମୋ ବିଛଣା ଉପରେ ରଖିଦେଲା । ଦେହରେ ସେ ଯେଉଁ ପୋଷାକ ପିନ୍ଧିଛି, ତାହାର ବକ୍ଷାଂଶ ମୁକ୍ତ । ନାରୀ ଦେହର ଏପରି ଆବରଣହୀନ ଦୃଶ୍ୟ ମତେ ଅତ୍ୟନ୍ତ ବିଚଳିତ କରିଦେଲା ।

 

ଏହି ସମୟରେ ମୋର ସ୍ମୃତି ପଟରେ ଭାସି ଉଠିଲା କଂସେଇ ଦୋକାନରେ ଝୁଲୁଥିବା ଛୁରିଗୁଡ଼ାକର ଦୃଶ୍ୟ । ସେ ଦୃଶ୍ୟରେ କାମନା ମୋର ସ୍ଵତଃ ବ୍ୟାହତ ହୋଇପଡ଼ିଲା । ରେଡ଼ିଓରେ ସଙ୍ଗୀତର ସ୍ଵର ଲୀଳା ଶେଷ ହୋଇଆସିଲା । ତା’ପରେ ଆରମ୍ଭ ହୋଇଛି ଜଣେ ପ୍ରବକ୍ତାଙ୍କର ଶ୍ରମିକ ସିଣ୍ଡିକେଟ ଗଠନର ଭାଷଣ । ଚାବି ଟିପି ରେଡ଼ିଓ ବାଜଣା ବନ୍ଦ କରିଦେଲି ।

 

ହଠାତ୍ ମହିଳାଟି ପ୍ରଶ୍ନ କଲା, “ଘରୁ ତମକୁ ବାହାରକୁ ଯିବାର ମୁଁ ସେମିତି ଦେଖନା ।”

 

ମୁଁ ଉତ୍ତର ଦେଇ କହିଲି, “ନା, ମୁଁ ସନ୍ଧ୍ୟାବେଳଟା ପ୍ରାୟ ଏଇ ଘର ଭିତରେ ହିଁ କଟାଏ-।”

 

“କଣ କର ?”

 

“ବହିପତ୍ର ସଂଶୋଧନ କରେ ।”

 

“ହା ଆଲ୍ଲା, ତମଭଳି ବୟସର ଟୋକାଙ୍କ ଭଳି ତମେ କୌଣସି ଯୁବତୀଙ୍କୁ ଭେଟିବାକୁ ଯାଅ ନା, କାହିଁକି ?”

 

“ମୁଁ କିନ୍ତୁ କୌଣସି ଯୁବତୀଙ୍କି–ଜାଣେ ନା ।” ମୁଁ ଉତ୍ତର ଦେଲି ।

 

କେତୋଟି ମୁହୂର୍ତ୍ତ ମୋ ମୁହଁକୁ ଅତି ନିବିଷ୍ଟ ଭାବରେ ଅନେଇ ମହିଳାଟି ଠୋ କରି ହସି ଉଠିଲା ।

 

“ତମର ସେମାନଙ୍କୁ ଜାଣିବା ଉଚିତ । ତୁମ ଭଳି ଜଣେ ଯୁବକ ନିଜପାଇଁ ଯୁବତୀ ବାଛି ନେବା ଆବଶ୍ୟକ ।”

 

ଏହି ସମୟରେ ମୁଁ ଆଉ କଣ ଭାବିବାରେ ମନୋନିବେଶ କଲି ।

 

“ହଁ, ମୋର ଏ ହସ୍ତାକ୍ଷର କଥାଟା ତମେ ସ୍ୱାମୀଙ୍କୁ କଣ କହି ବୁଝେଇବ ?” ମୁଁ ପ୍ରଶ୍ନ କଲି ।

 

“ସିଏ କିଛି ନୁହେଁ ।” ନାରୀଟି ଅତି ସହଜ ଭାବରେ ଉତ୍ତର କଲା ।” “ତମେ ଚିଠି ଖଣ୍ଡକ ତମ ପାଖରେ ରଖିଥାଅ । କାଲି ମୁଁ ଟୋକାକୁ ପଠେଇ ତା’ ହାତରେ ଖବର ଦେବି ମୋ ଲାଗି ଚିଠି ଲେଖି ଦେବାକୁ । ତମେ ଜବାବ ଦବ, ତାର ଘଣ୍ଟା ଦି ଘଣ୍ଟା ପରେ ଯାଇ ଚିଠି ଖଣ୍ଡକ ତା’ ହାତରେ ଦବ, ଜାଣିଲ ।”

 

ଆମ ଦୁହିଁଙ୍କ ମନ ଭିତରେ ସେତେବେଳକୁ ଅପରାଧର ଏକ ବନ୍ଧନ ଗଢ଼ି ଉଠିଲାଣି ।

 

ତା’ପରେ କିପରି ଚିଠି ଲେଖିବାକୁ ହେବ ତାହା ମୋତେ ସେ ବତେଇ ଦେବାକୁ ଲାଗିଲା । ମୁଁ ଚିଠି ଲେଖୁଥାଏ । ସେ ମୋଆଡ଼କୁ ଝୁଙ୍କି ପଡ଼ି ବେଳେ ବେଳେ ମୋ ଉପରେ ଲଦି ହେଇ ମୋର ଲେଖାର ହରପ୍‍ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବାରେ ଲାଗିଯାଏ ।

 

ସେ ହଠାତ୍ ସ୍ୱର୍ଗତ ଭଙ୍ଗୀରେ କହି ଉଠିଲା, “ମୁଁ ଦିନମାନ ପ୍ରାୟ ଓପାସ ରହିଛି ବୋଲି ତମକୁ ଯଦି କୁହେ, ତମେ ହୁଏ ତ ବିଶ୍ୱାସ କରିବନି । ରୁଟିର ଚିରୁଆଟିଏ ହେଲେ ମୁଁ ଆଜି ପାଟିରେ ଦେଇନି । ତମେ କେବେ ଫେରି ଆସିବ ପ୍ରିୟ !” ମହିଳାର କେଶ ଗୁଚ୍ଛର ତୀବ୍ର ସୁଗନ୍ଧରେ ମୁଁ ଉନ୍ମାଦନାରେ ଉତ୍ତପ୍ତ ହୋଇ ଉଠୁଥାଏ । ତା ପରେ ମୋର ବାହୁରେ ସେହି ସୁନ୍ଦରୀ ନାରୀର ସ୍ପର୍ଶ । ସବୁକଥା ସେ ଦେଖି ପାରୁଥାଏ । ଆଖିରେ ତାର ଉଜ୍ଜ୍ୱଳ କୌତୁକର ମାୟା ।

 

ମହିଳାଟି ଅକସ୍ମାତ୍ ଏକ ରୁଦ୍ଧ ଚିତ୍କାର କରି ଉଠିଲା ।

 

“ଓଃ ।” ସେ ବ୍ୟଥା ମିଶ୍ରିତ କ୍ଷୀଣ କଣ୍ଠରେ କହିଲା, “ମୁଁ ପୁଣି ସେଇ ରୋଗ କବଳରେ ପଡ଼ିଲି ।”

 

“କଣ ହେଲା ଏମିତି–କଣ, କଣ ଘଟିଲା ସତେ ?”

 

“ଓଃ...ଉ ଉ ଉ ଉ ଉ ଉ ଉଃ...ଉ ଉ ଉ ଉ ଉ ଉ ଉଃ !” ମୁଁ ତା’ ଦେହରୁ ହାତ ଉଠେଇ ଆଣିଲି । ତାର ନିଜର ଦୋଟିଯାକ ହାତ ମୋ ଦେହର ଦୁଇ ପାଖରେ ଝୁଲି ପଡ଼ିଲା ଏବଂ ତାର ସାରା ଦେହ ବ୍ୟଥାରେ ଭରି ଉଠିଲା ।

 

“ଉ ଉ ଉ ଉ ଉ ଉ ଉଃ ।”

 

ପୁଣି ଥରେ ଚିତ୍କାର କରି ସେ ମୋର ବିଛଣା ଉପରେ ଚିତ୍ ହେଇ ମୂର୍ଚ୍ଛା ଚାଲିଗଲା । ମୁଁ ତା’ ଉପରେ ଢଳି ପଡ଼ିଲି । କଣ କରିବାକୁ ଯାଉଛି ତାହା ଥରେ ଚିନ୍ତା ନ କରି ମହିଳାର ବାହୁ ଦିଟାକୁ ଜୋର ଚାପିଧରି ପଚାରିଲି,

 

“ଅଜିଜା, ତମର ଇଏ କଣ ହେଲା ମତେ କୁହ..ଡାକ୍ତର ଡାକିବି ?”

 

ଅବଶ୍ୟ ଏଭଳି ଅବସ୍ଥାରେ ଏତେ ଚଞ୍ଚଳ ଡାକ୍ତର ପାଇବା କଷ୍ଟକର । କିନ୍ତୁ ଡାକ୍ତର ଡାକିବାର ସେତେ ଆବଶ୍ୟକତା ଅଛି ବୋଲି ମୁଁ ନିଜେ ମଧ୍ୟ କିପରି ଉପଲବ୍‌ଧି କରି ପାରିଲି ନି ।

 

“ନାଇଁ !” ମହିଳାର ବ୍ୟଥା ମିଶ୍ରିତ ସ୍ଵର । ଗିଲାସେ ପାଣି ଦିଅ...ଦୟାକରି ।”

 

ପାଣି ଆଣିବାକୁ ଘରୁ ବାହାରି ଯାଉ ଯାଉ ମହିଳାର ଚଟି ଯୋଡ଼ାକରେ ମୁଁ ଝୁଣ୍ଟି ପଡ଼ିଲି-। ଖଟର ତଳ ପାଖରେ ସେ ଚଟିଯୋଡ଼ାକ ରଖି ଦେଇଥିଲା । ପୀଡ଼ାରେ ଖୁବ ଘାରି ହୋଇ ପଡ଼ିଚି ସେ । ମୁଁ ଭାବିଲି ଉଦରଶୂନ୍ୟତା ଛଡ଼ା ଆଉ କିଛି ନୁହେଁ ।

 

ମୁଁ ଫେରି ଆସିଲାବେଳକୁ ଏକପଟିଆ ହୋଇ ତକିଆ ଉପରେ ସେ ଢଳି ପଡ଼ିଛି, ଆଉ ତାର ବୁଜି ହୋଇଥିବା ଆଖି ଯୋଡ଼ାକରେ ଫୁଟି ଉଠିଛି ବେଦନାର ଛାୟା-ବିଚିତ୍ର ଛବି । ମୋର ପଦଶବ୍ଦ ସେ ଶୁଣି ପାରିଲା ।

 

“ସ୍ୱିଚ୍ ଟିପି ଆଲୁଅଟା ବନ୍ଦ କରି ଦବକି ! ଆଲୁଅ ପଡ଼ି ଆଖିକି ଭାରି କଷ୍ଟ ଲାଗୁଛି । “କ୍ଷୀଣ ସ୍ଵରରେ କହି ଉଠିଲା ମହିଳା ।

 

ଏତିକିରେ ଏ କଥା ସରିଲାନି । ଏହି ଘଟଣା ପରେ ସେ ପ୍ରାୟ ପ୍ରତି ରାତିରେ ମୋ ପାଖକୁ ଆସିବାକୁ ଲାଗିଲା....

 

ସମୟର ଗତିଚକ୍ରରେ ଛ’ ମାସ କ୍ରମେ ଦ୍ରୁତ ଭାବରେ ଅତିକ୍ରାନ୍ତ ହେବାକୁ ବସିଲା । ଦିନେ ଘରକୁ ଫେରି ଦେଖିଲି, କେତେକ ବିଜୁଳି ମିସ୍ତ୍ରୀଙ୍କ ସହ ଦଳେ କଂସେଇ ଆଉ ପଡ଼ାର ଦୋକାନୀମାନେ ଜମା ହେଉଛନ୍ତି ଗଳିମୁଣ୍ଡରେ । ନାନା ରଙ୍ଗର ବିଜୁଳି ଆଲୁଅର ସାଜସଜ୍ଜା ଚାଲିଚି ଗଳିସାରା । ଘଟଣା ଅନୁସନ୍ଧାନ କରି ବୁଝିଲି ଆସନ୍ତା କାଲି ଖଲିଫା ଜେଲରୁ ଖଲାସ ହେବ । ତାରି ସମ୍ବର୍ଦ୍ଧନା ପାଇଁ ଏସବୁ ଆୟୋଜନ । ଏଇଠୁ ମୋ କରାମତି ଶେଷହେଲା । ଆଗ ଅପେକ୍ଷା ମୁଁ ଆହୁରି ଅସ୍ଵସ୍ତି ଅନୁଭବ କଲି । ୟା’ଭିତରେ ଇସ୍କୁଲର ପିଅନ ଘର ଯୋଗାଡ଼ କରିଥିଲେ ମଧ୍ୟ ମୁଁ ତାର ତତ୍ତ୍ଵ ନେଇନି । କଣ କରିବି କିଛି ବୁଦ୍ଧି ଦିଶିଲାନି । କେଉଁଠି ଯାଇ ମୂଷା ଗାତରେ ନିଜର ଅସ୍ତିତ୍ଵ ଲୋପକରି ଲୁଚିଯିବି ନା କଣ !

 

କିନ୍ତୁ ମୋର ଅନ୍ତର୍ଦ୍ଧାନରେ ଅଜିଜା କଣ ଭାବିଲା ମୁଁ ଆଉ ଜାଣିବାର ସୁବିଧା ପାଇନି-।*

 

*ଏକ ମିଶରୀୟ କ୍ଷୁଦ୍ରଗଳ୍ପର ଅନୁବାଦ, ଲେଖକ–ଆମିନ୍ ୟୁସେଫ୍ ଘୋରାବ୍ ।

Image